ରାତି ପାହିଲେ ଫଳ; ବିଜେଡି ହାତକୁ ଫେରିବ କ୍ଷମତା ? ନା ଗଡ଼ ବଞ୍ଚାଇବ ବିଜେପି..

ଧାମନଗର: ରାତିପାହିଲେ ଗଣାଯିବ ଭୋଟ୍ । ଇଭିଏମରେ ସିଲ ହୋଇଛି ନେତାଙ୍କ ଭାଗ୍ୟ । କାହା ସପକ୍ଷରେ ଯିବ ଜନମତ ?  ଗଡ଼ ବଞ୍ଚାଇପାରିବ କି ଭାରତୀୟ ଜନତା ପାର୍ଟି ? ନା ବିଜୁ ଜନତା ଦଳ ହାତକୁ ଫେରିବ କ୍ଷମତା ?  । କଂଗ୍ରେସ ମଧ୍ୟ ଏଥର ଧାମନଗରରେ ତାର ଶକ୍ତି ପ୍ରଦର୍ଶନ କରିଛି । ପିସିସି ସଭାପତିଙ୍କ ସମେତ ବିଧାୟକ ଓ ନେତା ଜୋରଦାର ପ୍ରଚାର କରିଛନ୍ତି । ସମସ୍ତଙ୍କ ଦୃଷ୍ଟି ଆକର୍ଷଣରେ ରହିଛି ସ୍ୱାଧୀନ ପ୍ରାର୍ଥୀଙ୍କ ନାଁ । ଯାହାକୁ ନେଇ ସରଗରମ ରହିଛି ଧାମନଗର ରାଜନୀତି ।

ସବୁଠାରୁ ବଡ଼ କଥା ହେଉଛି ଏହି ଉପନିର୍ବାଚନରେ ଅଧିକ ପଡ଼ିଛି ମହିଳାଙ୍କ ଭୋଟ । ପୁରୁଷଙ୍କ ତୁଳନାରେ ଅଧିକ ଭୋଟ୍ ଦେଇଛନ୍ତି ମହିଳା । ଏଥର ଶତକଡ଼ା ୬୮.୯୮ ପ୍ରତିଶତ ମତଦାନ ହୋଇଛି । ଭୋଟର ତାଲିକା ଅନୁଯାୟୀ ସମୁଦାୟ ୨ଲକ୍ଷ ୩୮ ହଜାର ୪୧୭ ଭୋଟରଙ୍କ ମଧ୍ୟରୁ ୧ଲକ୍ଷ ୬୪ହଜାର ୪୬୫ ଜଣ ମତଦାନ କରିଛନ୍ତି । ପୁରୁଷ ଭୋଟର ୧ଲକ୍ଷ ୨୩ହଜାର ୩୮ରୁ ଭୋଟ ଦେଇଛନ୍ତି ୭୯ ହଜାର ୧୧ଜଣ ।

ସେହିପରି ସମୁଦାୟ ମହିଳା ଭୋଟର ସଂଖ୍ୟା ୧ଲକ୍ଷ ୧୫ହଜାର ୩୪୬ ମଧ୍ୟରୁ ୮୫ହଜାର ୪୫୨ ନିଜର ମତସାବ୍ୟସ୍ତ କରି ନେତା ବାଛିଛନ୍ତି । ଯାହାକି ପୁରୁଷ ଭୋଟରଙ୍କ କ୍ଷେତ୍ରରେ ଶତକଡ଼ା ମତଦାନ ହାର ୬୪.୨୨ ପ୍ରତିଶତ ରହିଥିବା ବେଳେ ମହିଳା ଭୋଟରଙ୍କ ମତଦାନ ହାର ରହିଛି ୭୪ ପ୍ରତିଶତ । ଯାହାକୁ ନେଇ ରାଜ୍ୟ ରାଜନୀତି ଖୁବ୍ ସରଗରମ ରିହିଛି ।

ଆଉ ମହିଳାଙ୍କ ଭୋଟକୁ ନେଇ ଉଭୟ ବିଜେପି ଓ ବିଜେଡି ବିଜୟର ଆଶାବାଦୀ ରହିଛନ୍ତି । ଗୋଟିଏ ପଟେ ରାଜ୍ୟସରକାରଙ୍କ ମହିଳା କାର୍ଡ ଓ ମହିଳା ସଶକ୍ତିକରଣ ରହିଥିବା ବେଳେ, ବିଜେପି ମଧ୍ୟ ମହିଳା ମାନଙ୍କୁ ସମ୍ମାନ ଜଣାଇ ଭୋଟ୍ ଭିକ୍ଷା କରିଛି । ମତଦାନ ସଂଗ୍ରହ ପ୍ରକ୍ରିୟାପରେ ସମସ୍ତ ଇଭିଏମ୍ ଓ ଭିଭିପାଟକୁ କଡ଼ା ପ୍ରହରା ଓ ସିସିଟିଭି ନଜରରେ ଷ୍ଟ୍ରଙ୍ଗରୁମରେ ସୁରକ୍ଷିତ ରଖାଯାଇଛି । ଷ୍ଟ୍ରଙ୍ଗରୁମ୍ ଭିତରର ଦୃଶ୍ୟକୁ ଏଲଇଡି ଜରିଆରେ ପ୍ରଦର୍ଶନ ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ । ଆସନ୍ତା ରବିବାର ଗଣତି କାର୍ଯ୍ୟ ପାଇଁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ସକାଳ ୮ଟାରୁ ଗଣତି ଆରମ୍ଭ ହେବ ।

Comments are closed.