ନୂଆଦିଲ୍ଲୀ : ଭାରତରେ ଏବେ ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ମଧ୍ୟରେ ଗତି କରୁଛି କରୋନା । ଏହି ଦୃଷ୍ଟିରୁ ସାରା ଦେଶ ପାଇଁ ଏବେ ସନ୍ଧିକ୍ଷଣ । ଏଥିରୁ ବର୍ତିବାକୁ ହେଲେ କଠୋର ପରିଶ୍ରମ କରିବାକୁ ପଡ଼ିବ ଓ ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବାକୁ ପଡ଼ିବ । ଭାରତରେ ଏବେ କରୋନା ଏଲସିଟି (ଲୋକାଲାଇଜ୍ଡ଼ କମ୍ୟୁନିଟି ଟ୍ରାନ୍ସମିଶନ) ସ୍ଥିତିରେ ରହିଛି ଅର୍ଥାତ୍ ଗୋଟିଏ ଗୋଟିଏ ନିର୍ଦିଷ୍ଟ ଅଞ୍ଚଳରେ ଏକାଧିକ ସଂକ୍ରମିତ ଠାବ ହେଉଛନ୍ତି । ଯାହା ଫଳରେ ଏହା ଏକପ୍ରକାର ନିୟନ୍ତ୍ରଣରେ ରହିଛି। ବାହକ ଓ ସଂକ୍ରମିତ ବାହକଙ୍କଠାରୁ ଏହା ସାମୁଦାୟିକ ସଂକ୍ରମଣ ହୋଇଥିବାର ଦୃଷ୍ଟାନ୍ତ ମିଳିନାହିଁ । ତେଣୁ ଏହାକୁ ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ ମଧ୍ୟସ୍ଥଳରେ ରହିଥିବା କୁହାଯାଉଛି । ଏହା ସାମୁଦାୟିକ ସଂକ୍ରମଣ ହେଲେ ଆଉ ରୋକିବା ସମ୍ଭବ ହେବ ନାହିଁ । ଏହି ପରିପ୍ରେକ୍ଷୀରେ ଭାରତ ଏକ ସନ୍ଧିକ୍ଷଣ ଦେଇ ଗତି କରୁଛି । କରୋନାକୁ ଏହିଠାରେ ରୋକାଯାଇ ନ ପାରିଲେ ୧୩୦ କୋଟି ବିଶିଷ୍ଟ ଭାରତ ଅତ୍ୟନ୍ତ ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହୋଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମନେ କରୁଛନ୍ତି ।
ଦିନକ ତଳେ କରୋନା ମୁକାବିଲା ନିମନ୍ତେ କେନ୍ଦ୍ର ସରକାର ଗଠନ କରିଥିବା ଟାସ୍କ ଫୋର୍ସର ଅନ୍ୟତମ ସଦସ୍ୟ ତଥା ଏମ୍ସ ନିର୍ଦେଶକ ଡ଼ା. ରଣଦୀପ ଗୁଲେରିଆ ଏ ସମ୍ପର୍କରେ ଆଲୋକପାତ କରିଛନ୍ତି । ଯଦିଓ ଭାରତରେ ଗୋଟିଏ ଗୋଟିଏ ସ୍ଥାନରେ ଏକାଧିକ ସଂକ୍ରମିତ ଠାବ ହେଉଛନ୍ତି ତାହା ସାମୁଦାୟିକସ୍ତରକୁ ଯାଇଛି ବୋଲି କୁହାଯାଇ ପାରିବ ନାହିଁ । କରୋନା ଦ୍ବିତୀୟ ପର୍ଯ୍ୟାୟରେ ରହିଛି ଓ ତୃତୀୟ ପର୍ଯ୍ୟାୟକୁ ଯିବା ନିମନ୍ତେ ଉପକ୍ରମ କରୁଛି ବୋଲି ଗୁଲେରିଆ କହିଛନ୍ତି।
ଯେଉଁମାନେ କରୋନା ପ୍ରଭାବିତ ରାଜ୍ୟ ବା ଦେଶରୁ ଆସିଥାଆନ୍ତି ଓ ସଂକ୍ରମିତ ହୋଇଥାଆନ୍ତି ସେମାନଙ୍କୁ ଦ୍ବିତୀୟ ପର୍ଯ୍ୟାୟ ବୋଲି କୁହାଯାଏ, ସେମାନଙ୍କଠାରୁ ଯେଉଁମାନଙ୍କୁ ସଂକ୍ରମଣ ବ୍ୟାପିଥାଏ ସେମାନଙ୍କୁ ତୃତୀୟ ପର୍ଯ୍ୟାୟର ବୋଲି କୁହାଯାଇଥାଏ । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ କରୋନା ସ୍ଥିତିକୁ ଦେଖିଲେ ଡ଼ା. ଗୁଲେରିଆଙ୍କ ମନ୍ତବ୍ୟ ଅତ୍ୟନ୍ତ ସ୍ପଷ୍ଟ ଭାବରେ ଅନୁଭବ କରି ହେଉଛି । ଓଡ଼ିଶାରେ ରୋଗୀ ସଂଖ୍ୟା ୪୨ରେ ପହଞ୍ଚିଥିଲେ ମଧ୍ୟ ଦୁଇଟି ସ୍ଥାନ ବ୍ୟତୀତ ଅନ୍ୟସ୍ଥାନରେ ତାହା ବିକ୍ଷିପ୍ତ । ଚିହ୍ନିତ ସଂକ୍ରମିତଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ କେବଳ ଭୁବନେଶ୍ବରର ଦୁଇଟି ସ୍ଥାନରୁ ଠାବ ହୋଇଛନ୍ତି । ସୂର୍ଯ୍ୟନଗର ଅଞ୍ଚଳରେ ଗୋଟିଏ ପରିବାରର ୩ଜଣ ଓ ସେମାନଙ୍କ ସଂସ୍ପର୍ଶେର ଆସିଥିବା ୫ ଭଡ଼ାଟିଆଙ୍କୁ ମିଶାଇ ୮ ଜଣ ଚିହ୍ନିତ ହୋଇଥିବାବେଳେ ବମିଖାଲ ଅଞ୍ଚଳରେ ଗୋଟିଏ ପରିବାରର ୩ ଭାଇଙ୍କୁ ମିଶାଇ ସେମାନଙ୍କ ସମ୍ପର୍କରେ ଆସିଥିବା ଆଉ ୧୫ ଜଣ ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।
ଭାରତ ପାଇଁ ସନ୍ଧିକ୍ଷଣ
Popular Categories



