www.samajalive.in
Monday, December 8, 2025
27.1 C
Bhubaneswar

ଚଳିତ ଶତାବ୍ଦୀରେ ଗଣତନ୍ତ୍ରର ସ୍ଥିତି ଓ ସମ୍ଭାବନା

କ୍ଷମାସାଗର ଭୋଇ

ଚଳିିତ ଶତାବ୍ଦୀରେ ଏକ ବିରାଟ ଓଲଟପାଲଟ ହେବାର ଆଶଙ୍କାକୁ ଏଡ଼ାଇ ହେଉନାହିଁ ଯେଉଁପରି ବିଂଶ ଶତାବ୍ଦୀର ପ୍ରାରମ୍ଭକାଳ ୧୯୧୭ ମସିହାରେ ସାମ୍ୟବାଦ ଏକ ଘୂର୍ଣ୍ଣିଝଡ଼ ସଦୃଶ ରୁଷିଆକୁ ନିଜ ବଳୟ ଭିତରକୁ ଟାଣିନେଲା। ଏହା ସହିତ ଏସିଆ ଏବଂ ୟୁରୋପର କିଛି ଦେଶ ସାଉଁଟି ହୋଇଗଲେ। ଭାରତ ଉପ​‌େ​‌ର ମଧ୍ୟ ଏହି ବଳୟର ଛାୟାପାତ ହେଲା, କିନ୍ତୁ ବିଂଶ ଶତାବ୍ଦୀର ଶେଷ ଭାଗରେ ଏହା ଓଲଟିଗଲା। ଏପରି ଅବସ୍ଥା ଗଣତନ୍ତ୍ରର ମଧ୍ୟ ହୋଇପାରେ। ଗଣତନ୍ତ୍ରରେ ବହୁତ ଉତ୍ତମ ରାଜନୈତିକ ସିଦ୍ଧାନ୍ତ ରହିଛି। ଦେଶବାସୀ ଗୁପ୍ତ ମତଦାନ ମାଧ୍ୟମରେ ଶାସକ ଦଳକୁ ନିର୍ବାଚିତ କରିଥାଆନ୍ତି। ବାସ୍ତବରେ କିନ୍ତୁ ହେଉଛି କ’ଣ? ଟଙ୍କା ଯା’ର ମୂଲକ ତା’ର। କୋଟିପତି ଲୋକମାନେ ନେତୃତ୍ବ ନେବା ପାଇଁ ଓସ୍ତାଦ। ବିଶିଷ୍ଟ ଶିକ୍ଷାବିତ୍‌ ଏବଂ ସମର୍ପିତ ଭାବନା ନେଇ ସକ୍ରିୟ କାର୍ଯ୍ୟ କରୁଥିବା ସାଧାରଣ ଲୋକେ ଏଥିରୁ ବାଦ୍‌ ପଡ଼ୁଛନ୍ତି। ଏହା ସମସ୍ତଙ୍କୁ ଜଣା। ଗଣତନ୍ତ୍ରର ଆଦର୍ଶ ବ୍ୟାଖ୍ୟା ଠିକ୍‌ ଅଛି, କିନ୍ତୁ ଆଜି ଆମେ ଗଣତନ୍ତ୍ରର ଯେଉଁ ବ୍ୟାବହାରିକ ସ୍ବରୂପକୁ ଦେଖିବାକୁ ପାଉଛୁ ତାହା ଏକ ବିଚାରଣୀୟ ପ୍ରଶ୍ନ ହୋଇପାରେ। ଆଜି ଗଣତନ୍ତ୍ରର ପୁନର୍ବ୍ୟାଖ୍ୟା ଏବଂ ପୁନର୍ବ୍ୟବସ୍ଥା ସେହିପରି ହେବା ବିଧେୟ ଯେଉଁପରି ସାମ୍ୟବାଦର ହୋଇଛି। ଗଣତନ୍ତ୍ରର ସୀମାସରହଦ କିପରି ଅଟେ? ଗଣତନ୍ତ୍ରର ବ୍ୟାଖ୍ୟା କ’ଣ? ଗଣତନ୍ତ୍ରର ପୁନର୍ବ୍ୟାଖ୍ୟା ଗଣ, ଅର୍ଥାତ୍‌ ଲୋକମାନଙ୍କ ବ୍ୟାଖ୍ୟା ଉପରେ ନିର୍ଭର କରେ, ଫ୍ରାନ୍ସ କିମ୍ବା ଆମେରିକାର ସିଦ୍ଧାନ୍ତ ଉପରେ ନୁହେଁ।
ଦେଖିବାକୁ ମିଳୁଛି ପ୍ରତ୍ୟେକ କଥାରେ ବନ୍ଦ ଡାକରା, ରାସ୍ତା ଅବରୋଧ ଏକ ନିତିିଦିନିଆ କାର୍ଯ୍ୟ ଏବଂ ଅଭ୍ୟାସରେ ପରିଣତ ହେଲାଣି। ଯୋଗୀ ଅରବିନ୍ଦଙ୍କ ମତରେ ଏହା ଭାରତୀୟମାନଙ୍କ ରାଜନୀତି ନୁହେଁ। ଅଧ୍ୟାତ୍ମ ଚିନ୍ତନ ହିଁ ଭାରତର ପ୍ରକୃତ ରାଜନୀତି ଏବଂ ସନାତନ ଧର୍ମର ପରିପୂର୍ଣ୍ଣତା ହିଁ ସ୍ବରାଜ। ଆମକୁ ସ୍ବାଧୀନତା ମିଳିଛି, କିନ୍ତୁ ସ୍ବରାଜ ଏ ପର୍ଯ୍ୟନ୍ତ ପ୍ରାପ୍ତ ହୋଇନାହିଁ। ଏଣୁ ଗଣତନ୍ତ୍ରର ପୁନର୍ବ୍ୟାଖ୍ୟା ନ ହେବା ପର୍ଯ୍ୟନ୍ତ ଛୋଟବଡ଼ ସମସ୍ୟା ମୁଣ୍ଡ ବ୍ୟଥାର କାରଣ ହୋଇରହିବ। ଭାରତର ମୂଳ ଭିତ୍ତିଭୂମି ହେଲା ଗ୍ରାମ। ଏଠାରେ ଚାଷୀ ଏବଂ ଶ୍ରମିକ ବହୁ ସଂଖ୍ୟାରେ ଅଛନ୍ତି। ଉଚ୍ଚ ବର୍ଗର ଲୋକ ଅଳ୍ପସଂଖ୍ୟକ ଅଛନ୍ତି। ତଥାପି ଭାରତର ରାଜନୈତିକ ଦଳମାନେ ଗ୍ରାମୀୟ ଇଚ୍ଛା ଏବଂ ସଦ୍‌ଭାବନା ଉପରେ ଚାଲିବାକୁ ପ୍ରସ୍ତୁୁତ ନୁହନ୍ତି। ସେମାନେ ବଡ଼ବଡ଼ ଉଦ୍ୟୋଗପତିମାନଙ୍କଠାରୁ ଅର୍ଥପ୍ରାପ୍ତିର ଆଶା ରଖି ସେମାନଙ୍କ ଇଚ୍ଛାରେ ପରିଚାଳିତ ହୁଅନ୍ତି। ଗାଆଁ ଗହଳକୁ ସେମାନେ ସହଜରେ ଆସନ୍ତି ନାହିଁ। ବିଜୁଳିବତି ଏବଂ ସଡ଼କ କଥା ଛାଡ଼ିଦିଆଯାଉ। ଚାଷ ପାଇଁ ଜଳ ଅତ୍ୟାବଶ୍ୟକ ପଦାର୍ଥ ଅଟେ ଏବଂ ଏହା ପାନୀୟଜଳ ନ ହେଲେବି ଚଳିବ। ଭାରତବର୍ଷର ଲୋକେ ହଜାରହଜାର ବର୍ଷ ପୂର୍ବରୁ ପୋଖରୀ ଜଳ ବ୍ୟବହାର କରି ବର୍ତ୍ତମାନ ପର୍ଯ୍ୟନ୍ତ ଜୀବିତ ଅଛନ୍ତି। ଚାଷ ବର୍ତ୍ତମାନ ପର୍ଯ୍ୟନ୍ତ ଚାଷୀର ଉପଭୋଗ ମାଧ୍ୟମ ହୋଇରହିଛି, ଉପାର୍ଜନର ମାଧ୍ୟମ ନୁହେଁ ଏଣୁ ଉପାର୍ଜନ ପାଇଁ ବାହାରକୁ ଯିବାପାଇଁ ପଡ଼ିଥାଏ। ଯେଉଁଠି ବଡ଼ବଡ଼ କଳକାରଖାନା ରହିଛି ସେଠାରେ ବିଶେଷ ଭାବରେ ଭ୍ରଷ୍ଟାଚାର ରହିଛି। କୃଷିକ୍ଷେତ୍ରରେ ଭ୍ରଷ୍ଟାଚାରର ପ୍ରାୟ ପ୍ରଶ୍ନ ନାହିଁ।
ବ୍ୟକ୍ତିକୁ ସ୍ବତନ୍ତ୍ରତା ସହିତ ଦଣ୍ଡ ସଂହିତାର ମଧ୍ୟ ଆବଶ୍ୟକତା ରହିଛି, କିନ୍ତୁ ଗଣତନ୍ତ୍ରର ବର୍ତ୍ତମାନ ପ୍ରଣାଳୀରେ ଦଣ୍ଡ ସଂହିତା ନପୁଂସକ ହୋଇଯାଇଛି। ମନେହୁଏ କିଛି ବର୍ଷ ପରେ ଏକବିଂଶ ଶତାବ୍ଦୀ ନିଶ୍ଚିତ ରୂପରେ ଗଣତନ୍ତ୍ରର ପୁନର୍ବ୍ୟାଖ୍ୟା କରିବ। ଯଦି କ୍ଷୁଧାତୁର ବ୍ୟକ୍ତିର ପେଟ ପୂରିବ ନାହିଁ ତେବେ ତାକୁ ମାନବ ସୁରକ୍ଷା କଥା କହିବା ଅର୍ଥ ଗାଡ଼ିଚକର ପଛପଟେ ବଳଦ କାନ୍ଧରେ ଯୁଆଳି ଭିଡ଼ିବା। ରାଜନୈତିକ ସ୍ବତନ୍ତ୍ରତା କେବଳ ବ୍ୟବସ୍ଥିତ ସମାଜକୁ ଦିଆଯାଇପାରେ। ଯେଉଁଠାରେ ବିଶେଷ ପ୍ରକାରର ଅସାମାଜିକ ତତ୍ତ୍ବର ଲୋକ ରହିଛନ୍ତି ସେଠାରେ ଏହା ଚଳିିବ କିପରି? ଇଂଲଣ୍ଡ କିମ୍ବା ଆମେରିକାରେ ଯେଉଁ ବ୍ୟବସ୍ଥା ରହିଛି ତାହା ସେମାନଙ୍କ ସ୍ଥାନରେ ଠିକ୍‌ ଅଛି। ଆମ ଦେଶର ଆୟ ସୀମିତ। ଅତ୍ୟଧିକ ଆୟ କରୁଥିବା ଲୋକମାନଙ୍କ ପରି ସାଧାରଣ ଆୟ କରୁଥିବା ଲୋକେ ସେମାନଙ୍କ ପରିବାର ପ୍ରତିପୋଷଣ କରି ପାରନ୍ତି ନାହିଁ। ଆମେରିକା ପରି ଧନିକ ରାଷ୍ଟ୍ରରେ ପ୍ରତ୍ୟେକ, ପିଲାଙ୍କୁ ଶିକ୍ଷାରମ୍ଭରୁ କମ୍ପ୍ୟୁଟର ଯୋଗାଇ ଦିଆଯାଏ। ଧନୀ ଗରିବ ଉତ୍କଟ ଭେଦଭାବ ଥିବା ଆମ ପରି ଜନବହୁଳ ଦରିଦ୍ର ରାଷ୍ଟ୍ରରେ ଏହା ସମ୍ଭବ ନୁହେଁ। ଏଣୁ ଗଣତନ୍ତ୍ରର ବ୍ୟାଖ୍ୟା ଏକବିଂଶ ଶତାବ୍ଦୀର ଆଧାର ଉପରେ ନିର୍ମାଣ ହେବାର ଆଶା କରାଯାଏ। କାରଣ ଏସିଆ କିମ୍ବା ଆଫ୍ରିକାରେ ଯେଉଁ ବିଭ୍ରାଟ ଦେଖାଯାଉଛି ତାହା ବର୍ତ୍ତମାନର ଗଣତନ୍ତ୍ରର ସ୍ଥିତି ପାଇଁ ହେଉଅଛି। ଦରିଦ୍ର ପରିବାର ଧନୀ ପରିବାର ପରି ଚଳିବେ କିପରି?
ଏହି ପୁନର୍ବ୍ୟାଖ୍ୟାର ଆବଶ୍ୟକତା ଲୋକେ ଚଳିତ ଶତାବ୍ଦୀରେ ଅନୁଭବ କରିବେ ଏବଂ ସମ୍ଭବତଃ ବର୍ତ୍ତମାନଠାରୁ ଲୋକେ ଏହା ଅନୁଭବ କରିବାକୁ ଲାଗିଲେଣି। ନ୍ୟାୟ,ର ଶାସନ ଇତ୍ୟାଦି ଯେତେ ନିୟମ ରହିଛି ତାହା ସ୍ଥାନୀୟ ହିସାବରେ ହେବା ଉଚିତ, ଅନ୍ତଃରାଷ୍ଟ୍ରୀୟ ଅନୁସାରେ ନୁହେଁ। ଭାରତର ରାଜ୍ୟ ବ୍ୟବସ୍ଥା ଭାରତୀୟ ସଂସ୍କୃତିକୁ ଦୃଷ୍ଟିରେ ରଖି ହେବା ଉଚିତ। ଚୀନର ରାଜ୍ୟ ବ୍ୟବସ୍ଥା ଚୀନ୍‌ର ପରିସ୍ଥିତିକୁ ଧ୍ୟାନରେ ରଖି ଚଳିବ, ଆମେରିକା କିମ୍ବା ଇଂଲଣ୍ଡ ପରି ନୁହେଁ। ପାଶ୍ଚାତ୍ୟ ସଂସ୍କୃତିରେ ଯେଉଁ ନିୟମ ଓ ପ୍ରଣାଳୀରେ ପ୍ରସ୍ତୁୁତ ହୋଇଛି ତାହା ସେଠାକାର ପରିସ୍ଥିତି ଅନୁସାରେ ହୋଇଛି। ଆମେରିକୀୟ ସମାଜ ସଂଭ୍ରାନ୍ତ ଶ୍ରେଣୀର ଅନ୍ତର୍ଭୁକ୍ତ। ସେମାନେ ଅଣୁବୋମା ବିକ୍ରିକରି ଅର୍ଥ ରୋଜଗାର କରୁଅଛନ୍ତି। ପରିସ୍ଥିତିର ଆଧାର ଉପରେ ସେମାନଙ୍କର ବ୍ୟବସ୍ଥା ହୋଇଛି। ଆମେ ତାଙ୍କର ପ୍ରତ୍ୟେକ ବିଷୟକୁ ସ୍ବୀକାର କରିପାରିବା ନାହିଁ। ଆମର ସମାଜ ଖୋଲା ସମାଜ ଏବଂ ବ୍ୟକ୍ତିଗତ ଅନୁଶାସନ ରହିଛି। ଆମକୁ ପାଶ୍ଚାତ୍ୟ ଦେଶର ଭଲ ଜିନିଷକୁ ଶିକ୍ଷା କରିବାପାଇଁ ବାରଣ ନାହିିଁ, କିନ୍ତୁ ଆମେ ତାଙ୍କର ପ୍ରତ୍ୟେକ ବିଷୟକୁ ଅନୁକରଣ କରିବା କାହିଁକି?
ପାଶ୍ଚାତ୍ୟ ସମାଜରେ ସଂଗଠନ ଅଛି, କିନ୍ତୁ ବ୍ୟକ୍ତିଗତ ଅନୁଶାସନ ନାହିଁ। ସେମାନଙ୍କ ପାଖରେ ଅନେକ ଜଟିଳ ସମସ୍ୟା ବିଭିନ୍ନ ରୂପରେ ଛିଡ଼ା ହେଉଛି। ତାଙ୍କର ସମାଜ ଭୌତିକ ଲାଭ ପାଇଁ ଯେତେ ଅଗ୍ରସର ହେଉଛି, ମାନସିକ ବିଘଟନ ସେତେମାତ୍ରାରେ ବଢ଼ିଚାଲିଛି। ସେମାନଙ୍କ ଜୀବନରେ ସ୍ଥାୟିତ୍ବ ନାହିଁ। ସଂଗଠିତ ସମାଜରେ ସେମାନଙ୍କର ସ୍ଥାନ ରହିଛି ଏବଂ ସେମାନେ ଏଥିରେ ଖାପ ଖୁଆଇ ଚଳିପାରୁଛନ୍ତି। ଯଦି କୌଣସି କାରଣରୁ ଏହି ସମାଜ ବିଘଟିତ ହୋଇଯାଏ, ତେବେ ସେମାନଙ୍କର ଅବସ୍ଥା କିପରି ହେବ? ଲୋକେ ଯଦି ବ୍ୟକ୍ତିଗତ ରୂପରେ ଅନୁଶାସିତ ଅଟନ୍ତି ଏବଂ ସମାଜ ସଂଗଠିତ ନୁହେଁ, ତେବେ ବିଶେଷ କ୍ଷତି ହେବନାହିଁ। ଏଥିରେ ସମାଜକୁ ଅଳ୍ପ ବହୁତ ଆଘାତ ଲାଗିପାରେ। ସାଂସ୍କୃତିକ ଏବଂ ରାଜନୈତିକ ଜୀବନରେ ଉତ୍‌ଥାନ ପତନ ହୋଇପାରେ, କିନ୍ତୁ ବ୍ୟକ୍ତିଗତ ଅନୁଶାସନ ବଳକୁ ଆଧାରକରି ବିକାଶମାର୍ଗରେ ଅଗ୍ରସର କରିହେବ। ଏଣୁ ଭାରତର ବିଦ୍ବାନ ଯୁବଗୋଷ୍ଠୀ ଚଳିତ ଶତାବ୍ଦୀକୁ ଦୃଷ୍ଟିରେ ରଖି ଗଣତନ୍ତ୍ରର ପୁନର୍ବ୍ୟାଖ୍ୟା ଉପରେ ବିଚାର କରିବା ଉଚିତ। ଗଣତନ୍ତ୍ର ବ୍ୟାଖ୍ୟା ବିସ୍ତୃତ ହୋଇପାରେ, କିନ୍ତୁ ପ୍ରଶ୍ନ ଆସେ ଭାରତର ପରିସ୍ଥିତି ଅନୁସାରେ ଗଣତନ୍ତ୍ରର ବ୍ୟାଖ୍ୟା ହେବା ଉଚିତ। ଗଣତନ୍ତ୍ରରେ ନେତୃତ୍ବ ନିର୍ବାଚନ କରିବାର ଅଧିକାର କାହାର ହେବାଉଚିତ ଏବଂ କାହାର ନୁହେଁ ଏପରି ପ୍ରଶ୍ନ ଉପରେ ଚିନ୍ତନ ହେବା ଆବଶ୍ୟକ।
ଝାରୁପଡ଼ା, ପଞ୍ଚଗାଁ, ଝାରସୁଗୁଡ଼ା

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories