www.samajalive.in
Saturday, December 13, 2025
14.1 C
Bhubaneswar

ବିମୁଦ୍ରାକରଣକୁ ୨ ବର୍ଷ

ନୂଆଦିଲ୍ଳୀ: ନରେନ୍ଦ୍ର ମୋଦୀ ସରକାରଙ୍କ ବହୁଚର୍ଚ୍ଚିତ ବିମୁଦ୍ରାକରଣକୁ ଦୁଇ ବର୍ଷ ପୁରିଛି। ୨୦୧୬ ନଭେମ୍ବର ୮ ତାରିଖ ରାତିରେ ହଠାତ୍‍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‍କୁ ଅଚଳ ଘୋଷଣା କରିଥିଲେ। ଗୁରୁବାର ଏହି ଘୋଷଣାକୁ ଦୁଇ ବର୍ଷ ପୁରିଥିବା ବେଳେ ଏହାକୁ ନେଇ ରାଜନୀତି ଆଜି ବି ଉଷ୍ମ ରହିଛି। ବିମୁଦ୍ରାକରଣ ଅର୍ଥନୀତିକୁ ସୁଦୃଢ଼ କରିଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‍ଲୀ ଯୁକ୍ତି ଉପସ୍ଥାପନ କରିଥିବା ବେଳେ ଏହାକୁ ଦୁର୍ବଳ ଚିନ୍ତାଧାରା ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ଡ. ମନମୋହନ ସିଂହ କହିଛନ୍ତି।
ଦେଶର କଳାଧନ ମହଜୁଦ୍‍କାରୀଙ୍କୁ ବାଟକୁ ଆଣିବା ପାଇଁ ବିମୁଦ୍ରାକରଣ ଏକ ଅମୋଘ ଅସ୍ତ୍ର ବୋଲି ସେତେବେଳେ କେନ୍ଦ୍ର ସରକାର ଯୁକ୍ତି ଉପସ୍ଥାପନ କରିଥିଲେ। ଅପରପକ୍ଷରେ ବିମୁଦ୍ରାକରଣ ଯୋଗୁଁ ଅର୍ଥନୀତି ଗୁରୁତର ପ୍ରଭାବିତ ହୋଇଥିବା ବିରୋଧୀ ଅଭିଯୋଗ କରି ଆସୁଛନ୍ତି। ଦୁଇ ବର୍ଷ ପରେ ମଧ୍ୟ ବିମୁଦ୍ରାକରଣକୁ ନେଇ ଆରୋପ ପ୍ରତ୍ୟାରୋପ ଜାରି ରହିଛି।
ବିମୁଦ୍ରାକରଣର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଫେସ୍‍ବୁକ୍‍ ବ୍ଲଗ୍‍ରେ ଶ୍ରୀଜେଟ୍‍ଲୀ କହିଛନ୍ତି ଯେ ବିମୁଦ୍ରାକରଣ ଯୋଗୁଁ ଭାରତୀୟ ଅର୍ଥନୀତି ବାଟକୁ ଆସିଛି। ବିଦେଶରେ ଗଚ୍ଛିତ ଓ ଟିକସ ଖିଲାପକାରୀଙ୍କଠାରୁ କଳାଧନକୁ ମୁଖ୍ୟସ୍ରୋତକୁ ଆଣିବା ପାଇଁ ଏହି ଯୋଜନା କରାଯାଇଥିଲା। କଳାଧନ ସଂକ୍ରାନ୍ତରେ ଘୋଷଣା କରି ଅନେକ ଖିଲାପୀ ଟିକସ ଦେଇ ଦଣ୍ଡରୁ ମୁକ୍ତି ପାଇଥିଲେ। ଯେଉଁମାନେ କଳାଧନ ସଂକ୍ରାନ୍ତରେ ଘୋଷଣା କରିନଥିଲେ ସେମାନଙ୍କୁ କଳାଧନ ନିରୋଧ ଆଇନ ଅନୁଯାୟୀ ଦଣ୍ଡିତ କରାଯାଇଛି।
ଅପରପକ୍ଷରେ ବିମୁଦ୍ରାକରଣ ନୀତିକୁ ସମାଲୋଚନା କରି ଡ. ମନମୋହନ ସିଂହ କହିଛନ୍ତି ଯେ ଏହା ଏକ ଦୁର୍ବଳ ଚିନ୍ତାଧାରା ଥିଲା। ଏ ପର୍ଯ୍ୟନ୍ତ ଏହାର ପ୍ରଭାବ ଦେଶବାସୀ ଦେଖିବାକୁ ପାଇଲେ ନାହିଁ। ବିମୁଦ୍ରାକରଣ ଯୋଗୁଁ ଲୋକମାନେ ଯେଉଁ କଷ୍ଟ ଭୋଗିଥିଲେ ତାହା ଆଜି ମଧ୍ୟ ମନରୁ ଲିଭି ନାହିଁ। ଶିଶୁଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ପ୍ରଭାବିତ ହୋଇଥିଲେ। ସମୟ ସହିତ କ୍ଷତଭରଣା ହୋଇଯାଏ ବୋଲି କୁହାଯାଏ। କିନ୍ତୁ ବିମୁଦ୍ରାକରଣର କ୍ଷତ ସମୟ ସହିତ ଆହୁରି ସ୍ପଷ୍ଟ ହେବାରେ ଲାଗିଛି। ଅଭିବୃଦ୍ଧି ବ୍ୟାହତ ହୋଇଛି। ନିଯୁକ୍ତି ହାର କମିଛି। କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଏ ପର୍ଯ୍ୟନ୍ତ ବିମୁଦ୍ରାକରଣର ଝଟ୍‍କାରୁ ବର୍ତ୍ତି ପାରି ନାହାନ୍ତି। ଅର୍ଥନୀତି ପ୍ରଭାବିତ ହୋଇଛି। ତେଣୁ ଆଜିର ଦିନରେ ସେହି ସବୁ ବିଷୟକୁ ସ୍ମରଣ କରିବାର ବେଳ ଆସିଛି। ଦୀର୍ଘକାଳୀନ ଅଭିବୃଦ୍ଧି ପାଇଁ କେନ୍ଦ୍ର ସରକାର ସୁଦୂରପ୍ରସାରୀ ଯୋଜନା କାର୍ଯ୍ୟକାରୀ କରିବା ଲାଗି ଡ. ସିଂହ ଆହ୍ୱାନ ଦେଇଛନ୍ତି। କଂଗ୍ରେସ ପକ୍ଷରୁ ନଭେମ୍ବର ୮ ତାରିଖକୁ କଳା ଦିବସ ଭାବେ ପାଳନ କରି ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରାଯାଇଛି। କେନ୍ଦ୍ର ସରକାର ବିମୁଦ୍ରାକରଣ ଜରିଆରେ ଲୋକମାନଙ୍କୁ ଠକିଛନ୍ତି ଓ ଲୋକମାନେ ତାହାର ଜବାବ୍‍ ଦେବେ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories