Patra electronics

ଆଧୁନିକ ଶାସକଙ୍କ ଯୁଦ୍ଧ ନିଶା

ଯୁଦ୍ଧ ସବୁବେଳେ ବିନାଶକାରୀ, ସଂହାରକାରୀ ପୁଣି ଅତର୍କିତ, ଅବିଶ୍ବସନୀୟ ହୃଦୟବିଦାରକ ଘଟଣାବଳୀର ସୃଷ୍ଟିକାରୀ। ପୂର୍ବେ ସ୍ବତନ୍ତ୍ର ଯୁଦ୍ଧ କ୍ଷେତ୍ରର ଏକ ସୀମିତ ଅଞ୍ଚଳରେ ହିଁ ଯୁଦ୍ଧ ହେଉଥିଲା। ସେଠାରେ ହୁଏତ ଦୁଇ ପକ୍ଷର ସେନାଙ୍କ ମଧ୍ୟରେ ସଂଘର୍ଷ ଫଳର ହଜାରହଜାର ସୈନ୍ୟ ଯୁଦ୍ଧ କ୍ଷେତ୍ରରେ ମୃତ୍ୟୁବରଣ କରୁଥିଲେ। ମଣିଷ ରକ୍ତର ନଦୀ ସୃଷ୍ଟି ହେଉଥିଲା। ତେବେ ସେ କାଳର ଯୁଦ୍ଧରେ ଥିଲା ଏକ ନୀତି, ନିୟମ। ଉଭୟ ପକ୍ଷ ତାକୁ ପାଳନ କରୁଥିଲେ। ଏବେ ଯୁଦ୍ଧର ରୂପ ବଦଳିଛି, ଆକ୍ରମଣର ଧାରା ବଦଳିଛି। ପୂର୍ବ ସମୟଠାରୁ ଏହାର ବିଭୀଷିକା ବଦଳିଛି। ଯୁଦ୍ଧ ପାଇଁ ସମୟର ସୂଚୀ ଆଦୌ ନାହିଁ। ଦିନ, ରାତ୍ରି ଯେ କୌଣସି ମୁହୂର୍ତ୍ତରେ ପୃଥିବୀ ପୃଷ୍ଠରେ ଯୁଦ୍ଧ ହୋଇପାରେ। ଏବେକାର ଯୁଦ୍ଧ କୌଣସି ନିର୍ଦିଷ୍ଟ ସ୍ଥାନ ପାଇଁ କେନ୍ଦ୍ରୀଭୂତ ନହୋଇ କେତେବେଳେ କେଉଁଠାରେ ଧ୍ବଂସର ସ୍ତୂପ ସୃଷ୍ଟି କରି ଏକ ସଂଭ୍ରାନ୍ତ, ବିକାଶପ୍ରାପ୍ତ, ଉନ୍ନତ ଅଞ୍ଚଳକୁ ହଠାତ ଛାରଖାର କରିଦେବ ତା’ର ଭବିଷ୍ୟତବାଣୀ କାହା ପାଖରେ ମଧ୍ୟ ନାହିଁ। ସେତେବେଳର ସେନା ହାତରେ ଅସ୍ତ୍ରଧରି ଯୁଦ୍ଧ କରୁଥିବାବେଳେ ଏବେକାର ସେନା ନିକଟରେ ରହିଛି ପ୍ରଳୟଙ୍କରୀ  ବୋମା, କ୍ଷେପଣାସ୍ତ୍ର ଯାହା ମାତ୍ର କେତେ ସେକେଣ୍ଡରେ ଏକ ସୁନ୍ଦର ଧରାକୁ ମହାଶ୍ମଶାନ‌େର ପରିଣତ କରିଦେବ। ବହୁତଳ ସୌଧରାଜିକୁ ମାଟିରେ ମିଶାଇ ହଜାରହଜାର ମଣିଷ ପ୍ରଜାତିର ଜୀବଙ୍କୁ ବାସ୍ତୁହରା କରିଦେବ। ଯୁଦ୍ଧ ଅନେକ କଅଁଳ ଶିଶୁଙ୍କ ସହ ବୟସ୍କ, ମହିଳା, ଯୁବକ ଓ ଅନ୍ୟମାନଙ୍କର ଅସହାୟ ଅବସ୍ଥାର କାରଣ ହୋଇଛି।

ତେବେ ପୃଥିବୀ ପୃଷ୍ଠରେ ଅତୀତରୁ ଆଜିଯାଏ ଯେତେ ଯୁଦ୍ଧ ହୋଇଛି ସେଥିମଧ୍ୟରୁ ଅଧିକାଂଶ ଯୁଦ୍ଧ ଦେଶ ଦେଶ ମଧ୍ୟରେ କେବଳ ମାଟି ପାଇଁ ହୋଇଥିବାର ଦେଖାଯାଏ। ଏହାକୁ ଆମେ ବିସ୍ତାରବାଦୀ ମନୋଭାବ କହିପାରିବା। ଅତୀତର କମ ଶିକ୍ଷିତ ବ୍ୟକ୍ତି, ରାଜା ପ୍ରଜା ଗୋଷ୍ଠୀ ନିଜ ରାଜ୍ୟର ସୀମା ବଢ଼ାଇବା ପାଇଁ ବା କିଛି ସ୍ବାର୍ଥ ପାଇଁ ଯୁଦ୍ଧ କରୁଥିଲେ । ମାତ୍ର ଏବେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଏକବିଂଶ ଶତାବ୍ଦୀରେ ପହଞ୍ଚିଥିବା ଜ୍ଞାନୀ ବିଜ୍ଞାନୀ ମଣିଷ ମଧ୍ୟ ସେହି ଧାରାରୁ ଏଯାଏ ସାମାନ୍ୟତମ ବିଚ୍ୟୁତ ନ ହୋଇ ଅନ୍ୟ ଦେଶର କିଛି ଅଞ୍ଚଳ ଜୟ କରି ନିଜ ଦେଶରେ ମିଶାଇବା ପାଇଁ ଲକ୍ଷଲକ୍ଷ ଲୋକଙ୍କୁ ଅତ୍ୟନ୍ତ ନୃଶଂସଭାବେ ହତ୍ୟା କରି ବିଜୟ ଉତ୍ସବ ପାଳନ କରୁଛି। ମନରେ ପ୍ରଶ୍ନଉଠେ ସେ ବେଳର ମଣିଷ ଓ ଏ କାଳର ଜ୍ଞାନୀ ମଣିଷ ଭିତରେ ପ୍ରଭେଦ କ’ଣ?

ଏବେ ଇସ୍ରାଏଲ ଓ ହମାସ ଯୁଦ୍ଧ ଭିତରେ ଚଳିତ ନଭେମ୍ବର ୪ ତାରିଖ ସୁଦ୍ଧା ଇସ୍ରାଏଲ ଆକ୍ରମଣରେ ପାଲେଷ୍ଟାଇନର ୨୪,୦୦୦ରୁ ଅଧିକ ସାଧାରଣ ନାଗରିକଙ୍କର ଅସହାୟ ଭାବେ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ସର୍ବାଧିକ ସଂଖ୍ୟକ ମହିଳା ଓ  ଶିଶୁ ରହିଛନ୍ତି। ୫୩ଜଣ ସାମ୍ବାଦିକ ମଧ୍ୟ ଯୁଦ୍ଧ ସମ୍ବାଦ ସଂଗ୍ରହ କରିବା ସମୟରେ ବୋମାମାଡ଼ରେ ମରିଛନ୍ତି। ୨୦ ହଜାର ଲୋକ ଗୁରୁତର ଆହତ ହେବା ସହ ୧୬୦୦ ନିଖୋଜ ଅଛନ୍ତି। ଉଦ୍‌ବେଗଜନକ ବିଷୟ ହେଉଛି ଏଥିରେ ନିରପରାଧ ଶିଶୁଙ୍କ ମୃତ୍ୟୁ ସଂଖ୍ୟା ୪ଲକ୍ଷରୁ ଅଧିକ। ସେହିପରି ଇସ୍ରାଏଲରେ ମଧ୍ୟ ହଜାରହଜାର ଲୋକ ମୃତ୍ୟୁ ମୁଖରେ ପଡ଼ିଛନ୍ତି। ପ୍ରକୃତ ମୃତ୍ୟୁ ସଂଖ୍ୟା ପ୍ରତ୍ୟେକ ଦିନ ବଢ଼ିବଢ଼ି ଚାଲିଛି।

ସେହିଭଳି ରୁଷ-ୟୁକ୍ରେନ ଯୁଦ୍ଧରେ ରୁଷର ୧ଲକ୍ଷ ୫୦ ହଜାରରୁ ଅଧିକ ସୈନ୍ୟ ତଥା ୟୁକ୍ରେନର ୧ଲକ୍ଷ ୭୦ ହଜାରରୁ  ଅଧିକ ସେନା ମୃତ୍ୟୁବରଣ କରିଥିବାବେଳେ ୧ଲକ୍ଷ ୮୦ ହଜାର ଗୁରୁତର ଆହତ ହୋଇଥିବା କଥା ବ୍ରିିଟିଶ ସମ୍ବାଦ ସରବରାହ ସଂସ୍ଥା ଘୋଷଣା କରିଛି। ରୁଷର ୧ଲକ୍ଷ ୧୦ ହଜାର ସେନା ଆହତ ହୋଇଥିବା କୁହାଯାଇଛି।

ଏ ତ ଗଲା ବିଧ୍ବଂସ୍ତକାରୀ ଯୁଦ୍ଧରେ ମାନବ ସମ୍ବଳ ବିନାଶର କରୁଣ ଚିତ୍ର ତେବେ ଯୁଦ୍ଧ ପାଇଁ ଏହାଠାରୁ ସର୍ବାଧିକ ଧ୍ବଂସ ଆମର ବସତି କ୍ଷେତ୍ର ପୃଥିବୀପୃଷ୍ଠର ଯେ  ଘଟୁଛି ଏ ସମ୍ପର୍କରେ ହୁଏତ ଆମ ପାଖରେ କୌଣସି ଖବର ନାହିଁ କାରଣ  ଧରିତ୍ରୀ ମାତା ହିଁ ସର୍ବଂସହା। ପୃଥିବୀ ପୃଷ୍ଠରେ ଯୁଦ୍ଧ ପାଇଁ ଆମ ଆଖି ଆଗରେ ହୁଏତ ଡହଳବିକଳ ହୋଇ କେତେ ହଜାରଲୋକ  ଆମ ଜାଣତରେ ମରୁଥିବେ, କିନ୍ତୁ ଆମ ଅଜାଣତରେ ମରୁଥିବା ଲୋକଙ୍କ ସଂଖ୍ୟା ଏହାଠାରୁ ବହୁଗୁଣରେ ଅଧିକ ବୋଲି ଆମେ କହିପାରିବା। କାରଣ ଏବେ ଆମେ ବ୍ୟବହାର କରୁଥିବା ମଣିଷମରା ମାରାତ୍ମକ ବୋମା, ଅସ୍ତ୍ରଶସ୍ତ୍ରରୁ ସୃଷ୍ଟ ବିସ୍ଫୋରକ ବୋମା ନିକ୍ଷେପ ସ୍ଥାନର ବାୟୁମଣ୍ଡଳ, ଭୂମି, ଜଳାଶୟକୁ ବିଷାକ୍ତ କରୁଥିବା ମଣିଷ ପାଇଁ ବିପଦଜନକ ଅବସ୍ଥା ସୃଷ୍ଟି କରୁଛି। ସର୍ବୋପରି ଜୀବଜଗତର ଉପକାରୀ ବୃକ୍ଷକୁ ଧ୍ବଂସ ଦ୍ବାରା କେତେ ଯେ କ୍ଷତି ଜୀବଜଗତ ପାଇଁ ପହଞ୍ଚାଉଛି ସେ ସମ୍ପର୍କରେ ଆକଳନ କରାଯିବା ମଧ୍ୟ ଆବଶ୍ୟକ। ଏବେ ଗଣବିଧ୍ବଂସ କାରୀ ଯୁଦ୍ଧାସ୍ତ୍ର ବିଶେଷ ଭାବେ ରାସାୟନିକ ଅସ୍ତ୍ର, ପରମାଣୁ ଅସ୍ତ୍ରର ପ୍ରଳୟଙ୍କରୀ ବିନାଶ ମୁହଁରୁ ପ୍ରାକୃତିକ ସଂପଦଗୁଡ଼ିକୁ ରକ୍ଷା କରିବାର ବାଟ କିଛି ନାହିଁ।

ଏପରି ଅବସ୍ଥାରୁ ଆମେ କ’ଣ ଯୁଦ୍ଧକୁ ପରିତ୍ୟାଗ କରି ଏକ ଶାନ୍ତ, ସୁନ୍ଦର, ପୃଥିବୀକୁ ଓ ଏହାର ଜୀବ ସଂପଦକୁ ରକ୍ଷା କରିପାରିବା ନାହିଁ। ବାସ୍ତବରେ ଯାହା ଆମେ ଦେଖୁଛୁ ଆଜି ମଧ୍ୟ ପୃଥିବୀର କେତୋଟି ଦେଶର ନେତାମାନେ ଯୁଦ୍ଧପ୍ରିୟ। ବିଗତ ଦିନରେ ଘଟିଥିବା ଯୁଦ୍ଧବେଳେ ପରମାଣୁ ବୋମା ନିକ୍ଷେପ କରିବାକୁ ଅନେକ ନେତାଙ୍କ ଘୋଷଣା ମଧ୍ୟ ପୃଥିବୀବାସୀଙ୍କୁ ବିଚଳିତ କରିଛି। ହେଲେ ଏହା ଯେ  ବ୍ୟବହାର ନ ହେବ ଆମେ କହିପାରିବା ନାହିଁ। ମାତ୍ର ପରବର୍ତ୍ତୀ ସମୟରେ ବିଷାକ୍ତ ପୃଥିବୀରେ ଆମେ ରହିବା କିପରି?  କାରଣ ବର୍ତ୍ତମାନ ସୁଦ୍ଧା ଆମ ବସବାସ ପାଇଁ  ବିଶ୍ବ ବ୍ରହ୍ମାଣ୍ଡରେ ରହିଛି ଗୋଟିଏ ମାତ୍ର ପୃଥିବୀ ଯାହା ବିଜ୍ଞ ବୋଲି ନିଜକୁ ଭାବୁଥିବା ପୃଥିବୀର ଯୁଦ୍ଧପ୍ରିୟ ଶାସକ ବର୍ଗ ସବୁବେଳେ ମନେ ରଖିବା ଉଚିତ୍‌।

Comments are closed.