କାଠମାଣ୍ଡୁ: ଉତ୍ତର-ପୂର୍ବ ଭାରତର ଅରୁଣାଚଳ ପ୍ରଦେଶ, ଉତ୍ତର ପ୍ରଦେଶ ସମେତ ନେପାଳରେ ଭୂକମ୍ପ ଅନୁଭୂତ ହୋଇଛି। ଅରୁଣାଚଳ ପ୍ରଦେଶରେ ମଙ୍ଗଳବାର ରାତି ପ୍ରାୟ ୧ଟା ୪୫ରେ ଭୂକମ୍ପ ଅନୁଭୂତ ହୋଇଥିଲା। ଉତ୍ତର ପ୍ରଦେଶର କିଛି ଅଂଶରେ ଏହାର ଝଟ୍କା ଲାଗିଥିଲା। ପରେ ବୁଧବାର ସକାଳ ୬ଟାରେ ନେପାଳରେ ୨ ଥର ଭୂକମ୍ପ ସୃଷ୍ଟି ହୋଇଥିଲା। ଚୀନର କିଛି ଅଂଶକୁ ମଧ୍ୟ ଏହାର ଝଟକା ଲାଗିଥିବା ବେଜିଂ ପକ୍ଷରୁ କୁହାଯାଇଛି।
ଅରୁଣାଚଳ ପ୍ରଦେଶରେ ଅନୂଭୂତ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ରହିଥିବାବେଳେ ନେପାଳରେ ସୃଷ୍ଟ ଭୂକମ୍ପର ତୀବ୍ରତା ଯଥାକ୍ରମେ ୫.୨ ଏବଂ ୪.୩ ରହିଛି। ତେବେ ଏଥିରେ କୌଣସି ମୃତାହତ କିମ୍ବା କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଭୂକମ୍ପ ସମ୍ପର୍କରେ ଜଣାପଡ଼ିବା ପରେ ନେପାଳ ସରକାର ଜରୁରିକାଳୀନ ସେବାଗୁଡ଼ିକୁ ହାଇ ଆଲର୍ଟରେ ରଖିଛନ୍ତି।
ନେପାଳର ଜାତୀୟ ଜରୁରିକାଳୀନ ଅପରେଶନ ସେଣ୍ଟର ସୂଚନା ମୁତାବକ, ବୁଧବାର ସକାଳ ୬ଟା ୨୯ରେ ଏବଂ ୬ଟା ୪୦ରେ ଘାଦିଙ୍ଗ ଜିଲାରେ ଦୁଇଥର ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା।



