ଭୁବନେଶ୍ଵର: ୟୁକ୍ରେନ୍ ସହିତ ଯୁଦ୍ଧ ବିରତି ପାଇଁ ରୁଷିଆ ରାଜି ନହେଲେ ତା’ ବିରୋଧରେ ଏକ ମୋଟା ଅଙ୍କର ସେକେଣ୍ଡାରୀ ଟାରିଫ (ତଣ୍ଡଟିକସ) ଲାଗୁ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି। ଘନଘନ ମତିଗତି ବଦଳାଇବାରେ ଅଭ୍ୟସ୍ତ ଅସ୍ଥିର ଟ୍ରମ୍ପ ଆହୁରି କହିଛନ୍ତି ଯେ ୫୦ ଦିନ ବା ସେପ୍ଟେମ୍ବର ଆଦ୍ୟଭାଗ ସୁଦ୍ଧା ରୁଷିଆ ତାଙ୍କ କଥା ନ ମାନିଲେ ଏହି ସେକେଣ୍ଡାରୀ ଟାରିଫ ଲାଗୁକରାଯିବ। କେବଳ ସେତିକି ନୁହେଁ ଯେଉଁ ଦେଶମାନେ ଏବେ ରୁଷିଆ ସହିତ ବାଣିଜ୍ୟ କରୁଛନ୍ତି ସେମାନଙ୍କ ଉପରେ ମଧ୍ୟ ଏହି ମୋଟା ଅଙ୍କର ଟାରିଫ୍ ଲାଗୁହେବ। ସେ ସ୍ପଷ୍ଟ କରିଦେଇଛନ୍ତି ଯେ ଏହି ସେକେଣ୍ଡାରୀ ଟାରିଫ ୧୦୦ ଶତାଂଶ ଯାଏ ହୋଇପାରେ। ସତରେ ବିଶ୍ବର ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରମୁଖ୍ୟଙ୍କର ଏ କି ପ୍ରକାର ପାଗଳାମି! ରୁଷିଆ ଟ୍ରମ୍ପଙ୍କ କଥା ମାନିବ କି ନାହିଁ ତାହା କହିବା କଷ୍ଟ; କିନ୍ତୁ ଏହା ଫଳରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇ ବିଶ୍ବ ଶାନ୍ତି ଓ ସ୍ଥିତାବସ୍ଥା ଅଧିକ ବିଗିଡ଼ିବାର ଆଶଙ୍କା ଦେଖାଦେଇଛି। ଟ୍ରମ୍ପଙ୍କ ଏହି ଅର୍ଥନୀତିକ ଦଣ୍ଡ ଧମକ ଦ୍ବାରା ରୁଷିଆର ଅର୍ଥନୀତି କେବଳ ପ୍ରଭାବିତ ହେବନାହିଁ; ତା’ଠାରୁ ତୈଳ କିଣୁଥିବା ଭାରତ, ଚୀନ ଓ ତୁର୍କୀ ଭଳି ବିକାଶଶୀଳ ଦେଶ ବିଶେଷ କ୍ଷତିଗ୍ରସ୍ତ ହେବେ। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଜଣେ ଅତ୍ୟନ୍ତ ଜିଦ୍ଖୋର ଲୋକ। ସେ ଏକ ଅନ୍ୟାୟ ଯୁଦ୍ଧ ଲଢ଼ୁଛନ୍ତି ଏବଂ ଏହା ବନ୍ଦ ହେବା ଉଚିତ। ଏହା ସତ୍ତ୍ବେ ସେ ମଧ୍ୟ ତାଙ୍କ ଦେଶର ପୁରୁଣା ଶତ୍ରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ଧମକରେ ମୁଣ୍ଡ ନୁଆଁଇବା ଲୋକ ନୁହନ୍ତି। ସୁତରାଂ ଉଭୟଙ୍କ ଜିଦ୍ ଓ ଟ୍ରମ୍ପଙ୍କ ଅସ୍ଥିର ମତିଗତି ବୈଶ୍ବିକ ଅର୍ଥନୀତିକ ଅସ୍ଥିରତା, ବିଭ୍ରାଟ, ମାନ୍ଦାବସ୍ଥା ଆଦି ସୃଷ୍ଟି କରିବ। ଆହୁରି ମଧ୍ୟ ଏହାଦ୍ବାରା ଭାରତ ଓ ଚୀନ ଭଳି କିଛି ଦେଶଙ୍କ ସହିତ ଆମେରିକା ଯେଉଁ ନୂଆ ବାଣିଜ୍ୟ ଚୁକ୍ତି ସ୍ବାକ୍ଷର କରିବାକୁ ଯାଉଛି ତାହା ନିଶ୍ଚିତ ବିଶେଷ ଭାବେ ପ୍ରଭାବିତ ହେବ।
ୟୁକ୍ରେନ୍ ଉପରେ ୨୦୨୨ରେ ରୁଷିଆ ଆକ୍ରମଣ କରିବା ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଏକ ପ୍ରକାଣ୍ଡ ଶକ୍ତି ହୋଇ ମଧ୍ୟ ରୁଷିଆ ଏଯାଏ ଦୁର୍ବଳ ୟୁକ୍ରେନ୍କୁ ଜିତିପାରିନାହିଁ। ଆମେରିକା ନେତୃତ୍ବରେ ପାଶ୍ଚାତ୍ୟ ରାଷ୍ଟ୍ରମାନେ ସେ ଦେଶକୁ ସାହାଯ୍ୟ କରୁଛନ୍ତି। ବିଗତ ତିନିବର୍ଷ ମଧ୍ୟରେ ରୁଷିଆ ଉପରେ ପାଶ୍ଚାତ୍ୟ ରାଷ୍ଟ୍ରମାନେ ହଜାର ହଜାର କଟକଣା ଓ ଅର୍ଥନୀତିକ ଚାପ ପ୍ରୟୋଗ କରିବା ସତ୍ତ୍ବେ ‘ମସ୍କୋ’ ଉପରେ ଏହାର ସେଭଳି କିଛି ଉଲ୍ଲେଖନୀୟ ପ୍ରଭାବ ପଡ଼ିନାହିଁ। ତେଣୁ ଟ୍ରମ୍ପଙ୍କ ସେକେଣ୍ଡାରୀ ଟାରିଫ ଦ୍ବାରା ପୁଟିନ ଯେ ଦବିଯିବେ ସେ ସମ୍ଭବନା କ୍ଷୀଣ ଲାଗୁଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ହଜାର ହଜାର ବୈଦେଶିକ କଟକଣା ଓ ଆମେରିକୀୟ ବାଣିଜ୍ୟ ପ୍ରତିବନ୍ଧକ ଦ୍ବାରା ରୁଷିଆର ଅର୍ଥନୀତି ପ୍ରଭାବିତ ହୋଇଥିଲେ ମଧ୍ୟ ମାନ୍ଦାବସ୍ଥାର ସମ୍ମୁଖୀନ ହୋଇନାହିଁ। ଅପରପକ୍ଷରେ ୟୁକ୍ରେନ୍ ଅର୍ଥନୀତି ଘୋର ସଂକଟ (ରିସେସନ) ଦେଇ ଗତିକରୁଛି। ଏଭଳି ସ୍ଥିତିରେ ଟ୍ରମ୍ପ ଯଦି ତାଙ୍କର ଏଭଳି ଅପରିଣାମଦର୍ଶୀ ପଦକ୍ଷେପ ଲାଗୁ କରନ୍ତି ତାହା ତାଙ୍କ ପାଇଁ ପାଲଟାସ୍ତ୍ର ପାଲଟିବ। ସେକେଣ୍ଡାରୀ ଟିକସ ଲାଗୁହେଲେ ଭାରତ ଓ ଚୀନ ଆଦି ମଧ୍ୟ ପ୍ରଭାବିତ ହେବେ; କାରଣ ଏସବୁ ଦେଶ ରୁଷିଆରୁ ଶସ୍ତାରେ ପ୍ରଚୁର ତୈଳ କିଣୁଛନ୍ତି। ତେଣୁ ଭାରତୀୟ ଓ ଚୀନ ସାମଗ୍ରୀ ଆମେରିକା ବଜାରରେ ଅତିରିକ୍ତ ୧୦୦ ଶତାଂଶ ଟାରିଫ ଯୋଗୁଁ ମହଙ୍ଗା ହେବ। ଏହି ଦୁଇଦେଶର ସାମଗ୍ରୀ ଉପରେ ଆମେରିକା ଅଧିକ ନିର୍ଭର କରୁଥିବାରୁ ସେ ଦେଶର ନାଗରିକ ଓ ଖାଉଟି ମଧ୍ୟ ପ୍ରଭାବିତ ହେବେ। ଏହା ଫଳରେ ଟ୍ରମ୍ପ ଉଭୟ ଆର୍ଥିକ ଓ ସାମାଜିକ ଅସନ୍ତୋଷର ସମ୍ମୁଖୀନ ହେବେ। ଏବେ ଦେଖିବାର ଅଛି ଟ୍ରମ୍ପ ତାଙ୍କ ପକାଇଥିବା ଛେପ ଢୋକିବେ ନା ନାହିଁ।
ଅପରିଣାମଦର୍ଶୀ ଟ୍ରମ୍ପ
Popular Categories



