ନୂଆଦିଲ୍ଲୀ : ଭାରତ ସରକାର ସରକାର ୪୨ହଜାର ୨୯୬ ଜଣ ଯାତ୍ରୀଙ୍କୁ ସାମୁହିକ ପର୍ଯ୍ୟବେକ୍ଷଣରେ ରଖିଛି। ଯେଉଁମାନଙ୍କ ମଧ୍ୟରୁ ୨ହଜାର ୫୫୯ ଜଣଙ୍କ ଶରୀରରେ ଭୂତାଣୁ ସଂକ୍ରମଣର ଲକ୍ଷଣ ଦେଖା ଦେଇଥିବା ବେଳେ ୫୨୨ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ୍ କହିଛନ୍ତି । ସେମାନଙ୍କ ମଧ୍ୟରେ ୧୭ ଜଣ ବିଦେଶୀ ନାଗରିକ ରହିଛନ୍ତି। ଏପର୍ଯ୍ୟନ୍ତ ମୋଟ୍ ୧ହଜାର ୩୧ ଜଣ ଯାତ୍ରୀଙ୍କୁ ଭୂତାଣୁ ସଂକ୍ରମଣ ବ୍ୟାପିଥିବା ବିଭିନ୍ନ ଦେଶରୁ ଅଣାଯାଇଛି।
ସେହିପରି ଆଉ ୫ଜଣ ଲୋକ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବାର ଜଣାପଡ଼ିଛି। ଏଥିସହିତ ଦେଶରେ କରୋନା ଭୂତାଣୁରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୮୧ରେ ପହଞ୍ଚିଛି। ଶ୍ରୀ ଅଗ୍ରୱାଲ୍ କହିଛନ୍ତି, ମୋଟ୍ ସଂକ୍ରମିତ ଲୋକଙ୍କ ମଧ୍ୟରେ ୬୪ ଜଣ ଭାରତୀୟ ଥିବା ବେଳେ ୧୬ ଜଣ ଇଟାଲୀର ନାଗରିକ ଓ ଜଣେ କାନାଡ଼ାର ନାଗରିକ ରହିଛନ୍ତି। ସେ କହିଛନ୍ତି, ସମସ୍ତ ସଂକ୍ରମିତ ଲୋକଙ୍କ ଅବସ୍ଥା ସ୍ଥିର ରହିଛି ଓ ଚିନ୍ତା କରିବାର କୌଣସି କାରଣ ନାହିଁ।



