www.samajalive.in
Friday, December 5, 2025
27.1 C
Bhubaneswar

ବାଡ ଯଦି ଫସଲ ଖାଏ

ଭୁବନେଶ୍ଵର: ବ୍ୟବସ୍ଥାରୁ ଅବସ୍ଥା। ମହିଳା ସଶକ୍ତୀକରଣର ଡିଣ୍ଡିମ ପିଟୁ଼ଛୁ। ଅନ୍ୟପଟରେ ଶହ ଶହ ନାରୀ ନିର୍ଯାତନା, ମହିଳା ଚାଲାଣ, ପ୍ରତାରଣା, ଯୌନ ଶୋଷଣ ଘଟୁଛି। ଦୁର୍ଭାଗ୍ୟର କଥା ଓଡ଼ିଶାର ସ୍କୁଲ-କଲେଜରେ ଏସବୁ ବାରମ୍ବାର ଘଟୁଛି। ବଡ଼ବଡ଼ ଶିକ୍ଷାନୁଷ୍ଠାନରେ, କଲିକତାର ଡାକ୍ତରୀ ଛାତ୍ରୀ, କିଟ୍‌‌ ବିଶ୍ୱବିଦ୍ୟାଳୟର ପ୍ରକୃତି, ଫକୀରମୋହନ ମହାବିଦ୍ୟାଳୟର ସୌମ୍ୟାଶ୍ରୀ, ସମ୍ବଲପୁର ଜିଏମ ବିଶ୍ୱବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟର ଅଘଟଣ ଇତ୍ୟାଦି ଗଣମାଧ୍ୟମରେ ଖୁବ୍‌‌ ଚାଞ୍ଚଲ୍ୟ ସୃଷ୍ଟି କରେ, କମିଟି ଗଠନ ହୁଏ, ସମ୍ପୃକ୍ତ ବ୍ୟକ୍ତିକୁ ନିଲମ୍ବନ କରାଯାଏ, ପୁଣି ସପ୍ତାହେ ଦୁଇ ସପ୍ତାହ ପରେ ସମସ୍ତେ ଭୁୁଲି ଯାଆନ୍ତି। ଏ ସବୁ ସାମାଜିକ ରୁଗ୍‌‌ଣତାର ପରିଣତି। କ୍ଷେତକୁ ଖାଉଛି ବାଡ଼। ରକ୍ଷକ ଭକ୍ଷକ ସାଜୁଛି। ଏସବୁ ଏକକ ଘଟଣା ନୁହେଁ, ଯୌନ ଅପରାଧର ପୁନଃପୁନତା ଶିକ୍ଷା ବ୍ୟବସ୍ଥାର ବ୍ୟାଧିକୁ ସୂଚାଏ। ସାମାଜିକ ସ୍ଖଳନ ଓ ଶିକ୍ଷା ବ୍ୟବସ୍ଥାର ପରିଣତି। ଆମ ସମାଜରେ ଜ୍ଞାନୀ ଲୋକଙ୍କ ସଂଖ୍ୟା ଖୁବ୍‌‌ ବୃଦ୍ଧି ପାଉଛି। ସାହିତ୍ୟରେ, ସଙ୍ଗୀତରେ, ବିଜ୍ଞାନରେ, ଗଣିତରେ ବା ଶାସ୍ତ୍ର ପୁରାଣରେ ଅସାଧାରଣ ଜ୍ଞାନୀ ମଧ୍ୟ ଅଛନ୍ତି; ମାତ୍ର କାଣ୍ଡଜ୍ଞାନ ନଥିଲେ ଏ ସମସ୍ତ ପ୍ରତିଭା ମଳିନ ପଡ଼ିଯାଏ ଏବଂ ବିପରୀତ ଫଳ ସୃଷ୍ଟିକରେ।
ସ୍କୁଲ-କଲେଜ ହେଉଛି ଜ୍ଞାନ ପୀଠ। ଶିକ୍ଷକମାନେ ପୀଠାଧୀଶ ଓ ଜ୍ଞାନ ବିତରକ। ଆମ ଦେଶରେ ଗୁରୁମାନଙ୍କୁ ଦେବତାର ମାନ୍ୟତା ଦିଆଯାଏ। କୌଣସି ବସ୍ତୁ, ଶବ୍ଦ ବା ସୂଚନା ସମ୍ପର୍କରେ ଜାଣିବା ହିଁ ଜ୍ଞାନ। ଜ୍ଞାନ ଦ୍ୱାରା ଭୌତିକ, ଜାଗତିକ କିମ୍ବା ପ୍ରାକୃତିକ ବିଷୟକୁ ଜାଣି ହୁଏ। ଜ୍ଞାନ, ବ୍ୟକ୍ତିର ମନ ଓ ବୁଦ୍ଧି ସମ୍ପର୍କିତ ବିଷୟ। ମନ ନିଜର ବୃତ୍ତି ଦ୍ୱାରା ଯେଉଁ ବସ୍ତୁ ବା ସୂଚନା ଆଦିର ତତ୍ତ୍ବ ସଂଗ୍ରହ କରେ ତାହା ହିଁ ଜ୍ଞାନ। ଏହା ଇନ୍ଦ୍ରିୟଙ୍କ ଦ୍ୱାରା କବଳିତ। ତେଣୁ ଜ୍ଞାନ ଆହରଣ କରାଯାଏ। ଜ୍ଞାନ ସର୍ବଦା ପୂର୍ବାର୍ଜିତ ବା ଅତୀତ / ବାସି ସୂଚନା। ଜ୍ଞାନ କେବେ ସାର୍ବଜନୀନ କିମ୍ବା ସର୍ବକାଳୀନ ନୁହେଁ। ସାରା ଜଗତ, ବସ୍ତୁ, ଶବ୍ଦ, ସୂଚନା ସବୁକିଛି ପରିବର୍ତ୍ତନଶୀଳ, ତେଣୁ ଏସବୁ ଆଧାରିତ ଜ୍ଞାନ ପରିବର୍ତ୍ତନଶୀଳ ହେବାକୁ ବାଧ୍ୟ। ତେଣୁ ଜ୍ଞାନ ସ୍ଥିର ନୁହେଁ କାରଣ ଭବିଷ୍ୟତ ସିଦ୍ଧ ନୁହେଁ। ପରିବର୍ତ୍ତନ ପ୍ରବଣତା ବୃଦ୍ଧି ସ‌େ‌ତ୍ତ୍ବ ସମାଜରେ ବିବର୍ତ୍ତନ ଘଟୁ ନାହିଁ। ଏତେ ଆଧୁନିକତା ସତ୍ତ୍ବେ ମୁଖାପିନ୍ଧା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସହରୀ କୃତ୍ରିମତା ମାନବିକତାକୁ ଗ୍ରାସ କରିଛି।
ମନର ଦିଗ୍‌‌ଦର୍ଶନରେ ଇନ୍ଦ୍ରିୟମାନଙ୍କ ଅବଲମ୍ବନରେ ଆହରଣ କରାଯାଇଥିବା ଜ୍ଞାନକୁ ବୁଦ୍ଧିଦ୍ୱାରା କ୍ଷେତ୍ରାନୁସାରେ ପ୍ରୟୋଗ କରାଯାଇଥାଏ। ତେଣୁ ବୁଦ୍ଧି, ଜ୍ଞାନକୁ ପ୍ରୟୋଗ ବା ଉପଯୋଗ କରିବାର ନିୟାମକ ମାତ୍ର। ଯେଉଁ ବ୍ୟକ୍ତି ଯଥାର୍ଥ କ୍ଷେତ୍ରରେ ବୁଦ୍ଧିର ସୁବିନ୍ୟସ୍ତ ଢଙ୍ଗରେ ଜ୍ଞାନର ଉପଯୋଗ କରିପାରେ ଆମେ ତାକୁ ଜ୍ଞାନୀ କହୁ। ବ୍ୟତିକ୍ରମରେ ଅଜ୍ଞାନ କହୁ। ଅଜ୍ଞାନ କହିଲେ ଜ୍ଞାନର ଅଭାବ ନୁହେଁ; କେବଳ ସଜାଗତାର ଅଭାବ। ଆତ୍ମ ସଚେତନତାର ଅଭାବରୁ ଜ୍ଞାନ ଅଜ୍ଞାନ ହୁଏ। ଜ୍ଞାନ ଭ୍ରମ ସୃଷ୍ଟି କରେ। ଏହା ମଧ୍ୟ ଦ୍ୱନ୍ଦ୍ୱ ଓ ଅହଂକାର ସୃଷ୍ଟିକରେ। ଅଜ୍ଞାନତା ବିଷୟରେ ଅଜ୍ଞତା, ବିଜ୍ଞତାର ଗର୍ବ ସଞ୍ଚାର କରେ। ଏହା ମଧ୍ୟ ମାନସିକ ଦୁର୍ବଳତା ସୃଷ୍ଟି କରେ। ଶିକ୍ଷା ଦୃଢ଼ ମ​‌େ​‌ନାବଳ ବୃଦ୍ଧି କରିବା ପରିବ​‌େ​‌ର୍ତ୍ତ, ଆତ୍ମ ବଡିମା ସାଙ୍ଗେ ଆତ୍ମ ପ୍ରବଞ୍ଚନା ବୃଦ୍ଧି କରୁଛି। ଜଗତୀକରଣ ପରେ ସାରା ସମାଜ ଭୋଗବାଦ ଓ ଭାଗ୍ୟବାଦ ଦ୍ୱାରା କବଳିତ। ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରେମ, ତ୍ୟାଗ, ସେବା, ସବୁ ବଜାରର ପଣ୍ୟବସ୍ତୁ ହେଉଛି। ଯୁବ ପିଢି ଭିତରେ ପ୍ରତିଦ୍ୱନ୍ଦ୍ବିତା, ହତାଶାବୋଧ ଓ ଆତ୍ମହତ୍ୟା ପ୍ରବଣତା ସୃଷ୍ଟି କରୁଛି। ଆତ୍ମହତ୍ୟା ଚିରସ୍ଥାୟୀ ସମସ୍ୟାର ସମାଧାନ କରେ ନାହିଁ। ପୁଲିସ-କୋର୍ଟକଚେରିର ଦଣ୍ଡ ମଧ୍ୟ ସାମାଜିକ ସମସ୍ୟାର ସମାଧାନ କରେ ନାହିଁ।
ଆମ ଶିକ୍ଷା ବ୍ୟବସ୍ଥା ଆଜି ଭସ୍ମାସୁର ସାଜିଛି। ବେଦ-ଉପନିଷଦରେ କର୍ମ ଅପେକ୍ଷା ଜ୍ଞାନକୁ ଉଚ୍ଚ ସ୍ଥାନ ଦିଆଯାଇଛି। ମଣିଷ ଧନ ସମ୍ପତ୍ତି ରକ୍ଷା କରେ କିନ୍ତୁ ଜ୍ଞାନ ମଣିଷକୁ ରକ୍ଷା କରେ। କର୍ମକାଣ୍ଡ ଅପେକ୍ଷା ଜ୍ଞାନକାଣ୍ଡର ଅଧିକ ମହତ୍ତ୍ବ। କାଣ୍ଡ ଅର୍ଥ ଧନୁଶର; ଯାହା ଲକ୍ଷ୍ୟ ଭେଦ କରେ ତାହାକୁ ଜ୍ଞାନକାଣ୍ଡ କୁହାଯାଏ। କାଣ୍ଡ ପ୍ରତି ସଚେତନତା ନଥିବା ଜ୍ଞାନ ବ୍ୟର୍ଥ ହୋଇଥାଏ। ତେଣୁ ଜ୍ଞାନକାଣ୍ଡ ଅପେକ୍ଷା କାଣ୍ଡଜ୍ଞାନ ଅଧିକ ଗୁରୁତ୍ୱପୂର୍ଣ୍ଣ। ଏଇ କାଣ୍ଡଜ୍ଞାନ ନଥିବା ଜ୍ଞାନ ଅନେକ ଅଘଟଣ, ବିଘଟଣ, ଦୁର୍ଘଟଣା ଘଟାଇ ସମାଜର ଚିତ୍ର ପରିବର୍ତ୍ତନ କରିଦିଏ। ଏଇ କାଣ୍ଡଜ୍ଞାନ ହିଁ ପ୍ରକୃତ ଜ୍ଞାନ। ଅନେକ ଜ୍ଞାନର ଅଧିକାରୀ ହୋଇ ମଧ୍ୟ କାଣ୍ଡଜ୍ଞାନ ନଥିଲେ ତାହା ଦ୍ୱନ୍ଦ୍ୱ, ଭ୍ରମ, ଅହଂକାର, ମୂଢ଼ତା, ବିଷାଦ, ଦୁଃଖର କାରଣ ହୁଏ। ରାବଣତ୍ୱ ବା ପଶୁତ୍ୱ ସୃଷ୍ଟି କରେ।
ଯେଉଁ ଜ୍ଞାନ ସ୍ୱାର୍ଥକୈନ୍ଦ୍ରିକ ବା ଆତ୍ମକୈନ୍ଦ୍ରିକ ତାହା ଯଥାର୍ଥ ଜ୍ଞାନ ନୁହେଁ। ମୁଁରୁ ମୁକ୍ତ ହୋଇ ନଥିବା ଜ୍ଞାନ, ଜ୍ଞାନ ନୁହେଁ। ଅନେକ ସମୟରେ ଜ୍ଞାନ ଅହଂଯୁକ୍ତ ହୋଇ ଜ୍ଞାନୀ ନିଜର ଭାବନାକୁ ତୀବ୍ର କରେ ଯାହା ଅଜ୍ଞାନତାକୁ ନିମନ୍ତ୍ରଣ କରିଆଣେ। ନିଜର ‘ପରିଚୟର ଗଡ଼’ ସୃଷ୍ଟି କରେ ଓ ତାକୁ ସୁରକ୍ଷା ଦିଏ। ଅବେଗ ବିହୀନ ବେଗ ସୃଷ୍ଟି କରେ। ପ୍ରବୃତ୍ତି ବିଯୁକ୍ତ ବୃତ୍ତିଗତ ସଫଳତା ଦିଏ। ତେଣୁ ଆମ ବସ୍ତୁବାଦୀ ଦୁନିଆରେ ପେସାଗତ ପାଠର ପ୍ରଚାର ପ୍ରସାର ବେଶି ବେଶି ହେଉଛି। ସଫଳତାର ମାପକାଠି ଭୁଲ୍‌‌ ଥିବାରୁ ସଫଳତା ସ୍ୱାର୍ଥକୈନ୍ଦ୍ରିକ। ଇନ୍ଦ୍ରିୟ କୈନ୍ଦ୍ରିକତା ଜୀବନ-ସାର୍ଥକତାର ପରିପନ୍ଥୀ। ସଫଳତା ବ୍ୟକ୍ତିକୈନ୍ଦ୍ରିକ କିନ୍ତୁ ସାର୍ଥକତା ମାନବ/ବିଶ୍ୱ କୈନ୍ଦ୍ରିକ। ଶିକ୍ଷା ବ୍ୟବସ୍ଥା ଜୀବନକୁ ସଙ୍କୁଚିତ କରିଦେଉଛି। ସାମାଜିକ ଉତ୍ତରଣ ପାଇଁ ସଫଳ-ବ୍ୟକ୍ତି ପରିବର୍ତ୍ତେ ମୂଲ୍ୟବୋଧ-ବ୍ୟକ୍ତି ଓ ଚରିତ୍ରବାନ ବ୍ୟକ୍ତି ଆବଶ୍ୟକ। ମାନବ ସମ୍ବଳର ବିକାଶ ଯଥେଷ୍ଟ ନୁହେଁ। ସମାଜର ବିକାଶ ନିମନ୍ତେ ମସ୍ତିଷ୍କଭରା ଜ୍ଞାନୀ ଲୋକ ଅପେକ୍ଷା ହୃଦୟଭରା ବ୍ୟକ୍ତି ଜରୁରୀ। ଶିକ୍ଷାର୍ଥୀ ପରିବ​‌େ​‌ର୍ତ୍ତ ବିଦ୍ୟାର୍ଥୀ ଜରୁରୀ।
ପୃଥିବୀ ଶିକ୍ଷା ମାନଚିତ୍ରରେ ଭାରତର ଚିହ୍ନ ନାହିଁ। ଏହି ସତ୍ୟକୁ ଆମେ ମାନିବାକୁ କାତର ସାଜିଛୁ। କିନ୍ତୁ ବଡ଼ ବିଡ଼ମ୍ବନାର କଥା, ଆମେ ବିକଶିତ ଭାରତ ଓ ବିଶ୍ୱ ଗୁରୁର ସ୍ୱପ୍ନ ଦେଖୁଛୁ। ଦେଶର ପ୍ରକୃତ ବିକାଶ, ଉନ୍ନତ ଶିକ୍ଷା ବ୍ୟବସ୍ଥା ଉପରେ ନିର୍ଭର କରେ। ଶିକ୍ଷା ଗୁଣାତ୍ମକ ମାନ ବୃଦ୍ଧି ଘଟୁ ନାହିଁ। ଉଚ୍ଚଶିକ୍ଷା ଓ ଗବେଷଣା ଦିଗରେ ଆମ ଦେଶରେ ଉତ୍କୃଷ୍ଟତା କିମ୍ବା ମୌଳିକତା ନାହିଁ। ଏତିକି ସ୍ୱୀକାର କଲେ ଶିକ୍ଷାର କ୍ରମୋନ୍ନତି ହୋଇ ପାରନ୍ତା। ଶିକ୍ଷା ବ୍ୟବସ୍ଥା ପରୀକ୍ଷା ବ୍ୟବସ୍ଥା ପାଲଟିଛି। ଶିକ୍ଷା କେବଳ ଡିଗ୍ରୀ ହାସଲ କରିବା ନୁହେଁ ଦିଗ ବାଛିବା ଓ ଦୀକ୍ଷାଶ୍ରିତ ହେବାକୁ ବୁଝାଏ। ଆମ ଶିକ୍ଷା ବ୍ୟବସ୍ଥା ସାଙ୍ଗେ ଏବେ ‘ଦକ୍ଷତା ବିକାଶ’ ଯୋଡିବା, ବେରୋଜଗାର ସମସ୍ୟାର ସମାଧାନ ହୁଏତ ସମ୍ଭବ। ଅନ୍ୟ ପକ୍ଷରେ ଚାକିରିଆ ମାନସିକତା ଛାତ୍ରଛାତ୍ରୀଙ୍କ ଦୃଢ ମନୋବଳକୁ ବଳିଷ୍ଠ କରିବା ପରିବ​‌େ​‌ର୍ତ୍ତ, ହତାଶାବୋଧ ସୃଷ୍ଟି କରୁଛି। ଶିକ୍ଷା ପରୀକ୍ଷା-ଚାକିରି-ବାହାଘର-ପଇସା କୈନ୍ଦ୍ରିକ ହେବାଦ୍ୱାରା ଆମେ ବାଟ ବଣା ହେଇଛୁ। ଶିକ୍ଷକ ଜଣେ ଆଜୀବନ ଛାତ୍ର ରହିବା ଉଚିତ। ଶିକ୍ଷକତା ଏକ ବୃତ୍ତି ବା ପେସା ନୁହେଁ, ଏହା ଏକ ବ୍ରତ। ଭଲ ଛାତ୍ର ପାଇଁ ଏହା ଏକ ଡିଗ୍ରୀ ନୁହେଁ, ଉତ୍କୃଷ୍ଟ ଦିଗ ଆଉ ଦୀକ୍ଷା। ଶିକ୍ଷା ଏକ ଅସ୍ତ୍ର ନୁହେଁ କି ବୀମା ନୁହେଁ। କିଛି ଲକ୍ଷ୍ୟ ହାସଲ କରିବାର ଉପାୟ ମଧ୍ୟ ନୁହେଁ, ଏହା ଏକ ମୂଲ୍ୟଯୁକ୍ତ ପ୍ରକ୍ରିୟା। ଜ୍ଞାନ ହିଁ ଆଲୋକ ଓ ଆନନ୍ଦ। ପ୍ରକୃତ ଜ୍ଞାନ ହିଁ ଶ୍ରେଷ୍ଠ ସଶକ୍ତୀକରଣ ପ୍ରକ୍ରିୟା। ଜ୍ଞାନକୁ ବିଭିନ୍ନ କ୍ଷେତ୍ରରେ ଆବଶ୍ୟକ ଅନୁଯାୟୀ ପ୍ରୟୋଗର କୌଶଳ ହିଁ ବୁଦ୍ଧି। କୌଣସି ଉଦ୍ଦେଶ୍ୟ ନଥାଇ ଏହି ବୁଦ୍ଧି ଯେତେବେଳେ ବ୍ୟାପକ ହୋଇଯାଏ ସେତେବେଳେ ସେଥିରୁ ବୋଧ ଜନ୍ମେ। ଏହି ବୋଧଶକ୍ତି ସମ୍ବେଦନ ସୃଷ୍ଟି କରେ। ବୋଧ ସହ ସମ୍ବେଦନା ବ୍ୟାପକ ହେଲେ ତାହା ପ୍ରଜ୍ଞା ରୂପେ ପ୍ରକାଶ ପାଏ। ଗୁରୁ ସର୍ବଦା ପ୍ରଜ୍ଞାଶୀଳ। ପ୍ରଜ୍ଞା ସର୍ବଦା ଇନ୍ଦ୍ରିୟାତୀତ। ପ୍ରକୃତ ଜ୍ଞାନୀ ବ୍ୟକ୍ତିଙ୍କର ସାମାଜିକ ସମ୍ପୃକ୍ତି, ସାମାଜିକ ଦାୟିତ୍ୱ ଓ ପ୍ରତିବଦ୍ଧତା ବୃଦ୍ଧି ପାଇବା ଉଚିତ।
ଶହଶହ ଦୁର୍ଘଟଣା ଘଟୁଥିଲେ ମଧ୍ୟ ଜ୍ଞାନର ପ୍ରକାଶ ନହୋଇ ବିନାଶ ହେବାର ଦେଖାଯାଉଛି। ନିଜକୁ ଶୂନ୍ୟ କରିଦେଲେ ହିଁ ପ୍ରକୃତ ଜ୍ଞାନର କ୍ଷେତ୍ର ପ୍ରସ୍ତୁତ ହୁଏ। ଅହଂ ଚେତନାର ବିଲୋପ ହେଲେ ଜ୍ଞାନର କ୍ଷେତ୍ର ପ୍ରସ୍ତୁତ ହୁଏ। ଅହଂ ଚେତନାର ବିଲୋପ ନହେଲେ ପ୍ରଜ୍ଞାର ଉଦୟ ସମ୍ଭବ ନୁହେଁ। “ମୁଁ ରୁ ମୁକ୍ତି ହିଁ ପ୍ରଜ୍ଞା”। ଯେତେବେଳେ ଶରୀର, ମନ ଏବଂ ହୃଦୟ ଏକତାଳ ହୋଇଯାଏ ଅର୍ଥାତ୍‌‌ ଯେଉଁଠି ଆଉ ବିଭାଜନ(ଆସକ୍ତି) ନଥାଏ ସେତେବେଳେ ମାନବିକତା ଅବତରଣ କରେ। ଜ୍ଞାନ କ୍ରିୟାତ୍ମକ, ପ୍ରତିକ୍ରିୟାଶୀଳ ମାତ୍ର ଗୁରୁ ଅକ୍ରିୟାତ୍ମକ। କର୍ତ୍ତାର ଅନୁପସ୍ଥିତିରେ ହୋଇଥିବା କର୍ମ ହିଁ ଯଥାର୍ଥ କର୍ମ। ଶୂନ୍ୟତା ହିଁ ଭଲ ମଣିଷପଣିଆ। ଆତ୍ମଜ୍ଞାନ ହିଁ ସର୍ବଶ୍ରେଷ୍ଠ ଜ୍ଞାନ।
ଶିକ୍ଷା ବ୍ୟବସ୍ଥାରେ ଆଜିର ଶିକ୍ଷକ ଗୁରୁ-ବ୍ରହ୍ମା ପଦବାଚ୍ୟ ନୁହନ୍ତି। ଅଧ୍ୟାପକମାନେ କେବଳ ସୂଚନାଗୁଡ଼ିକୁ ବିତରଣ କରି, ପରୀକ୍ଷା ପ୍ରତି ଭୟ ସୃଷ୍ଟି କରି ବେତନ ପାଉଛନ୍ତି। ଶିକ୍ଷକ ଓ ଗୁରୁ ଭିତରେ ପ୍ରଭେଦ ଅଛି। ଶିକ୍ଷକ ପରୀକ୍ଷା ପାଇଁ, କିନ୍ତୁ ଗୁରୁ ଜୀବନ ପାଇଁ ପାଠ ପଢ଼ାଏ। ଯିଏ ମନକୁ ଉନ୍ମୁକ୍ତ କରେ, ହୃଦୟକୁ ପ୍ରଶସ୍ତ କରେ ଓ ଜୀବନକୁ ବିସ୍ତୃତ କରେ ସେ ହେଉଛି ଗୁରୁ। ଶିକ୍ଷକ ଓ ଗୁରୁ(ଅବଧାନ) ଭିତରେ ପାର୍ଥକ୍ୟ, ଶିକ୍ଷା ଓ ବିଦ୍ୟା ଭିତରେ ପାର୍ଥକ୍ୟକୁ ବୁଝାଏ। ଶିକ୍ଷକ ଓ ଗୁରୁ ଭିତରେ ପାର୍ଥକ୍ୟ ଚରିତ୍ର, ସେବା, ତ୍ୟାଗ ଓ ସମର୍ପଣକୁ ବୁଝାଏ। ଜ୍ଞାନ ଓ ପ୍ରଜ୍ଞା ମଧ୍ୟରେ ସୂକ୍ଷ୍ମ/ମୌଳିକ ପାର୍ଥକ୍ୟ ରହିଛି। ଜୀବନ ଓ ଜୀବିକା ମଧ୍ୟରେ ପ୍ରଭେଦ ଅଛି। ଜ୍ଞାନ, ମନ, ବୁଦ୍ଧି ଓ ସ୍ମୃତିର ବିଷୟ କିନ୍ତୁ ପ୍ରଜ୍ଞା ଆତ୍ମାର ବିଷୟ। ଜ୍ଞାନ ଆହରଣ କରାଯାଏ, ମାତ୍ର ପ୍ରଜ୍ଞା ସଦବୟଂ ସଂଜାତ ଏକ ଆତ୍ମିକ ଊର୍ଜା। ଜ୍ଞାନ ଏକ କ୍ରମିକ ପ୍ରକ୍ରିୟା କିନ୍ତୁ ପ୍ରଜ୍ଞା ତାତ୍କାଳିକ ଜାଗୃତି। ଜ୍ଞାନ, ବସ୍ତୁର ସଂରଚନାକୁ ନେଇ ସୀମିତ ମାତ୍ର ପ୍ରଜ୍ଞା, ବସ୍ତୁର ସମଗ୍ରତା ଓ ସତ୍ୟକୁ ଅନୁଭବ କରେ। ସାଂସାରିକ ଜୀବନ ନିର୍ବାହରେ ଜ୍ଞାନର ଉପଯୋଗିତା ରହିଛି ମାତ୍ର ଜୀବନର ଚରମ ସତ୍ୟକୁ ଅନୁଭବ ପାଇଁ ପ୍ରଜ୍ଞାର ଉପଯୋଗିତା ଆବଶ୍ୟକ। ଅନ୍ୟକୁ ଜାଣିବାପାଇଁ ଜ୍ଞାନ, ମାତ୍ର ନିଜକୁ ଜାଣିବାପାଇଁ ପ୍ରଜ୍ଞାର ଆବଶ୍ୟକ। ଜ୍ଞାନ, କୌଣସି ବ୍ୟକ୍ତି ବା ବସ୍ତୁର ବାହ୍ୟରୂପ ଦେଖଇ ମାତ୍ର ପ୍ରଜ୍ଞା ସର୍ବଦା ବାସ୍ତବରେ ବିଚରଣ କରେ। ପ୍ରଜ୍ଞା ଏପରି ଏକ ଊର୍ଜା ଯାହାକୁ କୌଣସି ସୀମା ବା ସଂଜ୍ଞାର ଭିତରେ ବାନ୍ଧି ହେବନାହିଁ। ଜ୍ଞାନଦ୍ୱାରା ମଣିଷ ବୈଭବବାନ୍‌‌ ହୁଏ। ଭୌତିକତା ପରେ ବୌଦ୍ଧିକତା, କିନ୍ତୁ ବୌଦ୍ଧିକତା(ବିଜ୍ଞାନ) ଶେଷ କଥା ନୁହେଁ। ଜ୍ଞାନ ବିଜ୍ଞାନ ପରେ ମାନବିକତା ଓ ଚେତନା ଯାହା ଆଧ୍ୟାତ୍ମିକତାର ମୁଖ୍ୟ ଉପାଦାନ। ପ୍ରଜ୍ଞାଦ୍ୱାରା ଐଶ୍ୱର୍ଯ୍ୟବାନ୍‌‌ ହୁଏ। ଧନ, ବଳ କୌଶଳ ଯଶ ଓ ପ୍ରଭାବ ଆଦି ବୈଭବର ଅନ୍ତର୍ଭୁକ୍ତ। ଐଶ୍ୱର୍ଯ୍ୟ ପ୍ରାପ୍ତିପାଇଁ ଆବଶ୍ୟକ ହେଉଥିବା ଜ୍ଞାନ ଓ ସାଧନ କେବଳ ବିଦ୍ୟାରୁ ହିଁ ମିଳିଥାଏ। ତେଣୁ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଅତ୍ୟନ୍ତ ଜରୁରୀ। ଶିକ୍ଷକଙ୍କର ସର୍ବୋତ୍କୃଷ୍ଟ ଦେଶ ଗଠନ କାର୍ଯ୍ୟ। ପିଲାମାନଙ୍କୁ ଜ୍ଞାନୀ ହେବା ସହିତ ଉତ୍ତମ ଚରିତ୍ର ଗଠନ, ସାହସୀ, ସ୍ପଷ୍ଟବାଦୀ, ନୀତିବାନ, ସମ୍ବେଦନଶୀଳ, ଆତ୍ମଜ୍ଞାନୀ ହେବାକୁ ଅନୁପ୍ରାଣିତ କରିବା ଉଚିତ। ପିଲାମାନଙ୍କୁ ଜୀବନର ମୂଲ୍ୟ ଓ ଉଦ୍ଦେଶ୍ୟ ଓ ସାମାଜିକ ଦାୟିତ୍ୱବୋଧ ଶିଖାଇବା ଉଚିତ। ସ୍କୁଲ-କଲେଜରେ ଶିକ୍ଷକ ଅଭାବ ପ୍ରକୃତ ସମସ୍ୟା ନୁହେଁ। ଓଡ଼ିଶାରେ ଭଲ ଶିକ୍ଷକଙ୍କର ଅଭାବ ହେଉଛି ବାସ୍ତବ ସମସ୍ୟା। କଣା ମାମୁ ନାହିଁ ମାମୁଠାରୁ ଶ୍ରେୟ ନୁହେଁ। ପାଶ୍ଚାତ୍ୟ ଅନୁକରଣ ଖୁବ୍‌‌ ବିପଜ୍ଜନକ। ରୁଗ୍‌‌ଣ ମାଆ ଠାରୁ ସୁସ୍ଥ ଛୁଆ ଆଶା କରିବା ଚରମ ନିର୍ବୋଧତା। ଶିକ୍ଷା ବ୍ୟବସ୍ଥାକୁ ପ୍ରଥମେ ଶାସନ-ପ୍ରଶାସନ ଜାଲରୁ ମୁକ୍ତ କରିବା ଉଚିତ। ତେଣୁ ଶିକ୍ଷକ-ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟାରେ ତଥାକଥିତ ସ୍ୱଚ୍ଛତା-ଯୋଗ୍ୟତା-ଦକ୍ଷତା ମୁଖ୍ୟ ନୁହେଁ। ଶିକ୍ଷକମାନଙ୍କୁ ନିଯୁକ୍ତି ପୂର୍ବରୁ ସେମାନଙ୍କର ଚରିତ୍ର, ଶିକ୍ଷାଦାନର ମାନସିକତା, ନୈତିକ ମୂଲ୍ୟବୋଧ, ଜ୍ଞାନ ପିପାସାର ଲକ୍ଷଣ ଓ ସାମାଜିକ ଦାୟିତ୍ୱର ବାର୍ଷିକ ସମୀକ୍ଷା ହେବା ଉଚିତ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories