www.samajalive.in
Wednesday, December 10, 2025
14.1 C
Bhubaneswar

କରୋନା ମୁକାବିଲା: ସାରା ଦେଶରେ ଓଡ଼ିଶା ମଡେଲ୍‌, ୪ରୁ୬ ସପ୍ତାହ ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ବର: ଓଡ଼ିଶାରେ କରୋନା ଆକ୍ରାନ୍ତ ରୋଗୀଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ସୁସ୍ଥ ହୋଇ ଘରକୁ ଯାଇଛନ୍ତି। ଦେଶରେ ଆରୋଗ୍ୟ ହାର ୫୧ ପ୍ରତିଶତ ରହିଥିବାବେଳେ ଓଡ଼ିଶାରେ ୬୭ ପ୍ରତିଶତ ରହିିଛି। ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଓଡ଼ିଶା କରୋନା ଚିକିତ୍ସା ପ୍ରଦାନରେ ଠିକ୍‌ ପଥରେ ରହିଛି। କରୋନା ମୁକାବିଲା କ୍ଷେତ୍ରରେ ବର୍ତ୍ତମାନ ଓଡ଼ିଶା ସାରା ଦେଶରେ ଏକ ମଡେଲ୍‌ ଭାବେ ବିବେଚିତ ହୋଇଛି। ସଂକ୍ରମିତ ସଂଖ୍ୟାଙ୍କ ସୁସ୍ଥହାର ଅଧିକ ଓ ମୃତ୍ୟୁହାର କମ୍‌ ରହିଥିବାରୁ ଓଡ଼ିଶାରେ କରୋନା ମୁକାବିଲା ସନ୍ତୋଷ ଜନକ ରହିଛି। ଓଡ଼ିଶାର ସାଢେ ଚାରିକୋଟି ଲୋକ ହେଉଛନ୍ତି କରୋନା ଯୋଦ୍ଧା। ସବୁ ସରପଞ୍ଚ, ଆଶାଦିଦି, ଅଙ୍ଗନୱାଡ଼ି କର୍ମୀ, ଶିକ୍ଷକ, ପୁଲିସ କର୍ମଚାରୀ, ନର୍ସ, ଡାକ୍ତର ସମସ୍ତ ଓଡ଼ିଶାବାସୀ ହେଉଛନ୍ତି କରୋନା ଯୋଦ୍ଧା। ସେମାନେ ଗତ ସାଢ଼େ ତିନି ମାସରେ ଯେଉଁ କରୋନା ଯୁଦ୍ଧ ଲଢ଼ିଛନ୍ତି ତାହା ସାରା ଦେଶକୁ ଶିଖାଇ ଦେଇଛି ଯେ କ’ଣ କଲେ ଏହି ମହାମାରୀକୁ ସଫଳ ଭାବେ ଅତିକ୍ରମ କରିପାରିବା। ବର୍ତ୍ତମାନ ଯେବେଠୁ ଲକ୍‌ଡାଉନ୍‌ କୋହଳ ହେଲା ସେବେଠୁ ସାରା ଦେଶରେ କରୋନା ପଜିଟିଭ୍‌ ସଂଖ୍ୟା ବଢ଼ିଲା। ସେହି ଅନୁଯାୟୀ ଓଡ଼ିଶାରେ ମଧ୍ୟ କରୋନା ପଜିଟିଭ୍‌ ସଂଖ୍ୟା ବଢ଼ିଛି। ତେବେ ଡାକ୍ତରଙ୍କ କହିବା କଥା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଉ ୪ରୁ ୬ ସପ୍ତାହ ପର୍ଯ୍ୟନ୍ତ ବଢ଼ିପାରେ ଏବଂ ଏହି ୪ରୁ୬ ସପ୍ତାହ ବେଶ୍‌ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଇପାରିବ। ତେବେ ଏହା ଏକ ସ୍ବାଭାବିକ ପ୍ରକ୍ରିୟା ବୋଲି ସେମାନେ କହିଛନ୍ତି। ଲକ୍‌ଡାଉନ୍‌ କୋହଳ କରାଯିବା ଅର୍ଥ ଜୀବନ ଓ ଜୀବିକା ଉଭୟ ସାଙ୍ଗେ ସାଙ୍ଗେ ଆଗେଇବା ଉଚିତ। ଜୀବିକା ପାଇଁ ସୁଯୋଗ ଦେବାକୁ ଲକ୍‌ଡାଉନ୍‌ କୋହଳ କରାଯାଇଛି। କିନ୍ତୁ ସେହି ସମୟରେ ସବୁ ଲୋକଙ୍କ ବ୍ୟକ୍ତିଗତ ଦାୟିତ୍ବ ବଢ଼ିଛି। ଆମେ ଅଧିକ ସତର୍କ ରହିବା ଓ ଯତ୍ନବାନ ରହିବା। ଫଳରେ କରେନା ସଂକ୍ରମଣର ସଫଳ ମୁକାବିଲା କରିପାରିବା ବୋଲି ଗୀତ ଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜାତୀୟ ସ୍ବାସ୍ଥ୍ୟ(ଏନ୍‌ଏଚ୍‌ଏମ୍‌) ନିର୍ଦେଶିକା ଶାଲିନୀ ପଣ୍ଡିତ ପ୍ରକାଶ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories