ବୋଲରଙ୍କ ସଫଳତା ; ସିଏସ୍‌କେ ବିଜୟୀ, ସଙ୍କଟରେ ଦିଲ୍ଲୀ

ଚେନ୍ନଇ : ବୋଲରଙ୍କ ଚମତ୍କାର ପ୍ରଦର୍ଶନ; ମୋଟଉପରେ ଦଳଗତ ସଫଳତା ବଳରେ ବୁଧବାର ଚଳିତ ଆଇପିଏଲ୍‌ରେ ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ବିଜୟୀ ହୋଇଛି। ଦିଲ୍ଲୀ କ୍ୟାପିଟାଲ୍‌ସ ଦଳକୁ ୨୭ ରନ୍‌ରେ ପରାସ୍ତକରି ୧୨ଶ ମ୍ୟାଚ୍‌ରେ ୭ମ ବିଜୟ ସହ ସିଏସ୍‌କେ ପଏଣ୍ଟ ଟେବୁଲର ୨ୟ ସ୍ଥାନ ବଜାୟ ରଖିଛି। ଏହାସହ ଚେନ୍ନଇ ପ୍ଲେଅଫ୍‌ ଖେଳିବାର ନିକଟତର ମଧ୍ୟ ହୋଇଛି। କେହି ବଡ଼ ସ୍କୋର୍‌ କରିନଥିଲେ ହେଁ ୬ ଜଣ ବ୍ୟାଟ୍‌ସମ୍ୟାନ ୨୦ରୁ ଅଧିକ ରନ୍‌ କରିବାରୁ ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନଇ ସୁପର କିଙ୍ଗ୍‌ସ ୮ ୱିକେଟରେ ୧୬୭ ରନ୍‌ କରିଥିଲା। ସିଏସ୍‌କେର ବୋଲରମାନେ ନିୟମିତ ୱିକେଟ ନେବାରୁ ଦିଲ୍ଲୀ କ୍ୟାପିଟାଲ୍‌ସ ୮ ୱିକେଟ ହରାଇ ମାତ୍ର ୧୪୦ ରନ୍‌ କରି ପାରିଥିଲା। ୧୧ଶ ମ୍ୟାଚ୍‌ରେ ୭ମ ପରାଜୟ ପରେ ଦିଲ୍ଲୀ ପ୍ଲେଅଫ୍‌ରୁ ବାଦ୍‌ ପଡ଼ିବାର ଦ୍ବାରରେ ପହଞ୍ଚି ଯାଇଛି।
ଦିଲ୍ଲୀ କ୍ୟାପିଟାଲ୍‌ସ ପାଇଁ ଏହା ‘କର ବା ମର’ ମ୍ୟାଚ୍‌ ଥିଲା। ୧୬୮ ରନ୍‌ ଲକ୍ଷ୍ୟର ପିଛା କରିଥିବା ଦିଲ୍ଲୀ କ୍ୟାପିଟାଲ୍‌ସ ବିପର୍ଯ୍ୟୟ ସହ ଇନିଂସ ଆରମ୍ଭ କରିଥିଲା। ସିଏସ୍‌କେର ଦୀପକ ଚହର ନୂଆ ବଲ୍‌କୁ ସ୍ବିଙ୍ଗ୍‌କରି ୨ଟି ୱିକେଟ ନେଇ ଯାଇଥିଲେ। ଅଧିନାୟକ ଡେଭିଡ୍‌ ୱାର୍ଣ୍ଣର ଇନିଂସର ୨ୟ ବଲ୍‌ରେ ଆଉଟ୍‌ ହୋଇଥିଲେ। ଗତ ମ୍ୟାଚ୍‌ର ହିରୋ ଇଂଲଣ୍ଡର ଓପ୍‌ନର ଫିଲ୍‌ ସଲ୍‌ଟ ୧୧ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୧୭ ରନ୍‌କରି ମାରାତ୍ମକ ନଜର ଆସୁଥିବା ବେଳେ ଆଉଟ୍‌ ହୋଇ ଯାଇଥିଲେ। ମିଚେଲ ମାର୍ଶ ୫ ରନ୍‌କରି ରନ୍‌ଆଉଟ୍‌ ହୋଇଥିଲେ। ୨୫ ରନ୍‌ରେ ଦିଲ୍ଲୀ ୩ଟି ୱିକେଟ ହରାଇବା ପରେ ଇମ୍ପାକ୍ଟ ଖେଳାଳି ମନୀଷ ପାଣ୍ଡେ ଓ ରାଇଲି ରୁସୌ ସ୍କୋର୍‌କୁ ଆଗେଇ ନେଇଥିଲେ। ଦୁହେଁ ଧିମା ବ୍ୟାଟିଂ କରିଥିଲେ। ପାଣ୍ଡେ ଓ ରୁସୌ ୪ର୍ଥ ୱିକେଟ ପାଇଁ ୫୯ ବଲ୍‌ରୁ ମାତ୍ର ୫୯ ରନ୍‌ ଯୋଡ଼ିଥିଲେ। ମନୀଷ ପାଣ୍ଡେ ୨୯ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୭ ରନ୍‌ କରିଥିଲେ। ଦକ୍ଷିଣ ଆଫ୍ରିକାର ରାଇଲି ରୁସୌ ୩୭ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୩୫ ରନ୍‌ କରିଥିଲେ। ଅକ୍ଷର ପଟେଲ ୧୨ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୧ ରନ୍‌କରି ଆଉଟ୍‌ ହେବା ସହ ଦିଲ୍ଲୀର ପରାଜୟ ନିଶ୍ଚିତ ହୋଇ ଯାଇଥିଲା। ଲଳିତ ଯାଦବ ୫ ବଲ୍‌ରୁ ୧୨ ରନ୍‌ କରିଥିଲେ। ମାଥିଶା ପାଥିରାନା ୩ଟି ଓ ଦୀପକ ଚହର ୨ଟି ୱିକେଟ ନେଇଥିଲେ।
ଟସ୍‌ ଜିତି ଚେନ୍ନଇ ସୁପର କିଙ୍ଗ୍‌ସ ବ୍ୟାଟିଂ ନେବା ପରେ କେହି ବଡ଼ ସ୍କୋର୍ କରି ପାରିନଥିଲେ। ଶିବମ୍ ଦୁବେ ଓ ମହେନ୍ଦ୍ର ସିଂହ ଧୋନିଙ୍କ ଦ୍ରୁତ ଇନିଂସ ଯୋଗୁଁ ଏହା ୧୬୭ ରନ୍‌ରେ ପହଞ୍ଚି ପାରିଥିଲା। ଓପ୍‌ନିଂ ଯୋଡ଼ି ୪ ଓଭରରେ ୩୨ ରନ୍‌ କରିବା ପରେ ଡେଭନ୍ କନ୍‌ୱେ ୧୩ ବଲ୍‌ରୁ ମାତ୍ର ୧୦ ରନ୍‌କରି ବିଦାୟ ନେଇଥିଲେ। ଓପ୍‌ନର ଋତୁରାଜ ଗାଏକ୍‌ୱାଡ୍‌ ୧୮ ବଲ୍‌ରୁ ୪ଟି ଚୌକା ସହ ୨୪ ରନ୍‌ କରି ବିଦାୟ ନେଇଥିଲେ। ମୋଇନ୍ ଅଲୀ ୧୨ ବଲ୍‌ରୁ ୭ ରନ୍‌ କରିଥିଲେ। ଅଜିଙ୍କ ରାହାଣେ ୨୦ ବଲ୍‌ରୁ ୨୧ ରନ୍‌କରି ଆଉଟ୍‌ ହୋଇ ଯାଇଥିଲେ। ଶିବମ୍ ଦୁବେ ଓ ଅମ୍ବତି ରାୟୁଡୁ ୫ମ ୱିକେଟ ପାଇଁ ୧୯ ବଲ୍‌ରୁ ଦ୍ରୁତ ୩୬ ରନ୍‌ ଯୋଡ଼ିଥିଲେ। ଶିବମ୍ ଦୁବେ ୧୨ ବଲ୍‌ରୁ ୩ଟି ଛକା ସହ ୨୫ ରନ୍‌ କରିଥିଲେ। ରାୟୁଡୁ ୧୭ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୧ ରନ୍‌ କରିଥିଲେ। ରବୀନ୍ଦ୍ର ଜାଡ଼େଜା ଓ ଅମ୍ବତି ରାୟୁଡୁଙ୍କ ପ୍ରହାର ଯୋଗୁଁ ଚେନ୍ନଇ ଶେଷ ୩ ଓଭରରୁ ୩୯ ରନ୍‌ କରିଥିଲା। ଜାଡ଼େଜା ୧୬ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୧ ରନ୍‌ କରିଥିଲେ। ଧୋନି ୯ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୦ ରନ୍‌ କରିଥିଲେ। ମିଚେଲ ମାର୍ଶ ୩ଟି ଓ ବାମହାତି ସ୍ପିନର ଅକ୍ଷର ପଟେଲ ୨ଟି ୱିକେଟ ନେଇଥିଲେ। ଅଲ୍‌ରାଉଣ୍ଡ ସଫଳତା ପାଇଁ ରବୀନ୍ଦ୍ର ଜାଡ଼େଜା ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Comments are closed.