ସିପିଏମ୍ଜିଙ୍କ କାର୍ଯ୍ୟାଳୟରେ ଫିଲାଟେଲିକ୍ ବ୍ୟୁରୋ ଉଦ୍ଘାଟିତ
ଭୁବନେଶ୍ୱର : ମୁଖ୍ୟ ମହାଡ଼ାକପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଫିଲାଟେଲିକ୍ ବ୍ୟୁରୋ ଉଦ୍ଘାଟିତ ହୋଇଛି। ଏଥିସହ ବିଭିନ୍ନ ଷ୍ଟାମ୍ପ୍ ସମ୍ବଳିତ ଦୁଇଟି ବିଶାଳ ପେଣ୍ଟିଂ ମଧ୍ୟ ଲୋକାର୍ପିତ ହୋଇଛି। ଏଠାରେ ସାଧାରଣ ଲୋକ, ଟିକଟ ସଂଗ୍ରହକାରୀ ପାଇଁ ସୁବିଧା ରହିଛି। ଗ୍ୟାଲେରୀରେ ମାଇଁ ଷ୍ଟାମ୍ପ୍ କାଉଣ୍ଟର ସହ ବହୁ ପୁରାତନ ଓ ଐତିହାସିକ ଷ୍ଟାମ୍ପ୍, ନୂଆ ଷ୍ଟାମ୍ପ୍, ସ୍ପେଶାଲ କଭର, ବୁକଲେଟ୍ ସ୍ଥାନ ପାଇଛି। ସେହିପରି ଷ୍ଟାମ୍ପ୍ ସଂଗ୍ରକୁ ନେଇ ମଧ୍ୟ ଏଠାରେ ବିବରଣୀ ସ୍ଥାନିତ ହୋଇଛି। ଆଜି ଏହି କାର୍ଯ୍ୟକ୍ରମରେ ରାଜସ୍ୱ ବୋର୍ଡ ସଦସ୍ୟ ଜିଭିଭି ଶର୍ମା ମୁଖ୍ୟ ଅତିଥିଭାବେ ଯୋଗଦେଇ କହିଥିଲେ ଯେ, ଷ୍ଟାମ୍ପ୍ ହେଉଛି ଇତିହାସର ମୂକସାକ୍ଷୀ। ଅନେକ ଲୋକ ବିଭିନ୍ନ ପ୍ରକାର ସ୍ମରଣିକା ସଂଗ୍ରହ କରୁଥିବା ବେଳେ ସେଥିରେ ଷ୍ଟାମ୍ପ୍ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି। ଏହାକୁ ଅଧିକ ଲୋକପ୍ରିୟ କରିବାର ଆବଶ୍ୟକତା ରହିଛି। ଆଜି ଉଦ୍ଘାଟିତ ହୋଇଥିବା ଫିଲାଟେଲିକ୍ ବ୍ୟୁରୋ ଏଦିଗରେ ଏକ ସଫଳ ପ୍ରୟାସ ବୋଲି କହିଥିଲେ। ମୁଖ୍ୟ ମହାଡ଼ାକପାଳ ଡ଼ଃ ସନ୍ତୋଷ କୁମାର କାମିଲାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଡିଏନ୍ ପାଢ଼ୀ, ବ୍ରହ୍ମପୁର କ୍ଷେତ୍ରର ପିଏମ୍ଜି କର୍ଣ୍ଣେଲ ଜେ କହଁର, ସମ୍ବଲପୁର କ୍ଷେତ୍ର ପିଏମ୍ଜି ଲଳିତେନ୍ଦୁ ପ୍ରଧାନ ବକ୍ତବ୍ୟ ପ୍ରଦାନ କରିଥିଲେ।