ଭୁବନେଶ୍ବର : ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଫନି’ ଏବେ ଓଡ଼ିଶା ମୁହାଁ ହୋଇଛି। ଏହାର ପ୍ରଭାବରେ ମେ ୧ରୁ ରାଜ୍ୟରେ ଝଡ଼ତୋଫାନ ଆରମ୍ଭ ହୋଇଯିବ। ୩ରୁ ୪ ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବ ଅନୁଭୂତ ହେବ। ତେବେ ‘ଫନି’ର ଲ୍ୟାଣ୍ଡଫଲ ନେଇ ମଙ୍ଗଳବାର ଅପରାହ୍ନ ସୁଦ୍ଧା ସ୍ପଷ୍ଟ କରାଯିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦେଶକ ସୂଚନା ଦେଇଛନ୍ତି। କିନ୍ତୁ ଓଡିଶା ଉପରେ ଏହାର ଯଥେଷ୍ଟ ଅଧିକ ପ୍ରଭାବ ପଡିବ ବୋଲି ଜଣାପଡିଛି। ‘ତିତଲି’ ଅପେକ୍ଷା ‘ଫନି’ର ପ୍ରଭାବ ବେଶୀ ରହିବ ବୋଲି ଏଚ୍.ଆର୍.ବିଶ୍ବାସ କହିଛନ୍ତି।
‘ଫନି’ର ପ୍ରଭାବରେ ଉପକୂଳ, ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହେବ। ଉପକୂଳରେ ଘଣ୍ଟାକୁ ୧୫୦-୧୭୦ କିମି ବେଗରେ ପବନ ବହିବ। ତେଣୁ ଓଡିଶାରେ ଲୋକଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦେଇଛି। ‘ଫନି’ର ମୁକାବିଲା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।



