ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୀତ ନୂତନ କୃଷି ଆଇନକୁ ବିରୋଧ କରି ଲଗାତାର ତୃତୀୟ ଦିନ ପାଇଁ କୃଷକଙ୍କ ପ୍ରଦର୍ଶନ ଜାରି ରହିଛି। ବିକ୍ଷୋଭ ପାଇଁ ଏକ ସ୍ଥାନ ସ୍ଥିର ହୋଇଥିଲେ ମଧ୍ୟ ଶୁକ୍ରବାର ରାତିରେ କୃଷକମାନେ ହରିୟାଣାର ସିଙ୍ଗୁ ସୀମା ଦେଇ ଯାଇଥିଲେ। ଶନିବାର ଦିନ କୃଷକମାନେ ପୁଣି ଥରେ ଏକାଠି ହୋଇଥିଲେ, ଯେଉଁଥିରେ ସେମାନେ ଆଗାମୀ ରଣନୀତି ଉପରେ ଗୁରୁତ୍ୱ ଦେଇଥିଲେ। ଏହା ପରେ କୃଷକମାନେ ସିଙ୍ଗୁ ସୀମାରୁ ଓହରି ନଯିବାକୁ ନିଷ୍ପତ୍ତି ନେଇଛନ୍ତି। ପୁଲିସ କୃଷକ ନେତାଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି ଏବଂ ସେମାନଙ୍କୁ ମନାଇବା ପାଇଁ ଚେଷ୍ଟା କରୁଛନ୍ତି।
ଇତି ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଭାରତ ସରକାର ଚାଷୀଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ, କିନ୍ତୁ ଏହାର ସର୍ତ୍ତ ହେଉଛି ଯେ ବୁରାରୀରେ କୃଷକମାନେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରଦର୍ଶନ କରିବେ। ସେ କହିଛନ୍ତି ଯେ, ଯେଉଁ ଦିନ ଆପଣମାନେ ବୁରାରୀର ନିରଙ୍କରୀ ସମାଗମ ଗ୍ରାଉଣ୍ଡକୁ ଯିବେ, ପରଦିନ ସରକାର ଆପଣମାନଙ୍କ ସହ ଆଲୋଚନା କରିବେ।
ଅନ୍ୟପକ୍ଷରେ ଭାରତୀୟ କୃଷକ ସଂଘର ଜାତୀୟ ମୁଖପାତ୍ର ରାକେଶ ଟିକାୟତ କୃଷକମାନଙ୍କୁ ଆହ୍ବାନ ଦେଇ କହିଛନ୍ତି ବର୍ତ୍ତମାନ ଏହି ସଂଗ୍ରାମ ଜାରି ରହିବ। ସେ କହିଛନ୍ତି ଯେ ଯଦି ଲଢେଇ ଦୀର୍ଘ ଦିନ ଧରି ଚାଲିବ ତେବେ ସଂଖ୍ୟା ବୃଦ୍ଧି କରିବାର ଆବଶ୍ୟକତା ରହିଛି। ତେଣୁ ଆସନ୍ତାକାଲିଠାରୁ ସମସ୍ତ ଚାଷୀ ଟ୍ରାକ୍ଟର-ଟ୍ରଲିରେ ଏଠାରେ ଆସି ପହଞ୍ଚିବେ।
ତେବେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି ଯେ ପଞ୍ଜାବର କୃଷକମାନେ ଏହି ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏହି ଆନ୍ଦୋଳନକୁ କୃଷକଙ୍କ ପରିବର୍ତ୍ତେ ରାଜନୈତିକ ଦଳ ତଥା ଅନୁଷ୍ଠାନ ପ୍ରାୟୋଜିତ କରିଛନ୍ତି। ହରିୟାଣାର କୃଷକମାନେ ଏହି ଆନ୍ଦୋଳନରେ ଭାଗ ନେଇ ନାହାଁନ୍ତି ବୋଲି ସେ କହିଛନ୍ତି।
ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ କହିଛନ୍ତି ଯେ କେତେକ ସାମାଜ ବିରୋଧୀ ତତ୍ତ୍ବ କୃଷକ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଆନ୍ଦୋଳନର ଅନେକ ଅଡିଓ-ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଯେଉଁଥିରେ ସେ କହୁଛନ୍ତି ଯେ ‘ଯେତେବେଳେ ଇନ୍ଦିରା ଗାନ୍ଧୀ ଏହା କରିପାରିବେ, ମୋଦୀ ଏହା କାହିଁକି କରିପାରିବେ ନାହିଁ’।



