ଶିକ୍ଷା ସମସ୍ତ ଜାତୀୟ ଉନ୍ନତିର ମୂଳାଧାର। ଶିଳ୍ପ ବୋଲ, କୃଷି ବୋଲ, ସାହିତ୍ୟ ବୋଲ ଲୋକ ସାଧାରଣ କିଛିଦୂର ଶିକ୍ଷିତ ନହେଲେ ଏସବୁ ବିଭାଗରେ ଉନ୍ନତିର ଆଶା ସୁଦୂର ପରାହତ।’
ଆଜି ପୁଣ୍ୟାତ୍ମା ଉତ୍କଳମଣି ଗୋପବନ୍ଧୁଙ୍କର ୯୩ତମ ପୁଣ୍ୟତିଥି। ସେ ଆମ ପାଇଁ ଆଜି ସୁଦୂର ଆକାଶର ନକ୍ଷତ୍ର, ଅତୀତର ଇତିହାସ; କିନ୍ତୁ ଯେତିକି ଯେତିକି କାଳର ଗତି ଦୂରତ୍ବ ବଢ଼ାଉଛି, ବିସ୍ମୟକର ଭାବେ ସେ ସେତିକି ଆମ ପାଖେ ଅଧିକରୁ ଅଧିକ ପ୍ରାସଙ୍ଗିକ ମନେହେଉଛନ୍ତି। ତାଙ୍କ ବାଣୀ, ରଚନା ଓ ଆଦର୍ଶର ମହତ୍ତ୍ବ ଶାଶ୍ବତ ମୂଲ୍ୟବୋଧ ଘେନି ଅଧିକ ଦ୍ୟୁତିମୟ ହେଉଛି। ସଂପ୍ରତି ନୂତନ ଜାତୀୟ ଶିକ୍ଷାନୀତିର ପ୍ରଧାନ ଉପଗମ ଓ ତାହାର ରୂପାୟଣ କଥା ସମଗ୍ର ଦେଶରେ ଆଲୋଚନାର ବିଷୟ ହୋଇଥିଲାବେଳେ ଗୋପବନ୍ଧୁଙ୍କ ଶିକ୍ଷାଚିନ୍ତାର ଗୁରୁତ୍ବ ଅନୁଭବ କରି ହେଉଛି। ପ୍ରାଥମିକ ଶିକ୍ଷାର ମୌଳିକ ଅଧିକାର- ଯାହା ୨୦୧୦ରେ ବାଧ୍ୟତାମୂଳକ କରିବା ପାଇଁ ସାମ୍ବିଧାନିକ ବ୍ୟବସ୍ଥା ଗ୍ରହଣ କରାଗଲା, ପ୍ରାୟ ଶହେ ବର୍ଷ ପୂର୍ବରୁ କ୍ରାନ୍ତଦର୍ଶୀ ପଣ୍ଡିତ ଗୋପବନ୍ଧୁ ୧୯୧୨ ସେପ୍ଟେମ୍ବର ୧୬ରେ ସତ୍ୟବାଦୀଠାରେ ଅନୁଷ୍ଠିତ ପୁରୀ ଜିଲା ଶିକ୍ଷା ସମ୍ମିଳନୀରେ ଏହି କଥାର ପ୍ରସ୍ତାବ ଆଣି ଦେଶ ଓ ଜାତିର ସର୍ବାଙ୍ଗୀଣ ଉନ୍ନତି ପାଇଁ ଶିକ୍ଷାର ସାର୍ବଜନୀନତା ଉପରେ ଗୁରୁତ୍ବ ଦେଇଥିଲେ ଓ ଉପରୋକ୍ତ କଥା କହିଥିଲେ।
ପଣ୍ଡିତ ଗୋପବନ୍ଧୁଙ୍କ ଶିକ୍ଷାଚିନ୍ତା ଥିଲା ପ୍ରାଚୀନ ଭାରତର ଆଧ୍ୟାତ୍ମିକ ଆଦର୍ଶ ଓ ଆଧୁନିକ ୟୁରୋପର ନବଜାଗରଣ ଆଧାରିତ ମାନବତାବାଦୀ ବୈଜ୍ଞାନିକ ଦୃଷ୍ଟିର ସମନ୍ବିତ ରୂପ। ସେ ଚାହୁଁଥିଲେ ଶିକ୍ଷା କେବଳ ବ୍ୟକ୍ତିକୁ ବିଜ୍ଞ କରିବ ନାହିଁ, ତା’ର ପରିପୂର୍ଣ୍ଣ ବିକାଶ (ଶାରୀରିକ, ମାନସିକ, ନୈତିକ ଓ କର୍ମଭିତ୍ତିକ) ଘଟାଇ ସମାଜରେ ତା’କୁ ସମର୍ଥ, ନିଃସ୍ବାର୍ଥପର, ନୈତିକତା ସମ୍ପନ୍ନ ନାଗରିକ ଭାବେ ନିର୍ମାଣ କରିବ। ଆଧୁନିକ ଭାରତବର୍ଷର ଶ୍ରେଷ୍ଠ ଶିକ୍ଷା ଦାର୍ଶନିକ ଗୁରୁଦେବ ରବୀନ୍ଦ୍ରନାଥଙ୍କ ପ୍ରାକୃତିକ ଶିକ୍ଷା, ମହାତ୍ମା ଗାନ୍ଧୀଙ୍କ କର୍ମଭିତ୍ତିକ ଶିକ୍ଷା ଓ ଶ୍ରୀ ଅରବିନ୍ଦଙ୍କ ପୂର୍ଣ୍ଣାଙ୍ଗ ଶିକ୍ଷାର ସକଳ ନିର୍ଯାସ ଯେପରିକି ଗୋପବନ୍ଧୁଙ୍କ ଶିକ୍ଷାଚିନ୍ତାରେ ଏକୀଭୂତ ହୋଇଥିଲା। ନୂତନ ଜାତୀୟ ଶିକ୍ଷାନୀତି-୨୦୨୦ରେ ଯେଉଁ ମହତ୍ତ୍ବପୂର୍ଣ୍ଣ ପ୍ରସ୍ତାବଗୁଡ଼ିକ ଅନ୍ତର୍ଭୁକ୍ତ ହୋଇଛି ସେସବୁ ଗୋପବନ୍ଧୁଙ୍କ ଶିକ୍ଷାଚିନ୍ତାରେ ସ୍ପଷ୍ଟ ଭାବରେ ଥିଲା ଓ ତାହାକୁ ରୂପାୟିତ କରିବା ପାଇଁ ସତ୍ୟବାଦୀ ବନବିଦ୍ୟାଳୟରେ ଆପ୍ରାଣ ପ୍ରୟାସ କରାଯାଇଥିଲା। ପରବର୍ତ୍ତୀ ସମୟରେ ତାହା ଜାତୀୟ ବିଦ୍ୟାଳୟରେ ପରିଣତ ହୋଇଥିଲା ଓ ସାର୍ ଏଡୱାର୍ଡ ଗେଇଟ୍, ସାର୍ ଆଶୁତୋଷ ମୁଖାର୍ଜୀ ଓ ମହାତ୍ମା ଗାନ୍ଧୀ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଏହି ଅନୁଷ୍ଠାନ ପରିଦର୍ଶନ କରି ଉଚ୍ଚପ୍ରଶଂସା କରିଥିଲେ। ଶିକ୍ଷାନୀତିରେ ଯେଉଁ ନ୍ୟାୟସଙ୍ଗତ ଓ ସମନ୍ବିତ ଶିକ୍ଷା କଥା କୁହାଯାଇଛି ଗୋପବନ୍ଧୁ ସତ୍ୟବାଦୀ ବନବିଦ୍ୟାଳୟରେ ସେସବୁର ଯଥାର୍ଥ ଉପଯୋଗ କରିଥିଲେ। ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ସମାନ ସୁଯୋଗ ଦେବାର ବ୍ୟବସ୍ଥା ଥିଲା। ଶିକ୍ଷକମାନେ ଦକ୍ଷ ଓ ଉତ୍ସର୍ଗୀକୃତ ଥିଲେ। ଶିକ୍ଷା ନୀତିରେ ପ୍ରଭାବଶାଳୀ ପରିଚାଳନା ଓ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବର କଥା କୁହାଯାଇଛି। ସତ୍ୟବାଦୀ ବିଦ୍ୟାଳୟ ଏ ଦିଗରୁ ଥିଲା ଆଦର୍ଶ। ମୁକ୍ତାକାଶ ତଳେ ବୃକ୍ଷଛାୟାରେ ହେଉଥିବା ଶ୍ରେଣୀଗୁଡ଼ିକରେ ଅଳ୍ପ ସଂଖ୍ୟକ ଛାତ୍ର ରହୁଥିଲେ। ପାଠ୍ୟ ବିଷୟ ସହିତ ଅନ୍ୟାନ୍ୟ କାର୍ଯ୍ୟକଳାପ ଏହି ବ୍ୟବସ୍ଥାକୁ ଅଧିକ ମହତ୍ତ୍ବପୂର୍ଣ୍ଣ କରିଥିଲା। ସାଧାରଣ ସମୟରେ ଦିନ ୧୦.୩୦ରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଶ୍ରେଣୀ ଚାଲୁଥିଲା। କେବଳ ଗ୍ରୀଷ୍ମ ତିନିମାସ ଦୁଇବେଳା ପ୍ରାତଃ ୬ରୁ ୯ଟା ଓ ଅପରାହ୍ଣ ୩ଟାରୁ ୫ଟା ହେଉଥିଲା। ଅନ୍ତର୍ଭୁକ୍ତ ଥିଲା ଶାରୀରିକ ବ୍ୟାୟାମ, ସମାଜସେବା, ଛାତ୍ରାବାସରେ ଦୈନିକ କାର୍ଯ୍ୟ, କାଠକାମ, ଚାଷ ଓ ବଗିଚା କାମ, ସୂତାକଟା ଓ ଅରଟରେ ଲୁଗାବୁଣା, ସ୍କୁଲର ସମବାୟ ବ୍ୟାଙ୍କ ଓ ସହଯୋଗ ସମିତି କାର୍ଯ୍ୟ, ବିଦ୍ୟାଳୟର ପତ୍ରିକା ଓ ଅନ୍ୟାନ୍ୟ ପ୍ରକାଶନ, ସାହିତ୍ୟ ସଭା ଓ ସଙ୍ଗଠନ, ପରିଦର୍ଶନ ବ୍ୟବସ୍ଥା, ପୂର୍ବଛାତ୍ରଙ୍କ ସହିତ ସମ୍ପର୍କ ସ୍ଥାପନ ଓ ବିଦ୍ୟାଳୟ ପାଠାଗାର ପରିଚାଳନା କାର୍ଯ୍ୟ। ଏପରି ସାମଗ୍ରିକ ଭାବେ ସତ୍ୟବାଦୀ ବନବିଦ୍ୟାଳୟ ଏକ ଆଦର୍ଶ ଶିକ୍ଷାନୁଷ୍ଠାନ ଥିଲା। ଏହି ବ୍ୟବସ୍ଥାର ପୁନରୁଦ୍ଧାର କରାଗଲେ ଶିକ୍ଷାନୀତିର ରୂପାୟଣ ସଫଳ ହୋଇପାରିବ।
ନୂତନ ଶିକ୍ଷାନୀତିରେ ଆଉ ଗୋଟିଏ ବିଷୟକୁ ସମଧିକ ଗୁରୁତ୍ବ ଦିଆଯାଇଛି- ତାହା ହେଉଛି ମାତୃଭାଷାରେ ଶିକ୍ଷା ଓ ଆଞ୍ଚଳିକ ବା ସ୍ଥାନୀୟ ବିଶେଷତ୍ବକୁ ପାଠ୍ୟବିଷୟରେ ଅନ୍ତର୍ଭୁକ୍ତ କରିବା। ପଣ୍ଡିତ ଗୋପବନ୍ଧୁ ମାତୃଭାଷାକୁ ଶିକ୍ଷାର ମାଧ୍ୟମ କରିବା ପାଇଁ ସର୍ବଦା ଯୁକ୍ତି କରୁଥିଲେ। ଏପରିକି ‘ଶିଶୁଙ୍କୁ ମାତୃଭାଷାରେ ଶିକ୍ଷା ନଦେବା ଶିଶୁ ହତ୍ୟା’ ବୋଲି ସେ ଉଲ୍ଲେଖ କରିଥିଲେ। ୧୯୧୮ରେ ସତ୍ୟବାଦୀର ୫ମ ଓ ୬ଷ୍ଠ ସଂଖ୍ୟାରେ ‘ପ୍ରାଦେଶିକ ଭାଷା ସାହାଯ୍ୟରେ ଉଚ୍ଚଶିକ୍ଷା’ରେ ସେ ଲେଖିଥିଲେ, ‘ଯେ କୌଣସି ଜାତିର ଶିକ୍ଷା ସେହି ଜାତିର ନିଜ ଭାଷାରେ ନହେବା ଯାଏ ତାହା ଜାତୀୟ ଶିକ୍ଷା ନୁହେଁ।’ ସ୍ଥାନୀୟ ପରିବେଶରେ ପ୍ରକୃତି ଓ ସଂସ୍କୃତି ସହିତ ଏକାତ୍ମ ହୋଇ ଶିକ୍ଷା ଗ୍ରହଣ କରିବା ହିଁ ଥିଲା ଗୋପବନ୍ଧୁଙ୍କର ଆଦର୍ଶ। ସତ୍ୟବାଦୀ ବିଦ୍ୟାଳୟରେ ଯେଉଁ ତିନିଟି ସମିତି ଛାତ୍ରମାନଙ୍କୁ ନେଇ ଗଠନ କରାଯାଇଥିଲା ତାହା ଥିଲା- (୧) ପ୍ରଥମଟି ଯୁବକ ସଂଘ, ଯେଉଁମାନେ ବିଭିନ୍ନ ସଭା ଓ ଆଲୋଚନା ମାଧ୍ୟମରେ ଦେଶାତ୍ମବୋଧ ଜାଗ୍ରତ କରି ଦେଶ ସେବା ପାଇଁ ଉତ୍ସାହିତ କରୁଥିଲେ। (୨) ଦ୍ବିତୀୟଟି ଇତିହାସ ସମିତି, ଏଥିରେ ଆମର ଐତିହ୍ୟ, ପରମ୍ପରା, ଲୋକସାହିତ୍ୟ, କିମ୍ବଦନ୍ତୀ ତଥା ଐତିହାସିକ କୀର୍ତ୍ତିରାଜି ଉପରେ ଆଲୋଚନା ଓ ତା’ର ସୁରକ୍ଷା ପାଇଁ ଉଦ୍ୟମ ହେଉଥିଲା। (୩) ତୃତୀୟଟି କୁଳ ସମ୍ମିଳନୀ- ଏଥିରେ ଶିକ୍ଷକ ଛାତ୍ରଙ୍କର ମିଳିତ ସମିତି ଯାହା ପ୍ରତି ଶନିବାର ଦିନ ଅଧିବେଶନ କରି ସମସ୍ୟା ଓ ସମାଧାନ ବିଚାର କରୁଥିଲେ। ଏହିପରି ସତ୍ୟବାଦୀ ବିଦ୍ୟାଳୟରେ ସବୁ ଦିଗକୁ ଦୃଷ୍ଟି ଦିଆଯାଇଥିଲା।
ଏସବୁ ବ୍ୟତୀତ ନୂତନ ଶିକ୍ଷାନୀତିରେ ଉଲ୍ଲେଖ ଥିବା ନାରୀଶିକ୍ଷା, ଶିକ୍ଷା ଓ ଶାନ୍ତି, ଶ୍ରମ ଓ ଶିକ୍ଷା, ଶିକ୍ଷା ଓ ଚାଷ ପ୍ରଭୃତି ବିଷୟରେ ମହତ୍ତ୍ବପୂର୍ଣ୍ଣ ରଚନାମାନ ଲେଖି ପଣ୍ଡିତ ଗୋପବନ୍ଧୁ ଆପଣାର ଶିକ୍ଷାଚିନ୍ତାର ମୌଳିକତା ଓ ବିସ୍ତାରର ପ୍ରମାଣ ଦେଇଥିଲେ। ଆଜି ଶତବର୍ଷ ପରେ ମଧ୍ୟ ସେସବୁ ସମଧିକ ପ୍ରାସଙ୍ଗିକ ଓ ଆମର ଅନୁକରଣୀୟ।
ବସନ୍ତ କୁମାର ପଣ୍ଡା
ପ୍ରକଳ୍ପ ନିର୍ଦେଶକ, ‘ସେଣ୍ଟର ଫର୍ ଏକ୍ସିଲେନ୍ସ ଫର୍ ଷ୍ଟଡିଜ୍ ଇନ୍ କ୍ଲାସିକାଲ୍ ଓଡ଼ିଆ’, ସିଆଇଆଇଏଲ୍
bk@rediffmail.com


