ଜଗତ୍‌‌ଜନନୀଙ୍କୁ ମେଲାଣି ; ଧୁମଧାମରେ କଟକରେ ଚାଲିଛି ମା’ଙ୍କ ଭସାଣି ଉତ୍ସବ

ଭୁବନେଶ୍ୱର : ଆନନ୍ଦ,ଉଲ୍ଲାସ ଭବ୍ୟ ଆୟୋଜନ ସହ ଶେଷ ହୋଇଛି ମା’ଙ୍କ ଦଶହରା। ଆଜି ଜଗତ୍‌‌ଜନନୀଙ୍କୁ ଦିଆଯାଉଛି ମେଲାଣି। ଟ୍ୱିନ୍‌‌ ସିଟିରେ ଭସାଣ ଉତ୍ସବକୁ ନେଇ ବିଭିନ୍ନ ନିର୍ଦ୍ଦେଶାବଳୀ ଲାଗୁ କରାଯାଇଛି। ଧୁମଧାମରେ  କଟକରେ ଚାଲିଛି ମା’ଙ୍କ ଭସାଣି ଉତ୍ସବ। ଟ୍ରାଫିକ କଟକଣା ଲାଗୁ କରାଯାଇଛି। ଦେବୀଗଡାରେ କୃତ୍ରିମ ପୋଖରୀରେ କରାଯାଉଛି ବିସର୍ଜନ। ଆଜି ଦେବୀଗଡରେ ୧୭୦ଟି ମେଢ ବିସର୍ଜନ ପାଇଁ ଲକ୍ଷ୍ୟ ରଖାଯାଇଛି। ଏ ପର୍ଯ୍ୟନ୍ତ ୧୫ଟିରୁ ଅଧିକ ମେଢ ବିସର୍ଜନ କରାଯାଇଛି। ଭସାଣ ସମୟରେ ସହରର ମୁଖ୍ୟ ରାସ୍ତାରେ ଯାନବାହାନ ଚଳାଚଳ ବାରଣ କରାଯାଇଛି। ଏହି ନିର୍ଦ୍ଦେଶାବଳୀ ଅନୁଯାୟୀ, କଲେଜ ଛକ ଠାରୁ ବକ୍ସିବଜାର ପର୍ଯ୍ୟନ୍ତ କୌଣସି ଯାନବାହାନ ଚଳାଚଳ ପାଇଁ ଅନୁମତି ଦିଆଯିବ ନାହିଁ। ସେହିପରି ତିନିକୋଣିଆ ବଗିଚା ଦେଇ ଚାନ୍ଦିନୀ ଚୌକ ଛକ ପର୍ୟ୍ୟନ୍ତ, ଚୌଧୁରୀ ବଜାର ଛକ ଠାରୁ ପୂର୍ଣ୍ଣସାହି ଛକ ପର୍ଯ୍ୟନ୍ତ, ଯାଉଁଳିଆପଟି ଓ ଫିରିଙ୍ଗି ବଜାର ଦେଇ ଦେବୀଗଡ଼ା ପର୍ୟ୍ୟନ୍ତ, ଚଣ୍ଡୀ ଛକରୁ ଶେଖ ବଜାର ଓ ମହମ୍ମଦିଆ ବଜାରରୁ ଚାନ୍ଦିନୀ ଚୌକ ପର୍ଯ୍ୟନ୍ତ ଭସାଣ ସମୟରେ ଯାନବାହାନ ଚଳାଚଳ ବାରଣ କରାଯାଇଛି। ତେବେ ମେଢ ଯାଉ ନ ଥିବା ସମୟରେ ଟ୍ରାଫିକ ନିର୍ଦ୍ଦେଶରେ ଗାଡ଼ି ଯାଇପାରିବ। ସୂଚନା ଅନୁଯାୟୀ, ଏହି ନିୟମ ଉଲଙ୍ଘନ କଲେ ୫ ଶହରୁ ୧ ହଜାର ଟଙ୍କା ପର୍ୟ୍ୟନ୍ତ ଜରିମାନା ଆଦାୟ କରାଯିବ।

 

Comments are closed.