www.samajalive.in
Monday, December 15, 2025
27.1 C
Bhubaneswar

‘ଏଗ୍ରି ବିକାଶ-୨୦୧୮’ ଉଦ୍‌ଘାଟିତ

ଭୁବନେଶ୍ୱର : ଓଡିଶାର କୃଷିଜାତ ଦ୍ରବ୍ୟକୁ ଅନ୍ୟ ରାଜ୍ୟ ତଥା ବିଦେଶୀ ବଜାର ସହ ସଠିକ ଭାବେ ସଂଯୋଗ କରିପାରିଲେ କୃଷକଙ୍କର ନୁହେଁ ଓଡିଶାର ଅର୍ଥନୀତିରେ ପରିବର୍ତ୍ତନ ଆସିପାରିବ। ଦେଶରେ ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ରେ ବୃଦ୍ଧି ଘଟାଇବା ପାଇଁ ସରକାର ଆସନ୍ତା କିମ୍ବା ପରବର୍ତ୍ତୀ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତିି ନେବେ। ଦେଶରେ କୃଷକଙ୍କ ଆୟ ୨ଗୁଣ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରଖିଥିବା ସ୍ୱପ୍ନ ସାକାର କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ। ‘ଏଗ୍ରି ବିକାଶ–୨୦୧୮’ ଏ ଦିଗରେ ସହାୟକ ହେବ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଶୁକ୍ରବାର ସୋଆ ବିଶ୍ୱବିଦ୍ୟାଳୟରେ ଏଗ୍ରି ବିକାଶ–୨୦୧୮’ର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ,ସ୍ୱାଧୀନତା ପରେ ଓଡିଶାରେ ବିଭିନ୍ନ କୃଷିଜାତ ଦ୍ରବ୍ୟର ଉତ୍ପାଦନରେ ବୃଦ୍ଧି ଘଟିଥିବାବେଳେ ଏବେ ବି ଆଳୁ, ମାଛ ଓ ଅଣ୍ଡା ଭଳି ଅନେକ ଦ୍ରବ୍ୟ ପାଇଁ ବାହାର ରାଜ୍ୟ ଉପରେ ନିର୍ଭରଶୀଳ ହେବାକୁ ପଡୁଛି। ଓଡିଶାରେ ଉତ୍ପାଦିତ ବଳକା କୃଷିଜାତ ଦ୍ରବ୍ୟର ବଜାର ସଂଯୋଗୀକରଣ ଏକ ବଡ ଆହ୍ୱାନ ଭାବେ ମୁଣ୍ଡ ଟେକିଛି। କନ୍ଧମାଳ ହଳଦୀ ପାଇଁ ପ୍ରସିଦ୍ଧ। ଆମେରିକାରେ ଜୈବିକ ଉପାୟରେ ଏହି ହଳଦୀରୁ କାଲକୁମିନ ବାହାର କରାଯାଇ କ୍ୟାନସର ପାଇଁ ଔଷଧ ପ୍ରସ୍ତୁତ କରାଯାଉଛି। ବିଶ୍ୱ ବଜାରରେ ଓଡିଶାର କୃଷିଜାତ ଦ୍ରବ୍ୟ ପାଇଁ ସୃଷ୍ଟି ହୋଇଥିବା ସୁଯୋଗ ବୁଝି ଏହାର ସଦୁପଯୋଗ କରାଯାଇପାରିଲେ ଓଡିଶା ଲାଭବାନ ହୋଇପାରିବ। କୁଚିଣ୍ଡା ଲଙ୍କା, କୋରାପୁଟ ଅଦା, ମୟୂରଭଞ୍ଜ ପଶୁସମ୍ପଦ ଓ ଉପକୂଳ ଓଡ଼ିଶାର ମତ୍ସ୍ୟ ସମ୍ପଦର ଉପଯୁକ୍ତ ମୂଲ୍ୟ ସଂଯୋଗୀକରଣର ଆବଶ୍ୟକତା ରହିଥିବା ସେ କହିଛନ୍ତି। କାର୍ୟ୍ୟକ୍ରମରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବେ କେହି ଜଣେ ହେଲେ ଯୋଗଦେଇ ନ ଥିବା ନେଇ ପ୍ରଶ୍ନର ଉତ୍ତରରେ ଧର୍ମେନ୍ଦ୍ର କହିଲେ,ଆମେ ନିମନ୍ତ୍ରଣ କରିଥିଲୁ। ଆଶା କରୁଛି ଦ୍ୱିତୀୟ ଦିବସରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଯୋଗଦେବେ।
କାର୍ୟ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଗିରିରାଜ ସିଂହ କହିଲେ, ଓଡ଼ିଶାରେ ଯୁବପିଢିଙ୍କୁ ମୋଟ ଘରୋଇ ଉତ୍ପାଦ (ଜିଡିପି) ନୁହେଁ ରୋଜଗାର ଦରକାର। ଏଠି ଓଡ଼ିଶା ସରକାର ୟୁରୋପୀୟ ମଡେଲକୁ ସମର୍ଥନ କରୁଛନ୍ତି। ହେଲେ ଏଠି ୟୁରୋପୀୟ ନୁହେଁ ମହାତ୍ମା ଗାନ୍ଧି, ଲୋହିଆ ଏବଂ ଦୀନ୍‌ଦୟାଲ ଉପାଧ୍ୟାୟଙ୍କ ମଡେଲ ଆବଶ୍ୟକ। ଗଞ୍ଜାମ ଜିଲାରେ କିଆଫୁଲ ଚାଷ କ୍ଷେତ୍ରରେ ସମ୍ଭାବନା ରହିଛି। ଏ ନେଇ ତାଙ୍କ ମନ୍ତ୍ରାଳୟ ନୂତନ ମଡେଲ ପ୍ରସ୍ତୁତି ଯୋଜନା କରୁଛି। ଦେଶରେ ୫ କୋଟି ମହିଳାଙ୍କୁ ସୌରଚାଳିତ ଚରଖା ଯୋଗାଇ ଦିଆଯିବ ଓ ଏହା ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବ। ଗବେଷଣାଲବ୍ଧ ଜ୍ଞାନ ଓ ଉପାଦେୟ ସୂଚନା କୃଷକଙ୍କ ପାଖରେ ପହଞ୍ଚିପାରୁନାହିଁ। ଏହା ହିଁ ବର୍ତ୍ତମାନ ଦେଶର କୃଷି କ୍ଷେତ୍ରରେ ବଡ ଚ୍ୟାଲେଞ୍ଜ ବୋଲି କାର୍ୟ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ କହିଛନ୍ତି।
ଚକଡ଼ା ମହାମାରୀ ସମୟରେ ସେ ଓଡ଼ିଶାର ଅନେକ ଜିଲା ଗସ୍ତ କରି କୃଷକଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ସେଥିରେ ଚାଷର ବ୍ୟବହାର ହୋଇଥିବା ପାଖାପାଖି ୬୮% ପୋକମରା କୀଟନାଶକ ଚକଡା ପୋକର ବୃଦ୍ଧିରେ ସହାୟକ ହୋଇଥିବା ତଥ୍ୟ ମିଳିଥିଲା। ମାତ୍ର ୧୦% କୀଟନାଶକ ଠିକ ଭାବେ ବ୍ୟବହାର କରାଯାଇଥିଲା। ଚାଷୀ ପାଖରେ ସୂଚନା ଠିକ ଭାବେ ପହଞ୍ଚିଲେ ହିଁ କୃଷିର ବିକାଶ ସମ୍ଭବ ହେବ ବୋଲି ସେ କହିଛନ୍ତି।
ଓଡ଼ିଶାରେ ପାଖାପାଖି ୧୦ଟି ଚିରସ୍ରୋତା ନଦୀ ଏବଂ ବାର୍ଷିକ ୧୨୦୦ ମିଲିମିଟରର ବୃଷ୍ଟିପାତ ହେଉଥିବାବେଳେ ଚାଷୀ ଦାରିଦ୍ର୍ୟ ଓ ଅନଟନ ମଧ୍ୟରେ କାଳ କାଟୁଥିବା ଦେଖି ସେ ଆଶ୍ଚର୍ୟ୍ୟ ପ୍ରକଟ କରିଥିଲେ। ଏଗ୍ରି ବିକାଶ – ୨୦୧୮ ସହାୟତାରେ ଓଡ଼ିଶାରୁ ହିଁ ଦ୍ୱିତୀୟ ସବୁଜ ବିପ୍ଳବର ମାର୍ଗ ପ୍ରଶସ୍ତ ହେବ ବୋଲି ଶ୍ରୀ ସିଂହ କହିଥିଲେ। କେନ୍ଦ୍ର ସରକାର ଇ-ନାମ ଯୋଜନା ଆରମ୍ଭ କରିଛନ୍ତି। ଇ-ନାମ ଯୋଜନାରେ ଦେଶର ୨୨,୦୦୦ ଗ୍ରାମୀଣ ହାଟକୁ ଯୋଡାଯିବ ବୋଲି ସେ କହିଥିଲେ।
ଦୁଇଦିନ ଧରି ହେବାକୁ ଥିବା ‘ଏଗ୍ରି ବିକାଶ –୨୦୧୮’ରେ ସରକାରୀ ଓ ବେସରକାରୀ ଅନୁଷ୍ଠାନ, କୃଷି ଉଦ୍ୟୋଗୀ, କୃଷି ବୈଜ୍ଞାନିକ, ଗବେଷକ, ସ୍ୱୟଂସହାୟକ ଗୋଷ୍ଠୀ ଓ କୃଷକ ଯୋଗଦେଇଛନ୍ତି। ଆଜିର କାର୍ୟ୍ୟକ୍ରମରେ କେନ୍ଦ୍ର କୃଷି ଗବେଷଣା ଏବଂ ଶିକ୍ଷା ବିଭାଗ ସଚିବ ତ୍ରିଲୋଚନ ମହାପାତ୍ର ଓ ନିଆମ୍‌ର ମହାନିର୍ଦେଶକ ଡ. ପି. ଚନ୍ଦ୍ରଶେଖର ଏବଂ ସୋଆର ପ୍ରଫେସର ବିଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ, ଖାଦ୍ୟ ପ୍ରକ୍ରିୟାକରଣ, ଏମ୍‌ଏସ୍‌ଏମ୍‌ଇ, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଏହି କାର୍ୟ୍ୟକ୍ରମ ପାଇଁ ଏନଆଇଏଏମ, କେପିଏମଜି, ସିୱାଇଏସଡି, ଏସଡିଆରସି, ଏସଭିଏ ଏବଂ ସୋଆ ବିଶ୍ୱବିଦ୍ୟାଳୟ ସହାୟତା କରିଛନ୍ତି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories