ଭୁବନେଶ୍ବର (ଦେବୀପ୍ରସାଦ ମହାନ୍ତି) : ବିଶ୍ୱବ୍ୟାପୀ କରୋନା ଭୂତାଣୁର ପ୍ରକୋପ ଜାରି ଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ସରକାର ଦେଶକୁ ଲକ ଡାଉନ କରିବା ସହିତ ବିଭିନ୍ନ ସର୍ତକତା ମୂଳକ ପଦକ୍ଷେପ ନେବା ପାଇଁ ବାରମ୍ବାର ପରାମର୍ଶ ଦେଉଛନ୍ତି । ଯେଉଁମାନଙ୍କଠାରେ କରୋନା ଭୂତାଣୁର ଲକ୍ଷଣ ଦେଖାଦେଉଛି ସେମାନଙ୍କୁ ସରକାରୀ ନିୟମ ଅନୁସାରେ ୧୪ ଦିନର କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଉଛି । ହେଲେ ନିକଟରେ କିଛି ଘଟଣା ଦେଖିଲେ ଜଣାପଡ଼ୁଛି ଯେ ଲକ୍ଷଣ ପ୍ରକାଶ ନ ପାଇଲେ ମଧ୍ୟ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ପାରିବ । ଚୀନ ଓ ଦକ୍ଷିଣ କୋରିଆରେ ଏପରି କିଛି ଘଟଣା ଦୃଷ୍ଟିକୁ ଆସିଛି । ବର୍ତ୍ତମାନ ସମୟରେ ଏହା ସବୁଠାରୁ ବଡ଼ ସମସ୍ୟା ଭାବରେ ଉଭା ହୋଇଛି ଓ ଡ଼ାକ୍ତରମାନଙ୍କ ପାଇଁ ଆହ୍ବାନ ପାଲଟିଛି । ଯଦି ଆପଣ ୧୪ ଦିନର କ୍ବାରେଣ୍ଟାଇନରେ ରହିଲାପରେ ମଧ୍ୟ ଲକ୍ଷଣ ଜଣାପଡୁ ନାହିଁ ତେବେ ୨୮ ଦିନର କ୍ବାରେଣ୍ଟାଇନରେ ରହିପାରିବେ ବୋଲି ଭେଷଜ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି । ଏହାସହ କରୋନା ରୋଗୀର ମୃତଦେହର ଅନ୍ତିମ ସଂସ୍କାର ନିୟମାବଳୀ ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଛନ୍ତି । ପ୍ରଥମେ ଉକ୍ତ ମୃତଦେହକୁ ବିଶୋଧନ କରାଯିବ। ପରେ କିଛି ରାସାୟନିକ ତରଳ ପଦାର୍ଥ ଦ୍ବାରା ଏକ ବ୍ୟାଗରେ ଭର୍ତ୍ତି କରାଯାଇ ଭଲଭାବରେ ସିଲ କରାଯିବ। ବ୍ୟାଗ ସହିତ ତାଙ୍କ ମୃତଦେହକୁ ଶେଷକ୍ରିୟା କରାଯିବ । ଏହି ସମୟରେ ପରିବାରଲୋକଙ୍କ ମଧ୍ୟରୁ ସର୍ବାଧିକ ୨ ଜଣ ରହିପାରିବେ । କେହି ମୃତ ବ୍ୟକ୍ତିଙ୍କ ଶରୀରକୁ ଛୁଇଁ ପାରିବେ ନାହିଁ ବୋଲି ସରକାର ନିୟମାବଳୀ ପ୍ରଣୟନ କରିଛନ୍ତି । ଅନ୍ୟ ଦେଶରେ ମଧ୍ୟ ସମାନ ପଦ୍ଧତି ଅନୁସରଣ କରାଯାଉଛି । ଚୀନରେ ମୃତକମାନଙ୍କୁ ସମୂହ ସମାଧି ଦିଆଯାଉଥିବା ଦୃଷ୍ଟାନ୍ତ ରହିଛି । ଆମେରିକାରେ ଲୋକମାନଙ୍କୁ ଏକ ସ୍ଥାନରେ ‘ବଡ଼ି ବକ୍ସ’ ସହ ମଧ୍ୟ ପୋତି ଦିଆଯାଉଥିବା ଭିଡ଼ିଓ ବିଭିନ୍ନ ଗଣମାଧ୍ୟମରେ ପ୍ରଦର୍ଶିତ ହେଉଛି । ଓଡ଼ିଶାରେ ରାଜ୍ୟ ସରକାରଙ୍କ କୋବିଦ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । କରୋନା ଆକ୍ରାନ୍ତ ଲୋକଙ୍କ ଶବକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତରିତ କରିବାକୁ ସେ ପରାମର୍ଶ ଦେଇଛନ୍ତି ଏବଂ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ ସେମାନଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି କହିଛନ୍ତି ।
ସୂଚନା ଅନୁଯାୟୀ, ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟ ୫୪ ରହିଛି । ସେଥିମଧ୍ୟରୁ ୧୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି । ମୃତ କରୋନା ରୋଗୀ ଜଣଙ୍କ ହେଉଛନ୍ତି ଭୁବନେଶ୍ବରସ୍ଥିତ ଝାରପଡା ଅଞ୍ଚଳର । ଏପ୍ରିଲ ୬ ତାରିଖ ଦିନ ତାଙ୍କର ମୃତ୍ୟୁ ଘଟିଥିବାବେଳେ ସରକାରୀ ବିଧିବଧ ଭାବେ ୭ତାରିଖ ( ମଙ୍ଗଳବାର) ଦିନ ତାଙ୍କର ମୃତ୍ୟୁ ହୋଇଥିବା ଖବର ପ୍ରକାଶ ପାଇଥିଲା । ସେ ଭୁବନେଶ୍ବରର ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁବେଳଙ୍କୁ ତାଙ୍କ ବୟସ ୭୨ ହୋଇଥିବା ନେଇ ସ୍ବାସ୍ଥ୍ୟବିଭାଗ ଟ୍ବିଟ କରି ଜଣାଇଥିଲେ।


