www.samajalive.in
Monday, December 8, 2025
13.1 C
Bhubaneswar

ଦୀପାବଳି ପରେ ଦିଲ୍ଲୀରେ ଅବସ୍ଥା ସଙ୍ଗୀନ୍

ନୂଆଦିଲ୍ଲୀ : ବିଭିନ୍ନ କାରଣରୁ ନୂଆଦିଲ୍ଲୀର ବାୟୁମଣ୍ଡଳ ପ୍ରାୟତଃ ପ୍ରଦୂଷିତ ହେବାରେ ଲାଗିଛି। ତେବେ ଦୀପାବଳି ପରେ ଦିଲ୍ଲୀ ଆକାଶ ଅଧିକ ପ୍ରଦୂଷିତ ହୋଇଥିବା ଜଣାପଡିଛି। ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାର ଦୀପାବଳିରେ ବାଣ ବିକ୍ରି ଓ ବାଣଫୁଟା ଉପରେ କଡା କଟକଣା ଲାଗୁ କରିଥିବା ସତ୍ତ୍ବେ ଏହାର ସୁଫଳ ମିଳିପାରିନାହିଁ। ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଦିଲ୍ଲୀବାସୀ ପ୍ରବଳ ବାଣ ଫୁଟାଇଥିବା ଜଣାପଡିଛି। ଏଥିଯୋଗୁଁ ଦିଲ୍ଲୀ ଆକାଶ ଧୂଆଁରେ ଆଚ୍ଛାଦିତ ହୋଇପଡିଥିବାବେଳେ ଶବ୍ଦ ପ୍ରଦୂଷଣ ମାତ୍ରା ଯଥେଷ୍ଟ ବୃଦ୍ଧି ପାଇଥିବା କୁହାଯାଇଛି। ଏସଏଏଫଏଆର (ସିଷ୍ଟମ ଅଫ୍‌ ଏୟାର କ୍ବାଲିଟି ଆଣ୍ଡ୍‌ ୱେଦର ଫୋରକାଷ୍ଟିଙ୍ଗ ରିସର୍ଚ୍ଚ) ପକ୍ଷରୁ ପ୍ରଦତ୍ତ ତଥ୍ୟ ଅନୁଯାୟୀ ଶୁକ୍ରବାର ସକାଳ ୬ଟା ୩୦ ସୁଦ୍ଧା ଦିଲ୍ଲୀର ଏକ୍ୟୁଆର (ଏୟାର କ୍ବାଲିଟି ଇଣ୍ଡେକ୍ସ) ୩୫୯ ଥିବା ରେକର୍ଡ କରାଯାଇଛି। ଦୀପାବଳି ଦିନ ଏହା ୩୨୮ ରେକର୍ଡ କରାଯାଇଥିଲା। ଏହାକୁ ଅତ୍ୟନ୍ତ ଖରାପ ଶ୍ରେଣୀଭୁକ୍ତ କରାଯାଇଛି। ଏକ୍ୟୁଆଇ ୪୫୦ ରହିଲେ ଏହାକୁ ଅତ୍ୟନ୍ତ ସାଂଘାତିକ ଆଖ୍ୟା ଦିଆଯାଇଥାଏ। ବାୟୁମଣ୍ଡଳରେ ଥିବା ମାଇକ୍ରୋ ପାର୍ଟିକଲ୍‌ସ (ପିଏମ୨.୫) ମାତ୍ରା ବୃଦ୍ଧି ପାଇଲେ ଫୁସ୍‌ଫୁସ୍‌ରେ ସଂକ୍ରମଣ ଆଶଙ୍କା ୨୩ ଗୁଣ ଅଧିକ ହୋଇଥାଏ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ଶୁକ୍ରବାର ଦିଲ୍ଲୀର ପ୍ରତି ଘନ ମିଟର ଅଞ୍ଚଳରେ ପ୍ରଦୂଷଣ ମାତ୍ରା ୩୪୫ ମାଇକ୍ରୋଗ୍ରାମ୍‌ସ ରହିଥିବା ଜଣାପଡିଛି। ଫଳରେ ଦିଲ୍ଲୀ ବିଶ୍ବର ସବୁଠାରୁ ପ୍ରଦୂଷିତ ସହରର ମାନ୍ୟତାଲାଭ କରିଛି। ରିପୋର୍ଟ ଅନୁଯାୟୀ ଦିଲ୍ଲୀ ସହରର ୪୦ଟି ସ୍ଥାନରେ ଖଞ୍ଜାଯାଇଥିବା ମନିଟରିଂ ଷ୍ଟେସନରେ ପ୍ରଦୂଷଣ ମାତ୍ରା ଅତ୍ୟନ୍ତ ଖରାପ ରହିଥିବା କୁହାଯାଇଛି। ବୁରାରି କ୍ରସିଂ ଅଞ୍ଚଳରେ ଏକ୍ୟୁଆଇ ୩୯୪ ରେକର୍ଡ କରାଯାଇଥିବାବେଳେ ସୋନିଆ ବିହାରରେ ଏହା ୩୯୨, ପଞ୍ଜାବୀ ବାଗରେ ୩୯୧, ନର୍ଥ କ୍ୟାମ୍ପସରେର ୩୯୦, ବାୱାନାରେ ୩୮୮, ଜାହାଙ୍ଗୀରପୁରୀରେ ୩୮୭, ରୋହିଣୀରେ ୩୮୫, ଅଶୋକ ବିହାରରେ ୩୮୪ ଏବଂ ନେହେରୁ ନଗରରେ ଏହା ୩୮୧ ରହିଥିଲା। ଏହି ପ୍ରସଙ୍ଗରେ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି ଯେ ଦୀପାବଳିରେ ବାଣଫୁଟା କଟକଣାକୁ କାର୍ଯ୍ୟକାରୀ କରିବାକୁ ପୁଲିସର ୩୭୭ଟି ଦଳକୁ ନିୟୋଜିତ କରାଯାଇଥିଲା। ବିଭିନ୍ନ ଅଞ୍ଚଳରେ ଯେପରି ବାଣଫୁଟା ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ଦିଲ୍ଲୀର ସବୁ ପୁଲିସ ଡିସିପିଙ୍କୁ ଦାୟିତ୍ବ ଦିଆଯାଇଥିଲା। ଏହାସତ୍ତ୍ବେ ଦିଲ୍ଲୀକୁ କିପରି ବାଣ ଆସିଲା ଏବଂ ସହରବାସୀ ସମସ୍ତ କଟକଣାକୁ ବେଖାତିର କରି ଏହା ଫୁଟାଇଲେ, ତାହା କ୍ଷମତାସୀନ ଆପ୍‌ ସରକାରଙ୍କ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନାଯୋଗ୍ୟ ଗତବର୍ଷ ଦୀପାବଳି ପରଦିନ ଦିଲ୍ଳୀର ବାୟୁମଣ୍ଡଳ ଅତି ପରିଷ୍କାର (ଏକ୍ୟୁଆଇ ୨୧୮) ରହିଥିଲା।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories