ଭୁବନେଶ୍ୱର : ଯୁବ ଲେଖିକା ଶ୍ରୀମତୀ ପ୍ରୀତିଛନ୍ଦା ଧଳଙ୍କ ଫିଚର୍ ସଂକଳନ ‘ ଫେମିନିଜିମ୍ ଓ ଅନ୍ୟାନ୍ୟ ପ୍ରସଙ୍ଗ’କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଆଜି ଉନ୍ମୋଚନ କରିଛନ୍ତି। ଲେଖିକାଙ୍କର ଏହା ପ୍ରଥମ ପୁସ୍ତକ ହୋଇଥିବାରୁ ରାଜ୍ୟପାଳ ଆନନ୍ଦ ପ୍ରକାଶ କରିବା ସହିତ ଅଧିକ ଲେଖିବା ପାଇଁ ପ୍ରେରଣା ଯୋଗାଇଥିଲେ। ଲେଖିକା ଓଡ଼ିଶାର ମହିଳା ଓ ଶିଶୁମାନଙ୍କ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରୁଥିବା ଜାଣି ରାଜ୍ୟପାଳ ସନ୍ତୋଷ ପ୍ରକାଶ କରିଥିଲେ।
ରାଜଭବନ ପରିସରରେ ନିରାଡ଼ମ୍ବର ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲେଖିକା ଶ୍ରୀମତୀ ଧଳଙ୍କ ସହିତ ତାଙ୍କ ସ୍ଵାମୀ ସିଦ୍ଧାର୍ଥ ଧଳ, ପୁଅ ଶିବମ ଧଳ, ଏବଂ ମାଆ ନମିତା ପଟନାୟକଙ୍କ ସହିତ ବିଶିଷ୍ଟ କବି ରକ୍ଷକ ନାୟକ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଉନ୍ମୋଚିତ ହୋଇଥିବା ଏହି ପୁସ୍ତକରେ ମୋଟ୍ ଚାଳିଶଟି ଆଲେଖ୍ୟ ରହିଛି । ଏସବୁ ଲେଖା ବିଭିନ୍ନ ସମୟରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି।



