କଟକ : ଢେଙ୍କାନାଳ ବେଲଟିକିରି ସେଲଟର ହୋମ (ଆଶ୍ରୟ ଗୃହ) ଘଟଣାର ମୁଖ୍ୟ ଅଭିଯୁକ୍ତ ଫୟାଜ ରହେମାନ ଓ ସହ ନିର୍ଦେଶକ ଓ ଉଦିତ କୁମାର ଲିମାଙ୍କ ନିୟମିତ ଜାମିନ ଅାବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଏସ.କେ ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ପ୍ରକାଶ କରି ଅାବେଦନକୁ ଖାରଜ କରିଛନ୍ତି। ସରକାରଙ୍କ ପକ୍ଷରୁ
ଏଏସସି ପ୍ରିୟବ୍ରତ ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ ଗୁଡ ନିଉଜ ଅଫ ଇଣ୍ଡିଆ ସଂସ୍ଥା ଦ୍ୱାରା ପରିଚାଳିତ ଏହି ସେଲଟର ହୋମରେ ଧର୍ମାନ୍ତରୀକରଣ ଓ ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା, ଅସଦାଚାରଣ କରାଯାଉଥିବା ନେଇ ଜିଲା ଶିଶୁ କଲ୍ୟାଣ କମିଟି ଠାରେ ଅଭିଯୋଗ ହୋଇଥିଲା। ଢେଙ୍କାନାଳ ସିଡବ୍ଲ୍ୟସି ଅଧ୍ୟକ୍ଷ ପ୍ରତାପ କୁମାର ଅାଚାର୍ଯ୍ୟ ସଦର ଥାନାରେ ଏତଲା ହେବା ପରେ ପୁଲିସ ଅାଇପିସି ୩୫୪(ଏ), ୩୪୧, ୩୨୩, ୨୯୪, ୫୦୬, ୩୪ ଧାରା ଓ ପୋକସୋ ଅାକ୍ଟରେ ଉକ୍ତ ଅନୁଷ୍ଠାନର ଅଧ୍ୟକ୍ଷ ଫୟାଜ ଓ ସହ ନିର୍ଦେଶକ ଲିମାକୁ ପୁଲିସ ୨୦୧୮, ଡିସେମ୍ବର ୧ତାରିଖରେ ଗିରଫ କରିଥିଲା। ଏହାପରେ ପୁଲିସ ଅଭିଯୁକ୍ତକୁ ୨୦୧୮, ଡିସେମ୍ବର ୪ତାରିଖ ଠାରୁ ୪ଦିନ ଜିମାରେ ନେଇ ଜେରା କରିବା ଗତ ୭ତାରିଖରେ ଜେଲ ପଠାଇଦେଇଥିଲା। ତେବେ ଏହି ମାମଲାରେ ପୁଲିସ ପକ୍ଷରୁ ଅାଇପିସି ୩୫୪(ଏ) ଓ ୧୨ ପୋକସୋ ଅାକ୍ଟରେ ଚାର୍ଜସିଟ ଦାଖଲ କରାଯାଇଥିଲା। ତେବେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଉଭୟଙ୍କ ଜାମିନ ଆବେଦନ ଖାରଜ କରିବା ପରେ ସେମାନେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। ସୂଚନାଯୋଗ୍ୟ ଏହି ସଂସ୍ଥାର ପରିଚାଳକ ସୀମାଞ୍ଚଳ ନାଏକଙ୍କ ଜାମିନ ଅାବେଦନ ଉପରେ ହାଇକୋର୍ଟ ଶୁଣାଣି କରି ଖାରଜ କରିଥିଲେ।
ଢେଙ୍କାନାଳ ଆଶ୍ରୟ ଗୃହ କେଳେଙ୍କରୀ ; ଫୟାଜଙ୍କ ସହ ୨ଜଣଙ୍କ ଜାମିନ ଖାରଜ
Popular Categories


