ଗୁଣପୁର: କରୋନାରେ ଦିନକୁ ଦିନ ଅକାଳରେ ଝଡିପଡୁଛନ୍ତି ଲୋକ। ଶବ ପାଖକୁ ପରିବାର ଓ ସମ୍ପର୍କୀୟ ମଧ୍ୟ ପାଖତଡ ମାଡୁନାହାନ୍ତି। ବିଭିନ୍ନ ଗାଁରେ ମୃତକ ପରିବାରକୁ ସମାଜିକ ବାସନ୍ଦ ଭଳି ଘୃଣ୍ୟ ପ୍ରଥା ବଢିବାର ଲାଗିଛି। ମୃତକ ପରିବାର ଲୋକ ନିଜ ଲୋକକୁ ହରାଇ ଯେତିକି ଦୁଃଖ ତାହା ଠାରୁ ସାମାଜିକ ବାସନ୍ଦ ଭଳି ବ୍ୟବହାର ଦୁଃଖକୁ ଦ୍ୱିଗୁଣିତ କରୁଛି। ଗତକାଲି ଏଭଳି ଏକ ଘଟଣା ଗୁଣପୁର ମେଡିକାଲ ପରିସରରେ ଦେଖିବାକୁ ମିଳିଛି। କରୋନାରେ ମୃତ୍ୟୁପରେ ପରିବାର ଲୋକ ଶବକୁ ଛୁଇଲେ ନାହିଁ। ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ରୋଗୀର ଶବ ମେଡିକାଲ ପରିସରରେ ପଡି ରହିଥିବା ବେଳେ ପ୍ରଶାସନ ହସ୍ତକ୍ଷେପ ପରେ ଶବଦାହ କରାଯାଇଛି। କରୋନା ସଂକ୍ରମଣରେ ଜଣେ ମହିଳା ଗତକାଲି ରାତ୍ର ଉପଖଣ୍ଡ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିଲା। ଏହି ଶବକୁ ପରିବାର ଲୋକ ଛୁଇଲେ ନାହିଁ। ପୌରସଂସ୍ଥା ପକ୍ଷରୁ ବଂଶଧାରା ନଦୀତଟ୍ଟରେ ଶବଦାହ କରାଯାଇଛି।
ଗତକାଲି ରାତ୍ର ପଦ୍ମପୁରର ନାଗମା ଶବର(୩୫) କରୋନା ସଂକ୍ରମଣ ହୋଇ ଅମ୍ଲଜାନ କମିଯାଇଥିଲା। ଗୁରୁତର ଅବସ୍ଥାରେ ଏକ ସ୍ୱତନ୍ତ୍ର ଆମ୍ବୁଲେନ୍ସରେ ଗୁଣପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ନାଗମାର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ପରିବାର ଲୋକ ଦାହ କରିବା କିମ୍ବା ଛୁଇଁବାକୁ ଅମଙ୍ଗ ହୋଇଥିଲେ। ମେଡିକାଲ ନିରୀକ୍ଷକ ରମେଶ ଚନ୍ଦ୍ର ସାହୁ ଘଟଣା ସମ୍ପର୍କରେ ସ୍ଥାନୀୟ ପୌରସଂସ୍ଥାକୁ ଅବଗତ କରିଥିଲେ। ପୌରସଂସ୍ଥାର ନିର୍ବାହି ଯନ୍ତ୍ରୀ ଉମା ପ୍ରସାଦ ଦାଶଙ୍କ ନିର୍ଦ୍ଦେଶକ୍ରମେ ଟିମ ଲିଡର ସୁରେଶ ମିଶ୍ରଙ୍କ ନେତୃତ୍ୱରେ ସଫେଇ କର୍ମଚାରୀ ଚିନୁ, ବିଜୟ କୁମାର, ସାବିନ, ରାମବାବୁ ଉକ୍ତ କରୋନାରେ ମୃତ୍ୟୁବରଣ କରିଥିବା ମହିଳାଙ୍କ ଶବଦାହ କରିବାକୁ ଆଗେଇ ଆସିଥିଲେ। ମେଡିକାଲରୁ ଏକ ଆମ୍ବୁଲେନ୍ସରେ ସ୍ଥାନୀୟ ବଂଶଧାରା ନଦୀତଟ୍ଟ ଶ୍ମଶାନରେ ସଫେଇ କର୍ମଚାରୀମାନେ ପିପିଇ କିଟ୍, ଗ୍ଲବ ପରିଧାନ କରି କୋଭିଡ ନିୟମାନୁଯାୟୀ ଆଜି ସକାଳେ ଶବଦାହ କରିଛନ୍ତି। ପୌରସଂସ୍ଥାର ଏହି ସଫେଇ କର୍ମଚାରୀଙ୍କ ଏଭଳି ମହତ କାର୍ଯ୍ୟକୁ ସାଧାରଣରେ ପ୍ରଶାଂସା କରାଯାଉଛି।



