www.samajalive.in
Sunday, December 7, 2025
13.1 C
Bhubaneswar

ବେଦୁଇନ୍‌ ସର୍ଦାର

ସାଉଦୀଆରବର ରାଜକୁମାର ତଥା ବାସ୍ତବ ଶାସନକର୍ତ୍ତା ମହମ୍ମଦ ବିନ୍‌ ସଲମାନ ଗତବର୍ଷ କ୍ଷମତା ହାତକୁ ନେବାପରେ ତୈଳସମୃଦ୍ଧ ତଥା ଅତ୍ୟନ୍ତ ରକ୍ଷଣଶୀଳ ନିଜ ଦେଶର ଆର୍ଥିକ, ସାମାଜିକ ଓ ଧାର୍ମିକ ବ୍ୟବସ୍ଥାରେ ବଡ଼ଧରଣର ସଂସ୍କାର ଆଣିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିଲେ। ସେତେବେଳେ ତାଙ୍କର କାର୍ଯ୍ୟ ସମଗ୍ର ବିଶ୍ବର ଦୃଷ୍ଟି ଆକର୍ଷଣ କରିଥିଲା ଏବଂ ସେ ଅଜସ୍ର ପ୍ରଶଂସା ପାଇଥିଲେ। ମାତ୍ର ବର୍ଷକ ଭିତରେ ତାଙ୍କର କାର୍ଯ୍ୟ ଓ ଆଚରଣରେ ବ୍ୟତିକ୍ରମ ଦେଖାଦେବାସହ ସେ ଏବେ ସବୁଠୁ ବିବାଦୀୟ ହୋଇପଡ଼ିଛନ୍ତି। ଫଳରେ ନିଜଦେଶର ଦୃଢ଼ ସମର୍ଥକ ଓ ପରମମିତ୍ର ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରସମୂହ ସଲମାନଙ୍କ ଉପରେ କ୍ରୁଦ୍ଧ।
ତେତିଶ ବର୍ଷୀୟ ଯୁବରାଜ ସଲମାନ ସାଉଦୀ ଆରବକୁ ଏକ ଉଦାରବାଦୀ ଦେଶ କରିବାସହ ସେଠାରେ ବ୍ୟକ୍ତିଗତ ସ୍ବାଧୀନତା ଓ ଅଭିବ୍ୟକ୍ତିର ଅଧିକାର ଲୋକଙ୍କୁ ପ୍ରଦାନ କରିବାକୁ ଘୋଷଣା କରିଥିଲେ। ତାଙ୍କର ସେ ପ୍ରତିଶ୍ରୁତି କିନ୍ତୁ ଫଳବତୀ ହୋଇନାହିଁ। ସାଉଦୀ ଶାସନ ବ୍ୟବସ୍ଥାର ଜଣେ କଠୋର ସମାଲୋଚକ ତଥା ୱାଶିଂଟନ ପୋଷ୍ଟର ସାମ୍ବାଦିକ ଜମାଲ ଖାସୋଗିଙ୍କୁ ରାଷ୍ଟ୍ରପ୍ରାୟୋଜିତ ଷଡ଼ଯନ୍ତ୍ର ଜରିଆରେ ନିର୍ମମଭାବେ ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡରେ ସାଉଦୀ ଆରବର ଏକାଧିକ ଗୁଇନ୍ଦା ସଂସ୍ଥା ଜଡ଼ିତଥିବାରୁ ଏ ବିଷୟରେ ସଲମାନ ଯେ ଅବଗତ ନଥିଲେ, ତାହା ସେ କହିପାରିବେ ନାହିଁ।
ପ୍ରଥମେ ଏହି ହତ୍ୟାକାଣ୍ଡକୁ ଅସ୍ବୀକାର କରୁଥିବା ସାଉଦୀ ପ୍ରଶାସନ ଆମେରିକା ଚାପରେ ଏବେ ସ୍ବୀକାର କରୁଛି ଏବଂ ଥରକୁଥର ଏ ନେଇ ଭିନ୍ନଭିନ୍ନ କାହାଣୀ ଉପସ୍ଥାପିତ କରୁଛି। ଏହା କହିବା ପଛରେ ସାଉଦୀ କର୍ତ୍ତୃପକ୍ଷ ପ୍ରମାଣ କରିବାକୁ ଚାହୁଁଛନ୍ତି ଯେ ଏହି ହତ୍ୟାକାଣ୍ଡରେ ଶାସକ ବା ରାଜକୁମାରଙ୍କର କୌଣସି ହାତ ନାହିଁ। ଗୁଇନ୍ଦା ବାହିନୀର କେତେକ ମୁଖିଆଙ୍କୁ ଖାସୋଗୀ ହତ୍ୟାକାଣ୍ଡ ମାମଲାରେ ସଲମାନ୍‌ ବରଖାସ୍ତ କରି ବାହାର ଦୁନିଆକୁ ଏକ ଭିନ୍ନବାର୍ତ୍ତା ଦେବାକୁ ପ୍ରୟାସ କରୁଛନ୍ତି।
ଏତେ କମ୍‌ ସମୟରେ ସଲମାନ ଏପରି ବଦଳି ଯିବାର କାରଣ କ’ଣ? ବୋଧହୁଏ କ୍ଷମତା ଓ ପ୍ରତିପତ୍ତି ତାଙ୍କୁ ଅଧିକ ଆତ୍ମକୈନ୍ଦ୍ରିକ ଓ ଅନୁଦାର କରିଛି। ସେଥିପାଇଁ ସେ ନିଜର ସବୁ ପ୍ରତିଶ୍ରୁତି, ସଂସ୍କାର କାର୍ଯ୍ୟକ୍ରମ ଓ ଉଦାରତାକୁ ଭୁଲିଯାଇଛନ୍ତି। ଦେଶରେ ରାଜନୈତିକ ଭିନ୍ନମତକୁ ଚପାଇ ଦିଆଯାଇଛି। ମହିଳାଙ୍କୁ ପ୍ରତିଶ୍ରୁତି ମୁତାବକ ସ୍ବାଧୀନତା ଓ ଅଧିକାର ମିଳିନାହିଁ। ଧର୍ମ ଓ ରାଜପରିବାର ଏବେ ମଧ୍ୟ ସାମାଜିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଛି। ତୈଳ ପରବର୍ତ୍ତୀ ଯୁଗ ପାଇଁ ସାଉଦୀ ଆରବର ପ୍ରସ୍ତୁତିରେ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ସହ ଆର୍ଥିକ ସମ୍ପର୍କ ବୃଦ୍ଧି, ପେଟ୍ରୋଡଲାର ଆୟ ଓ ପୁଞ୍ଜିନିବେଶ ଆଦି କେବଳ ରାଜପରିବାର ଓ ପ୍ରଭାବଶାଳୀ ବର୍ଗ ମଧ୍ୟରେ ସୀମିତ ରହିଛି। ମାନବାଧିକାରର ଖୋଲାଖୋଲି ଉଲ୍ଲଙ୍ଘନ ଚାଲିଛି। ଗଣମାଧ୍ୟମ, ସାମ୍ବାଦିକ ଓ ସାମାଜିକ କର୍ମକର୍ତ୍ତାଙ୍କ ମୁହଁ ବନ୍ଦ କରାଯାଇଛି।
ଖାସୋଗୀଙ୍କୁ ହତ୍ୟା ପଛରେ ନିର୍ଦିଷ୍ଟ କାରଣ ହେଲା ସଲମାନଙ୍କ ସମ୍ପର୍କରେ ତାଙ୍କର ସ୍ପଷ୍ଟ ମତାମତ। ‘ନ୍ୟୁଜ୍‌ଉଇକ୍‌’ ପତ୍ରିକାକୁ ଖାସୋଗି ଦେଇଥିବା ଏକ ସାକ୍ଷାତ୍‌କାର ଯାହା ତାଙ୍କ ମୃତ୍ୟୁପରେ ପ୍ରକାଶ ପାଇଛି, ସେଥିରେ କୁହାଯାଇଛି- ‘‘ସଲମାନଙ୍କ ଭିତରେ ଜଣେ ପୁରୁଣାକାଳିଆ ବେଦୁଇନ ସର୍ଦାର ବଞ୍ଚିଛି ଯେ କି ତା’ର ଜେଜେବାପାଙ୍କ ଢ଼ଙ୍ଗରେ ସାଉଦୀ ଆରବକୁ ଶାସନ କରି ପ୍ରଥମ ବିଶ୍ବର ସମସ୍ତ ଆଧୁନିକତା ଓ ସୁଖସୁବିଧା ଉପଭୋଗ କରିବାକୁ ତତ୍ପର।’’ ଖାସୋଗିଙ୍କ ଏହି ଉକ୍ତି ସତ୍ୟର ଅପଳାପ ନୁହେଁ ବୋଲି ସାଂପ୍ରତିକ ଘଟଣାକ୍ରମ ଦେଖିବାପରେ ହୃଦ୍‌ବୋଧ ହେଉଛି। ଆମେରିକା ଓ ତାହାର ପାଶ୍ଚାତ୍ୟ ମିତ୍ର ରାଷ୍ଟ୍ର ଏହି ପ୍ରସଙ୍ଗରେ ରାଜକୁମାର ସଲମାନଙ୍କୁ ଉଚିତ ଶିକ୍ଷା ଦେଇପାରିବେ କି?

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories