www.samajalive.in
Monday, December 8, 2025
13.1 C
Bhubaneswar

୧୯୯୯ ମହାବାତ୍ୟା ମନେ ପକେଇଲା ଫୋନୀ

ଭୁବନେଶ୍ୱର: ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଫୋନୀ ଓଡ଼ିଶାରେ ତା’ର ତାଣ୍ଡବଲୀଳା ରଚିବା ପରେ ଓଡ଼ିଶା ଅତିକ୍ରମ କରିଛି। ଉପକୂଳ ଓଡ଼ିଶା ସମେତ ପୁରୀ, ଖୋର୍ଦ୍ଧା, ରାଜଧାନୀ ଭୁବନେଶ୍ୱର ଓ କଟକରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ଫୋନି। ଚାରିଆଡ଼େ ଗଛ, ବିଦ୍ୟୁତ୍‍ ଖୁଣ୍ଟ ଉପୁଡ଼ି ରାସ୍ତା ଉପରେ ପଡ଼ିଥିବା ବେଳେ ଗମନାଗମନ ବ୍ୟାହତ ହୋଇଛି। କେତେକ ସ୍ଥାନରେ ଚାଳଛପର ଘର, ପୁରୁଣା କୋଠା ଓ ଉଠାଦୋକାନ ଆଦି ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ଦେଖାଯାଇଛି। ଶୁକ୍ରବାର ଫୋନିର ତାଣ୍ଡବ ଲୀଳା ପରେ ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲା ଖାଁ ଖାଁ ଲାଗୁଛି। ଫୋନିର ତାଣ୍ଡବ ଲୀଳା ଏଭଳି ହୋଇଛି ଯେ ୧୯୯୯ ମହାବାତ୍ୟା ପୁଣି ଥରେ ମନେ ପକାଇ ଦେଇଛି।

ବାତ୍ୟା ଫୋନୀ ପୁରୀ ଉପକୂଳରେ ସ୍ଥଳଭାଗ ଛୁଇଁବା ପରେ ପୁରୀ ଜିଲ୍ଲାରେ ଏହାର ପ୍ରଭାବ ଆରମ୍ଭ ହୋଇଥିଲା। ପ୍ରବଳ ବେଗରେ ପବନ ବହିବା ସହ ସମୁଦ୍ର ଅଶାନ୍ତ ରହିଥିଲା। ଉଚ୍ଚ ଜୁଆର କୂଳ ଲଂଘି ବେଳାଭୂମି ପର୍ଯ୍ୟନ୍ତ ମାଡ଼ିଆସିଥିଲା। ସେହିପରି ପବନର ବେଗ ଏତେ ପ୍ରବଳ ଥିଲା ଯେ ଏହା ସାମ୍ନାରେ କୌଣସି କୌଶଳ କାମ କରିନଥିଲା। ଫୋନିର ପବନ ମାଡ଼ରେ ପୁରୀ ଉପକୂଳ ଏବଂ ସହରରେ ବହୁ ଗଛ ଉପୁଡ଼ି ରାସ୍ତାରେ ପଡ଼ିଥିଲା। ସେହିପରି ଏକାଧିକ ବିଦ୍ୟୁତ୍‍ଖୁଣ୍ଟି ମଧ୍ୟ ଉପୁଡ଼ି ପଡ଼ିଛି। ବହୁଘର ଭାଙ୍ଗିରୁଜି ଯାଇଥିବା ବେଳେ ବଡ଼ଦାଣ୍ଡର ଅବସ୍ଥା ଛାରଖାର କରିଦେଇଛି। ସେହିପରି ରାଜଧାନୀ ଭୁବନେଶ୍ୱର ଓ ଏହାର ଉପକଣ୍ଠ ଅଞ୍ଚଳରେ ମଧ୍ୟ ଫୋନୀ ବେଶ୍‍ ପ୍ରଳୟଙ୍କରୀ ରୂପ ନେଇ ବହୁ କ୍ଷୟକ୍ଷତି ଘଟାଇଛି। ରାଜଧାନୀର ରାଜରାସ୍ତାରେ ଗଛଗୁଡ଼ିକ ଉପୁଡ଼ି ପଡ଼ିବା ଯୋଗୁଁ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଶନିବାର ରାତି ସୁଦ୍ଧା ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ପୁରୀର ବିଭିନ୍ନ ରାସ୍ତାରେ ଗମନାଗମନ ସ୍ୱାଭାବିକ ହୋଇ ନ ଥିବା ସୂଚନା ମିଳିଛି।

- Advertisement -

କଟକ

କଟକରେ ମଧ୍ୟ ଫୋନୀ ବେଶ୍‍ ତାଣ୍ଡବଲୀଳା ରଚିଛି। ପ୍ରବଳ ବେଗରେ ପବନ ବହିବା ଯୋଗୁଁ କଟକ ସହରର ଅଧିକାଂଶ ରାସ୍ତାରେ ଗଛ ଉପୁଡ଼ି ପଡିଛି। ସେହିପରି ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‍ ଖୁଣ୍ଟି ଉପୁଡ଼ି ରାସ୍ତା ଅବରୋଧ ହୋଇଛି। କଟକ ବାରବାଟୀ ଷ୍ଟାଡିୟମ୍‍ ରୋଡ଼୍‍, କ୍ୟାଣ୍ଟନ୍‍ମେଣ୍ଟ ରୋଡ଼୍‍, ମହାନଦୀ ରିଙ୍ଗ୍‍ ରୋଡ୍‍, ସି.ଡି.ଏ. ଯୋବ୍ରା ଆଦି ଅଞ୍ଚଳରେ ଏବେ ମଧ୍ୟ ରାସ୍ତାରେ ଗଛ ପଡି ରହିଛି। ଅଳ୍ପ କେତେକ ସ୍ଥାନରେ ଗଛ ଡାଳ କଟାଯାଇ ରାସ୍ତା ଅବରୋଧ ହଟାଯାଇଥିଲେ ସୁଦ୍ଧା ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ତେବେ ଶନିବାର ସକାଳଠାରୁ ଓଡ୍ରାଫ୍‍, ଅଗ୍ନିଶମ ବିଭାଗ ପକ୍ଷରୁ ସହରରେ ଗଛଗୁଡ଼ିକୁ କଟାଯାଇ ସଫା କରାଯାଉଛି। ଐତିହାସିକ ବାରବାଟୀ ଷ୍ଟାଡିୟମ୍‍ ମଧ୍ୟ ଫନୀ ପ୍ରଭାବରୁ ବାଦ୍‍ ପଡ଼ି ନାହିଁ। ଏଠାରେ ଥିବା କେତେଗୁଡ଼ିଏ ଗ୍ୟାଲେରିର ବେଶ୍‍ କ୍ଷତି ହୋଇଛି। ବାରବାଟୀ ପଡ଼ିଆରେ ଭଙ୍ଗାକାଚ ଓ ଗଛ ଡାଳ ପଡ଼ିରହିଛି। ଫନୀ ଯୋଗୁଁ ରାଜଧାନୀ ଭୁବନେଶ୍ୱର, କଟକ ଓ ପୁରୀ ଅଞ୍ଚଳ ସମେତ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‍ ସରବରାହ ବାଧାପ୍ରାପ୍ତ ହୋଇଛି। ସେହିପରି ପାନୀୟ ଜଳ ଯୋଗାଣ ମଧ୍ୟ ବହୁ ସ୍ଥାନରେ ବନ୍ଦ ରହିଛି। ଏହା ଯୋଗୁଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସକାଳୁ ବିଭିନ୍ନ ସାହିରେ ଥିବା ନଳକୂପରେ ପାଣି ପାଇଁ ଲୋକଙ୍କର ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ବିଭିନ୍ନ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଓ ଉଚ୍ଚସ୍ଥାନରେ ରଖାଯାଇଛି ରିଲିଫ୍‍ ଯୋଗାଇ ଦିଆଯାଉଛି।
ବାଲେଶ୍ୱର
ବାଲେଶ୍ୱର ଜିଲ୍ଲାରେ ଶୁକ୍ରବାର ବିଳମ୍ବିତ ରାତିରେ ସାମୁଦ୍ରିକ ଝଡ଼ ଫନି ଅତିକ୍ରମ କରିଛି। ଫନିର ପ୍ରଭାବରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଝଡ଼ ବାତ୍ୟା ହେବା ଯୋଗୁଁ ବହୁ ବଡ଼ବଡ଼ ଗଛ ଉପୁଡ଼ିପଡ଼ିବା ସହିତ ବିଶେଷ କରି ବିଦ୍ୟୁତ୍‍ ସେବା ଓ ଟେଲିଫୋନ୍‍ ସେବା ବ୍ୟାହତ ହୋଇଛି। ଫକୀର ମୋହନ କଲେଜର ଉଭୟ ପାର୍ଶ୍ବ ରାସ୍ତାରେ ଭାଙ୍ଗିପଡ଼ିଥିବା ଗଛଗୁଡ଼ିକୁ ଓଡ୍ରାଫ୍‍ ଟିମ୍‍ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ସଫା କରାଯାଉଛି। ଶିଳ୍ପାଞ୍ଚଳ ଓ ଅଙ୍ଗାରଗଡ଼ିଆ, ଭୀମପୁରାଠାରେ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି। ଲୋକନାଥ ରେଳ ଷ୍ଟେସନ୍‍ଠାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଟ୍ରେନ୍‍ ଚଳାଚଳ ବ୍ୟାହତ ହୋଇଛି। ଗ୍ରାମାଞ୍ଚଳକୁ ଯାନବାହାନ ସେବା ବ୍ୟାହତ ହେବା ସହିତ ବିଦ୍ୟୁତ୍‍ କାଟ୍‍ କରାଯାଇଛି। ବିଦ୍ୟୁତ୍‍ ବିଭାଗ ପକ୍ଷରୁ ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ଫନି ପ୍ରଭାବରେ ବାଲେଶ୍ୱର ଜିଲ୍ଲାର ୫ଟି ବ୍ଲକ ଭୋଗରାଇ, ରେମୁଣା, ବାଲିଆପାଳ, ବାଲେଶ୍ୱର, ବାହାନଗାର ୨୭ଟି ପଞ୍ଚାୟତର ୬୩ଟି ଗ୍ରାମର ୧ଲକ୍ଷ ୬୩ ହଜାର ଲୋକଙ୍କୁ ୧୧୬ଟି ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇ ସେମାନଙ୍କୁ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ଦିଆଯାଉଛି।
ଭଦ୍ରକ
ଭଦ୍ରକ ଜିଲ୍ଲାରେ ବାତ୍ୟା ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଜିଲ୍ଲାର ବଅନ୍ତ ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ଜନୈକ ମହିଳା ଅଚେତ ହୋଇପଡ଼ିବାରୁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ସେହିପରି ଚାନ୍ଦବାଲି ବ୍ଲକ ଉଡ଼ାସାହି ପଞ୍ଚାୟତରେ କାନ୍ଥ ପଡ଼ିବାରୁ ଜଣେ ପ୍ରସୂତୀଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି।
କେନ୍ଦ୍ରାପଡ଼ା
କେନ୍ଦ୍ରାପଡ଼ା ଜିଲ୍ଲାରେ ଗତକାଲି ସନ୍ଧ୍ୟା ପରେ ଫୋନି ଅତିକ୍ରମ କରିଛି। ଫନି ପ୍ରଭାବରେ ବଡ଼ବଡ଼ ଗଛ, ଟେଲିଫୋନ୍‍ ଓ ବିଦ୍ୟୁତ୍‍ ଖୁଣ୍ଟ ଉପୁଡ଼ି ପଡ଼ିଛି। ବିଭିନ୍ନ ସ୍ଥାନରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ବନ୍ଦ ରହିଛି। ଶୁକ୍ରବାର ରାତିରେ ଡେରାବିଶ୍‍ ବ୍ଲକ ଅନ୍ତର୍ଗତ ମନ୍ତ୍ରୀପଡ଼ା ନୂଆଗାଁରେ ଜଣେ ମହିଳାଙ୍କ ଉପରେ ଗଛ ଡାଳ ଭାଙ୍ଗି ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଯାଜପୁର
ସାମୁଦ୍ରିକ ଝଡ ଫୋନିର ପ୍ରଭାବରେ ଯାଜପୁର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଜିଲ୍ଲାର ଦଶଟି ଯାକ ବ୍ଳକରେ ଘର ଭାଂଗିଥିବାବେଳେ ବ୍ୟାପକ ଗଛ ଉପୁଡି ପଡିଛି। ଏନଡିଆରଏଫ ଓ ଓଡ୍ରାଫ ଟିମ ସହାୟତାରେ ଯୁଦ୍ଧ କାଳୀନ ଭିତିରେ ରାସ୍ତା ଅବରୋଧ କରିଥିବା ଗଛ ଗୁଡିକୁ ରାସ୍ତାରୁ ହଟାଯାଉଛି। ଫୋନିର ପ୍ରଭାବରେ ଯାଜପୁର ଜିଲ୍ଲାରେ ମୋଟ ଚାରିଜଣଙ୍କର ମୃତ୍ୟୁ ଘଟିଛି। ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତି ସଂପର୍କରେ ସୂଚନା ଦେବାକୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କେନ୍ଦ୍ରାଂଚଳ ରାଜସ୍ୱ କମିଶନର ଅନୀଲ ସାମଲଙ୍କ ପକ୍ଷରୁ କରାଯାଇଛି। ଫୋନି ପାଇଁ ହୋଇଥିବା କ୍ଷୟକ୍ଷତିର ଆକାଳନ କରାଯାଉଥିବାବେଳେ ପ୍ରଥମେ ଜିଲ୍ଲାର ବିଦ୍ୟୁତ ବ୍ୟବସ୍ଥାକୁ ସଜାଡିବା ଓ ରାସ୍ତା ଅବରୋଧ ହଟାଇବାକୁ ପ୍ରାଥମିକତା ଦିଆଯାଉଛି ବୋଲି ଶ୍ରୀ ସାମଲ କହିଥିଲେ। ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାର ୯୬ ହଜାର ଲୋକଙ୍କୁ ଆଶ୍ରୟସ୍ଥଳୀ ଗୁଡିକୁ ସ୍ଥାନାନ୍ତର କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୬୫ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଥିଲା। ଏମାନେ ପ୍ରାୟ ସକାଳୁ ସ୍ୱାଭବିକ ଅବସ୍ଥା ଫେରିବା ପରେ ନିଜ ଘର ମାନଙ୍କୁ ଫେରି ଯାଇଛନ୍ତି।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories