ଶାନ୍ତିଶୃଙ୍ଖଳାରେ ଇଦ ପାଳିତ
ଶ୍ରୀନଗର : ସମସ୍ତ ଆଶଙ୍କାର ଅବସାନ ଘଟାଇ କାଶ୍ମୀର ଉପତ୍ୟକାରେ ସୋମବାର ଶାନ୍ତିପୂର୍ଣ୍ଣ ଭାବେ ଇଦ୍ ପାଳିତ ହୋଇଛି। ଏହି ଉପଲକ୍ଷେ ସୁରକ୍ଷାବାହିନୀ ପକ୍ଷରୁ ରାଜ୍ୟର ୧୧ଟି ଜିଲାରେ କଟକଣା କୋହଳ କରାଯାଇଥିଲା; କିନ୍ତୁ ଧର୍ମାନୁଷ୍ଠାନ ନିକଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଜାରି କରାଯାଇଥିଲା। ରାଜ୍ୟବାସୀ ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ଉତ୍ସବ ପାଳନ କରିଥିବା ଓ କୌଣସିଠାରେ କିଛି ଅଘଟଣା ଘଟିବାର ସୂଚନା ନ ଥିବା ପୁଲିସ, ପ୍ରଶାସନ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଧାରା ୩୭୦ ଉଚ୍ଛେଦ ଘୋଷଣା ପରଠାରୁ ଗୃହବନ୍ଦୀ ଥିବା ରାଜ୍ୟର ତିନି ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା, ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫତିଙ୍କ ପାଇଁ ଚଳିତବର୍ଷର ଇଦ ସମ୍ପୂର୍ଣ୍ଣ ନିରାଡମ୍ବର ରହିଛି। ସେମାନଙ୍କ ଘରେ ସମ୍ପର୍କୀୟ, ବନ୍ଧୁ ଓ ସମର୍ଥନଙ୍କ ଭିଡ ଦେଖିବାକୁ ମିଳିଥିଲେ ମଧ୍ୟ
ଏହି ତିନି ନେତାଙ୍କ ସୁଖୀ ନ ଥିବା ଜଣାଯାଇଛି। ସେମାନଙ୍କ ଘର ବାହାରେ ସୁରକ୍ଷାବାହିନୀର କେବଳ ଗୋଟିଏ ଗାଡି ପହରା ଦେଉଥିଲା। ଏତଦ୍ବ୍ୟତୀତ ଅଗଷ୍ଟ ୫ରୁ ଅଟକ ରହିଥିବା ଅନ୍ୟ ବହୁ ନେତା ସେନ୍ତୁର ହଲଠାରେ ଇଦ୍ ପ୍ରାର୍ଥନା କରିଛନ୍ତି। ଅନ୍ୟପଟେ ଜାତୀୟ ନିରାପତ୍ତା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଆକାଶମାର୍ଗରୁ ଶ୍ରୀନଗର ଓ ଦକ୍ଷିଣ କାଶ୍ମୀରର ସୁରକ୍ଷା ବ୍ୟବସ୍ଥା ନିରୀକ୍ଷଣ କରିଛନ୍ତି। ରାଜ୍ୟ ପୁଲିସ ମହାନିର୍ଦେଶକ ଦିଲବାଗ ସିଂହ ଏବଂ ସେନା କମାଣ୍ଡରମାନେ ମଧ୍ୟ ବିଭିନ୍ନ ସ୍ଥାନରେ ଆକାଶମାର୍ଗରୁ ସ୍ଥିତି ଅନୁଧ୍ୟାନ କରିଛନ୍ତି।
ଏହି ଅବସରରେ ଉପତ୍ୟକାରେ ଆତଙ୍କବାଦୀ ହମଲା ରୋକିବା ଲାଗି ଯେକୌଣସି ସନ୍ଦିଗ୍ଧ ବ୍ୟକ୍ତିଙ୍କ ସମ୍ବନ୍ଧରେ ତୁରନ୍ତ ଖବର ଦେବାକୁ ପୁଲିସ ସାଧାରଣ ଲୋକଙ୍କୁ ନିବେଦନ କରିଛି। ଏଥିନେଇ ଜାମ୍ମୁର ବରିଷ୍ଠ ଏସପି (ନିରାପତ୍ତା)ଙ୍କ ପକ୍ଷରୁ ଏକ ନିର୍ଦେଶାବଳୀ ଜାରି କରାଯାଇଛି। କୌଣସି ବ୍ୟକ୍ତି ନିଜ ସହିତ ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ, ଧାରୁଆ ଅସ୍ତ୍ର, ହ୍ୟାଣ୍ଡ ବ୍ୟାଗ, ପଲିଥିନ ବ୍ୟାଗ, ଟ୍ରାଞ୍ଜିଷ୍ଟର, ଷ୍ଟପୱାଚ ତଥା କୌଣସି ପ୍ରକାର ଶକ୍ତିଶାଳୀ ଜ୍ବଳନଶୀଳ ବସ୍ତୁ, ସିଗାରେଟ, ଦିଆସିଲି, ଲାଇଟର, କ୍ୟାମେରା ଆଦି ନ ନେବା ଲାଗି ପୁଲିସ ପରାମର୍ଶ ଦେଇଛି। ଆବଶ୍ୟକସ୍ଥଳେ ପୁଲିସକୁ ସହଯୋଗ ପୂର୍ବକ ନିଜର ପରିଚୟ ପ୍ରମାଣପତ୍ର ଦେଖାଇବାକୁ ପୁଲିସ କହିଛି।
ପ୍ରଶାସନର ସୂଚନା ଅନୁସାରେ କେବଳ ଜାମ୍ମୁର ଇଦ୍ଗାଠାରେ ୫୦୦୦ରୁ ଊର୍ଦ୍ଧ୍ବ ଲୋକ ନମାଜ ପାଠ କରିଛନ୍ତି। ବାରମୁଳା, ରାମବାନ୍, ଅନନ୍ତନାଗ, ସୋପିଆନ, ଅବନ୍ତିପଡ଼ା, ଶ୍ରୀନଗର ଏବଂ ଅନ୍ୟ ସ୍ଥାନଗୁଡିକରେ ମଧ୍ୟ ଲୋକେ ସୁରୁଖୁରୁରେ ନମାଜ ପାଠ କରିଛନ୍ତି ବୋଲି ରାଜ୍ୟ ମୁଖ୍ୟ ସଚିବ (ଯୋଜନା କମିସନ) ରୋହିତ କନସଲ କହିଛନ୍ତି। ଇଦ୍ ପାଇଁ ରାଜ୍ୟର ବିଭିନ୍ନ ବ୍ୟାଙ୍କ, ଟ୍ରେଜେରୀ ଖୋଲା ରଖାଯାଇଥିଲା। ଏଠାରେ ୨ରୁ ୩ ଦିନ ମଧ୍ୟରେ କର୍ମଚାରୀମାନଙ୍କ ଦରମା ତଥା ଅନ୍ୟାନ୍ୟ ଖର୍ଚ୍ଚ ବାବଦ ୫୦୦ କୋଟି ଟଙ୍କାର କାରବାର ହୋଇଥିବା ଜଣାପଡିଛି। ରବିବାର କଟକଣା କୋହଳ କରାଯିବା ପରେ ବିଭିନ୍ନ ସ୍ଥାନରେ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା। ଲୋକେ ଶାନ୍ତିପୂର୍ଣ୍ଣ ଭାବେ ବଜାରଘାଟରେ ଆତଯାତ କରିଥିଲେ େବାଲି କନସଲ କହିଛନ୍ତି। ଛୋଟଛୋଟ ମସଜିଦରେ ଲୋକେ ନମାଜ ପାଠ କରିଛନ୍ତି; ସୁରକ୍ଷା ବାହିନୀ କୌଣସିଠାରେ ବଡ଼ ଜନସମାବେଶ ହେବାକୁ ଦେଇନାହିଁ। ଇଦ ପ୍ରାର୍ଥନା ଲାଗି ରବିବାର ଉଚ୍ଚସ୍ତରୀୟ ବୈଠକରେ ବ୍ୟାପକ ସୁରକ୍ଷା ସମ୍ବନ୍ଧୀୟ ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା। ଆଗକୁ ସ୍ବାଧୀନତା ଦିବସ ଥିବାରୁ ଏହାକୁ ଅଧିକ ସୁରକ୍ଷିତ ଓ ସଫଳତାର ସହିତ ପାଳନ କରିବା ଲାଗି ଜାମ୍ମୁ ପୁଲିସ ରାଜ୍ୟବାସୀଙ୍କ ସହାୟତା ଲୋଡିଛି। କେନ୍ଦ୍ର ସରକାର ରାଜ୍ୟରୁ ଧାରା ୩୭୦ ହଟାଇବା ପରଠାରୁ ସୁରକ୍ଷାବାହିନୀ ଏଠାକାର ସ୍ଥିତି ଉପରେ କଡ଼ା ଦୃଷ୍ଟି ରଖିଛି। ରାଜ୍ୟରେ ସ୍ଥିତି ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଥିବା ପୁଲିସ କହିଛି।
Comments are closed.