ରାମନାଗୁଡା: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଚାକୁଣ୍ଡାଠାରେ ରବିଋତୁ ନିମନ୍ତେ ଧାନମଣ୍ଡି ଉଦଘାଟିତ ହୋଇଯାଇଛି। ଉକ୍ତ କାର୍ୟ୍ୟକ୍ରମରେ ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ବିଶିକେଶନ ରଥ ରବିଋତୁ ନିମନ୍ତେ ଧାନମଣ୍ଡି ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଧାନର ଉଚିତ ମୂଲ୍ୟ ପାଇବା ପାଇଁ ଏଫଏକ୍ୟୁ ମାନର ଧାନ ମଣ୍ଡିକୁ ଆଣିବା ପାଇଁ ଚାଷୀଙ୍କୁ ପରାମର୍ଶ ଦିଆଯାଇଥିଲା। ସେହିପରି ୨୪ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ତାଙ୍କ ପ୍ରାପ୍ୟ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯିବ ବୋଲି ପ୍ରକାଶ ପାଇଥିଲା।
ଚଳିତ ବର୍ଷ ରବିଋତୁ ନିମନ୍ତେ ଚାକୁଣ୍ଡାରେ ଧାନମଣ୍ଡି ଉଦଘାଟିତ ହୋଇଥିବାବେଳେ ଧାନର ସର୍ବାଧିକ ମୂଲ୍ୟ ୧୮୮୮ ଟଙ୍କା ହୋଇଥିବା ବେଳେ ସାଧାରଣ ଧାନର ମୂଲ୍ୟ ୧୮୬୮ଟଙ୍କା ରହିଛି। ବର୍ତ୍ତମାନ ମହାମାରୀ କରୋନାକୁ ନେଇ ସାରାବିଶ୍ବରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଚାଷୀଙ୍କୁ ସାମାଜିକ ଦୂରତା ଅବଲମ୍ବନ କରି ଧାନକ୍ରୟ କରାଯିବା ସହ ପ୍ରତ୍ୟେକ ଶୁକ୍ରବାର ମଣ୍ଡି ଖୋଲାଯାଇ ଧାନକ୍ରୟ କରାଯିବ ବୋଲି ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ବିଶିକେଶନ ରଥ ସୂଚନା ଦେଇଛନ୍ତି। ଏହି କାର୍ୟ୍ୟକ୍ରମରେ ମିଲ ମାଲିକଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ। ସେହିପରି ରାମନାଗୁଡା ଲ୍ୟାମ୍ପସ କର୍ମଚାରୀ ସୁରେଶ ନିମାଲା, ରମେଶ ପାଲାକା ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।



