ଜବରଦଖଲ ଉଚ୍ଛେଦ ଦାବିରେ ଆରଆଇ ଅଫିସ ଆଗରେ ଗ୍ରାମବାସୀଙ୍କ ଧାରଣା 

ବେଗୁନିଆ : ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋ ଦୋଳପଡ଼ିଆରୁ ଜବରଦଖଲକାରୀଙ୍କୁ ଉଚ୍ଛେଦ ଘଟଣାରେ ପ୍ରଶାସନିକ ନୀରବତା ଯୋଗୁଁ ଆଜି ଗ୍ରାମବାସୀମାନେ ସିକୋ ଆରଆଇ ଅଫିସ ଆଗରେ ଧାରଣାରେ ବସିଛନ୍ତି । ଦୋଳ ପଡ଼ିଆରୁ ଜବରଦଖଲ ଉଚ୍ଛେଦ ନହେବା ପର୍ୟ୍ୟନ୍ତ ଏହି ଧାରଣା ଚାଲୁ ରହିବ ବୋଲି ଧାରଣାରେ ବସିଥିବା ଲୋକମାନେ ଜଣାଇଛନ୍ତି । ସମ୍ପୃକ୍ତ ଗ୍ରାମରେ ଥିବା ଦୋଳଯାତ୍ରା ପଡିଆକୁ ଗ୍ରାମର କେତେକ ମୁଷ୍ଟିମେୟ ବ୍ୟକ୍ତି ଜବରଦଖଲ କରି ରଖିଛନ୍ତି । ଏପରିକି ସେଠାରେ ଦୋକାନ ଘର କରି ଭଡା ଦେଉଛନ୍ତି । ପ୍ରତିବାଦ କଲେ ସ୍ଥାନୀୟ ଲୋକମାନଙ୍କୁ ସେମାନେ ଓଲଟା ଧମକ ଚମକ ଦେଇ ପ୍ରଶାସନର ଭୟ ଦେଖାଉଛନ୍ତି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରୁଛନ୍ତି । ସମ୍ପୃକ୍ତ ଗ୍ରାମର ଦୋଳପଡ଼ିଆଟି ଚନ୍ଦ୍ରଶେଖରପୁର ମୌଜାର ଖାତା ନଂ୫୭୨ ପ୍ଲଟ ନଂ ୪୯୦,୪୯୧ ଏବଂ୪୯୨ରେ୧ ଏକର୮୩୫ ଡ଼ିସିମିଲ ଏବଂ ସିକୋ ମୌଜା ରେ ଖାତା ନଂ୮୨୦ ପ୍ଲଟ ନଂ ୬୯୧ ଏବଂ୬୯୫ ରେ୧ଏକର ୫୦୫ ଡ଼ିସିମିଲ ଜାଗାରେ ରହିଛି । ଉକ୍ତ ସ୍ଥାନରେ ସମ୍ପୃକ୍ତ ପଞ୍ଚାୟତର ଲୋକମାନେ ଯୁଗ ଯୁଗ ଧରି ଦୋଳ ପର୍ବ ସହିତ ବିଭିନ୍ନ ପର୍ବ ପାଳନ କରି ଆସୁଛନ୍ତି । କିନ୍ତୁ ଗ୍ରାମର କିଛି ଜବରଦଖଲକାରୀ ବ୍ୟକ୍ତି ଅର୍ଥ ଏବଂ ବାହୁବଳରେ ବଳିୟାନ ହୋଇ ଗ୍ରାମରେ ଥିବା ପତିତପାବନ ଦୋଳ କମିଟି ଏବଂ ଶାନ୍ତି କମିଟି କଥାକୁ ମାନୁନଥିବାବେଳେ ଭଦ୍ରଲୋକ ଏବଂ ବୁଦ୍ଧିଜୀବି ମାନଙ୍କ କଥାକୁ ମଧ୍ୟ ଭ୍ରୁକ୍ଷେପ କରୁନାହାନ୍ତି । ଦୋଳ ପଡିଆକୁ ଜବରଦଖଲ କରି ଦୋକାନ ଗୃହ ନିର୍ମାଣ କରିବା ଯୋଗୁଁ ଦୋଳ ପଡ଼ିଆଟି ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି । ଫଳରେ ସିକୋ ଗ୍ରାମର କେତେଜଣ ହାତଗଣତି ମୁଷ୍ଟିମେୟ ବ୍ୟକ୍ତିଙ୍କ ଯୋଗୁଁ ଆଇନ ଶୃଙ୍ଖଳା ବ୍ୟାହତ ହେଉଥିଲେ ମଧ୍ୟ ପ୍ରଶାସନ ସେଥିପ୍ରତି ନଜର ନଦେବା ପରିତାପର ବିଷୟ । ଯୁଗ ଯୁଗ ଧରି ଲୋକମାନଙ୍କ ସ୍ୱାର୍ଥରେ ଲାଗୁଥିବା ଦୋଳ ପଡ଼ିଆଟି ପ୍ରଶାସନିକ ନୀରବତା ଯୋଗୁଁ ଏବେ ଜବରଦଖଲକାରୀଙ୍କ କବଜାରେ ରହିଛି । ଦୋଳପଡ଼ିଆରୁ ଜବରଦଖଲ ଉଚ୍ଛେଦ ଏବଂ ଜବରଦଖଲକାରୀ ମାନଙ୍କ ପ୍ରତି ପ୍ରଶାସନ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଗ୍ରାମବାସୀମାନେ ବାରମ୍ବାର ତହସିଲ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲାପ୍ରଶାସନ ପର୍ୟ୍ୟନ୍ତ ଅଭିଯୋଗ କରିଆସିଛନ୍ତି । କିନ୍ତୁ ପ୍ରଶାସନ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଜବରଦଖଲକାରୀଙ୍କୁ ପ୍ରୋସ୍ଥାହନ ଯୋଗାଇ ଆସୁଛି ବୋଲି ଗ୍ରାମବାସୀମାନେ ଅଭିଯୋଗ କରୁଛନ୍ତି । ଫଳରେ ଗ୍ରାମବାସୀମାନେ ପ୍ରଶାସନ ଉପରୁ ଭରସା ତୁଟାଇ ଆଜିଠାରୁ ସିକୋ ସ୍ଥିତ ଆରଆଇ ଅଫିସ ଆଗରେ ଧାରଣା ଦେବା ପାଇଁ ଗତ୨୩ ତାରିଖ ଦିନ ବେଗୁନିଆ ତହସିଲଦାର ଏବଂ ଜଙ୍କିଆ ଥାନାଅଧିକାରୀଙ୍କୁ ଜଣାଇଥିଲେ । କିନ୍ତୁ ଇତି ମଧ୍ୟରେ ଜବରଦଖଲକାରୀ ମାନଙ୍କପ୍ରତି କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ଆଜି ସକାଳୁ ସିକୋ ଆର ଆଇ ଅଫିସ ସମ୍ମୁଖରେ ସିକୋ ପତିତପାବନ ଦୋଳ କମିଟି ଏବଂ ଶାନ୍ତି କମିଟିର ସଭ୍ୟମାନେ ଧାରଣାରେ ବସିଛନ୍ତି । ଜବରଦଖଲକାରୀଙ୍କୁ ଏଠାରୁ ହଟା ନଯିବା ପର୍ୟ୍ୟନ୍ତ ଏହି ଧାରଣା ଚାଲୁ ରହିବ ବୋଲି କମିଟିର ସଭ୍ୟମାନେ ଜଣାଇଛନ୍ତି ।

kalyan agarbati

Comments are closed.