ରାଜଧାନୀ ସହ ବିଭିନ୍ନ ସ୍ଥାନରେ କୁହୁଡି ସମ୍ଭାବନା ; ୮୦ ଟ୍ରେନ, ୫୦ରୁ ଅଧିକ ବିମାନ ସେବା ପ୍ରଭାବିତ

ବର୍ଷା ପରେ ବଢିବ ଥଣ୍ଡା

ନୂଆଦିଲ୍ଲୀ : ଦେଶର ଅଧିକାଂଶ ସ୍ଥାନରେ ଭୀଷଣ ଥଣ୍ଡା ଓ ଘନ କୁହୁଡିରୁ ନିସ୍ତାର ମିଳିନାହିଁ। ଜମ୍ମୁ-କାଶ୍ମୀର,ଲଦାଖ ଠାରୁ ଆରମ୍ଭ କରି ସିକ୍କିମ, ପଶ୍ଚିମବଙ୍ଗ, ମେଘାଳୟ ଓ ମଣିପୁର ସମେତ ୨୦ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକରେ ସକାଳ ସମୟରେ ଘନ କୁହୁଡି ଜାରି ରହିଛି। ଦିଲ୍ଲୀରେ ସୋମବାର ଚଳିତ ଶୀତ ଋତୁର ସବୁଠାରୁ ଥଣ୍ଡା ଦିନ। ସାଧାରଣ ତାପମାତ୍ରା ହ୍ରାସ ପାଇ ୫.୩ ଡିଗ୍ରୀ ସେଲସିୟସରେ ପହଞ୍ଚିଛି।
ଘନ କୁହୁଡି କାରଣରୁ ଦେଶରେ ଟ୍ରେନ୍‌‌ ଚଳାଚଳ ଓ ବିମାନ ଉଡାଣ ସେବା ପ୍ରଭାବିତ ହୋଇଛି। କେବଳ ଦିଲ୍ଲୀରେ ୮୦ଟି ଟ୍ରେନର ଆଗମନ ଓ ପ୍ରସ୍ଥାନ ସମୟ ଉପରେ ପ୍ରଭାବ ପଡିଛି। ଅନେକ ଟ୍ରେନ୍‌‌ ଏକ ଘଣ୍ଟାରୁ ୬ ଘଣ୍ଟା ଯାଏଁ ବିଳମ୍ବରେ ଚାଲୁଛି। ଏହି ସବୁ ଟ୍ରେନ୍‌‌ ମଧ୍ୟରେ ବେଙ୍ଗାଲୁରୁ-ନିଜାମୁଦ୍ଦିନ ଓ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ, କାନପୁର-ନୂଆଦିଲ୍ଲୀ ଶ୍ରମଶକ୍ତି, ପ୍ରୟାଗରାଜ-ନୂଆଦିଲ୍ଲୀ ଏକ୍ସପ୍ରେସ, ଅମୃତସର-ମୁମ୍ବଇ ଏକ୍ସପ୍ରେସ ଟ୍ରେନ୍‌‌ ସାମିଲ ରହିଛି।
ସେହିପରି ୫୦ରୁ ଅଧିକ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି। ଏହି ସମସ୍ତ ବିମାନର ଆଗମନ ଓ ପ୍ରସ୍ଥାନର ନିର୍ଦ୍ଧାରିତ ସମୟର ୧୫ ରୁ ୨୦ ମିନିଟ୍‌‌ ପର୍ଯ୍ୟନ୍ତ ବିଳମ୍ବ ହୋଇଛି।
ସୋମବାର ସକାଳେ କୁହୁଡି ଓ ଥଣ୍ଡା ପବନ କାରଣରୁ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୫.୩ ଡିଗ୍ରୀ ରେକର୍ଡ କରାଯାଇଛି ଯାହା ସାମାନ୍ୟରୁ ୨ ଡିଗ୍ରୀ କମ୍‌‌। ଏହା ପ୍ରତ୍ୟେକ ବର୍ଷ ଜାନୁଆରୀର ମାସ ସକାଳର ତାପମାତ୍ରାର ସବୁଠାରୁ କମ୍‌‌। ଏହା ପୂର୍ବରୁ ଡିସେମ୍ବର ମାସରେ ସର୍ବନିମ୍ନ ତାପମାତ୍ରା ୫ଡିଗ୍ରୀରୁ କମ୍‌‌ ରହିଥିଲା।
ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ନୂଆଦିଲ୍ଲୀରେ ମଙ୍ଗଳବାରରେ ଆକାଶରେ ଆଂଶିକ ବାଦଲ ରହିବ। ସକାଳ ସମୟରେ କୁହୁଡି ଜାରି ରହିବା ସହ ଦିନ କିମ୍ବା ସନ୍ଧ୍ୟା ସମୟରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଫଳରେ ସର୍ବାଧିକ ତାପମାତ୍ରା ୧୭ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ପାଖାପାଖି ରହିବ।
ବର୍ଷା ହେବା ପରେ ପାଗରେ ପରିବର୍ତ୍ତନ ହୋଇପାରେ। ବର୍ଷା ପରେ ଥଣ୍ଡାର ମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହାପରେ ସର୍ବନିମ୍ନ ଓ ସର୍ବାଧିକ ତାପମାତ୍ରାରେ ବୃଦ୍ଧି ହୋଇପାରେ। ଜାନୁଆରୀ ୧୪ ପର୍ଯ୍ୟନ୍ତ ସକାଳ ସମୟରେ ହାଲୁକା ମଧ୍ୟମ କୁହୁଡି ଜାରି ରହିବ। ଏହାସହ ଜାନୁଆରୀ ୧୧ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରା ୧୯ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀକୁ ପହଞ୍ଚି ପାରେ। ଏହାପରେ ସର୍ବନିମ୍ନ ତାପମାତ୍ରା ଜାନୁଆରୀ ୧୪ ପର୍ଯ୍ୟନ୍ତ ୨ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ।

Comments are closed.