www.samajalive.in
Monday, December 8, 2025
27.1 C
Bhubaneswar

ଦେଶ ଓ ବିଶ୍ବ

ପ୍ରଥମ ବିଶ୍ବଯୁଦ୍ଧ ପରିସମାପ୍ତିର ଏକ ଶହବର୍ଷ ପୂର୍ତ୍ତି ଉତ୍ସବ ଫ୍ରାନ୍ସ ରାଜଧାନୀ ପ୍ୟାରିସ୍‌ରେ ରବିବାର ପାଳିତ ହୋଇଛି। ଏଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷିଆ ରାଷ୍ଟ୍ରପତି ଭ୍ଲାଡିମର ପୁଟିନଙ୍କ ସମେତ ବିଶ୍ବର ଆଗଧାଡ଼ିର ନେତାମାନେ ଉପସ୍ଥିତ ଥିଲେ। ପ୍ରଥମ ବିଶ୍ବଯୁଦ୍ଧ ଆନ୍ତର୍ଜାତିକ ସ୍ତରରେ ରାଷ୍ଟ୍ରସଂଘ ଭଳି ଏକ ବହୁପାକ୍ଷିକ ଅନୁଷ୍ଠାନର ମୂଳଦୁଆ ପକାଇଥିଲା। ଅତଏବ ବିଶ୍ବଯୁଦ୍ଧ ପରବର୍ତ୍ତୀ ପୃଥିବୀକୁ ଭବିଷ୍ୟତର ଯୁଦ୍ଧବିଗ୍ରହ, ଉତ୍ତେଜନା ଓ ପ୍ରମୁଖ ସମସ୍ୟାରୁ ସୁରକ୍ଷିତ ରଖିବାକୁ ଲିଗ୍‌ ଅଫ୍‌ ନେସନ ଗଠନ ଏକ ବହୁପାକ୍ଷିକ, ସହଯୋଗଭିତ୍ତିକ ପ୍ରୟାସ ଥିଲା। ଲିଗ୍ ଅଫ୍‌ ନେସନ୍‌ ଦ୍ବିତୀୟ ବିଶ୍ବଯୁଦ୍ଧକୁ ରୋକିବାରେ ସଫଳ ହୋଇନଥିଲା ଏବଂ ଏହାର ମୁଖ୍ୟ କାରଣ ଥିଲା ଏହାର ପ୍ରମୁଖ କାଣ୍ଡାରୀଗଣ ଆନ୍ତର୍ଜାତିକତା, ବହୁପାକ୍ଷିକତା ଓ ବିଶ୍ବପ୍ରେମକୁ ଜାତୀୟତାର ସ୍ବାର୍ଥରକ୍ଷା ଦ୍ବାହିରେ ପରିହାର କରିଥିଲେ। ତଥାପି ଦ୍ବିତୀୟ ବିଶ୍ବଯୁଦ୍ଧ ପର ଆନ୍ତର୍ଜାତିକ ପ୍ରତିଷ୍ଠାନ ମିଳିତ ଜାତିସଂଘ, ଲିଗ୍‌ ଅଫ୍‌ ନେସନର ଢାଞ୍ଚା ଉପରେ ଅଧିକ ଦୃଢ଼ ଓ ବ୍ୟବସ୍ଥିତ ଭାବେ ଗଠିତ ହୋଇ ଏଯାଏ କାର୍ଯ୍ୟ କରୁଛି। ହେଲେ ଆମେରିକା, ରୁଷିଆ ଓ ଚୀନ ଭଳି ଭିଟୋ ଶକ୍ତିଧାରୀ ରାଷ୍ଟ୍ରଙ୍କ ଧମକାଣ ଓ ମର୍ଜିରେ ଏହି ଅନୁଷ୍ଠାନ ତା’ର ମୌଳିକତା ହରାଇଛି।
ଏହି ସମାବେଶରେ ବିଶ୍ବର ପ୍ରମୁଖ ନେତାମାନଙ୍କର ଯେଉଁ ପ୍ରତୀକାତ୍ମକ ସମାବେଶ ହେଲା ସେଥିରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମ୍ୟାକ୍ରନ୍‌ କିନ୍ତୁ ମଞ୍ଜି କଥା କେଇପଦ କହିଛନ୍ତି ଯାହା ସାମ୍ରାଜ୍ୟବାଦୀ ଟ୍ରମ୍ପ ଓ ପୁଟିନଙ୍କ ଭଳି ନେତାଙ୍କୁ ଅବଶ୍ୟ ମର୍ମାହତ କରିଥିବ। ମ୍ୟାକ୍ରନ୍‌ ଯଥାର୍ଥରେ କହିଛନ୍ତି ଆନ୍ତର୍ଜାତିକବାଦ ପରିପ୍ରେକ୍ଷୀରେ ଉଗ୍ର ଜାତୀୟତାବାଦ ଦେଶପ୍ରେମର ବିରୋଧୀ ଓ ଏଥିପ୍ରତି ଏକ ବିଶ୍ବାସଘାତକତା। ‘ଆମ ସ୍ବାର୍ଥ ଆଗ ଓ ଅନ୍ୟକଥା କିଏ ପଚାରେ’ ଏକ ବିପଜ୍ଜନକ ବିଚାର। ଜାତୀୟତାବାଦୀମାନେ ବିଶ୍ବବାଦକୁ ଭୁଲିଯିବା ଅର୍ଥ ଏକ ବୃହତ୍ତର ବାସ୍ତବତା ପ୍ରତି ଆଖିବୁଜିଦେବା। ‘ଆମେରିକା ପ୍ରଥମ’ ନୀତିରେ ଟ୍ରମ୍ପ ବିଶ୍ବାସୀ। ଉଗ୍ର ଜାତୀୟତାବାଦୀ ଟ୍ରମ୍ପଙ୍କ ପ୍ରତି ମ୍ୟାକ୍ରନଙ୍କର ଏହା ଯେ ଏକ ସିଧା ଆକ୍ଷେପ, ଏକଥା ବୁଝିବାକୁ ବାକି ରହିଲା ନାହିଁ। ପୁଟିନଙ୍କ ଭଳି ଆଉ କିଛି ନେତା ମଧ୍ୟ ଏହାର ମର୍ମ ବୁଝିପାରିଥିବେ। କେବଳ ଯୁଦ୍ଧ ନୁହେଁ- ଜଳବାୟୁ ପରିବର୍ତ୍ତନ, ଦାରିଦ୍ର୍ୟ, କ୍ଷୁଧା, ନିରକ୍ଷରତା, ବ୍ୟାଧି, ଅଜ୍ଞତା ଓ ଅସମାନତା ଆଦି ବିରୋଧରେ ସମଗ୍ର ବିଶ୍ବ ମିଳିତଭାବେ ଲଢ଼ିବାର ଆବଶ୍ୟକତା ରହିଛି। କୌଣସି ସମର୍ଥ ଓ ଆଗୁଆ ରାଷ୍ଟ୍ର କେବଳ ଜାତୀୟ ସ୍ବାର୍ଥକୁ ସୁରକ୍ଷିତ ରଖି ବିଶ୍ବର ସାମୂହିକ ଦାୟିତ୍ବରୁ ଓହରିଯିବା ଅର୍ଥ ବିଶ୍ବବାଦ ଓ ମାନବବାଦ ପ୍ରତି ବିଶ୍ବାସଘାତ ଛଡ଼ା ଅନ୍ୟ କିଛି ନୁହେଁ। ଏହି ସମାବେଶ ପ୍ରମୁଖ ଅାନ୍ତର୍ଜାତିକ ପ୍ରସଙ୍ଗରେ ବିଶ୍ବ ନେତାମାନଙ୍କୁ ଏକମତ କରାଇବାରେ ସହାୟକ ହେବ କି?

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories