www.samajalive.in
Monday, December 8, 2025
27.1 C
Bhubaneswar

ଧର୍ମେନ୍ଦ୍ରଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥିତ୍ବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତାକୁ ପୁଞ୍ଜିକରି ବିଜେପି ଓଡ଼ିଶାରେ ବିଜେଡ଼ିର ଏକ ଗ୍ରହଣଯୋଗ୍ୟ ବିକଳ୍ପ ଭାବେ ଉଭା ହେବାକୁ ଯେଉଁ ପ୍ରୟାସ ଆରମ୍ଭ କରିଛି ତାହାର ନେତୃତ୍ବ ନେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହା ମଧ୍ୟ​‌େ​‌ର ଶ୍ରୀ ପ୍ରଧାନ ଦଳର ଜଣେ ଅପ୍ରତିଦ୍ବନ୍ଦ୍ବୀ ନେତାଭାବେ ପ୍ରାଦେଶିକ ସ୍ତରରେ ନିଜକୁ ସାବ୍ୟସ୍ତ କରିପାରିଛନ୍ତି। ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ- ସେ ନେଇ ଯେଉଁ କଳ୍ପନାଜଳ୍ପନା ଲାଗିରହିଥିଲା ଦଳର ଅନ୍ୟତମ ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ତାହାର ଅବସାନ ଘଟାଇ ଧର୍ମେନ୍ଦ୍ରବାବୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ସ୍ପଷ୍ଟ କରିଦେଇଛନ୍ତି। ଗୋଟିଏ ଦୃଷ୍ଟିରୁ ଏହା ଦଳପାଇଁ ଲାଭଦାୟକ ହୋଇପାରେ ଏବଂ ଭୋଟରଙ୍କ ନିକଟକୁ ଏକ ସକାରାତ୍ମକ ବାର୍ତ୍ତା ପ୍ରେରଣ କରିପାରେ। ଅନ୍ୟପକ୍ଷରେ ବିଜେପି ରାଜ୍ୟଶାଖାର ଯେଉଁ ବରିଷ୍ଠ ତଥା ଅସନ୍ତୁୁଷ୍ଟ ନେତା ଅଛନ୍ତି ସେମାନେ ମଧ୍ୟ ଯଥେଷ୍ଟ ଆଗରୁ ସୂଚନା ପାଇଯାଇଥିବାରୁ ନିଜନିଜର ଭବିଷ୍ୟତ କର୍ମପନ୍ଥା ନିର୍ଦ୍ଧାରଣ କରିବାକୁ ସମୟ ପାଇବେ।
ଏହା ସ୍ବାଭାବିକ ଯେ ଯିଏ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବ ସେ ନିଜର ଟିମ୍‌ ବାଛିବ ଓ ନିଜର ଇଚ୍ଛା ଅନୁସାରେ ନିଜର ମନପସନ୍ଦର ପ୍ରାର୍ଥୀଙ୍କୁ ଟିକଟ ଦେବ। ଏହି ପ୍ରକ୍ରିୟାରେ ଦଳର କୌଣସି ପୁରୁଖା ନେତା ଯଦି ନୂଆ ସମୀକରଣ ସହ ନିଜକୁ ସାମିଲ କରି ନ’ପାରିବେ ସେମାନେ ବାଦ୍‌ ପଡ଼ିବା ସ୍ବାଭାବିକ। ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ଭଳି ନେତା ଯେଉଁମାନେ ଦଳଭିତରେ ନିଜକୁ ଉପେକ୍ଷିତ ମଣୁଛନ୍ତି ସେମାନଙ୍କୁ ଏବେ ନିଜନିଜର ଭବିଷ୍ୟତ କର୍ମପନ୍ଥା ନିର୍ଦ୍ଧାରଣ କରିବାକୁ ହେବ। ସତକଥା ହେଲା ରାଜନୈତିକ ଆବଶ୍ୟକତା ଅନେକ ସମୟରେ ଦଳର ସବୁ ନେତାଙ୍କ ବରିଷ୍ଠତା, ଦକ୍ଷତା ଓ ନିଷ୍ଠାକୁ ଉପଯୁକ୍ତ ମାନ୍ୟତା ଦେଇନଥାଏ। ତାହାର ଅର୍ଥ ନୁହେଁ ସେମାନଙ୍କୁ ଦଳରୁ ଦୂରେଇ ରଖିବାକୁ ଦଳ ଚାହେଁ। ନିଜନିଜର ଯୋଗ୍ୟତା ଓ ନେତୃତ୍ବ ବଳରେ ସମସ୍ତେ ଦଳର ବିକାଶରେ ଭାଗୀଦାର ହୁଅନ୍ତି। ଏବେ ପୂର୍ବତନ ପ୍ରଶାସିକା ଅପରାଜିତା ଷଡ଼ଙ୍ଗୀଙ୍କ ଭଳି କିଛି ନେତା ବିଜେପିରେ ସାମିଲ ହୋଇଛନ୍ତି। ଆଉ କିଛି ମଧ୍ୟ ଆଗାମୀ ଦିନରେ ବିଜେପିରେ ମିଶିବେ। ଏବେ ଦଳପାଇଁ କିଛି ଭାବମୂର୍ତ୍ତି ସମ୍ପନ୍ନ ଓ ବିଭିନ୍ନ କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କର ଆବଶ୍ୟକତା ରହିଛି। ସେମାନେ ସାଂଗଠନିକ ଆବଶ୍ୟକତା ଅପେକ୍ଷା ଭୋଟ ରାଜନୀତି ପାଇଁ ଦଳ ନିମନ୍ତେ ଆକର୍ଷଣୀୟ ହେବେ। ବିଜେଡି ଯେମିତି କିଛି ପ୍ରାକ୍ତନ ପ୍ରଶାସକ, ଚିତ୍ରତାରକା, କ୍ରୀଡ଼ାବିତ୍‌ ଓ ବିଶିଷ୍ଟ ବ୍ୟକ୍ତିଙ୍କୁ ଆଣି ପ୍ରାର୍ଥୀ କରି ଜିତାଇଛି ବିଜେପି ଏବେ ସେଇ ପନ୍ଥା ଧରିଛି। ଅତଏବ ଏହା ଏକ ଅଭିନବ ପ୍ରୟାସ ବା ନୂଆ ପରୀକ୍ଷାନିରୀକ୍ଷା ନୁହେଁ ।
ସାଂଗଠନିକ ଦୃଷ୍ଟିରୁ ଦେଖିଲେ ଓଡ଼ିଶାରେ ବିଜେଡ଼ି ପ୍ରଥମ ସ୍ଥାନରେ ଏବେ ରହିଛି। କଂଗ୍ରେସର ପକେଟ ଭୋଟ ରହିଛି, କିଛି ଅନୁଗତ ଭୋଟର ଗାଁ ଗହଳି ସଂଗଠନ ଅଛି ଯାହା ଦଳର ବଡ଼ ପୁଞ୍ଜି। ସେ ଦୃଷ୍ଟିରୁ ଦେଖିଲେ ବିଜେପି ସାଂଗଠନିକ ଦୃଷ୍ଟିରୁ ତୃଣମୂଳ ବା ବୁଥ ସ୍ତରରେ ନିଜକୁ ସମଗ୍ର ପ୍ରଦେଶରେ ଅତି ସୁଦୃଢ଼ କରିପାରିନାହିଁ। ବିଜେପିର ସବୁଠୁ ବଡ଼ ପୁଞ୍ଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଏବଂ ଓଡ଼ିଶା ପ୍ରତି ଦଳର କେନ୍ଦ୍ରୀୟ ନେତୃତ୍ବର ସ୍ବତନ୍ତ୍ର ଦୃଷ୍ଟି। ସେଇ ପ୍ରକ୍ରିୟାରେ ଯୋଗସୂତ୍ର ଭାବେ ଧର୍ମେନ୍ଦ୍ରବାବୁର କିଛି ଉଲ୍ଲେଖନୀୟ କାର୍ଯ୍ୟ କରିପାରିଛନ୍ତି। ଦୀର୍ଘ ବିଜେଡି ଶାସନରେ ଯେଉଁ ସରକାରୀ ବିରୋଧୀ ମନୋଭାବ (ଆଣ୍ଟି ଇନ୍‌ କଂବାନ୍ସି) ଭୋଟରଙ୍କ ମଧ୍ୟରେ ରହିଛି ସେଥିରୁ ସେ କେତେ ଫାଇଦା ଉଠାଇବେ ଏବଂ ସମଗ୍ର ରାଜ୍ୟ ତାଙ୍କୁ ନବୀନ ବାବୁଙ୍କ ବିକଳ୍ପଭାବେ କେତେ ଗ୍ରହଣ କରିବ ତା’ ଉପରେ ଅନେକ କଥା ନିର୍ଭର କରୁଛି। ଏଥିସହିତ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ପୁନଃ ଉତ୍‌ଥିତ କଂଗ୍ରେସ ପ୍ରତି ଭୋଟରଙ୍କ ଆଭିମୁଖ୍ୟ କ’ଣ ହେବ ତାହା ମଧ୍ୟ ଗୁରୁତ୍ବପୂର୍ଣ୍ଣ। ସବୁଠୁ ବଡ଼ କଥା ହେଲା ଆଜିକାଲି ଅଧିକାଂଶ ଭୋଟର ନାନାବିଧ ସୁଖସୁବିଧାକୁ ଅଗ୍ରାଧିକାର ଦେଇ ଭୋଟ ଦେଉଛନ୍ତି। ଟଙ୍କିକିଆ ଚାଉଳ ହେଉ ବା ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ସ୍ତର ଓ କ୍ଷେତ୍ରରେ ସରକାରୀ ସୁବିଧା ଓ ରିଆତି ପାଇ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି। ନବୀନବାବୁଙ୍କ ଦ୍ବାରା ଏଯାବତ ଯାବତୀୟ ସୁବିଧା ପାଇ ଆସୁଥିବା ଭୋଟର ଏଥର ବିଜେଡିକୁ ଯେ ଛାଡ଼ିବେ, ସେ ସମ୍ଭାବନା ବିଶେଷ ଦେଖାଯାଉନାହିଁ; ତଥାପି ନିର୍ବାଚନ ବେଳେବେଳେ ଚମତ୍କାରିତା ଦେଖାଇଥାଏ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories