ଆରଡି: ଆସନ୍ତା ୪ରେ ପବିତ୍ର ଦୀପାବଳି ଉତ୍ସବ। ଏହି ଅବସରରେ ପ୍ରସିଦ୍ଧ ଶୈବପୀଠ ଆରଡି ଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାକୁ ଉଠିଥାଏ ମହାଦୀପ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ଉଭୟ ସେବାୟତ ଓ ମନ୍ଦିର ପ୍ରଶାସନ ପକ୍ଷରୁ ଜଣାଯାଇଛି। କୋଭିଡ କଟକଣା ଅନୁଯାୟୀ ଆସନ୍ତା ବୁଧବାର ପବିତ୍ର ଦୀପାବଳି ଦିନ ଭୋର ମନ୍ଦିରର ଦ୍ବାରଫିଟା ଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି, ମହାସ୍ନାନ ସରିବା ପରେ ନୂତନବସ୍ତ୍ର, ଚନ୍ଦନ, ବେଲପତ୍ର ଲାଗି କରାଯାଇ ଦିଗମ୍ବରବେଶରେ ସଜ୍ଜିତ କରାଯିବ ମଣିବାବାଙ୍କୁ। ପରେ ପହଡଖିଆ ଅନ୍ନନୀତି, ଯୋଗୀବେଶ, ବଡ ଅନ୍ନନୀତି ଭୋଗ ଲାଗି ହେବା ପରେ ୧ଘଣ୍ଟା ଅବକାଶ(ଶୟନ) ନୀତି କରାଯିବ। ପରେ ଦୀପାବଳି ନୀତି ନିମନ୍ତେ ମନ୍ଦିର ଗର୍ଭଗୃହକୁ ସଫେଇ କରାଯାଇ ଅପରାହ୍ଣ ୪ଟାରେ ମଣିବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯିବ। ସଂଧ୍ୟାରେ ଦୀପଦାନ ଓ ଷୋଡଶ ଉପଚାରପୂଜା, ବଡ ଆଳତୀ ନୀତି ସରିବା ପରେ ରାତ୍ର ୮ଟାରେ ମହାଦୀପ ପ୍ରସ୍ତୁତ କରାଯାଇ ଗୁପ୍ତଷୋଡଶ ଉପଚାର ପୂଜାରେ ମହାଦୀପ ମାର୍ଜନା ଓ ଅଗ୍ନି ସଂଯୋଗ କରାଯାଇ ରାତ୍ର ୯ଟାରେ ମହାଦୀପ ମନ୍ଦିର ଚୂଡାକୁ ଉଠିବ ବୋଲି ନୀତି ନିର୍ଦ୍ଧାରଣ କରାଯାଇଛି।
Popular Categories



