ଗୋପାଳପୁର/ଭୁବନେଶ୍ବର: ବହୁଚର୍ଚ୍ଚିତ ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମିରେ ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାର ତଦନ୍ତ ଦାୟିତ୍ବ କ୍ରାଇମ୍ବ୍ରାଞ୍ଚକୁ ଦିଆଯାଇଛି। ତୁରନ୍ତ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁଲିସ ମହାନିର୍ଦେଶକ (ଡିଜିପି) ଯୋଗେଶ ବାହାଦୂର ଖୁରାନିଆଙ୍କୁ ନିର୍ଦେଶ ଦେବା ପରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି। ଏନେଇ ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ମାମଲାର ଗମ୍ଭୀରତା ଓ ସ୍ପର୍ଶକାତରତାକୁ ଦୃଷ୍ଟିରେ ରଖି ଏହାକୁ ରେଡ୍ ଫ୍ଲାଗ ଶ୍ରେଣୀଭୁକ୍ତ କରାଯାଇଛି। କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ଶାଖା ମାମଲାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ପୁଲିସ ୧୦ ଅଭିଯୁକ୍ତଙ୍କୁ ଧରିଛି। ଅଭିଯୁକ୍ତଙ୍କ ମଧ୍ୟରେ ୪ଜଣ ନାବାଳକ ରହିଥିବାରୁ ସେମାନଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଛି। ଘଟଣାର ୨୪ ଘଣ୍ଟା ମଧ୍ୟରେ ୩ଟି ଦଳ ଗଠନ କରି ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ କାବୁ କରିବାର ସକ୍ଷମ ହୋଇଛି।
ଅପରାଧୀମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ଘଟଣାର ଦୃଢ଼ ନିନ୍ଦା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ ଓ ମାନବତା ବିରୋଧରେ ଏକ ଅପରାଧ। ଘଟଣାରେ ସମ୍ପୃକ୍ତ କୌଣସି ଅପରାଧୀଙ୍କୁ ଛଡ଼ା ଯିବନାହିଁ। ଆଇନ ଅନୁମୋଦିତ ସବୁଠାରୁ କଠୋର ଦଣ୍ଡବିଧାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅପରପକ୍ଷରେ ନିଜ ଆଡୁ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜାତୀୟ ମହିଳା କମିସନ ନିର୍ଦେଶ ଦେଇଛନ୍ତି। କମିସନ ଅଧ୍ୟକ୍ଷା ବିଜୟା ରାହତକର ଓଡ଼ିଶା ପୁଲିସ ମହାନିର୍ଦେଶକଙ୍କୁ ପତ୍ର ଲେଖି ଘଟଣାର ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦେଶ ଦେଇଛନ୍ତି। ତିନି ଦିନ ଭିତରେ ପୂରା ଘଟଣାର ରିପୋର୍ଟ ଦେବା ପାଇଁ ଏଥିରେ ସେ ଉଲ୍ଲେଖ କରିଛନ୍ତି। ଏହାସହ ପୀଡ଼ିତା ଯୁବତୀଙ୍କୁ କ୍ଷତିପୂରଣ ପ୍ରଦାନ ସହ ନିଃଶୁଳ୍କ ଚିକିତ୍ସା ସୁନିଶ୍ଚିତ କରିବା ଲାଗି ସେ କହିଛନ୍ତି।
ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ପୁଲିସ ତତ୍କାଳ ପଦକ୍ଷେପ ନେଇ ଗତକାଲି ରାତିରେ ହିଁ ୭ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ଆଜି ଆଉ ୩ଜଣଙ୍କୁ ବିଭିନ୍ନ ସ୍ଥାନରୁ ଉଠାଇ ନେଇଥିଲା। ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ହୁଣ୍ଡତର ପ୍ରମୋଦ ନାୟକ(୨୩), ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ବୁରୁପଡାର ବାବୁରାମ ଦଳାଇ(୧୯)ଓ ଲକ୍ଷମନ ପ୍ରଧାନ(୨୪), ଶିକିରର ଓମ୍ ପ୍ରଧାନ (୧୯) ଓ ଦୀପକ ତରାଇ(୧୯), କୁନାଲ ପ୍ରଧାନ(୨୪)ଙ୍କୁ ଗିରଫ କରାଯାଇଛି। ପ୍ରମୋଦ ନାୟକ ଘଟଣାର ମୁଖ୍ୟ ଅଭିଯୁକ୍ତ ହୋଇଥିବାବେଳେ ପୂର୍ବରୁ ତା ନାମରେ ମାମଲା ରହିଛି। ବାବୁରାମ ଓ କୁନାଲ ଅନ୍ୟ ଦୁଇ ଅଭିଯୁକ୍ତ ଥିବାବେଳେ ଅନ୍ୟ ସମସ୍ତ ଅଭିଯୁକ୍ତ ଏହି ଘଟଣାରେ ସହଯୋଗ କରିଥିଲେ। ଅନ୍ୟ ୪ ନାବାଳକ(୧୭ବର୍ଷ) ଶିକିର ଗ୍ରାମର ବୋଲି ଗୋପାଳପୁର ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡ. ସର୍ବଣା ବିବେକ ଏମ ସୂଚନା ଦେଇଛନ୍ତି। ସେହିପରି ସମ୍ପୃକ୍ତ ୪ ନାବାଳକକୁ ସାବାଳକ ବିବେଚନା କରି ସେମାନଙ୍କ ବିରୋଧରେ ମଧ୍ୟ ସମାନ ଦଣ୍ଡବିଧାନ କରିବାକୁ ପୁଲିସ ଅଦାଲତରେ ଆବେଦନ କରିଥିବା ଏସପି କହିଛନ୍ତି।
ସୂଚନା ମୁତାବକ, ବ୍ରହ୍ମପୁର ସହରର ଏକ ସରକାରୀ କଲେଜରେ ଯୁକ୍ତ ତିନିରେ ପଢୁଥିବା ଜଣେ ଛାତ୍ରୀ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ ଗତକାଲି ସନ୍ଧ୍ୟା ସାଢ଼େ ୬ଟାବେଳେ ଗୋପାଳପୁର ବୁଲିବାକୁ ଆସି ପାନ୍ଥନିବାସ ବେଳାଭୂମି ସନ୍ନିକଟ ଏକ ନିଛାଟିଆ ଜାଗାରେ ବସିଥିଲେ। ସେଠାରୁ ପ୍ରାୟ ୫୦ ମିଟର ଦୂରରେ କିଛି ଯୁବକ ବସିଥିଲେ। ରାତି ପ୍ରାୟ ୮ଟା ବେଳେ ହଠାତ ୧୦ ଜଣ ଯୁବକ ଆସି ଛାତ୍ରୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଅସଦାଚରଣ କରିଥିଲେ। ଏହାର ସେମାନେ ପ୍ରତିବାଦ କରିବାରୁ ୫ ଜଣ ଯୁବକ ପୁରୁଷ ବନ୍ଧୁଙ୍କୁ ଜବରଦସ୍ତ ମାଡ଼ି ବସିଥିଲେ। ଅନ୍ୟ ୫ ଜଣ ଯୁବକ ଛାତ୍ରୀଙ୍କୁ ସେଠାରୁ ୫୦ ମିଟର ଦୂରରେ ଥିବା ଏକ ସେଡ୍କୁ ଟେକି ନେଇଥିଲେ। ସେଠାରେ ୩ ଜଣ ଯୁବକ ବଳାତ୍କାର କରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଜଣେ ଯୁବକ ଭିଡିଓ ଓ ଫଟୋ ମଧ୍ୟ ଉତ୍ତୋଳନ କରିଥିଲେ। ରାତି ପ୍ରାୟ ୧୦ଟା ବେଳେ ପୁରୁଷ ବନ୍ଧୁ ଓ ପୀଡ଼ିତା ଛାତ୍ରୀଙ୍କୁ ସେଠାରେ ଅଭିଯୁକ୍ତମାନେ ଛାଡ଼ି ଦେବା ସହ ପୁଲିସକୁ ଜଣାଇଲେ ପରିସ୍ଥିତି ଭୟାବହ ହେବ ବୋଲି ଚେତାଇ ଦେଇ ଘଟଣାସ୍ଥଳରୁ ଚାଲି ଯାଇଥିଲେ। ମୋବାଇଲରେ ଉଠାଇଥିବା ଫଟୋ ଓ ଭିଡ଼ିଓକୁ ନଷ୍ଟ କରିବାକୁ ପୁରୁଷ ବନ୍ଧୁଜଣକ ଯୁବକମାନଙ୍କୁ ନେହୁରା ହୋଇଥିଲେ। ଏଥିପାଇଁ ଅଭିଯୁକ୍ତମାନେ ତାଙ୍କଠାରୁ ଅର୍ଥ ଦାବି କରିଥିଲେ। ପୁରୁଷ ବନ୍ଧୁ ନଗଦ ୩୦୦ ଏବଂ ନିଜ ମୋବାଇଲରୁ ଜଣେ ଅଭିଯୁକ୍ତର ମୋବାଇଲକୁ ଫୋନ ପେ’ ମାଧ୍ୟମରେ ୧୦୦୦ ଟଙ୍କା ମଧ୍ୟ ଟ୍ରାନ୍ସଫର କରିଥିଲେ।
ଉଭୟେ ରାତି ୧୧ଟା ବେଳେ ଗୋପାଳପୁର ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ପୁଲିସ ତ୍ବରିତ ପଦକ୍ଷେପ ସ୍ବରୂପ ଟଙ୍କା ପଠା ଯାଇଥିବା ମୋବାଇଲ ନମ୍ବରକୁ ଟ୍ରାକ କରି ଦୁଇ ଯୁବକଙ୍କୁ ଜାତୀୟ ରାଜପଥ ଡୁରା ଛକଠାରେ କାବୁ କରିଥିଲା। ପଚରାଉଚୁରା ବେଳେ ସେମାନେ ବଳାତ୍କାର ଘଟଣାରେ ସମ୍ପୃକ୍ତ ଥିବା ସ୍ବୀକାର କରିବା ସହ ଅନ୍ୟ ଅଭିଯୁକ୍ତଙ୍କୁ କାବୁ କରିବାରେ ପୁଲିସକୁ ସହଯୋଗ କରିଥିଲେ। ସୋମବାର ସକାଳ ସୁଦ୍ଧା ଶିକିରି ଓ ବୁରୁପଡାରେ ପୁଲିସ ଚଢ଼ଉ କରି ଅନ୍ୟ ୫ ଅଭିଯୁକ୍ତକୁ କାବୁ କରିବାରେ ସକ୍ଷମ ହୋଇଥିଲେ। ସୋମବାର ରାତିରେ ହିଁ ପୁଲିସ ଅନ୍ୟ ୩ଜଣ ଅଭିଯୁକ୍ତଙ୍କୁ ବିଭିନ୍ନ ସ୍ଥାନରୁ ଗିରଫ କରିଥିଲା।
ମୁଖ୍ୟ ଅଭିଯୁକ୍ତ ହୁଣ୍ଡତର ପ୍ରମୋଦ ନାୟକ ବେଙ୍ଗାଲୁରୁରେ ଏକ ଇଲେକ୍ଟ୍ରୋନିକ୍ସ କମ୍ପାନୀରେ କାମ କରନ୍ତି। ଛୁଟିରେ ନିକଟରେ ସେ ଗାଁକୁ ଫେରିଥିଲେ। ରବିବାର ପ୍ରମୋଦ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ବୁରୁପଡାର ଦୁଇବନ୍ଧୁ ବାବୁରାମ ଦଳାଇ ଓ ଲଖମନ ପ୍ରଧାନଙ୍କୁ ନେଇ ଦୁଇଟି ମୋଟରସାଇକଲରେ ଶିକିରି ଯାଇଥିଲେ। ସେଠାରୁ ଓମ୍ ଓ ଦୀପକ ଏବଂ ଆଉ ୩ଜଣ ନାବାଳକଙ୍କୁ ମିଶାଇ ୮ ଜଣ ୩ଟି ବାଇକରେ ପାଟପୁର ଯାଇଥିଲେ। ସେଠାରୁ କୁନାଲ ପ୍ରଧାନ ଓ ଅନ୍ୟଜଣେ ନାବାଳକକୁ ସାଙ୍ଗ କରି ଅପରାହ୍ନ ସାଢେ଼ ୩ଟା ବେଳେ ଗୋପାଳପୁର ବେଳାଭୂମିରେ ପହଞ୍ଚିଥିଲେ। ସମୁଦ୍ରରେ ସ୍ନାନ କରି ମଉଜ ମଜଲିସ କରିବା ପରେ ସନ୍ଧ୍ୟାରେ ପାନ୍ଥନିବାସ ଅଞ୍ଚଳର ନିର୍ଜନ ସ୍ଥାନରେ ବସି ମଦ୍ୟପାନ କରିଥିଲେ। ସନ୍ଧ୍ୟା ପ୍ରାୟ ସାଢେ ୬ଟା ବେଳେ ଉକ୍ତ ସ୍ଥାନକୁ ପୁରୁଷ ବନ୍ଧୁଙ୍କ ସହ ଛାତ୍ରୀ ଜଣଙ୍କ ପହଞ୍ଚି ଏକ ନିର୍ଜନ ସ୍ଥାନରେ ବସିଥିଲେ। ନିଛାଟିଆ ସ୍ଥାନ ସହ କେହି ଯିବାଆସିବା କରୁନଥିବାର ସୁଯୋଗ ଦେଖି ଯୁବକମାନେ ବଳାତ୍କାର କରିଥିଲେ ବୋଲି ଏସପି କହିଛନ୍ତି।
ପୀଡ଼ିତା ଛାତ୍ରୀର ଡାକ୍ତରୀ ମାଇନା କରାଯାଇଛି। ପୁରୁଷ ବନ୍ଧୁ ଓ ଛାତ୍ରୀଙ୍କ ବୟାନ ରେକର୍ଡ଼ କରାଯାଇଛି। ସମନ୍ବିତ ଶିଶୁ ଓ ମହିଳା ୟୁନିଟର ଉପ ଆରକ୍ଷୀ ଅଧୀକ୍ଷକ ଅକ୍ଷୟ କୁମାର ପଣ୍ଡାଙ୍କ ପକ୍ଷରୁ ଉପଆରକ୍ଷୀ ଅଧୀକ୍ଷକ ଅଲମା ଲାକ୍ରା ଘଟଣାର ତଦନ୍ତ କରିବାକୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସାଇଣ୍ଟିଫିକ୍ ଟିମ ଏବଂ ପୁଲିସର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ତଥ୍ୟ ସହ ପ୍ରମାଣ ସଂଗ୍ରହ କରିଛନ୍ତି। ଡିଜିପିଙ୍କ ନିର୍ଦେଶ ପରେ ଆଇଜି ଏସ୍ ସାଇନିଙ୍କ ନେତୃତ୍ବରେ କ୍ରାଇମବ୍ରାଞ୍ଚର ଏକ ସ୍ବତନ୍ତ୍ର ଦଳ ଗଠନ କରାଯାଇଛି। ସ୍ବତନ୍ତ୍ର ଦଳ ଗୋପାଳପୁର ଗସ୍ତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏଥିସହ ସ୍ଥାନୀୟ ଥାନାରେ ପହଞ୍ଚି ମାମଲାର ତଦନ୍ତକାରୀ ଅଧିକାରୀଙ୍କ ସହ କ୍ରାଇମବ୍ରାଞ୍ଚ ଦଳ ଆଲୋଚନା କରିଛି। ମାମଲାକୁ ଓଡ଼ିଶା ପୁଲିସ ପକ୍ଷରୁ ଗୁରୁତର ସହ ଗ୍ରହଣ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ଯୋଗାଡ଼ କରିବା ଲାଗି କ୍ରାଇମବ୍ରାଞ୍ଚ ଘଟଣାର ତନାଘନା ଚଳାଇଛି। ଡିଜିଟାଲ ପ୍ରମାଣ ସଂଗ୍ରହ ପାଇଁ ତଦନ୍ତକାରୀ ଦଳ ଉଦ୍ୟମ ଜାରି ରଖିଛି। ଏହି ଘଟଣାକୁ କେନ୍ଦ୍ର କରି ରାଜନୈତିକ ପ୍ରତିକ୍ରିୟା ମଧ୍ୟ ତୀବ୍ର ହୋଇଛି।



