ତୋତେ ହିଁ ତୁହି ରକ୍ଷାକର!

0

ହରିହର ତ୍ରିପାଠୀ

prayash

ଯିଏ ସ୍ମିତହାସ୍ୟ ପ୍ରକାଶ କଲେ ସମଗ୍ର ବ୍ରହ୍ମାଣ୍ଡର ସୃଷ୍ଟିହୁଏ, ଯିଏ ଗମ୍ଭୀର ହେଲେ ବିଶ୍ୱର କୋଟିକୋଟି ଜୀବଙ୍କ ପାଳନ ହୁଏ, ଆଉ ଯାହାଙ୍କର ସାମାନ୍ୟ ଭ୍ରୁକୁଟି କୁଞ୍ଚନ ମାତ୍ରକେ ସଂସାର ପ୍ରଳୟ ଜଳରେ ନିମଗ୍ନ ହୁଏ, ତାଙ୍କୁ ଉପବାସ ରଖାଯାଇଛି ବୋଲି ହୁରି ପଡିଛି ! ଭଗବାନ କେବେ କାହାକୁ କହିଥିଲେ ମୋ ଲାଗି ମନ୍ଦିର ତିଆରି କର, ମୁଁ ତହିଁରେ ନିବାସ କରିବି ତାହାର କୌଣସି ପ୍ରମାଣ ନାହିଁ । ତଥାପି ତାଙ୍କ ଲାଗି ପୃଥିବୀ ସାରା ମନ୍ଦିର । କେବଳ ମନ୍ଦିର ନୁହେଁ, ମସଜିଦ୍‌, ଗୀର୍ଜା, ଗୁରୁଦ୍ୱାର ଏମିତି କେତେ ଉପାସନା ଗୃହ । ଏସବୁରେ ସେ ଅଛନ୍ତି ବୋଲି ମଣିଷ ବିଶ୍ୱାସ କରେ, ଆଉ ସେଇ ବିଶ୍ୱାସକୁ ନେଇ ହିଁ ସାରା ସଂସାରର ଧର୍ମ, ନୀତି, ନିୟମ, କାଇଦା, କଟକଣା। ତେବେ ଏକଥା ବି ସତ ଆମର ସନାତନ ହିନ୍ଦୁଧର୍ମରେ ସବୁ ନୀତିନିୟମର ଊର୍ଦ୍ଧ୍ବ​‌େ​‌ର ହେଉଛି ଭକ୍ତି । କୁହାଯାଏ ସ୍ୱୟଂ ଭଗବାନ ଭକ୍ତି ନିକଟରେ ବନ୍ଧା ଆଉ ଭକ୍ତ ଲାଗି ପାଗଳ । ତେବେ ଭଗବାନଙ୍କର ଏହି ଭକ୍ତପ୍ରେମର ପ୍ରତିଦାନ ଆଜି ଆମେ କେତେ ଦେଉଛୁ ? ଯେଉଁ ମନ୍ଦିର ଗଢାଇ ତାଙ୍କୁ ତହିଁରେ ଥୋଇଛୁ, ସେଇ ମନ୍ଦିରକୁ ସମୟ, ଅସମୟ ଯେତେବେଳେ ଇଚ୍ଛା ବନ୍ଦ କରିଦେଇ ତାଙ୍କୁ ଅଖିଆଅପିଆ, ଅପୂଜା ରଖୁଛୁ !
କାଳିଆକୁ ଭୋକ ଲାଗେନା । ଏକଥା ଆଉ କେହି ଜାଣୁ ନଜାଣୁ ପଣ୍ଡା, ସେବାୟତମାନେ ଜାଣନ୍ତି । ସେ ଖାଏନା । ଖାଉଥିଲେ ବୋଧହୁଏ ତାକୁ କେହି ବି ଭୋଗ ଦିଅନ୍ତେନି କି ତା ଶ୍ରୀମନ୍ଦିରରେ ଷାଠିଏ ପଉଟି ରନ୍ଧା ହୁଅନ୍ତାନି । ତା’ର ସ୍ନାନାଦି ନୀତିକାନ୍ତି, ନାନା ସମୟର ଧୂପ, ଭୋଗ ଏସବୁ ମଣିଷର ସୃଷ୍ଟି । ସେ କେତେବେଳେ ଖାଇବ, କେତେବେଳେ ଗାଧୋଇବ, କ’ଣ ପିନ୍ଧିବ ସବୁ ଠିକ୍ କରେ ମଣିଷ । ଆଉ ଠିକ୍ କରେ ବୋଲି ହିଁ ସେବାୟତମାନେ ବଡ ଦମ୍ଭରେ ମନ୍ଦିର ଦରଜା ବନ୍ଦ କରିଦେଇ ସବୁ ନୀତିକାନ୍ତିକୁ ୧୨ ଘଣ୍ଟା ଅଟକାଇଦେଲେ । ସେମାନେ ବୋଧହୁଏ ଭାବନ୍ତି – ଦାରୁଦିଅଁ ତାଙ୍କର ହାତର ଖେଳଣା !! ହେଲେ ଭକ୍ତ କ’ଣ ଏଇଆ ଭାବେ ???
ତାର କଳାସାଆନ୍ତ ଖାଇ ନାହାନ୍ତି ଜାଣି ଭକ୍ତ ପାଗଳ ହୋଇଯାଏ । କାରଣ ଜଗନ୍ନାଥ ତା’ଲାଗି ଦାରୁମୂର୍ତ୍ତି ନୁହନ୍ତି। ପ୍ରାଣାଧିକ ପ୍ରିୟ ଜୀବନ୍ତ ଠାକୁର, ଆଉ ଅନ୍ତରଙ୍ଗ ସଖା । ହେଲେ କାହାନ୍ତି ସେମିତିକା ଭକ୍ତ? କାହାନ୍ତି ଭକ୍ତ ଦାସିଆ, ବଳରାମ ବା ସାଲବେଗ ? କାହାନ୍ତି ବନ୍ଧୁ ମହାନ୍ତି ? ଆଜିକାଲି କାଳିଆର ଭକ୍ତିବି ସର୍ତ୍ତରେ ବନ୍ଧା । ଭକ୍ତ ନିଃସର୍ତ୍ତ ଭଲ ପାଇ ପାରୁନି ଭଗବାନଙ୍କୁ । ଭଗବାନଙ୍କୁ ସେ ସେତିକିବେଳେ ଡାକୁଛି ଯେତେବେଳେ ତାର କିଛି ଗୋଟେ ଅସୁବିଧା ପଡୁଛି। ପାଞ୍ଚଟଙ୍କାର ଦୀପଟିଏ ଜାଳି କିଏ ପାଞ୍ଚଲକ୍ଷର ବିଲ୍ ପାସ୍ କରିଦେବାକୁ କହୁଛି, ତ ଶହେ ଟଙ୍କାର ଭୋଗ ଦେଇ କିଏ କହୁଛି ଝିଅ ବାହାଘର କେମିତି ହୋଇଯାଉ । କେବଳ କାଳିଆ ସୁଦୟା କରିବ ସମସ୍ତଙ୍କୁ । ସମସ୍ତେ ସୁଖରେ ରହିବାଲାଗି ଧାଇଁ ଯାଉଛନ୍ତି ତା ନିକଟକୁ । ହେଲେ କେହି କେବେ ତ ପଚାରୁନି – କାଳିଆରେ ତୁ କେମିତି ଅଛୁ କହତ ?
କାଳିଆ ଲାଗି ଯେଉଁ ମନ୍ଦିରଟିଏ ଗଢାହୋଇଛି ତାହା ଆଜି ସ୍ୱାର୍ଥାନ୍ୱେଷୀ ଲୋକଙ୍କର ଆଡ୍ଡାସ୍ଥଳୀ ପାଲଟିଛି। ଆଉ କାହାକଥା କ’ଣ କହିବା, ସ୍ୱୟଂ ଗଜପତି ମହାରାଜା କ୍ଷୁବ୍ଧହୋଇ କହୁଛନ୍ତି ଶ୍ରୀମନ୍ଦିରରେ ଆଉ ଭକ୍ତିମୟ ପରିବେଶ ନାହିଁ । ସମସ୍ୟାର ଅଡୁଆ ସୂତାରେ ଛନ୍ଦି ହୋଇଯାଇଛି ଏହି ମହାନ ତୀର୍ଥସ୍ଥଳୀ। ଆଜି ଶ୍ରୀମନ୍ଦିର ହୋଇଯାଇଛି କତିପୟଙ୍କ ବ୍ୟକ୍ତିଗତ ସମ୍ପତ୍ତି ଯିଏ ଯେତେବେଳେ ଚାହୁଁଛି ବନ୍ଦ କରିଦେଉଛି, ଆଉ ଯିଏ ଯେତେବେଳେ ଚାହୁଁଛି ଖୋଲୁଛି । କୋଟିକୋଟି ଭକ୍ତଙ୍କ ଭାବାବେଗ ଯାହା ସହିତ ଜଡିତ ତାହାର ପରିଚାଳନା ବିଭ୍ରାଟ ଲାଗି କେହି ଉତ୍ତରଦାୟୀ ନାହାନ୍ତି । ବିଗତ ୩ / ୪ବର୍ଷ ହେବ ନାନା ଦୁର୍ଘଟଣା ଘଟିଗଲାଣି ମନ୍ଦିର ଭିତରେ । ୨୦୧୫ ମସିହାର ନବକଳେବର ସମୟରେ ବ୍ରହ୍ମସଂସ୍ଥାପନକୁ ନେଇ ବିବାଦ ଆରମ୍ଭ ହେଲା। ଗୁପ୍ତ ସେବା ପଦାରେ ପଡିଲା । ଏହାପରେ ଆରମ୍ଭ ହେଲା ମହାପ୍ରଭୁଙ୍କୁ ସ୍ପର୍ଶ ବିବାଦ । ନିକଟ ଅତୀତରେ ନବକଳେବର ସମୟର ଦାରୁ ମନୋନୟନକୁ ନେଇ ହୋଇଥିବା ବିଭ୍ରାଟ କଥା ପୁଣି ଲୋକଲୋଚନକୁ ଆସିଛି। ସତେ ଯେମିତି କାଳିଆକୁ ନେଇ ବିବାଦର ଅନ୍ତ ନାହିଁ।
ତେବେ କେତେ ସହିବ ସେ ? ସହିବାର ସବୁ ସୀମା ଅତିକ୍ରମ କରିଗଲା । ୧୨ ଘଣ୍ଟା କାଳିଆକୁ ଅଖିଆଅପିଆ ରଖିଦେଲା ପରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ତାକୁ ଅନିଦ୍ରା କରାଇ ଭକ୍ତଙ୍କୁ ଦର୍ଶନ କରାଇବାର ଅର୍ଥ କ’ଣ ? କେହି କ’ଣ ଏମିତି କରେ । କାଳିଆକୁ କଲବଲ କରି ପ୍ରଶାସନ ଓ ସେବାୟତମାନେ ପ୍ରମାଣ କରୁଛନ୍ତି ଯେ ବାସ୍ତବରେ ସେ ଦାରୁଭୂତ ମୁରାରି !!
ବଡଠାକୁର ବଳଭଦ୍ର ହେଉଛନ୍ତି ବିଶ୍ୱ ପ୍ରକାଶ ବା ସତ୍ୟର ପ୍ରତୀକ, ମା’ ସୁଭଦ୍ରିକା ହେଉଛନ୍ତି ତପସ୍ୟାର ସ୍ୱରୂପ ଯୋଗମାୟା, ସୁଦର୍ଶନ ହେଉଛନ୍ତି ଘୋର ଅପ୍ରକାଶ ରୂପ, ଆଉ ସମସ୍ତ ପ୍ରକାଶର ଅବ୍ୟକ୍ତ କାରଣ ହେଉଛନ୍ତି ଆମର ପ୍ରିୟ କଳାଠାକୁର ଜଗନ୍ନାଥ । ଏମିତି ଠାକୁରଙ୍କର କିଏ ବା କ’ଣ କରିବ ? ସେଇଥିପାଇଁ ବୋଧହୁଏ ପରିଶେଷରେ ଭକ୍ତ ହାତଟେକି କହେ- ପ୍ରଭୁ! ତୋତେ ହିଁ ତୁହି ରକ୍ଷା କର, ମୁଁ ଛାର ନିମିତ୍ତ ମାତର ।
ବଡବେତରା, କୁଦାନଗରୀ, କେନ୍ଦ୍ରାପଡ଼ା

kalyan agarbati
Leave A Reply