www.samajalive.in
Thursday, December 11, 2025
14.1 C
Bhubaneswar

ବିନା ମାଟିରେ ହୋଇପାରିବ ପରିବା ଚାଷ

କୋରାପୁଟ: ଆଜି ଥିଲା ବିଶ୍ବ ମୃତ୍ତିକା ଦିବସ। ଏହି ଦିବସରେ କୋରାପୁଟର ଛାତ୍ର ଅଙ୍କିତ ବିନାମାଟିରେ କିଭଳି ଭଲ ପରିବା ଉତ୍ପାଦନ ହୋଇପାରିବ ସେ ଦିଗରେ ନୂଆ ଆଶା ସଞ୍ଚାର କରିଛନ୍ତି। ଆବଶ୍ୟକତାରୁ ୧୦ଗୁଣ କମ୍ ସ୍ଥାନରେ ବିନା ମାଟିରେ ପରିବା ଚାଷ କରି ୮ରୁ ୧୦ଗୁଣ ଅଧିକ ଉତ୍ପାଦନ ହୋଇପାରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଘର ଛାତ ଉପରେ ଭାବେ ସେ ଏଭଳି ଚାଷ କରିଥିବାବେଳେ ଏବେ ଫଳପ୍ରଦ ହୋଇଥିବା କହିଛନ୍ତି।

ଅଙ୍କିତକୁମାର ମହାନ୍ତି। ସର୍ବୋଦୟ ସମିତି ସମ୍ପାଦକ ପ୍ରଦୀପ ମହାନ୍ତିଙ୍କ ୨୪ବର୍ଷୀୟ ପୁଅ ଅଙ୍କିତ ଡାଟା ସାଇନ୍ସରେ ଇଞ୍ଜିନିୟରିଂ ପଢ଼ିବା ପରେ ଏବେ ଏମବିଏ ଅଧ୍ୟୟନ କରିଛନ୍ତି। କରୋନାକାଳରେ ଲକଡାଉନ ଘୋଷଣା ହେବା ପରେ ବାଙ୍ଗାଲୁରୁରେ ଥିବା ତାଙ୍କ ମାଉସୀ ଘରେ ରହିଯାଇଥିଲେ ଅଙ୍କିତ। ଏହି ସମୟରେ ସେ ବିନା ମାଟିରେ କିଭଳି ଚାଷ କରି ଭଲ ପରିବା ଉତ୍ପାଦନ କରି ହେବ ସେ ନେଇ କୌଶଳ ଶିକ୍ଷା ଲାଭ କରିଥିଲେ। ବାହାରେ ତଟକା ପରିବା ନ ପାଇବା ଯୋଗୁଁ ସେ ସବୁର ସମାଧାନର ବାଟ ଖୋଜୁ ଖୋଜୁ ସେ ପାଲଟିଗଲେ ଜଣେ ଯୁବ ଗବେଷକ। ସେ ୟୁଟୁବରୁ ଏହି ଶିକ୍ଷାଲାଭ କରିଥିଲେ। ଚାଷ ପ୍ରତି ସେ ଆକର୍ଷିତ ହେବା ସହ କିଛି ନୂଆ କରି ଦେଖାଇବା ପାଇଁ ଆରମ୍ଭ କରିଥିଲେ ଗବେଷଣା। ପାଣିରେ ଜୈବିକ ସାର ବ୍ୟବହାର କରି ବିଭିନ୍ନ ରକମର ଶାଗ, କ୍ୟାପସିକମ ଓ ଟମୋଟୋ ଆଦି ଚାଷ କରିଥିବାବେଳେ ସ୍ବାସ୍ଥ୍ୟ ପାଇଁ ଏହା ବେଶ ହିତକର ହେବା ସହ କମ ସ୍ଥାନରେ ତଟକା ସବୁଜ ପନିପରିବା ଉତ୍ପାଦନ ତାଙ୍କର ନିଶା ପାଲଟିଛି। ବିଭିନ୍ନ ଚର୍ଚ୍ଚା, କାର୍ଯ୍ୟ ଖସଡ଼ା ଓ ଆଲୋଚନା ପର୍ଯ୍ୟାଲୋଚନା କରି ନିଜ ଉଦ୍ୟମକୁ ସାକାର ରୂପ ଦେବା ପାଇଁ ଲାଗି ପଡ଼ିଥିଲେ ଅଙ୍କିତ। କିଛି ମାସର ଅଧ୍ୟୟନ ଓ ପ୍ରୟୋଗ ତାଙ୍କ ଗବେଷଣାରେ ସଫଳତା ଆଣି ଦେଇଛି। ବର୍ତ୍ତମାନ ସେ ରାସାୟନିକ ସାର ପ୍ରୟୋଗ କରିଥିଲେ ହେଁ ଜୈବିକ ପଦ୍ଧତିରେ ଚାଷ କରିବେ ବୋଲି ପ୍ରକାଶ କରିଛନ୍ତି। ଆବଶ୍ୟକତାଠାରୁ ଢେର କମ ଜାଗାରେ ପାଣିରେ ସାର ପ୍ରୟୋଗ କରି ଭଳିକି ଭଳି ପରିବା ଉତ୍ପାଦନ କରିବା ତାଙ୍କର ଲକ୍ଷ୍ୟା। ଏହି ପ୍ରଣାଳୀରେ ଚାଷ କଲେ ପ୍ରଥମେ କିଛି ମାତ୍ରାରେ ଅଧିକ ଖର୍ଚ୍ଚ ହେଉଥିବାବେଳେ ଦୁଇ ତିନିବର୍ଷରେ ଲାଭାଂଶ ଦ୍ବିଗୁଣିତ ହୋଇପାରିବ ବୋଲି ତାଙ୍କର ମତ। କରୋନାକାଳରେ ବହୁ ଲୋକଙ୍କ ଜୀବନଧାରଣର ମାନରେ ଢେର ପରିବର୍ତ୍ତନ ହୋଇଥିବା ଓ ଅନେକଙ୍କ ଆର୍ଥିକସ୍ଥିତି ଦୋହଲି ଯାଇଥିଲେ ମଧ୍ୟ ଅଙ୍କିତଙ୍କ ଭଳି ଅନେକ ଯୁବପିଢ଼ି ବିଭିନ୍ନ ସାମାଜିକ ଗଣମାଧ୍ୟମର ବ୍ୟବହାର କରି ନିଜସ୍ବ ଇଚ୍ଛାଶକ୍ତି ବଳରେ ନିଆରା ବ୍ୟକ୍ତିତ୍ବ ପାଲଟିପାରିଛନ୍ତି । କୋରାପୁଟବାସୀଙ୍କ ପାଇଁ ଅଙ୍କିତଙ୍କ ଏହି ନୂତନ ପଦ୍ଧତିରେ ଚାଷ ପ୍ରଣାଳୀ ବେଶ ପ୍ରେରଣାଦାୟୀ ହୋଇପାରିଥିବାବେଳେ ଅଙ୍କିତଙ୍କ ଏଭଳି ନିଆରା ଗବେଷଣା କୋରାପୁଟର ଯୁବପିଢ଼ିଙ୍କୁ ନୂତନ ଉତ୍ସାହ ଓ ଆଶା ଦେଖାଇଛି ।

Hot this week

ଆଜିର : ରାଶିଫଳ,ଦିନଟି ସୁଖସମୃଦ୍ଧିପୂର୍ଣ୍ଣ ହେବ

ମେଷ : କୁତ୍ସିତ ସଙ୍ଗ ପରିତ୍ୟାଗ କରି ସତ୍‌ସଙ୍ଗୀ ହେବାକୁ ଉଦ୍ୟମ...

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

Related Articles

Popular Categories