www.samajalive.in
Saturday, December 13, 2025
26.1 C
Bhubaneswar

ଦୀର୍ଘ ୧୫ବର୍ଷ ଧରି ପାନୀୟଜଳ ଲାଗି କଲବଲ ବଡ଼ମ୍ବାବାସୀ

ବଡ଼ମ୍ବା :  ବର୍ଷେ ନୁହେଁ କି ଦୁଇବର୍ଷ ନୁହେଁ; ଦୀର୍ଘ ପ୍ରାୟ ୧୫ବର୍ଷ ଧରି ପାନୀୟଜଳ ଟୋପାଏ ଲାଗି ଗ୍ରୀଷ୍ମ ଋତୁରେ କଲବଲ ହେଉଛନ୍ତି ବଡ଼ମ୍ବା ସହରବାସୀ। ଆଧୁନିକ ଚାକଚକ୍ୟ ଚଳଣୀରେ ରହୁଥିବା ଧନୀ ହୁଅନ୍ତୁ ଅବା ଚାଳିଆରେ ମୁଣ୍ଡଗୁଞ୍ଜି ରହୁଥିବା ଗରିବ ସମସ୍ତେ ଏହି ସମସ୍ୟାରେ ରାତିପାହିଲେ ଜୁଝି ହେଉଥିବା ବିଡ଼ମ୍ବନା ମନେକରାଯାଉଛି । କିଏ ସାଇକେଲ ଧରି ଘର ଲୋକଙ୍କ ଶୋଷ ମେଣ୍ଟାଇବାକୁ ମାଇଲମାଇଲ ଦୂରତାରୁ ବୋତଲ ଅବା ଜାରକିନରେ ପାଣି ସଂଗ୍ରହ କରୁଛି ତ ଆଉ କିଏ ପ୍ରଶାସନ ତରଫରୁ ଯୋଗାଯାଉଥିବା ପାଣି ଟ୍ୟାଙ୍କରକୁ ଚାତକପରି ଅନାଇ ବସୁଛି । ବିଶ୍ୱାସ ନହେଲେ ମଧ୍ୟ ସହରବାସୀଙ୍କ ଏହି ଦୁଃଖ କହିଲେ ନସରେ। ଇତିମଧ୍ୟରେ ତିନିଜଣ ବ୍ଲକ ଅଧ୍ୟକ୍ଷଙ୍କ କାର୍ଯ୍ୟକାଳ ସରିଗଲାଣି ଏବଂ ୧୫ବର୍ଷ ଭିତରେ ଅନେକଥର ବଡ଼ମ୍ବାବାସୀଙ୍କ ଏହି ସମସ୍ୟାକୁ ନେଇ ପଞ୍ଚାୟତସମିତି ତରଫରୁ ଜରୁରୀ ବୈଠକ କରାଯାଇଛି । ହେଲେ ଆଶ୍ଚର୍ଯ୍ୟର ବିଷୟ ଏହାର ସ୍ଥାୟୀ ସମାଧାନ ନେଇ କୌଣସି ପଦକ୍ଷେପ ନିଆଯାଇନାହିଁ।

୧୭ଟି ୱାର୍ଡ଼ ବିଶିଷ୍ଟ ଏହି ନିଜିଗଡ଼ ପଞ୍ଚାୟତର ପ୍ରାୟ ୧୦ରୁ ଅଧିକ ୱାର୍ଡ଼ବାସୀ ଖରାଦିନ ଆସିଲେ ଏହି ଉତ୍କଟ ସମସ୍ୟାକୁ ସାମନା କରନ୍ତି । ଜନସଂଖ୍ୟା ବୃଦ୍ଧି ସହିତ ଘରସଂଖ୍ୟା ବି ବଢିଛି, ହେଲେ ସେହି ଅନୁଯାୟୀ ପାଇପ ଯୋଗେ ଯୋଗାଯାଉଥିବା ଜଳ ଯଥେଷ୍ଟ ହେଉନଥିବା ଏହି ସମସ୍ୟାର ମୂଳକାରଣ ଜଣାଯାଇଛି। ଯେଉଁ ଗୋଟିଏ ଉତ୍ସରୁ ଭୂତଳ ଜଳଆସି ଓଭରହେଡ ଟାଙ୍କି ଜରିଆରେ ପାଇପ ପାଣି ସହରବାସୀଙ୍କୁ ବିତରଣ କରାଯାଉଛି, ସେ ଉତ୍ସର ଭୂତଳଜଳ ମଧ୍ୟ ଖରାଦିନେ ଆବଶ୍ୟକତାକୁ ମେଣ୍ଟାଇପାରୁନଥିବା ଏହି ସମସ୍ୟାର ଅନ୍ୟତମ କାରଣ। ସମସ୍ୟା ଯାହା ବି ଥାଉ ନା କାହିଁକି ନୂତନ ଜଳଉତ୍ସ ଖୋଯାନଯିବା ଏବଂ ବିକଳ୍ପ ବ୍ୟବସ୍ଥା ବର୍ଷବର୍ଷ ଧରି କାହିଁକି କରାଯାଉନି ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ମହାନଦୀରୁ ମେଗା ପାନୀୟଜଳ ପ୍ରକଳ୍ପ ଯୋଗେ ସମସ୍ତଙ୍କୁ ପାଣି ମିଳିବ ଏହି ପ୍ରତିଶ୍ରୁତିରେ କ’ଣ ଲୋକେ ସମୟ ଅତିବାହିତ କରୁଥିବେ ଏବଂ ଗ୍ରୀଷ୍ମକାଳରେ କଲବଲ ହେଉଥିବେ ଏହା କଣ ବିକାଶର ପରିଭାଷା ବୋଲି ଏବେ ସାଧାରଣରେ ଆଲୋଚନା ହେଉଛି। ମହାନଦୀର ମେଗା ପାନୀୟଜଳ ପ୍ରକଳ୍ପ ନିକଟ ଭବିଷ୍ୟତରେ ଲୋକାର୍ପଣ ହୋଇପାରେ ସତ, ହେଲେ ନଦୀର ଜଳଧାର ଦିନକୁଦିନ ଯେଭଳି ଶୁଖୁଛି ସେନେଇ ମଧ୍ୟ ପ୍ରକଳ୍ପର ସଫଳତାକୁ ନେଇ ଆଶଂକା ପ୍ରକାଶ ପାଇଛି । ସୁତରାଂ ବଡ଼ମ୍ବାବାସୀଙ୍କ ଜଳକଷ୍ଟ ଦୂର ହେବା ଏବଂ ବିକଳ୍ପ ଜଳଉତ୍ସର ସନ୍ଧାନ କରାଯାଇ ପାଇପ ଯୋଗେ ପାନୀୟଜଳ ଯୋଗାଯିବା ଦିଗରେ ସରକାର ତଥା ପ୍ରଶାସନ ଗୁରୁତ୍ୱ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ଅନ୍ୟଥା ଏହି ସମସ୍ୟାକୁ ନେଇ ଦିନେ ଯେ ଗଣଆନ୍ଦୋଳନ ମୁଣ୍ଡ ନଟେକିବ ସେକଥାକୁ ଏଡ଼ାଇ ଦିଆଯାଇନପାରେ ବୋଲି ସାଧାରଣରେ ଆଲୋଚନା ହେଉଛି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories