ସୁଦାନରେ ଗତ ଦୁଇବର୍ଷ ଧରି ଭୟଙ୍କର ଯୁଦ୍ଧ ଚାଲିଛି। ହଜାର ହଜାର ଲୋକ ମରୁଛନ୍ତି, କୋଟି କୋଟି ଲୋକ ଗୃହଶୂନ୍ୟ ହୋଇଯାଇଛନ୍ତି, ଭୋକରେ ମରୁଛନ୍ତି; କିନ୍ତୁ ବିଶ୍ୱ ଏହି ତ୍ରାସକୁ ଉପେକ୍ଷା କରୁଛି। ଏହା କେବଳ ସୁଦାନର ସଙ୍କଟ ନୁହେଁ- ଏହା ସମଗ୍ର ବିଶ୍ୱର ମାନବିକତା ଓ ବିବେକର ପରୀକ୍ଷା। ଦୁଇବର୍ଷ ପୂର୍ବେ ସୁଦାନରେ ଦୁଇଟି ସଶସ୍ତ୍ର ଗୋଷ୍ଠୀ ଏସ୍ଏଏଫ୍ ଏବଂ ଆର୍ଏସ୍ଏଫ୍ ମଧ୍ୟରେ କ୍ଷମତା ପାଇଁ ସଂଘର୍ଷ ଆରମ୍ଭ ହେଲା। ଏହି ଲଢ଼େଇ ଧୀରେ ଧୀରେ ଏକ ଭୟଙ୍କର ଗୃହଯୁଦ୍ଧରେ ପରିଣତ ହୋଇଗଲା। ସାଧାରଣ ଲୋକମାନେ ଏହି ଯୁଦ୍ଧର ଶିକାର ହେଲେ। ଗତ ସପ୍ତାହରେ ଦାରଫୁର ଅଞ୍ଚଳର ଏଲ୍ ଫାଶର ସହରକୁ ଆର୍ଏସ୍ଏଫ ଦଖଲ କରିନେଲା। ତାପରେ ସେଠାରେ ଯାହା ଘଟିଲା, ତାହା ବିଶ୍ବ ମାନବିକତାକୁ ଲଜ୍ଜିତ କରିଛି। ନିର୍ଦିଷ୍ଟ ଜାତିର ଲୋକମାନଙ୍କୁ ନିଶାଣ କରି ହତ୍ୟା କରାଗଲା। ଏହାକୁ ଗଣହତ୍ୟା କହିଲେ ଅତ୍ୟୁକ୍ତି ହେବ ନାହିଁ। କେବଳ ଗୋଟିଏ ହସ୍ପିଟାଲରେ ୪୬୦ରୁ ଅଧିକ ଲୋକ ମରିଛନ୍ତି। କେବଳ ସେତିକି ନୁହେଁ ମହିଳାମାନଙ୍କ ଉପରେ ମଧ୍ୟ ଅକଥନୀୟ ଅତ୍ୟାଚାର କରାଗଲା।
ଏହି ଦୃଶ୍ୟ ଆମକୁ ୧୯୯୪ର ରୁୱାଣ୍ଡା ଘଟଣା ମନେପକାଏ- ଯେଉଁଠି ୧୦୦ ଦିନରେ ୮ ଲକ୍ଷ ଲୋକଙ୍କୁ ହତ୍ୟା କରାଯାଇଥିଲା। ସେତେବେଳେ ବିଶ୍ୱ କହିଥିଲା- ‘ଆଉ କେବେ ନୁହେଁ’; କିନ୍ତୁ ଆଜି ସୁଦାନରେ ସମାନ ଅତ୍ୟାଚାର ଏବଂ ବିଶ୍ୱ ନିରବ। ଗାଜା ଓ ୟୁକ୍ରେନର ଯୁଦ୍ଧ କଥା ପ୍ରତିଦିନ ଖବରରେ ରହୁଛି, କିନ୍ତୁ ସୁଦାନର ନାମ ନାହିଁ।
୨୦ ବର୍ଷ ପୂର୍ବେ ଯେତେବେଳେ ଦାରଫୁରରେ ଅତ୍ୟାଚାର ହେଉଥିଲା, ବିଶ୍ୱବ୍ୟାପୀ ପ୍ରତିବାଦ ହୋଇଥିଲା। ସମସ୍ତେ ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ କରିଥିଲେ। ଅନ୍ତର୍ଜାତୀୟ ନ୍ୟାୟାଳୟ ରାଷ୍ଟ୍ରପତିଙ୍କ ବିରୋଧରେ ମାମଲା କରିଥିଲା। ଶାନ୍ତି ରକ୍ଷୀ ବାହିନୀ ହଜାର ହଜାର ଜୀବନ ବଞ୍ଚାଇଥିଲା। ହେଲେ ଆଜି ସୁଦାନର ବିଭୀଷିକା ଲାଗି ସମଗ୍ର ବିଶ୍ବରେ କେବଳ ନିରବତା। ଏହି ଉଦାସୀନତାର କାରଣ ସ୍ପଷ୍ଟ। ଆଜି ବିଶ୍ବର ସ୍ବାର୍ଥାନ୍ବେଷୀ ନେତାମାନଙ୍କ ଲାଗି ସୁଦାନର ଗୁରୁତ୍ବ ନାହିଁ। କାରଣ ସୁଦାନରେ ତୈଳ ନାହିଁ କି ଏହି ଦେଶର କୌଣସି ଭୂରାଜନୈତିକ ବିଶେଷତା ନାହିଁ। ସତ କହିବାକୁ ଗଲେ- ଏହା ଆଫ୍ରିକାର ଏକ ଦେଶ। ସବୁବେଳେ ଆଫ୍ରିକାର ଦୁଃଖକୁ ବିଶ୍ୱ କମ୍ ଗୁରୁତ୍ୱ ଦିଏ; କିନ୍ତୁ ଏହି ଉଦାସୀନତାର ଭୟଙ୍କର ମୂଲ୍ୟ ଅଛି। କାରଣ କିଛି ଦେଶ ଏହି ଗୃହ ଯୁଦ୍ଧନିଆଁରେ ଘିଅ ଢାଳୁଛନ୍ତି। ମିଶର, ତୁର୍କୀ, ଇରାନ ଓ ରୁଷିଆ ଏସ୍ଏଏଫ୍କୁ ସମର୍ଥନ କରୁଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସ ଆର୍ଏସ୍ଏଫକୁ ଡ୍ରୋନ ଓ ଭାରୀ ଅସ୍ତ୍ର ଯୋଗାଉଛି।
ଏହି ପରିପ୍ରେକ୍ଷୀରେ ତୁରନ୍ତ ଯୁଦ୍ଧବିରତି ଆବଶ୍ୟକ ଯାହାଦ୍ୱାରା ମାନବିକ ସହାୟତା ଯୁଦ୍ଧ ଅଞ୍ଚଳରେ ଫସିରହିଥିବା କୋଟି କୋଟି ଲୋକଙ୍କ ପାଖରେ ପହଞ୍ଚିପାରିବ। ସୁଦାନର ଏହି ସଙ୍କଟ କେବଳ ଏକ ଅଞ୍ଚଳର ସମସ୍ୟା ନୁହେଁ। ଏହା ସମସ୍ତଙ୍କ ପାଇଁ, ସମଗ୍ର ବିଶ୍ୱ ପାଇଁ ଏକ ନୈତିକ ପରୀକ୍ଷା। ଆଜି ଯଦି ବିଶ୍ବ ସୁଦାନର ଅତ୍ୟାଚାରକୁ ନିରବରେ ଦେଖିବ ତେବେ ଆସନ୍ତାକାଲି ଅନ୍ୟତ୍ର ଅନ୍ୟ ଜାତିର ନିର୍ମୂଳନ ଘଟିଲେ ମଧ୍ୟ ବିଶ୍ବ ନିରବ ରହିବ ଯାହା ଗଣହତ୍ୟାକୁ ଏକ ସାଧାରଣ, ସ୍ୱାଭାବିକ ଘଟଣା କରିଦେବାର ବିପଦ ସୃଷ୍ଟି କରିବ। ଏହା ହେବ ମାନବିକତାର ମୃତ୍ୟୁ।



