ଶଁବାଳୁଆରୁ ପ୍ରଜାପତି
‘ଶଠତା’, ‘ଛଳନା’ ଆଦି ଲମ୍ବା ରାସ୍ତାରେ ଭୁଶୁଡ଼ି ପଡ଼ନ୍ତି, ସନ୍ନିପାତ ଭଜନ୍ତି। ଇଂରାଜୀରେ କୁହାଯାଇଛି, ‘‘You can cheat some people for sometime, all people for some time but not all people for all times.’’ ‘‘ଜଣେ କିଛି ଲୋକଙ୍କୁ କିଛି ସମୟ ପାଇଁ ଠକି ପାରେ, ସବୁ ଲୋକଙ୍କୁ କିଛି ସମୟ ପାଇଁ ଠକିପାରେ, ମାତ୍ର ସବୁ ଲୋକଙ୍କୁ ସବୁ ସମୟ ପାଇଁ ଠକି ପାରେନି।’’ ଇତିହାସରେ, ପୁରାଣରେ ଉଦାହରଣ ତ ଭୂରି ଭୂରି। ମାରୀଚ ରାକ୍ଷସ ସ୍ବର୍ଣ୍ଣମୃଗ ହୋଇ ସୀତାଙ୍କୁ ଭଳାଇ ପାରିଲା, ପ୍ରଭୁ ରାମ ମଧ୍ୟ ‘ସ୍ବର୍ଣ୍ଣମୃଗ’ ଭାବରେ ତା’ ପଛେ ପଛେ ଧାଇଁ ଶର ବିନ୍ଧିଲା ପରେ ଜାଣିଲେ ଯେ ଏଇଟା ମାରୀଚ ରାକ୍ଷସ। କିଛି ମନ୍ଦ ଉଦ୍ଦେଶ୍ୟ ପାଇଁ ଏମିତି ରୂପ ତା’ ମାୟାଶକ୍ତି ବଳରେ ଧରିଥିଲା। କୁହା ବି ତ ଯାଇଛି, ‘‘ହେମ କୁରଙ୍ଗୀ ନ ଚ ପୂର୍ବବାର୍ତ୍ତା, ନ ଶ୍ରୁୟତେ ବେଦେ ପୁରାଣେ ଶାେସ୍ତ୍ର, ତଥାପି ଦୃଷ୍ଟ୍ବା ରଘୁନନ୍ଦନସ୍ୟ, ବିନାଶ କାଳେ ବିପରୀତ ବୁଦ୍ଧିଃ’’। ଦେଖୁନାହାନ୍ତି ରାବଣ ବି ଋଷି ରୂପ ଧାରଣ କରି ଭିକ୍ଷା ଆଳରେ ସୀତାଙ୍କୁ କେମିତି ଠକି ପାରିଲା! ‘ଲକ୍ଷ୍ମଣ ରେଖା’ ଡେଇଁଲେ, ଆଉ କାଳକାଳକୁ ରଖି ଦେଇଗଲେ, ଚେତାଇ ଦେଇଗଲେ, ‘ଲକ୍ଷ୍ମଣ ରେଖା’ ଡେଇଁବାର ବିଷମୟ ପରିଣତି। ତଥାପି ଲୋକେ କୋଉ ‘ଲକ୍ଷ୍ମଣ ରେଖା’ ନ ଡେଉଁଚନ୍ତି ଯେ! ତୁଳସୀ ସ୍ତବକରେ ଏ କଥାକୁ ଲକ୍ଷ୍ୟ କରି କବି ଲେଖିଛନ୍ତି, ‘‘କାଳ କବଳେ ସିନା ଏ ରୂପେ ଭାଇ, ଆରତେ ନର ଘାରି ହେଉଣ ଥାଇ, ତେବେ ହେଁ ମନାସଇ ଲଭି ଏ ଦଶା, ମେଣ୍ଟାଇବାକୁ ଭବ ଭୋଗ ଲାଳସା।’’
ଜନ୍ମ ସମୟରେ ଯେଉଁ ପ୍ରକୃତି ଓ ପ୍ରବୃତ୍ତି ନେଇ ଏ ଜୀବ ଦେହ ଧାରଣ କରିଚି, ତା’କୁ କିଏ କୋଉ ଲଙ୍ଘି ପାରିବ? ‘‘ପ୍ରକୃତିଂ ଯାନ୍ତି ଭୂତାନି ନିଗ୍ରହ କିଂ କରିଷ୍ୟତି।’’ ମତେ ତୁ ଯେତିକି ମାଠିବୁ ମାଠ, ମୁଁ ସେଇ ଦରପୋଡ଼ା କାଠ।’’ ସାପ ନାରଦଙ୍କୁ ବି ସେଇ କଥା କହିଥିଲା, ‘‘ଗରଳେ କଲୁ ଅଧିକାରୀ, ସ୍ବଭାବ ଛାଡ଼ିବି କିପରି?’’ ସାଧନା ବଳରେ ମଣିଷର ଊର୍ଦ୍ଧ୍ବଗତି ହୁଏ, ମାତ୍ର ମୌଳିକ ପରିବର୍ତ୍ତନ ‘କାଠିକର ପାଠ’। ନହୁଷ ଇନ୍ଦ୍ର ପଦ ଲାଭ କଲେ। ମାତ୍ର ମୂଳ ପ୍ରକୃତି କୋଉ ଛାଡ଼ି ପାରିଲେ! ଶେଷକୁ ଋଷିମାନଙ୍କୁ ନିର୍ଯାତନା ଦେଇ, ଅସମ୍ମାନ କରି, ପତନ ଲଭିଲେ। ‘‘ନୀଚେ ପାଇଲେ ଅଧିକାର, ଋଷିଙ୍କୁ ବୁହାଇଲେ ଭାର।’’ ରାଜା ବିଶ୍ବାମିତ୍ର ସାଧନା ବଳରେ ‘ଋଷି’ ସ୍ତରକୁ ଉତ୍ଥିତ ହେଲେ; ମାତ୍ର ରାଜର୍ଷି ସିନା ବୋଲାଇଲେ, ବ୍ରହ୍ମର୍ଷି କାହୁଁ ହୋଇ ପାରିଲେ? ଅହଂ, ବଡ଼ିମା କି ପ୍ରତିଶୋଧ ଭାବ ବି ଏ ଶୁଭ୍ର ଦେହରେ ଛପି ରହିଥିଲା। ଯେଉଁ ଦିନ ସେ ନିଜର ଏ ‘ଅହଂକାର’ ବୁଝି ପାରିଲେ, ସେଇ ଦିନ ହିଁ ବଶିଷ୍ଠ ତାଙ୍କୁ ‘ବ୍ରହ୍ମର୍ଷି’ ବୋଲି ସମ୍ବୋଧନ କଲେ ଓ ସେ ବ୍ରହ୍ମର୍ଷି ସେଇ ମୁହୂର୍ତ୍ତରୁ ହିଁ ବନିଗଲେ। ସେଇଥି ପାଇଁ ତ ରାମକୃଷ୍ଣ କହିଲେ, ‘‘ଭାଙ୍ଗ ଭାଙ୍ଗ ମୁଖେ କହି ଧାଇଁଲେ କି କେବେ ନିଶା ହୁଅଇ ମୋ ବାଇଧନ, ତା’କୁ ଘୋରି ପିଇବାର ଚାହି। ଈଶ୍ବର ଈଶ୍ବର କହି କେବେ କିଏ ପାଇ ଅଛି କି ହରି ମୋ ବାଇଧନ, ସାଧନା ମୂଳ ସବୁରି।’’ ତେବେ ମୋକ୍ଷ ଓ ସ୍ବଦେହରେ ସ୍ବର୍ଗକୁ ଯିବା ତତ୍ତ୍ବ, କଥା ବା ଗାଥା ଏଡ଼େ ସହଜ ନୁହଁ। ଇଏ ବ୍ରହ୍ମଜ୍ଞାନ। ଦେଖୁନା, ପାଣ୍ଡବ ପାଞ୍ଚଭାଇଙ୍କୁ, ଏକାଠି ଖିଆପିଆ, ଏପରି କି ପାଞ୍ଚ ଭାଇଙ୍କର ଗୋଟିଏ ସ୍ତ୍ରୀ, ଦ୍ରୌପଦୀ। ମାତ୍ର ଫଳ ସଭିଙ୍କ ପାଇଁ ଭିନ୍ନ ଭିନ୍ନ। ସ୍ବର୍ଗକୁ କେବଳ ଯୁଧିଷ୍ଠିର ଗଲେ, ଅନ୍ୟ ସଭିଏଁ, ଦ୍ରୌପଦୀ ଓଗେର ବାଟରେ ପଡ଼ି ମଲେ। ଏଥିରୁ ଏ ଗହନ କଥାକୁ ବୁଝ, ସମଝ।
ଏ ଜୀବନରେ କ’ଣ ଲାଭ କଲେ, କି ଭୋଗ କଲେ, ତା’ ସହ ମୋକ୍ଷ ମୁକ୍ତିର କିଛି ସମ୍ବନ୍ଧ, ସମ୍ପର୍କ ନାହିଁ। ପୁଣ୍ୟମାନ ବି କ୍ଷଣିକ। ସାଧନାରେ ପୁଣ୍ୟ ଲଭିଲ ତ କ’ଣ ହୋଇଗଲା ସେଠୁ? କାରଣ ଇଏ ଢେର୍ ସୀମିତ। ‘‘କ୍ଷୀଣେ ପୁଣ୍ୟେ ମର୍ତ୍ତ୍ୟ ଲୋକଂ ବିଶନ୍ତି।’’ ବଡ଼ବଡ଼ କଥା ଛାଡ଼, ଏବେ ଦେଖୁନା ଆମ ଲାଲୁଜୀଙ୍କ କଥା! ଅପ୍ରତିଦ୍ବନ୍ଦ୍ବୀ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ହେଲେ। ତାଙ୍କ ଜୟ ଜୟକାରରେ ଦେଶ କମ୍ପିଲା। ମାତ୍ର ଏବେ କ’ଣ ହେଲା? ଗୋ-ଖାଦ୍ୟ ନିଜେ ଖାଇ ଏବେ ଜିଅଲରେ। ତଥାପି ସେ ନେତା ଅଛନ୍ତି, ଜିଅଲ ଭିତରୁ ରାଜନୀତି କରୁଚନ୍ତି। ‘‘ଯାର ମୁଖେ ଲଜ୍ଜା ନାହିଁ, ତାକେ ଆମି ଡରି।’’ ଅବଶ୍ୟ ସେ ଭୁଲ ବାଟର ବୋଲି କିଏ ଓ କାହିଁକି କହିବ? ବିଶ୍ବର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଇୟେ। ଜନତା ତ ତାଙ୍କୁ ବହୁ ମତଦାନରେ ନିର୍ବାଚିତ କରୁଛି! ଗଣତନ୍ତ୍ର ତା’ ହେଲେ କ’ଣ ଭୁଲ?
ଛାଡ଼ନ୍ତୁ ସେ ଛେନାରୁ ଚୋପାଛଡ଼ା ତତ୍ତ୍ବର ଗହୀର ଚାଷ କଥା। ଇଂରାଜୀରେ ବିଜୟ ଓ ସ୍ବାଚ୍ଛନ୍ଦ୍ୟ ପାଇଁ କଡ଼ାଏ ମଜୁରା ହୁଏନି, କୁହାଯାଏ, ‘‘It matters not whether you won or lost the game. It matters how you played the game. ଆରିଷ୍ଟୋଟଲଙ୍କୁ ଦେଖୁନା, ବିଶ୍ବବିଖ୍ୟାତ, ଯୁଗାନ୍ତକାରୀ ଦାର୍ଶନିକ, ବିଦ୍ବାନ୍, ବିଶ୍ବବିଜୟୀ ଆଲେକ୍ଜାଣ୍ଡାରଙ୍କ ଗୁରୁ। ତାଙ୍କ ପଣ୍ଡିତପଣିଆ କୁଆଡ଼େ ଗଲା! ଶେଷକୁ ଆତ୍ମହତ୍ୟା କଲେ। କି ଦର୍ଶନ, କି ବିଦ୍ୟା ମ! ‘‘କହି ଦେଉଥାଇ ପରକୁ, ବୁଦ୍ଧି ନ ଦିଶଇ ଘରକୁ।’’
ଏଇ ତ ସଂସାର! କିଛି ଥଳକୂଳ ୟା’ର ନାହିଁ। ତେବେ ଲୋକ ସମୁଦାୟକୁ ଏଠି କେହି କେହି ତିନି ଭାଗରେ ଭାଗ କରିଛନ୍ତି। ‘‘Some are born great, some have achieved greatness and some have greatness thrust upon them” କେତେକ ବଡ଼ଲୋକ ଜନ୍ମରୁ ଓଠରେ ରୁପା ଚାମଚ ଧରି ଆସିଥାନ୍ତି। ଆଉ କେତେକ ବଡ଼ପଣିଆ ଦଖଲ କରି ଥାଆନ୍ତି ତ ଆଉ କେତେକଙ୍କ ଉପରେ ବଡ଼ପଣିଆ ଅଜାଡ଼ି ଦିଆଯାଇଥାଏ।’’ ନିଦା, ବଜାବାଡ଼ିଆ ବଡ଼ପଣିଆର ବ୍ୟକ୍ତିତ୍ବ ସିଏ ହେଲେ, ଯିଏ ଏକୁ ଦଖଲ କରିଥାନ୍ତି। କାହା ଦୟା, କୃପା ବା ବିଶ୍ବ କରୁଣାରୁ ନୁହେଁ, ଯେପରି ରଜାର ପୁଅ ରଜା।
ଏ ଗଣତାନ୍ତ୍ରିକ ପଦ୍ଧତି ବଡ଼ ବିଚିତ୍ର ଓ କୌତୂହଳପୂର୍ଣ୍ଣ। ଏହାର ଗଣିତ କାହା ପୋଷା ବି ମାନିନି। ଏବେ ଦେଖୁନା ତେଲେଙ୍ଗାନାର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କୁ। ବୟସ ମାତ୍ର ୫୪ ବର୍ଷ। ଅନୁମୁଲା ରେବନ୍ତ ରେଡ୍ଡି। ୩୦ କୋଟି ଟଙ୍କା ସମ୍ପତ୍ତିର ମାଲିକ। ୮୯ଟି ଫୌଜଦାରୀ ମାମଲା ତାଙ୍କ ନାଁରେ ରହିଛି। ତେବେ ୧୦୦ ପୂରଣ ହୋଇଥିଲେ ଏ ଜିନ୍ଦାବାଦୀ ଜନତା ତାଙ୍କର ସୁବର୍ଣ୍ଣ ଜୟନ୍ତୀ ପାଳିଥା’ନ୍ତେ। ତେବେ ମୁଖ୍ୟମନ୍ତ୍ରୀ ଘୋଷିତ ହେବା ପୂର୍ବରୁ ସେ ଲଢ଼ୁଥିବା ଦୁଇଟି ଆସନ ମଧ୍ୟରୁ ଏବେ ବି ଗୋଟିଏ ନିର୍ବାଚନ ମଣ୍ଡଳୀ କାମାରେଡ୍ଡିର ଲୋକେ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ ପରାଜୟ ବରଣ କରିଛନ୍ତି। ତାଙ୍କ ମନ୍ତ୍ରିମଣ୍ଡଳରେ ଉପମୁଖ୍ୟମନ୍ତ୍ରୀ ଭାବେ ଯେ ନିଯୁକ୍ତି ହୋଇଛନ୍ତି, ତାଙ୍କ ନାଁରେ ବି ତିନିଟି ଫୌଜଦାରୀ ମାମଲା ରହିଛି ଓ ସେ ଆଠ କୋଟି ଟଙ୍କା ସମ୍ପତ୍ତିର ମାଲିକ। ଏଥିରୁ କଳନା କରାଯାଉ ଜନତାର ରୁଚିବୋଧ। ସେ ଯାହା ହେଉ, ‘‘ଯେ ଦେଶ ଯାଇ ସେ ଫଳ ଖାଇ।’’ ଦିନେ ହଣାକଟା ଲୁଣ୍ଠନରେ ମଜ୍ଜିଥିବା ରେବନ୍ତ ଆଜି ମୁଖ୍ୟମନ୍ତ୍ରୀ ହେବା ବିସ୍ମୟକର ଯେମିତି ପ୍ରେରଣାପ୍ରଦ ବି ସେମିତି। ‘‘କିସ ପୁଣି ଦେଖା ନ ଯାଏ ବଞ୍ଚିଥିଲେ ଜୀବରେ, ବିଷମ ସମସ୍ୟା ସାଧନ ହେବ ଏହି ଠାବରେ।’’ ଦସ୍ୟୁ ରତ୍ନାକର ବି ବାଲ୍ମୀକି ଭାବେ ପୂଜିତ ହୋଇପାରନ୍ତି ବୋଲି ଆମ ପୁରାଣ କହିଛି କେବଳ ନୁହଁ, ଦେଖେଇ ବି ଦେଇଛି। ଏବେ ରେବନ୍ତଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହେବା ଦେଖି ମନକୁ ସେମିତି ଭାବନା ସବୁ ଆସୁଛି। ସେ ପୁଣି ଗୃହବିଭାଗ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗକୁ ହାତରେ ରଖିଛନ୍ତି। କଥା ଅଛି ଚୋର ହାତରେ ଚାବି ଧରେଇ ଦେଲେ ଚୋରି ଆଉ ହେବନି। ସେମିତି ୮୯ଟି ଫୌଜଦାରୀ ମୋକଦ୍ଦମାରେ ଯିଏ ଜଡ଼ିତ ତା’କୁ ଫୌଜଦାରୀ ବାଗ, ସୂତ୍ର ଶିଖେଇବ କିଏ ? ସେ ତ ‘ଗୁରୁଣାଂ ଗୁରୁଃ’। ‘ପଦ୍ମ’ କବିତାରେ ଭକ୍ତକବି ଲେଖିଛନ୍ତି ‘‘ପଙ୍କଜ ଅଟୁ ତୁହି ତେଣୁ ଭରସା, ତୋ ପରି ଶୁଭ୍ର ହେବି ଲଭି ସୁଦଶା।’’ ସେତିକି ନୁହଁ, ବିଜୁଳିବତିରେ କବି ଲେଖିଲେ, ‘‘ବହୁରୂପୀ କେତେ ରୂପ ଧରିଛି, ବାୟା କି ସୁନ୍ଦର ବସା ବାନ୍ଧୁଛି, ଶଁବାଳୁ ହୁଅଇ ପରଜାପତି, ଦେଖି ପାଷଣ୍ଡର ଆସେ ଭକତି।’’ ଜୟ ଜଗନ୍ନାଥ।
Comments are closed.