www.samajalive.in
Saturday, December 6, 2025
19.1 C
Bhubaneswar

ରୁଦ୍ର ହସ୍ପିଟାଲ ନାଁରେ ଅଙ୍ଗ ତସ୍କରୀ ଅଭିଯୋଗ ମିଥ୍ୟା; ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ

ସମାଜ ଡିଜିଟାଲ ଡେସ୍କ: କଟକ ରୁଦ୍ର ହସ୍ପିଟାଲ ବିରୋଧରେ ହୋଇଥିବା ଅଙ୍ଗ ତସ୍କରୀ ଅଭିଯୋଗ ମିଥ୍ୟା ପ୍ରମାଣିତ ହୋଇଛି। କନ୍ଧମାଳର ବାବୁଲା ଦିଗାଳଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କୌଣସି ଅଙ୍ଗ ଚୋରି ହୋଇନାହିଁ ସମସ୍ତ ଅଙ୍ଗ ଯଥା ସ୍ଥାନରେ ଥିବା ସ୍ପଷ୍ଟ ହୋଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ କିଡ୍‌ନୀ ଚୋରି ହୋଇନଥିବା ସ୍ପଷ୍ଟ ହୋଇଛି। ଫଳରେ ପରିବାର କିଡ୍‌ନୀ ଚୋରି ନେଇ ଆଣିଥିବା ଅଭିଯୋଗ ମିଥ୍ୟା ପ୍ରମାଣିତ ହୋଇଛି। ଏ ସମ୍ପର୍କରେ କଟକ ଘରୋଇ ହସ୍ପିଟାଲ ସଂଘ ସାମ୍ବାଦିକ ସମ୍ମିଳନୀରେ ଉତ୍ତର ରଖିଛି।

ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ସ୍ପଷ୍ଟ ହୋଇଛି ଯେ ବାବୁଲାଙ୍କର କୌଣସି ଅଙ୍ଗ ଚୋରି ହୋଇନାହିଁ। ପରିବାର ଲୋକ ରୁଦ୍ର ହସ୍ପିଟାଲ ବିରୋଧରେ ଯେଉଁ ଅଭିଯୋଗ ଆଣିଛନ୍ତି, ତା’ର କୌଣସି ସତ୍ୟତା ନାହିଁ। ଶବ ବ୍ୟବଛେଦ ପୂର୍ବରୁ ନିକଟସ୍ଥ ଥାନାକୁ ନ ଜଣାଇବା ହସ୍ପିଟାଲର ଭୁଲ ହୋଇଛି ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ଏବଂ ସଂଘ ସ୍ୱୀକାର କରିଛନ୍ତି। ଅନ୍ୟପଟେ ଏପରି ଏକ ସମ୍ବେଦନଶୀଳ ଘଟଣାରେ କଟକ ଜୋନ ୪ର ଏସିପି ଉମାକାନ୍ତ ପ୍ରଧାନ କହିଛନ୍ତି, ପୁଲିସକୁ ନ ଜଣାଇ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ରୁଦ୍ର ହସ୍ପିଟାଲର ଭୁଲ। ଏହି ଘଟଣାର ତଦନ୍ତ ଚାଲିଛି। ଯଦି ଆଉ କିଛି ଅଭିଯୋଗ ଆସେ ତେବେ ତା’ଉପରେ ତ୍ୱରିତ ତଦନ୍ତ ହେବ ବୋଲି ସେ କହିଛନ୍ତି। ମୃତ୍ୟୁ ପରେ ପୁଲିସକୁ ନ ଜଣାଇ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଦେବା, ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାର ପରିଚୟକୁ ପଦାରେ ପକାଇଛି। ଅନ୍ୟପଟେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ନିର୍ଦ୍ଦେଶ ପରେ ଘଟଣାର ଅଧିକ ତଦନ୍ତ ଚଳାଇଛି ପୁଲିସ।

- Advertisement -

ସୂଚନାଯୋଗ୍ୟ, କନ୍ଧମାଳ ଜିଲା ବାଲିଗୁଡା ଥାନା ଅନ୍ତର୍ଗତ ଟିକରବାଜୁ ଗାଁର ବାବୁଲା ଦିଗାଳ ପୁଅ ଓ ସ୍ତ୍ରୀଙ୍କୁ ନେଇ ବାଇକ ଯୋଗେ ଯାଉଥିବା ସମୟରେ ତୁମୁଡିବନ୍ଧ ଥାନା ଅଞ୍ଚଳରେ ଏକ ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ପରିବାର ଲୋକେ ପ୍ରଥମେ ତୁମୁଡିବନ୍ଧ ହସ୍ପିଟାଲ, ପରେ ବାଲିଗୁଡା, ଫୁଲବାଣୀ ଓ ବ୍ରହ୍ମପୁର ଏମକେସିଜି ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ନ ହେବାରୁ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ କୌଣସି କାରଣବଶତଃ ଚିକିତ୍ସା ହୋଇପାରିନଥିଲା। ଏହାପରେ ପରିବାର ଲୋକେ ତାଙ୍କୁ କଟକ ସଦର ଥାନା ଅଞ୍ଚଳରେ ଥିବା ରୁଦ୍ର ହସ୍ପିଟାଲକୁ ନେଇଥିଲେ। ଆଡ଼ମିଶନ କରି ଟଙ୍କା ଜମା କରିବାର କିଛି ସମୟ ପରେ ଡାକ୍ତର ବାବୁଲା ଦିଗାଳଙ୍କୁ ମୃତ ଘୋଷଣା କରିଥିଲେ। ଗାଁକୁ ଆସିବା ସମୟରେ ପରିବାର ଲୋକେ ତାଙ୍କ ମୁଣ୍ଡ ଚିକିତ୍ସା ବଦଳରେ ତଳି ପେଟ କଟା ଯାଇଥିବା ଦେଖିବାକୁ ପାଇଥିଲେ। ପରିବାର ଓ ଗାଁ ଲୋକଙ୍କ ସହମତିରେ ଗାଁ ମଶାଣୀରେ ତାଙ୍କ ମୃତଦେହକୁ କବର ଦିଆଯାଇଥିଲା। କିନ୍ତୁ ପୁଣିଥରେ ସନ୍ଦେହ କରି ପରିବାର ଲୋକେ ଥାନାରେ ଅଭିଯୋଗ ଆଣିବା ପରେ ପୁଲିସ ମଶାଣୀରୁ କବର ଖୋଳି ମୃତଦେହକୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories