www.samajalive.in
Monday, December 15, 2025
14.1 C
Bhubaneswar

ସଂଶୋଧିତ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଓ ଓଡ଼ିଶା

ନଟବର ଖୁଣ୍ଟିଆ

ଗୋଟିଏ ଦେଶ, ଗୋଟିଏ ବଜାର ସୃଷ୍ଟିକରି କୃଷକମାନଙ୍କର ଆୟ ବଢ଼ାଇବା ଉଦ୍ଦେଶ୍ୟରେ କୃଷିବଜାର ସମ୍ବନ୍ଧୀୟ ତିନୋଟି ଅଧ୍ୟାଦେଶ ଆଣିବା ପାଇଁ ଗତ ୩ ତାରିଖରେ କେନ୍ଦ୍ର କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆ ଯାଇଛି। ଏବେ ଆସନ୍ତୁ ଏହି ଅଧ୍ୟାଦେଶ ସମ୍ବନ୍ଧରେ ସମ୍ୟକ ଆଲୋଚନା କରିବା।

ସ୍ୱାଧୀନତା ପରେ ଆମ ଦେଶର ଖାଉଟିମାନଙ୍କୁ ବିଭିନ୍ନ ସାମଗ୍ରୀ ସଠିକ ମୂଲ୍ୟରେ ଯୋଗାଇଦେବା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ୧୯୫୫ ମସିହାରେ ପ୍ରଣୟନ ହେଲା। ଏହି ଆଇନ ବଳରେ କୃଷି ଉତ୍ପାଦନ, ଯୋଗାଣ, ବିତରଣକୁ ନିୟନ୍ତ୍ରଣ ମଧ୍ୟରେ ରଖି ଖାଉଟିମାନଙ୍କୁ ଉଚିତ ମୂଲ୍ୟରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାର ବ୍ୟବସ୍ଥା ହୋଇଥିଲା। ଏହି ଆଇନର ଅନ୍ତର୍ଭୁକ୍ତ ବିଭିନ୍ନ ସାମଗ୍ରୀରେ ଥିଲା ସାର, ଖାଦ୍ୟ ଶସ୍ୟ, ଡାଲି, ତୈଳବୀଜ, ଖାଇବା ତେଲ, ଆଳୁ ଓ ପିଆଜ। ସରକାର ଚାହିଁଲେ ଯେକୌଣସି ସାମଗ୍ରୀକୁ ଏହି ଆଇନର ପରିସରକୁ ଆଣି ପାରିବେ ଅବା ଆଇନ ପରିସରରୁ ବାହାର କରିଦେଇ ପାରିବେ। ବର୍ତ୍ତମାନର ନିଷ୍ପତ୍ତି ଅନୁଯାୟୀ ଖାଦ୍ୟଶସ୍ୟ, ତୈଳବୀଜ, ଖାଇବା ତେଲ, ଡାଲି, ଆଳୁ ଓ ପିଆଜକୁ ଆଇନ ପରିସର ବାହାରକୁ ଅଣା ଯାଇଛି।

- Advertisement -

ସରକାରଙ୍କ କହିବା କଥା, ଯେତେବେଳେ ବନ୍ୟା, ମରୁଡ଼ି ଆଦି ପ୍ରାକୃତିକ ବିପଦ ଦ୍ୱାରା କୃଷି ଉତ୍ପାଦନ କମ୍‌ ହେଉଥିବାବେଳେ ଆବଶ୍ୟକତାକୁ ଚାହିଁ ଯୋଗାଣ କମ୍‌ ହେଉଥିଲା। ଏହାର ସୁଯୋଗ ନେଇ ବ୍ୟବସାୟୀମାନେ ମୂଲ୍ୟବୃଦ୍ଧି କରିବା ସହିତ କଳାବଜାର ସୃଷ୍ଟି କରୁଥିଲେ। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଏହି ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ପ୍ରଣୟନ ହୋଇଥିଲା। ବର୍ତ୍ତମାନ ସ୍ଥିତି ବଦଳି ଯାଇଛି। ଏବେ ଯଥେଷ୍ଟ କୃଷିଜାତ ସାମଗ୍ରୀ ଅମଳ ହେଉଛି। ଆମର ଆବଶ୍ୟକତା ମେଣ୍ଟାଇବା ପରେ ବିଦେଶକୁ ରପ୍ତାନୀ କରିବାର ସାମର୍ଥ୍ୟ ସୃଷ୍ଟି ହୋଇଛି। ଚାଷୀ ଅଧିକ ଉତ୍ପାଦନ କରୁଥିବାରୁ ଏବଂ ଉତ୍ପାଦିତ ସ୍ଥାନରୁ ଆବଶ୍ୟକ ଥିବା ସ୍ଥାନକୁ ସହଜରେ ନେଇ ବିକ୍ରି କରିବାକୁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ବାଧକ ସାଜିବାରୁ ଚାଷୀ ତା’ର ଉତ୍ପାଦିତ ଦ୍ରବ୍ୟର ସଠିକ ମୂଲ୍ୟ ପାଉନାହିଁ ଏବଂ ଉତ୍ପାଦନ ହେଉ ନ ଥିବା ଅଞ୍ଚଳର ଖାଉଟି ଆବଶ୍ୟକ ସାମଗ୍ରୀ ପାଇ ପାରୁନାହିଁ। ଯାହା ବି ସୀମିତ ପରିମାଣରେ ପାଉଛି, ସେଥିପାଇଁ ଅଧିକ ମୂଲ୍ୟ ଦେବାକୁ ହେଉଛି। ଏହି ସମସ୍ୟାକୁ ଦୂର କରି ଚାଷୀ ଓ ଖାଉଟି ପ୍ରତି ନ୍ୟାୟ ଦେବା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନର ସଂଶୋଧନ କରାଯାଇଥିବା ସରକାର କହୁଛନ୍ତି।
ସଂଶୋଧିତ ଆଇନ ବଳରେ ଚାଷୀ ତା’ର ଉତ୍ପାଦିତ ଦ୍ରବ୍ୟକୁ ଦେଶର ଯେକୌଣସି ଅଞ୍ଚଳରେ ବିକ୍ରି କରିପାରିବ। ଯେଉଁ ବ୍ୟବସାୟୀମାନେ ଚାଷୀଠାରୁ ସାମଗ୍ରୀ କିଣିବେ ସେମାନେ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କଠାରୁ ଅନୁମତି ହାସଲ କରିବା ଦରକାର ନାହିଁ। କେବଳ ତାଙ୍କର ପ୍ୟାନକାର୍ଡ ଥିବା ଆବଶ୍ୟକ। ଏଥିପାଇଁ ଚାଷୀ କିମ୍ବା ବ୍ୟବସାୟୀଙ୍କୁ କିଣାବିକା ବାବଦରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ। ଏହାଦ୍ୱାରା ଚାଷୀ ତା’ର ଉତ୍ପାଦିତ ଦ୍ରବ୍ୟର ଲାଭଜନକ ମୂଲ୍ୟ ପାଇବ ଏବଂ ଯେଉଁ ବ୍ୟବସାୟୀ କିଣିବ ସେ ତା’ର ଆବଶ୍ୟକତା ଅନୁଯାୟୀ ଯେତେ ଇଚ୍ଛା ସେତେ ସାମଗ୍ରୀ କିଣି ରଖି ପାରିବ। ଏହି ସୁବିଧା ମିଳୁଥିବାରୁ ଏକାଧିକ ବ୍ୟବସାୟୀ ସେମାନଙ୍କର ପୂର୍ବର ବ୍ୟବସାୟିକୁ ଅନୁଭୂତିକୁ ବିଚାରକୁ ନେଇ ଅଧିକ ସାମଗ୍ରୀ କିଣି ବର୍ଷସାରା ବଜାରର ଚାହିଦା ମେଣ୍ଟାଇବାକୁ ଆଗ୍ରହୀ ହେବେ। ସେଥିପାଇଁ ଆବଶ୍ୟକ ଗୋଦାମ ଘର ଓ ଶୀତଳ ଭଣ୍ଡାର ନିର୍ମାଣ କରିବେ ଏବଂ କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣ କରି ମୂଲ୍ୟଯୁକ୍ତ କରିବା ପାଇଁ ଅଧିକ ଅର୍ଥ ବିନିଯୋଗ କରିବେ। ଅମଲାଙ୍କ ଦ୍ୱାରା ହଇରାଣ ହରକତର ଭୟ ନଥିବାରୁ ଅନେକ ଉଦ୍ୟୋଗୀ ଏ କ୍ଷେତ୍ରରେ ପ୍ରବେଶ କରିବାକୁ ଇଚ୍ଛାପ୍ରକାଶ କରିବେ, ଯାହାଫଳରେ ଚାଷୀ ତା’ର ଦ୍ରବ୍ୟର ଉଚିତ ମୂଲ୍ୟ ପାଇବା ପାଇଁ ସକ୍ଷମ ହେବ।
କେତେକ ଆଶଙ୍କା ପ୍ରକାଶ କରୁଛନ୍ତି ଯେ ଯେଉଁ ବର୍ଷ କୌଣସି କାରଣରୁ ଉତ୍ପାଦନ ଆବଶ୍ୟକତା ତୁଳନାରେ କମ୍ ହେବ, ସେହିବର୍ଷ ବଡ଼ବଡ଼ ବ୍ୟବସାୟୀମାନେ ପ୍ରଥମେ ସାମାନ୍ୟ ଅଧିକ ମୂଲ୍ୟରେ କିଣିନେଇ ମହଜୁଦ କରି ରଖି କଳାବଜାର ସୃଷ୍ଟି କରିବେ ଓ ଅଧିକ ମୂଲ୍ୟରେ ଖାଉଟିମାନଙ୍କୁ ବିକ୍ରିକରି ଲାଭବାନ ହେବେ। ଚାଷୀର କିଛି ଲାଭ ହେବ ନାହିଁ, କିନ୍ତୁ ସଂଶୋଧିତ ଆଇନର ବ୍ୟବସ୍ଥାରେ ଅଛି ଯେତେବେଳେ ଜାତୀୟ ବିପତ୍ତି ପଡ଼ିବ, ପ୍ରାକୃତିକ ଦୁର୍ବିପାକ ଦ୍ୱାରା ଫସଲ ନଷ୍ଟହେବ ଆଉ ତାହାର ସୁଯୋଗ ନେଇ ବ୍ୟବସାୟୀମାନେ ଅଧିକ ମୂଲ୍ୟରେ ସାମଗ୍ରୀ ବିକ୍ରିକରି ମୁଦ୍ରାସ୍ଫୀତି ବୃଦ୍ଧି କରିବେ ସେତେବେଳେ ସରକାର ପୁନଃ ସେହିସବୁ ସାମଗ୍ରୀକୁ ଆତ୍ୟାବଶ୍ୟକ ସାମଗ୍ରୀ ଆଇନ ପରିସରକୁ ଆଣି ଦରଦାମ ନିୟନ୍ତ୍ରଣରେ ରଖିବା ପାଇଁ ପଦକ୍ଷେପ ନେବେ।
ବଡ଼ବଡ଼ ବ୍ୟବସାୟୀ ଓ କୃଷିଜାତ ଦ୍ରବ୍ୟର ପ୍ରକ୍ରିୟାକରଣ କରୁଥିବା ଶିଳ୍ପସଂସ୍ଥା ସହିତ ଚାଷୀମାନେ ଚୁକ୍ତିଭିତ୍ତିକ ଚାଷ କରିପାରିବେ। ଚାଷୀକୁ ଆବଶ୍ୟକ ଜ୍ଞାନକୌଶଳ, ବିହନ, ସାର ଆଦି ସେମାନେ ଯୋଗାଇଦେବେ ଏବଂ କିଛି ଅଗ୍ରିମ ଦେବେ। ଚାଷୀ ସେମାନଙ୍କ ବରାଦ ଅନୁସାରେ ଉତ୍ପାଦନ କରି ସେମାନଙ୍କୁ ଯୋଗାଇଦେବ ଏବଂ ଚୁକ୍ତି ସମୟରେ ଯେଉଁ ମୂଲ୍ୟ ଧାର୍ଯ୍ୟ ହୋଇଥିବ ସେହି ମୂଲ୍ୟ ଦେବ। ଏହାଦ୍ୱାରା ଚାଷୀ ଚାଷ କରିବା ପୂର୍ବରୁ ଜାଣି ପାରିବ ଯେ, ସେ କେତେ ମୂଲ୍ୟ ପାଇବ, ତେଣୁ ଚାଷ କରି ଭବିଷ୍ୟତରେ ବିକ୍ରି ପାଇଁ ଅନିଶ୍ଚିତତା ମଧ୍ୟରେ ରହିବ ନାହିଁ। ଫସଲ ନଷ୍ଟ ହେଲେ ଅବା ଚାଷୀ ଉତ୍ପାଦନ କରି ଚୁକ୍ତି କରିଥିବା ବ୍ୟବସାୟୀଙ୍କୁ ନ ବିକିଲେ କ’ଣ ହେବ ତାହା ବିଶଦ୍‌ଭାବରେ ଚୁକ୍ତିରେ ରହିବ। ଏ ସମ୍ବନ୍ଧରେ ବିବାଦ ହେଲେ ସ୍ଥାନୀୟ ଏସଡିଓଙ୍କ ନିକଟରେ ଚାଷୀ ଅଭିଯୋଗ କରିପାରି​‌େ​‌ବ। ଏସଡିଓଙ୍କ ନିଷ୍ପତ୍ତିରେ ସନ୍ତୁଷ୍ଟ ନହେଲେ ଜିଲାପାଳଙ୍କ ନିକଟରେ ଅଭିଯୋଗ ଅଣାଯାଇ ପାରିବ। ଅଧ୍ୟାଦେଶରେ ଅଛି କୌଣସି ବିବାଦ ଜନ୍ମିଲେ କସ୍ମିନକାଳେ ଚାଷୀର ଜମି ଉପରେ କୌଣସି ଆଞ୍ଚ ଆସିବ ନାହିଁ। ଚାଷୀର ଜମି ବନ୍ଧକ ହୋଇପାରିବ ନାହିଁ। ଏସବୁ ବିଷୟରେ ବିସ୍ତୃତ ଭାବରେ ନିୟମ କାନୁନ ପ୍ରସ୍ତୁତ ହେବ।
ଏହି ଯେଉଁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନର ସଂଶୋଧନ ହେଲା ଏଥିରୁ ଓଡ଼ିଶା ଚାଷୀ କିପରି ଉପକୃତ ହେବ? ଓଡ଼ିଶାରେ ଆମ ଚାଷୀ ଅଧିକ ପରିମାଣରେ ଆଳୁ, ପିଆଜ, ତୈଳବୀଜ, ଡାଲି ଉତ୍ପାଦନ କରୁନାହିଁ ଯେ ତା’ର ଉତ୍ପାଦନକୁ ରାଜ୍ୟ ମଧ୍ୟରେ ନବିକି ଅଧିକ ଲାଭ ପାଇଁ ଦେଶର ଯେକୌଣସି ଅଞ୍ଚଳରେ ବିକି ପାରିବ। ବରଂ ଅନ୍ୟ ରାଜ୍ୟର ଚାଷୀମାନେ ଆମ ରାଜ୍ୟରେ ସେସବୁ ଜିନିଷ ଆଣି ବିକିବେ- ଆମ ରାଜ୍ୟର ଖାଉଟି ଉପକୃତ ହେବେ ସିନା, ଚାଷୀ କିଛି ଉପକୃତ ହେବନାହିଁ, କିନ୍ତୁ ଯଦି ଚୁକ୍ତିଭିତ୍ତିକ ଚାଷ ପାଇଁ ଆମ ଚାଷୀ ସରକାରଙ୍କ ସହଯୋଗରେ ଉଦ୍ୟମ କରିବେ ତେବେ ବଡ଼ବଡ଼ ବ୍ୟବସାୟୀ, କୃଷିଜାତ ଦ୍ରବ୍ୟ ପ୍ରକ୍ରିୟାକରଣ କରୁଥିବା ଶିଳ୍ପପତିମାନେ ଓଡ଼ିଶା ଆସିବେ। ସେମାନେ ଆଳୁ, ପିଆଜ, ଡାଲି ଆଦି ଫସଲ ଉତ୍ପାଦନ ପାଇଁ ଚୁକ୍ତି କରି ଚାଷୀଙ୍କଠାରୁ କିଣିବେ। ଉପଯୁକ୍ତ ମୂଲ୍ୟଦେଇ କିଣିବା ବ୍ୟବସାୟୀ ଅବା ଶିଳ୍ପସଂସ୍ଥାର ଆଇନସମ୍ମତ କର୍ତ୍ତବ୍ୟ ହେବ। ଏଥିପାଇଁ ସରକାରଙ୍କ ସଂପୃକ୍ତ ବିଭାଗ ଚାଷୀ ଓ ଚୁକ୍ତିକର୍ତ୍ତାଙ୍କ ସହ ଯୋଗାଯୋଗ କରି ଉତ୍ପାଦନ ବୃଦ୍ଧି ପାଇଁ କାମ କରିବା ଉଚିତ।
ଆମ ରାଜ୍ୟରେ ବଡ଼ ସମସ୍ୟା ହେଲା ଧାନ ବିକ୍ରି ହୁଏ ଅନ୍ୟୂନ ସହାୟକ ମୂଲ୍ୟରେ। ଯଦିଓ ଚାଷୀ ଏବେ ବ୍ୟବସାୟୀମାନଙ୍କୁ ଯେତେ ଇଚ୍ଛା ସେତେ ଧାନ ବିକ୍ରି କରିପାରିବେ, କିନ୍ତୁ ହଠାତ ବ୍ୟବସାୟୀମାନେ ସରକାର ନିର୍ଦ୍ଧାରଣ କରିଥିବା ଅନ୍ୟୂନ ସହାୟକ ମୂଲ୍ୟ ଅପେକ୍ଷା ଅଧିକ ଦାମ ଦେଇ କିଣିବା ଆଶା କମ୍‌। କାରଣ ଆମ ଚାଷୀ ଚାଲୁଧାନ ଚାଷ କରୁଛି ଯାହାର ଅନ୍ତର୍ଜାତୀୟ ବଜାରରେ ଚାହିଦା ନାହିଁ। ଯେଉଁ ଚାଉଳର ଚାହିଦା ଅନ୍ତର୍ଜାତୀୟ ବଜାରରେ ଅଛି ସେହିପରି ଧାନ ଆମ ଚାଷୀମାନେ କିପରି ଚାଷ କରିବେ ସେଥିପାଇଁ ରାଜ୍ୟ ସରକାର ଉଦ୍ୟମ କଲେ ଆମ ଧାନଚାଷୀ ଅଧିକ ଦାମରେ ଧାନବିକି ଲାଭବାନ ହୁଅନ୍ତା। ଉଦାହରଣ ସ୍ୱରୂପ ଆମ ରାଜ୍ୟର ବିଭିନ୍ନ ପ୍ରକାର ବାତ୍ସ୍ନା ଧାନ ଚାଷହୁଏ। ଏହିସବୁ ଧାନରୁ ବାହାରୁଥିବା ଚାଉଳର ଚାହିଦା ଦେଶ-ବିଦେଶରେ ମଧ୍ୟ ଅଛି। ଚାଉଳ ରପ୍ତାନି କରୁଥିବା ସଂସ୍ଥାମାନଙ୍କ ସହ ଚୁକ୍ତି କରି ସେହି ଅନୁସାରେ ରପ୍ତାନିଯୋଗ୍ୟ ଧାନଚାଷ କରି ପାରିଲେ ଧାନଚାଷୀ ଉପକୃତ ହେବେ। ସାଧାରଣ ଧାନ ଚାଷ କରୁଥିବା ଚାଷୀ ମଣ୍ଡିରେ ବିକ୍ରି କରି ନପାରିଲେ ମଣ୍ଡି ମୂଲ୍ୟଠାରୁ କ୍ୱିଣ୍ଟାଲ ପିଛା ୪୦୦ରୁ ୫୦୦ଟଙ୍କା କମ୍‌ ମୂଲ୍ୟରେ ବିକ୍ରି କରିବାକୁ ପଡ଼ୁଥିଲା। ଆଇନ ସଂଶୋଧନ ପରେ ଅନ୍ୟ ରାଜ୍ୟର ଚାଉଳ ବ୍ୟବସାୟୀମାନେ ଆଉ ଟିକେ ଅଧିକ ମୂଲ୍ୟଦେଇ କିଣିବେ ବୋଲି ଆଶା କରାଯାଉଛି।
ଏହି ଆଇନର ସଂଶୋଧନ ଅନେକ ଆଶା ଓ ଆଶଙ୍କା ସୃଷ୍ଟି କରିଛି। ପ୍ରଥମରୁ ଆମେ ନକାରାତ୍ମକ ଚିନ୍ତା ନକରି ଆସନ୍ତୁ ଦେଖିବା ଏହା ପ୍ରକୃତ ପକ୍ଷେ କେତେଦୂର ଉଭୟ ଚାଷୀ ଓ ଖାଉଟିଙ୍କୁ ସୁରକ୍ଷା ଦେଉଛି। ଯଦି ଉଭୟେ ଉପକୃତ ହେବେନାହିଁ- ତେବେ ଚାଷୀ ଓ ଖାଉଟିମାନେ ବିମୁଖ ହେଲେ ଆନ୍ଦୋଳନ ଆଡ଼କୁ ମୁହାଁଇବେ। ସରକାର ବାଧ୍ୟ ହେବେ ପୁନଶ୍ଚ ଏସବୁ କୃଷି ସାମଗ୍ରୀକୁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନର ପରିସରଭୁକ୍ତ କରିବା ପାଇଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories