www.samajalive.in
Tuesday, December 9, 2025
16.1 C
Bhubaneswar

ପ୍ରେମରେ ନାହିଁ ପ୍ରତିହିଂସା

ପୀତାମ୍ବର ରାଉତ

କାକଟପୁରରୁ କଟକ ରାସ୍ତାରେ ଉଦୟନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ପାଖେ ହଠାତ୍‍ ବସ୍‍ ଅଟକିଗଲା। +୩ ପଢୁଥିବା ଝିଅଟି ଡ୍ରେସ୍‍କୋଡରେ ଥାଇ ଦିନ ଦ୍ୱିପ୍ରହରରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମରଣ ସହ ସଂଗ୍ରାମ କରୁଥିଲା। ସମବେତ ଜନତା ଜାଣିବାକୁ ପାଇଥିଲେ କି ପ୍ରେମିକଟି ଏକତରଫା ପ୍ରେମ ପାଇଁ ପ୍ରେମିକାକୁ ଛୁରାମାଡ଼ କରିଥିଲା। ଶରୀରର ବିଭିନ୍ନ ସ୍ଥାନରେ ଛୁରାମାଡ଼ କରି ପ୍ରେମିକ ଚମ୍ପଟ ମାରିଥିଲା। ଦେଖଣାହାରୀ ଥିଲେ ସ୍ତବ୍ଧ। ସବୁରି ହୃଦୟରେ କୋହ। ଆହାଃ! ବିଚାରିଟି କି ଅପରାଧ କରିଥିଲା ! ଏଭଳି ଅନେକ ଘଟଣା ଆମ ସମାଜରେ ଆଜି ଦେଖିବାକୁ ମିଳୁଛି। ଏସିଡ୍‌ ମାଡ, ପାର୍ସଲ ବୋମା ବିସ୍ଫୋରଣ, ଗଳାକାଟି ହତ୍ୟା, କିରାସିନ୍‍ ଢାଳି ଜାଳିଦେବା ଭଳି ଅମାନବୀୟ କାଣ୍ଡ ଅନବରତ ଘଟି ଚାଲିଛି। ତେବେ କହିବା ବାହୁଲ୍ୟ ହେବ କି ପ୍ରେମକୁ ଏବେ କିଭଳି କିଏ ବୁଝୁଛି। ପ୍ରେମର ସ୍ମାରକୀ ସ୍ୱରୂପ ତିଆରିହେଲା ତାଜମହଲ। କେଦାର-ଗୌରୀ ରଚିଲେ ଅମର କାହାଣୀ।
ପଶୁପକ୍ଷୀଙ୍କ ମଧ୍ୟରେ ବି ପ୍ରେମ ରହିଛି; ହେଲେ ଏଭଳି ପ୍ରତିହିଂସା ପରାୟଣ ହେବା ନଜିର ନାହିଁ । କବିବର ରାଧାନାଥ ରାୟଙ୍କ ଚନ୍ଦ୍ରଭାଗା କାବ୍ୟରେ ଲେଖିଛନ୍ତି
‘‘ ଦାରୁଭେଦକ୍ଷମ ଭ୍ରମର ପଶି କମଳ କୋଳେ
ପାସୋରେ ଆପଣା ବିକ୍ରମ ପଡି ପ୍ରେମର ଭୋଳେ।’’
ଭଅଁର ଭଳି ଛୋଟ କୀଟଟିଏ କାଠକୁ କାଟି ବସା ତିଆରି କରେ; ମାତ୍ର ପ୍ରେମ ପାଇଁ ପଦ୍ମଫୁଲରେ ପଶି ପରେ ସେଠୁ ନିଜକୁ ମୁକୁଳେଇ ନ ପାରି ପଦ୍ମପାଖୁଡାରେ ମୁଦି ହୋଇ ମୃତ୍ୟୁବରଣ କରେ। ଯିଏ କାଠ କାଟିପାରେ ସିଏ କ’ଣ ଫୁଲକୁ କାଟିପାରି ନଥାନ୍ତି କି? ମାତ୍ର ସେ ଯାହାକୁ ଭଲ ପାଏ ତା’କୁ କଣ ନଷ୍ଟ କରିପାରେ କିମ୍ବା କ୍ଷତି ପହଞ୍ଚାଇବ କି? ପ୍ରେମର କିମ୍ବଦନ୍ତୀ କଇଁ(କୁମୁଦିନୀ) ପ୍ରିୟତମ ଚନ୍ଦ୍ରକୁ ଦୂରରେ ଥାଇ ଅପେକ୍ଷା କରେ ତାହାର ଶୀତଳ ଜ୍ୟୋତ୍ସ୍ନାର ପରସରରେ ନିଜକୁ ପ୍ରଷ୍ଫୁଟିତ କରିବା ପାଇଁ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ‘ପ୍ରେମ ସୁଧାନିଧି’ କାବ୍ୟରେ ଲେଖିଛନ୍ତି-
“କେତେଦୂରେ ଚନ୍ଦ୍ର କେତେଦୂରେ କୁମୁଦିନୀ, ପ୍ରୀତି ଅଭେଦ୍ୟ ତାଙ୍କର
ଯେତେଦୂରେ ଥିଲେ ଯେ ଯାହାର, ସେ ତାହାର”।
ଆଗରୁ ରାଜା ମହାରାଜା,ଧନୀବ୍ୟକ୍ତିମାନେ ବହୁପତ୍ନୀ ଗ୍ରହଣ କରୁଥିଲେ। ଏକାଧିକ ପତ୍ନୀଥିଲେ ମଧ୍ୟ ପ୍ରେମ ପାଇଁ ପ୍ରତାରଣା କି ପ୍ରତିହିଂସା ନ ଥିଲା। ବର୍ତ୍ତମାନ ସମାଜରେ ବିଧିବଦ୍ଧ ଆଇନ୍‍ ବ୍ୟବସ୍ଥା ଥାଇ ମଧ୍ୟ ପ୍ରେମ ପାଇଁ ଅହରହ ପ୍ରତିହିଂସା ଚାଲିଛି। ଏହାକୁ ଦୃଷ୍ଟିରେ ରଖି ସୁପ୍ରିମ୍‍କୋର୍ଟ ଆଇପିସିର ଦଫା ୪୯୭କୁ ଉଚ୍ଛେଦ କରିଛନ୍ତି। ଏହା ପ୍ରେମକୁ ସରଳୀକରଣ କରିଛି, ଅର୍ଥାତ୍‍ ଆପୋଷ ମିଳାମିଶା ଏବେ ପାପ ନୁହେଁ।
ପରକୀୟା ପ୍ରୀତି ଅପରାଧ ନୁହେଁ। ୧୫୮ ବର୍ଷ ତଳର ଆଇନ୍‍ଧାରାକୁ ନିଷିଦ୍ଧ କରି ରେଖା ଶର୍ମା ମାମଲାରେ ଏଭଳି ରାୟ ଆସିଛି। ବିଦାୟୀ ଭାଷଣରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଦୀପକ ମିଶ୍ର କହିଛନ୍ତି, ଲୁହ ସବୁବେଳେ ସମାନ। ଗରିବ ଓ ଧନୀର ଲୁହରେ ପ୍ରଭେଦ ନାହିଁ। ତା ଅର୍ଥ ଆଇନ୍‍ ଆଖିରେ ସମସ୍ତେ ସମାନ। ଆପୋଷ ସହଭାଗିତା ଭିତରେ ପ୍ରେମ ଧନୀ-ଗରିବ, ବିବାହିତା, ଅବିବାହିତା ସମସ୍ତେ ଭାଗ ନେଇପାରିବେ। ସମ୍ଭ୍ରାନ୍ତ ସେଲିବ୍ରିଟି ନୁହେଁ; ବର୍ତ୍ତମାନ ପ୍ରେମ ଓ ପ୍ରୀତି ସାର୍ବଜନୀନ କରାଗଲା। ଓଡିଆରେ ଗୋଟେ ଢଗ ଅଛି-
ଯାହାକୁ ଯିଏ ରସିଲା, କିଆ ଫୁଲ ପରି ବାସିଲା।
ପ୍ରେମ ଦୁଇଟି ହୃଦୟର ମିଳନ। ଅନନ୍ୟ ଭଲ ପାଇବା, ବିଶ୍ୱାସ କରିବା, ଭରସା ଦେବା, ପରସ୍ପର ପ୍ରତି ଶୁଭାକାଂକ୍ଷୀ ହେବା, ସୁଖ-ଦୁଃଖରେ ସହଭାଗୀ, ହସରେ ହସ ମିଶାଇ ଲୁହକୁ ପୋଛିବା, ଯାତନାରୁ ମୁକ୍ତ କରିବା, ଏକାଠି ହାତଧରି ଚାଲିବା, ପ୍ରେମର ସରୋବରରେ ଜୀବନ ପଦ୍ମକୁ ପ୍ରସ୍ଫୁଟିତ କରିବା ଆଦି। ବିଶିଷ୍ଟ ସାହିତ୍ୟିକ ଏବଂ ଗବେଷକ ଡଃ ଲିଙ୍ଗରାଜ ରଥ ତାଙ୍କ କବିତା ଗ୍ରନ୍ଥରେ ‘ଏ ଯେ ମୋ ମରମ’ ଗାଥାରେ ଲେଖିଛନ୍ତି-
“ପୀରତିତ ଦେଇ ଜାଣେ
କିଛି ନେଇ ଜାଣେ ନାହିଁ
ଭଲ ପାଇବାତ କେବେ
ପ୍ରତିଦାନ ଚାହେଁ ନାହିଁ।”
ପ୍ରେମରେ ତ୍ୟାଗ ଏବଂ ଦେବାର ସ୍ଥାନ ସର୍ବୋତ୍କୃଷ୍ଟ। ପ୍ରତିହିଂସା ପରାୟଣର ସ୍ଥାନ ନାହିଁ। ବର୍ତ୍ତମାନ ପ୍ରେମିକଟିଏ କେମିତି କଂସେଇ ପାଲଟି ଯାଉଛି। ପ୍ରେମମୟ ହୃଦୟ କେମିିତି କଳ୍ପନା କରେ ପ୍ରେମିକାର ମୃତ୍ୟୁ। ପ୍ରେମିକା ପାଇଁ ନରହନ୍ତା ହେବା ଶୁଭ ଲକ୍ଷଣ ନୁହେଁ। ପ୍ରେମରେ ବ୍ୟର୍ଥ ହୋଇ ହିଂସ୍ରଜନ୍ତୁ ବାଘ, ସିଂହ, ଷଣ୍ଢ, କୁକୁର ଅନ୍ୟକୁ ମାରିପାରନ୍ତି ନାହିଁ। ସବୁଠାରୁ ଉନ୍ନତ ଜୀବ ମଣିଷ ପ୍ରେମ ପାଇଁ କେତେ ତଳକୁ ଖସିଗଲାଣି ସମୀକ୍ଷା କରିବାର ବେଳ ଉପନୀତ। ଆମ ପରମଶାସ୍ତ୍ର ଭାଗବତ​‌େ​‌ର ଲେଖାଅଛି:
ଅନେକ ଜନ୍ମ ତପଫଳେ
ମନୁଷ୍ୟ ଜନ୍ମ ମହୀତଳେ।
ଜୀବ ମଧ୍ୟରେ ଶ୍ରେଷ୍ଠ, ବୁଦ୍ଧିମତାରେ ଉଚ୍ଚତମ, ସଫଳତାରେ ଶୂନ୍ୟଜୟୀ, ସେହି ମଣିଷ ଆଜି ହୃଦୟରେ ଛୁରୀର କଳ୍ପନା କରିପାରେ କେମିତି! କ’ଣ ତା’ର ଆଗାମୀ ଭବିଷ୍ୟତ। ଖୁନୀ ପ୍ରେମିକର କାରାବଦ୍ଧ ଜୀବନ ସ୍ୱପ୍ନ ଆରମ୍ଭ ହେବା ପୂର୍ବରୁ ଭାଙ୍ଗିଯାଏ। ପିତାମାତା ପୁତ୍ରବଧୂ, ଦେଖିବା ପୂର୍ବରୁ ମୂକ-ବଧିର ପାଲଟି ଯାଆନ୍ତି। ପଡୋଶୀ ଅଙ୍ଗୁଳି ଉଠାଏ। ସମାଜ ଘୃଣା କରେ। ସୁପ୍ରିମକୋର୍ଟ ବହୁ ଆଗରୁ “ଲିଭ୍‌ ଇନ୍‍” (ଏକତ୍ର ସହାବସ୍ଥାନ) ସଂପର୍କକୁ ଅନୁମତି ଦେଇଛନ୍ତି। ପ୍ରେମ ନାଁରେ ଉଚ୍ଛୃଙ୍ଖଳତାର ଚରମ ନିଦର୍ଶନ କାହିଁକି ଆମ କଲେଜ ପଢୁଆ କିଛି ଛାତ୍ରଛାତ୍ରୀ ଆପଣାଉଛନ୍ତି।
ତାଳ ଗଛରେ ବସା କରି ଝୁଲୁଥିବା ବାୟାଚଢେଇ ପକ୍ଷୀ ଆମ ପତି-ପତ୍ନୀଙ୍କ ଠାରୁ କେତେ ଶୃଙ୍ଖଳିତ, ସଂଯମୀ; ଅଥଚ ସଭ୍ୟ ସମାଜର ମଣିଷ କେତେ ଭୟଙ୍କର। ପୁରୁଷ ଓ ନାରୀ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ। ତେବେ ଜଣର ଜୀବନ ନେଲେ ପ୍ରେମ କେମିତି ସାର୍ଥକ ହୋଇଯିବ? ମହାକବି ଶ୍ରୀ ଜୟଦେବଙ୍କ ମହାକାବ୍ୟର ଅଷ୍ଟମ ଶ୍ଲୋକରେ ବର୍ଣ୍ଣିତ ଅଛି ଯାହାକି, ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଗାନ କରାଯାଏ-
“ସ୍ମରଗରଳ ଖଣ୍ଡନମ୍‍
ମମଶିରସି ମଣ୍ଡନମ୍‍
ଦେହୀ ପଦ ପଲ୍ଲବ ମୁଦାରମ୍‍”
ଭଗବାନ ଶ୍ରୀକୃଷ୍ଣ ଶ୍ରୀରାଧାଙ୍କୁ କହିଛନ୍ତି ହେ ପ୍ରିୟେ! ତୁମର ସେହି ପାଦ ଦୁଇଟି କନ୍ଦର୍ପର କାମରୂପ ବିଷର ଖଣ୍ଡନକାରୀ। ସୁତରାଂ ମୋର ଶିରୋଭୂଷଣ ଅଟେ। ତେଣୁ ସେହି ପଦପଲ୍ଲବକୁ ମୋର ମସ୍ତକରେ ଶିରୋଭୂଷଣ କରି ବିନ୍ୟସ୍ତ କର ଯଦ୍ଦ୍ବାରା କନ୍ଦର୍ପର ଦାରୁଣ ବିଷଜ୍ୱାଳା ରୂପକ ତାପରୁ ମୁଁ ରକ୍ଷା ପାଇବି। ସବୁ କଲେଜ ପଢୁଆ ଛାତ୍ରଛାତ୍ରୀ ତଥା ପ୍ରାପ୍ତ ବୟସ୍କଙ୍କୁ ଅନୁରୋଧ ପ୍ରେମକୁ ପ୍ରେମରେ ରଙ୍ଗିନ କର, ପ୍ରତିହିଂସାରେ ନୁହେଁ। ହୃଦୟରେ ସ୍ଥାନ ଦିଅ, ଛୁରୀରେ ନୁହେଁ। ପ୍ରେମ ଜୀବନ ଜିଇବାର କଳା ହେଉ। ପ୍ରେମ ମୃତ୍ୟୁର ଫାଶ ନ ହେଉ। ପ୍ରେମ ସ୍ୱାର୍ଥ ବିରହିତ ଓ କପଟମୁକ୍ତ ହେଉ। ପ୍ରତାରଣାଠୁ ଅନେକ ଦୂରରେ ଥାଉ। ପ୍ରତିହିଂସାର ଛାୟା ସୁଦ୍ଧା ନ ପଡୁ। ହସିବ ଆମ ପରିବାର, ହସିବ ସମାଜ। ମଙ୍ଗଳ ହେବ ନିଜର ଓ ସମାଜର।
ଆବାହକ,
ଓଡ଼ିଶା ବାୟା ସୁରକ୍ଷା ଅଭିଯାନ
ନିଆଳି, କଟକ

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories