ଦାନଗଦି: ସ୍ରୋତର ପ୍ରତିକୂଳରେ ନୂଆ କିଛି କରିବାର ଝୁଙ୍କ୍ ନେଇ ଇତିହାସ ସ୍ରୁଷ୍ଟି କରିବାକୁ ଅଣ୍ଟା ଭିଡିଛନ୍ତି କଳିଙ୍ଗନଗର ଶିଳ୍ପାଞ୍ଚଳର ଚାଷୀ କୂଳ। ଶିଳ୍ପର ଧୂଆଁ ଧୂଳି ପରିବେଶରେ ନିଜ ଜମିରେ ବିଦେଶୀ କୋଳି ଫଳାଇ ସଫଳତା ପାଇବା ସହ ଅନ୍ୟକୁ ସ୍ୱାବଲମ୍ବୀ ହେବାକୁ ବାର୍ତ୍ତା ଦେଇଛନ୍ତି ଏଠାକାର ଚାଷୀ ରାଜେନ୍ଦ୍ର ଘଡାଇ।
ନବେ ଦଶକରୁ କଳିଙ୍ଗନଗର ରେ ଶିଳ୍ପ ପ୍ରତିଷ୍ଠା ଆରମ୍ଭ ହୋଇଛି। ଏକଦା ପାହାଡ଼ି ଝର ପାଣିରେ ସୁନା ର ଫସଲ ଫଳୁଥିବା ଏହି ଉର୍ବର ଭୂ-ଖଣ୍ଡରେ ଏବେ ମାଳ ମାଳ ଶିଳ୍ପାନୁଷ୍ଠାନ। ଜଳ, ଜମି ଓ ଜଙ୍ଗଲର ବିରାଟ ଉପତ୍ୟକା ରେ ଦଣ୍ଡାୟମାନ ଗଣ୍ଡା ଗଣ୍ଡା ଶିଳ୍ପର ଚିମିନି। ଯେଉଁ କେତେକ ଜମି ବଳକା ରହି ଯାଇଛି କାହିଁ କେତେ କାଳରୁ ସେ ଜମିକୁ ଆଉ କେବେ ହଳ ଯାଉନି। ମୋଟାମୋଟି ଭାବେ ଚାଷ ବାଟହୁଡ଼ା ଚଷା ପୁଅ କେଉଁଠି ଶିଳ୍ପ ରେ ଠିକା ଶ୍ରମିକ ସାଜିଛି ତ କେଉଁଠି ଠିକାଦାର ପାଲଟିଛି ।
କାମ ଧନ୍ଦା ନପାଇଲେ ବେକାର ହୋଇ ବୁଲୁଛି ପଛେ ଚାଷୀ ଘର ପୁଅ ଆଉ ବିଲକୁ ଯାଉନି। ଏମିତି ପରିବର୍ତ୍ତିତ ପରିସ୍ଥିତି ର ଦୀର୍ଘ ବ୍ୟବଧାନ ପରେ ଏବେ ନୂଆ ସମ୍ଭାବନା ର ଆକର୍ଷଣ ସ୍ରୁଷ୍ଟି କରିଛନ୍ତି ରାଜେନ୍ଦ୍ର ଙ୍କ ପରି କିଛି ଉଦ୍ୟମୀ ଚାଷୀ। ଦାନଗଦି ବ୍ଳକ ମାନତୀରା ପଞ୍ଚାୟତ କେନ୍ଦୁଢିପି ଗ୍ରାମର ଚାଷୀ ଶ୍ରୀ ଘଡାଇ ଅନ୍ୟ ମାନଙ୍କ ପରି ଶିଳ୍ପରେ ଶ୍ରମିକ ଭାବେ ୧୨ ଘଣ୍ଟା ଖଟିବାକୁ ପସନ୍ଦ କରନ୍ତି ନାହିଁ।
ଯୁକ୍ତ ତିନି ତୃତୀୟ ବର୍ଷ ପର୍ଯ୍ୟନ୍ତ ପଢିଥିଲେ ମଧ୍ୟ ସେ ନିଜ ପୈତୃକ ଜମି ରେ ପାରମ୍ପରିକ ଧାନ ଚାଷ କରି ଆସୁଥିଲେ। ଗତ ବର୍ଷ ୟୁ ଟ୍ୟୁବରେ ବିଦେଶୀ କୋଳି ଚାଷ ଦେଖି ସେଥିପାଇଁ ମନ ବଳାଇଲେ ଚାଷୀ ରାଜେନ୍ଦ୍ର ନିଜର ଏକ ଏକର ଜମି ରେ ଲଣ୍ଡନ ବେରି କୋଳି ଯାହାକୁ କି କାଶ୍ମୀର କିମ୍ବା କଲିକତି କୋଳି ଭାବେ ଲୋକେ ଜାଣନ୍ତି ସେଥିରୁ ପ୍ରାୟ ୪ ଶହ ଗଛ ଲଗାଇଲେ। ମାତ୍ର ବର୍ଷକ ମଧ୍ୟରେ ସେହି ଗଛରେ ଏବେ ପେନ୍ଥା ପେନ୍ଥା କୋଳି ଫଳିଛି।
ରାଜେନ୍ଦ୍ରଙ୍କ କହିବା ମୁତାବକ ଏହା ଏକ ଲାଭକାରୀ ଫସଲ। ଏଠାରେ ୪ ପ୍ରକାର ଗଛ ଲାଗିଛି। ଅତ୍ୟଧିକ ମିଠା କୋଳି ପାଇଁ ଏହାର ଚାହିଦା କାହିଁରେ କଣ। ଅଦ୍ୟାବଧି ଖର୍ଚ୍ଚ ହୋଇଥିବା ମୋଟ ୪୦ ହଜାର ଟଙ୍କା ଚଳିତ ବର୍ଷ କୋଳି ବିକ୍ରୀ ରୁ ଉଠିଯିବ। ଆଗାମୀ ଫଳ ରେ ନିଶ୍ଚୟ ଅଧିକ ଲାଭ ମିଳିବ ବୋଲି ଚାଷୀ ଶ୍ରୀ ଘଡାଇ ଆଶାବ୍ୟକ୍ତ କରିଛନ୍ତି l ଅନ୍ୟ ପକ୍ଷରେ ଫସଲ ପାଇଁ ପାଣି ବ୍ୟବସ୍ଥା ନଥିବାରୁ କୋଳି ଶୁଖି ଝଡ଼ି ପଡୁଥିବା ଦେଖିବାକୁ ମିଳିଛି।
ଶିଳ୍ପ ପାଇଁ ଏହି ଅଞ୍ଚଳର ସମସ୍ତ ଜମିର ବନ୍ଦୋବସ୍ତ ହୋଇନାହିଁ। ଫଳରେ ଜମି କୁ ନଟ ଫାଇନାଲ ଦର୍ଶାଇ ଚାଷୀ ମାନଙ୍କୁ ଉଦ୍ୟାନ କୃଷି ଓ କୃଷି ବିଭାଗ କୌଣସି ସହଯୋଗ ଦେଉନାହିଁ। ଏପରିକି ଚାଷିଙ୍କ ଜମିକୁ ପାଣି ଯୋଗାଇ ଦେବା କି ନଳକୂପ ଟିଏ ଖନନ କରାଯାଇ ପାରିବ ନାହିଁ ବୋଲି ସରକାରୀ କର୍ମଚାରୀ କହିବାପରେ କିଣା ପାଣିରେ ଫସଲ କରୁଥିବା କହିଛନ୍ତି ଚାଷୀ ରାଜେନ୍ଦ୍ର।
ତେବେ ତାଙ୍କର ଏହି ନିଆରା ପ୍ରୟାସ ସାଧୁବାଦର ଯୋଗ୍ୟ ନିଶ୍ଚୟ।ସରକାର ଓ ପ୍ରଶାସନ ଏହି ଭିନ୍ନ ପ୍ରଚେଷ୍ଠାକୁ ବିଶ୍ଲେଷଣ କରିବାର ବେଳ ଆସିଛି।



