ମୁମ୍ବାଇ: ୭୩ ବର୍ଷୀୟ ପୂର୍ବତନ ଆଇଆଇଟି ପ୍ରଫେସର ରାମ ପୁନିୟାନିଙ୍କୁ ଧମକ ଭରା ଟେଲିଫୋନ କଲ ଆସୁଥିବା ନେଇ ଅଭିଯୋଗ ହେବା ପରେ ପୋୱାଇ ପୁଲିସ ଏକ ଅଣ-ହସ୍ତକ୍ଷେପ ଯୋଗ୍ୟ ମାମଲା ରୁଜ୍ଜୁ କରିଛି। ହିନ୍ଦୁ ବିରୋଧୀ କାର୍ଯ୍ୟକଳାପ ପାଇଁ ତାଙ୍କୁ ଏହି କଲ ଆସୁଥିବା କୁହାଯାଇଛି।
ପ୍ରଫେସର ପୁନିୟାନି ୟୁଟ୍ୟୁବରେ ସାମାଜିକ ଓ ସାମ୍ପ୍ରଦାୟିକ ସଦଭାବ ବିଷୟ ଉପରେ ସମ୍ଭାଷଣ ଦେବା ସହ ଭିଡିଓ ମଧ୍ୟ ପ୍ରସାର କରିଥାନ୍ତି। ଏହି ମାମଲାକୁ ଅପରାଧିକ ଧମକ ଭାବେ ପଞ୍ଜିକୃତ କରାଯାଇଛି। ଅଭିଯୋଗ ମୁତାବକ, ଗୁରୁବାର ରାତିରେ ଦୁଇଟି ଅଜଣା ନମ୍ବରରୁ ପ୍ରଫେସର ପୁନିୟାନିଙ୍କୁ ଲ୍ୟାଣ୍ଡଲାଇନରେ କଲ ଆସିଥିଲା ଓ ସେ କଲ ମଧ୍ୟ ଗ୍ରହଣ କରିଥିଲେ।
ଜଣେ ଫୋନ କରି କହିଥିଲା ଯେ ତୁମେ ହିନ୍ଦୁ ବିରୋଧୀ କାର୍ଯ୍ୟକଳାପ ବନ୍ଦ କର ଓ ୧୫ ଦିନ ଭିତରେ ସହର ଛାଡି ଚାଲିଯାଅ, ନଚେତ ପରିଣାମ ଭୋଗିବ। ଦ୍ଵିତୀୟ ଥର ଆସିଥିବା ଫୋନରେ ସମ୍ପୃକ୍ତ ବ୍ୟକ୍ତି ଜଣକ ପ୍ରଥମେ ପଚାରିଥିଲେ ଯେ ସେ ପ୍ରଫେସର ପୁନିୟାନିଙ୍କ ସହ କଥା ହେଉଛନ୍ତି ନ ନାହିଁ। ପ୍ରଫେସର ମନା କରିବା ପରେ ସେ ଅଜଣା ଲୋକଟି ଫୋନ କାଟିଦେଇଥିଲା।
ପ୍ରଫେସର ପୁନିୟାନି ପୂର୍ବରୁ ମୁମ୍ବାଇ ପୁଲିସ କମିଶନରଙ୍କୁ ଏକ ପତ୍ର ମାଧ୍ୟମରେ ସମ୍ପୃକ୍ତ ଅଜଣା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ଅନ୍ୟ ଏକ ଘଟଣାରେ ୨୦୧୯ ମାର୍ଚ୍ଚରେ ପାସପୋର୍ଟ ଅନୁଧ୍ୟାନ ବାହାନାରେ ତିନି ଜଣ ଲୋକ ଆସିଥିଲେ ବୋଲି ସେ କହିଛନ୍ତି।


