୧୬୧୦ ଲିଟର ମଦ ଓ ୧୨ ହଜାର ଲିଟର ପୋଚ ଜବତ

ଆଠଗଡ: କଟକ ଜିଲ୍ଲାପାଳ ଓ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଆଠଗଡର କୋରଙ୍ଗା ଗ୍ରାମରେ ଅବକାରୀ ଓ ପୁଲିସ ପକ୍ଷରୁ ମିଳିତ ଚଢାଉ କରାଯାଇଛି। ଶୁକ୍ରବାର ଭୋର ସମୟରେ ନବନିଯୁକ୍ତ ଆଠଗଡ ଅବକାରୀ ଉପଅଧୀକ୍ଷକ ସି ଏଚ ତିରୁପତିଙ୍କ ନେତୃତ୍ବରେ ହୋଇଥିବା ଏହି ଚଢାଉରେ କୋରଙ୍ଗା ଗ୍ରାମର ଗୋଟିଏ ଘରୁ ବହୁ ପରିମାଣର ମଦ ଓ ଗୁଡ ମିଶ୍ରିତ ପୋଚ ଜବତ କରାଯାଇଛି। ଏକାଧିକ ଚୋରା ମଦ ଭାଟି ଉପରେ ମଧ୍ୟ ଚଢାଉ କରାଯାଇ ମଦ ଓ ପୋଚ ଜବତ କରାଯାଇଥିଲା । ମୋଟ ୧୬୧୦ ଲିଟର ସଦ୍ୟ ପ୍ରସ୍ତୁତ ଦେଶୀ ମଦ ଓ ମଦ ପ୍ରସ୍ତୁତି ପାଇଁ ଗଚ୍ଛିତ ୧୨୨୧୫ ଲିଟର ପୋଚ ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଥିଲା। ତେବେ ଜଣେ ବି ଚୋରା ମଦ ବ୍ୟବସାୟୀ ଗିରଫ ହୋଇନଥିବାବେଳେ ଏ ସମ୍ପର୍କିତ ୪ଟି ମାମଲା ରୁଜୁ କରାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେତେବେଳେ ବି ଚୋରା ମଦ କାରବାର ପେଣ୍ଠ କୋରଙ୍ଗା, ଭିରୁଡା ଓ ଡାଳୁଆ ଅଞ୍ଚଳରେ ଅବକାରୀ ଚଢାଉ ହେଉଛି ଚୋରା ମଦ ମାଫିଆ କେବେ ବି ଧରାପଡ଼ିବାର ନଜିର ନାହିଁ । ମାମଲା ରୁଜୁ ହେଉଛି, କିନ୍ତୁ ଅଭିଯୁକ୍ତ ଆଦୌ ଧରା ପଡୁନାହାନ୍ତି । ଏଥିରୁ ମଦ ମାଫିଆ ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ସ୍ପଷ୍ଟ ଜଣାପଡୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଆଠଗଡ ଅବକାରୀ ନିରୀକ୍ଷକ ରବି ନାରାୟଣ ପ୍ରଧାନ,  ଉପନିରୀକ୍ଷକ ଅରୁଣ କୁମାର ଭୋଇ, ବାଙ୍କୀ ଏସଆଇ ସୌମ୍ୟରଞ୍ଜନ ମାଝି, କଟକ ସଦର ଏସଆଇ ଅଜିତ ପାତ୍ର, ଭ୍ରାମ୍ୟମାଣ ସ୍କ୍ୱାଡ୍‌ ଏସଆଇ ସେଫାଳୀ ଦାସ ଓ ଆଠଗଡ ଥାନା ଉପନିରୀକ୍ଷକ ଜନ୍ମିତା ସାସମଲଙ୍କ ସମେତ ବହୁ ଅବକାରୀ ଏବଂ ପୁଲିସ କର୍ମଚାରୀ ଏଥିରେ ଅଂଶଗ୍ରହଣ କରିଥିଲେ।

Comments are closed.