ଧାମରା: ୨୯କୋଟି ଟଙ୍କାରେ ଟର୍ଣ୍ଣକି ପ୍ରୋସେସରେ ଶେଷ ହେବାକୁ ଥିବା ବାଂଶଡାର ମନ୍ତେଇ ସେତୁ କାର୍ଯ୍ୟ ବନ୍ଦ କରିବାକୁ ଧମକ ଦେଲେ ଜଣେ ଅସାମାଜିକ ଯୁବକ। ପ୍ରାପ୍ତ ଖବରରୁ ଜଣାଯାଇଛି, ବୁଧବାର ବାଂଶଡା ସେତୁର ଶେଷ ପର୍ଯ୍ୟାୟରେ ସ୍ଲାବ ପଡ଼ିବାକୁ ସମସ୍ତ ଆୟୋଜନ ହେଉଥିବା ବେଳେ ଜଣେ ଯୁବକ ସେଠାରେ ପହଞ୍ଚି ଏହି କାର୍ଯ୍ୟ ବନ୍ଦ କରିବାକୁ କହିବା ସହ ସେଠାରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ କାର୍ଯ୍ୟ ବନ୍ଦ କରାଇଥିଲେ। କେଉଁ ପରିସ୍ଥିତିରେ ତୁମେ କାର୍ଯ୍ୟ ବନ୍ଦ କରୁଛ ବୋଲି ପୋଲ କାର୍ଯ୍ୟ କରୁଥିବା ସିଂଗଲା କନଷ୍ଟ୍ରକସନ କମ୍ପାନୀର ଇନ୍ଚାର୍ଜ ସଂପୃକ୍ତ ବ୍ୟକ୍ତିଙ୍କୁ ପଚାରିଥିଲେ। ବ୍ୟକ୍ତି ଜଣକ ଏକ ଟ୍ରାନ୍ସପୋର୍ଟ ୟୁନିଅନର ନାମ ନେଇ ସଂପୃକ୍ତ ଟ୍ରାନ୍ସପୋର୍ଟକୁ ବାଂଶଡାଠାରେ ଚାଲିଥିବା ସେତୁ କାର୍ଯ୍ୟରେ ଦରକାର ପଡୁଥିବା ସମସ୍ତ ମାଲ ପରିବହନ କରିବାକୁ ଅଡି ବସିଥିଲେ। ମାତ୍ର ସିଂଗଲା କନଷ୍ଟ୍ରକସନ କମ୍ପାନୀ କର୍ତ୍ତୃପକ୍ଷ ଏ ବିଷୟରେ ଭଦ୍ରକ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ। ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର ଓ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗର କନିଷ୍ଠ ଯନ୍ତ୍ରୀ ଚରଣ ସିଂ ସେଠାରେ ପହଞ୍ଚିଥିଲେ। ମାତ୍ର ଚାନ୍ଦବାଲି ତହସିଲଦାର ଆସୁଥିବା ଖବର ପାଇବା ପରେ ସଂପୃକ୍ତ ଯୁବକ ସେଠାରୁ ପଳାଇ ଯାଇଥିଲେ। ତହସିଲଦାର ସୁଶାନ୍ତ ସୂତାର ବାଂଶଡା ଥାନା ଆଇଆଇସିଙ୍କୁ ସଂପୃକ୍ତ ଯୁବକଙ୍କ ବିଷୟରେ ପଚାରିଥିଲେ। ମାତ୍ର ଆଇଆଇସି ସେହି ଯୁବକ ବିଷୟରେ କିଛି ଜାଣି ନଥିବା କଥା କହିଥିଲେ। ଆସନ୍ତା ଦିନରେ କୌଣସି ଅସାମାଜିକ ଯୁବକ ଆସି ବାଂଶଡା ସେତୁ କାର୍ଯ୍ୟ ବନ୍ଦ କରିବାକୁ ପ୍ରୟାଶ କଲେ ତୁରନ୍ତ ଗିରଫ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି ବୋଲି ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର ବାଂଶଡା ଆଇଆଇସିଙ୍କୁ କହିଥିଲେ। କୌଣସି ପରିସ୍ଥିତିରେ କାର୍ଯ୍ୟ ବନ୍ଦ କରିବାକୁ ଆସୁଥିବା ଲୋକଙ୍କ ବିଷୟରେ ସଙ୍ଗେ ସଙ୍ଗେ ବାଂଶଡା ଥାନାଧିକାରୀଙ୍କୁ ଜଣାଇବା ପାଇଁ ସିଂଗଲା କନଷ୍ଟ୍ରକସନ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ମଧ୍ୟ ନିର୍ଦେଶ ଦିଆଯାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ, ବାଂଶଡାଠାରେ ହେଉଥିବା ମନ୍ତେଇ ସେତୁ ଚଳିତ ମାର୍ଚ୍ଚ ଶେଷ ସୁଦ୍ଧା ଯାତାୟତ ଉପଯୋଗୀ ହୋଇ ପାରିବ ବୋଲି ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି। ଏହି ସେତୁର ଜିଆଇ ନଟ ବୋଲଟିଂ କାର୍ଯ୍ୟ ଶେଷ ହୋଇଥିବା ବେଳେ ସ୍ଲାବ ପଡ଼ିବା ପରେ ଏହି ସେତୁ ଜନସାଧାରଣ ଉଦ୍ଦେଶ୍ୟରେ ଲୋକାର୍ପିତ ହେବ।



