www.samajalive.in
Friday, December 5, 2025
27.1 C
Bhubaneswar

ସମ୍ଭାବ୍ୟ ତୃତୀୟ ଲହର : ଅଭିଭାବକ ସଂକ୍ରମିତ ନ ହେଲେ ଶିଶୁ ସୁରକ୍ଷିତ

ଭୁବନେଶ୍ବର : ସମ୍ଭାବ୍ୟ ତୃତୀୟ ଲହରରେ ଶିଶୁମାନେ ଅଧିକ ସଂକ୍ରମିତ ହେବେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଏବଂ ବୈଜ୍ଞାନିକ ଆଶଙ୍କା କରିଛନ୍ତି। ଏହାର ମୁକାବିଲା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଜନ୍ମରୁ ୧୮ ବର୍ଷର ଶିଶୁଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପ୍ରତି ଅଭିଭାବକ କିପରି ସଚେତନ ରହିବେ ତାକୁ ନେଇ ବିଶାଖାପଟନମ ବନ୍ଦର ନ୍ୟାସ(ପୋର୍ଟ ଟ୍ରଷ୍ଟ)ର ଡାକ୍ତର ଏବଂ ରାଜଧାନୀ ଡାକ୍ତରଖାନାର ଅବସରପ୍ରାପ୍ତ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଆଶୁତୋଷ ମହାପାତ୍ର ସତର୍କତାମୂଳକ ବାର୍ତ୍ତା ଜାରି କରିଛନ୍ତି।
ଡାକ୍ତର ଶ୍ରୀ ମହାପାତ୍ରଙ୍କ କହିବାନୁଯାୟୀ, ଯଦିଓ ସମ୍ଭାବ୍ୟ ତୃତୀୟ ଲହର ଆସେ, ତେବେ ଅଭିଭାବକ ଶିଶୁଙ୍କୁ ସର୍ବଦା ଘରେ ରଖିବେ। ସମ୍ପର୍କୀୟ ଏବଂ ବନ୍ଧୁଙ୍କ ଘର ତଥା ଜନଗହଳିପୂର୍ଣ୍ଣ ସ୍ଥାନରୁ ଶିଶୁଙ୍କୁ ଦୂରେଇ ରଖିବେ। ଶିଶୁ ଆଖି ଏବଂ ମୁହଁରେ ନଖ କିପରି ନ ମାରିବ ସେଥିପ୍ରତି ଯତ୍ନଶୀଳ ହେବା ଉଚିତ। ଘର ପରିବାର ସଦସ୍ୟ ହାତକୁ ବିଶୋଧନ କରି ଶିଶୁକୁ ଧରିବେ। ଦିନକୁ ଦୁଇଥର ଶିଶୁର ଖେଳନା, କମ୍ପ୍ୟୁଟର ଓ କି-ବୋର୍ଡ ବିଶୋଧନ କରିବା ବାଧ୍ୟତାମୂଳକ। ଘର ପାଖରେ ଦିନକୁ ଅଧଘଣ୍ଟା ସୂର୍ଯ୍ୟକିରଣରେ ଶିଶୁକୁ ଖେଳିବାକୁ ଅନୁମତି ଦିଆଯିବା ଦରକାର। ୪ ବର୍ଷରୁ ଊର୍ଦ୍ଧ୍ବ ଶିଶୁଙ୍କ କ୍ଷେତ୍ରରେ କରୋନା ମାର୍ଗଦର୍ଶିକା ପାଳନ କରିବାକୁ ପଡ଼ିବ। ବଡ଼ ଲୋକ ଅଯଥା ଶିଶୁକୁ ନ ଧରିବା, ଚୁମ୍ବନ ଦେବା ଏବଂ ଶିଶୁର ହାତ ସହିତ ହାତ ନ ମିଶାଇବା ଭଲ। ଶିଶୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ନିମନ୍ତେ ନିୟମିତ ଉଷୁମ, ସୁଷମ ଓ ପୁଷ୍ଟିକର ଖାଦ୍ୟ ଖାଇବାକୁ ଦିଆଯିବ। ଯଥା- ଦିନକୁ ୨ଟି ଅଣ୍ଡା, ୧୦୦ ଏମ୍‌ଏଲ୍‌ ଏକ ଗ୍ଲାସ ଦୁଗ୍ଧ, ଚଣା ସିଝା, ସବୁଜ ମଟର ଓ ବୁଟ, ତଟକା ଫଳ, ସବୁଜ ପରିବା ଏବଂ ଲେମ୍ବୁ, କମଳା ଖାଇବାକୁ ଦିଆଯାଇ ପାରିବ। ଏହା ଦ୍ବାରା ଶିଶୁ ସୁସ୍ଥ ରହିଥାଏ। ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇବ। ଘରେ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ଦେବା ସହ ବାହାର ରୋଷେଇ ଖାଦ୍ୟରୁ ଦୂରେଇ ରଖିବା ଉଚିତ। ଶିଶୁ ଅସୁସ୍ଥ ଅନୁଭବ କଲେ କିମ୍ବା କରୋନା ଲକ୍ଷଣ ପ୍ରକାଶ ପାଇଲେ ନମୁନା ପରୀକ୍ଷା କରାଇ ନିଅନ୍ତୁ। ଯଥା ଜ୍ବର, ମୁଣ୍ଡବିନ୍ଧା, ଶରୀର ବ୍ୟଥା, କାଶ, ଦୁର୍ବଳ ଅନୁଭବ, ଭୋକ ନ ଲାଗିବା, ତରଳ ଝାଡ଼ା ହେବା, ଆଖି ଏବଂ ଗାଲରେ ଯନ୍ତ୍ରଣା ଅନୁଭବ କଲେ ଅଭିଭାବକ ପରୀକ୍ଷା କରାଇ ନେବା ଉଚିତ। ସଂକ୍ରମଣ ଚିହ୍ନଟ ହେଲେ ଚିକିତ୍ସା କରିବା ସହ ଶିଶୁ ପାଖରେ ତାପମାପକ ଯନ୍ତ୍ର(ଥର୍ମୋମିଟର), ଅମ୍ଳଜାନ ମାପକ ଯନ୍ତ୍ର(ଅକ୍ସିମିଟର) ଏବଂ ବିଶୋଧିତ କାଗଜ (ଟିସ୍ୟୁ ପେପର) ରଖିବାକୁ ପଡ଼ିବ।
ଅବସରପ୍ରାପ୍ତ ଶିଶୁରୋଗ ବିଶେଷଜ୍ଞ ଡ.ଶ୍ରୀ ମହାପାତ୍ର କହିଛନ୍ତି, ସମ୍ଭାବ୍ୟ ତୃତୀୟ ଲହର ଆସିବ କି ନ ଆସିବ ଏବେଠାରୁ ବିଶେଷ କିଛି ଆକଳନ କରି କୁହାଯାଇପାରିବ ନାହିଁ। ତଥାପି ସମ୍ଭାବ୍ୟ ତୃତୀୟ ଲହର ପ୍ରତି ଅଭିଭାବକ ଏବେଠାରୁ ସତର୍କ ରହିବା ଉଚିତ। ଶିଶୁଙ୍କ ସହିତ ଘରେ ଅଭିଭାବକ ସମୟ କାଟିବା ଦରକାର। ପରିବାର ସଦସ୍ୟ କିପରି ସଂକ୍ରମିତ ନ ହେବେ ସେଥିପ୍ରତି ପରିବାର ସମସ୍ତ ସଦସ୍ୟ ଯତ୍ନଶୀଳ ହେବାକୁ ଡାକ୍ତର ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories