ଭୁବନେଶ୍ବର: ବର୍ଷେ କି ଦୁଇବର୍ଷ ନୁହେଁ, ଗତ ୮ବର୍ଷ ଧରି ଶୋଷଣର ଶିକାର ହେଉଛନ୍ତି ବିଦ୍ୟୁତ୍ ଉପଭୋକ୍ତା। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) ଧାର୍ଯ୍ୟ କରିଥିବା ହାରାହାରି ଟାରିଫ୍ ଠାରୁ ଅଧିକ ହାରରେ ବିଦ୍ୟୁତ୍ ବିଲ୍ ଅାଦାୟ କରାଯାଉଛି। ୮ ବର୍ଷ ଭିତରେ ଏପରି ଭାବେ ମୋଟ ୭,୧୪୫ କୋଟି ଟଙ୍କା ଅଧିକ ଅାଦାୟ ହୋଇଛି। ବିଦ୍ୟୁତ୍ ଆଇନ, ୨୦୦୩ ଧାରା ୬୨(୬) ଅନୁସାରେ ଅଧିକ ଅାଦାୟ ହୋଇଥିବା ଉକ୍ତ ୭,୧୪୫ କୋଟି ଟଙ୍କା ସୁଧସହ ଉପଭୋକ୍ତାଙ୍କୁ ଫେରସ୍ତ କରିବା ପାଇଁ ବିଦ୍ୟୁତ୍ ନିୟାମକ ଆୟୋଗ ଗୁଡ଼ିକୁ ନିର୍ଦେଶ ରହିଛି। ଉକ୍ତ ଅଧିକ ଅାଦାୟ ବିଦ୍ୟୁତ୍ ବିଲ୍ ଉପଭୋକ୍ତାଙ୍କୁ ଫେରସ୍ତ କରିବା ପାଇଁ ଏପର୍ଯ୍ୟନ୍ତ ଓଇଆରସି କୌଣସି ପଦକ୍ଷେପ ନେଇନଥିବା ଜଣାପଡ଼ିଛି।
ଗତ ସେପ୍ଟେମ୍ବରରେ ଆନ୍ଧ୍ରପ୍ରଦେଶ ବିଦ୍ୟୁତ୍ ନିୟାମକ ଆୟୋଗ (ଏପିଇଆରସି) ଜାରି କରିଥିବା ଆଦେଶ ଅନୁଯାୟୀ, ଆନ୍ଧ୍ର ବିଦ୍ୟୁତ୍ ବିତରଣ କମ୍ପାନୀଗୁଡ଼ିକ ଉପଭୋକ୍ତାଙ୍କଠାରୁ ୯୨୪ କୋଟି ଟଙ୍କା ଅଧିକ ବିଦ୍ୟୁତ୍ ବିଲ୍ ଅାଦାୟ କରିଛନ୍ତି। ଅଧିକ ଅାଦାୟ ହୋଇଥିବା ବିଦ୍ୟୁତ୍ ବିଲ୍କୁ ଉପଭୋକ୍ତାଙ୍କୁ ଫେରସ୍ତ କରିବା ପାଇଁ ୧୨ଟି ମାସିକ କିସ୍ତିରେ ଫେରସ୍ତ ପାଇଁ ଆନ୍ଧ୍ରର ୪ଟି ବିଦ୍ୟୁତ୍ ବିତରଣ କମ୍ପାନୀକୁ ଏପିଇଆରସି ନିର୍ଦେଶ ଦେଇଛନ୍ତି। ଓଡ଼ିଶା ଏ ଦିଗରେ କେବେ ଆଗକୁ ବଢ଼ିବ ବୋଲି ଉପଭୋକ୍ତା ମହଲରେ ପ୍ରଶ୍ନ ଉଠୁଛି। ୨୦୨୬-୨୭ ବର୍ଷର ଟାରିଫ ନିର୍ଣ୍ଣୟ ପାଇଁ ଓଇଆରସି ବିଦ୍ୟୁତ୍ ବିତରଣ କମ୍ପାନୀଗୁଡ଼ିକର କାର୍ଯ୍ୟଦକ୍ଷତା ସମୀକ୍ଷା କରି ରିପୋର୍ଟ ପ୍ରକାଶ କରିଛନ୍ତି। ରିପୋର୍ଟ ଅନୁସାରେ, ବିତରଣ କମ୍ପାନୀଗୁଡ଼ିକୁ ପୂର୍ବବର୍ଷ (୨୦୨୪-୨୫)ରେ ୩୦,୭୯୫ ନିୟୁତ ୟୁନିଟ ବିଦ୍ୟୁତ୍ ଓଡ଼ିଶାର ୧ କୋଟି ଉପଭୋକ୍ତାଙ୍କୁ ବିକ୍ରୟ କରି ୟୁନିଟ୍ ପିଛା ହାରାହାରି ଟାରିଫ ୫ ଟଙ୍କା ୬୭ ପଇସା ହିସାବରେ ସର୍ବମୋଟ ୧୭୪୬୧ କୋଟି ଟଙ୍କା ରାଜସ୍ବ ଅସୁଲ କରିବା ପାଇଁ ଓଇଆରସି ମଞ୍ଜୁର କରିଥିଲେ।
ମାତ୍ର ବିତରଣ କମ୍ପାନୀଗୁଡ଼ିକ ୨୦୨୪-୨୫ ବର୍ଷରେ ବିକ୍ରୟ କଲେ ୨୯,୫୭୯ ନିୟୁତ ୟୁନିଟ ଓ ସେଥିରୁ ୟୁନିଟ ପିଛା ହାରାହାରି ଟାରିଫ ୬ ଟଙ୍କା ୩ ପଇସା ହିସାବରେ ଅସୁଲ କଲେ ୧୭୮୩୬ କୋଟି ଟଙ୍କା। ୨୦୨୪-୨୫ ପାଇଁ ଓଇଆରସି ଧାର୍ଯ୍ୟ କରିଥିବା ଟାରିଫଠାରୁ ୟୁନିଟ ପିଛା ୩୬ ପଇସା ହିସାବରେ ସର୍ବମୋଟ ୧୦୬୫ କୋଟି ଟଙ୍କା ଅଧିକ ଗଣିଛନ୍ତି ଉପଭୋକ୍ତା। କେବଳ ପୂର୍ବବର୍ଷ ନୁହେଁ, ୨୦୧୭-୧୮ରୁ ଲଗାତାର ଭାବେ ଉପଭୋକ୍ତା ଅଧିକ ଟାରିଫ ଦେଉଛନ୍ତି। ୨୦୧୭-୧୮ରେ ୟୁନିଟ ପିଛା ଅଧିକ ୮୩ ପଇସା ହିସାବରେ ୧,୪୬୫ କୋଟି ଟଙ୍କା, ୨୦୧୮-୧୯ରେ ୧୯ ପଇସା ହିସାବରେ ୩୬୪ କୋଟି ଟଙ୍କା ଅଧିକ ଆଦାୟ ହୋଇଛି। କେବଳ ୨୦୧୯-୨୦ରେ ୟୁନିଟ ପିଛା ୩ ପଇସା ହିସାବରେ ୬୧ କୋଟି ଟଙ୍କା କମ୍ ଅସୁଲ ହୋଇଛି। ୨୦୨୦-୨୧ରୁ ୨୦୨୪-୨୫ ପର୍ଯ୍ୟନ୍ତ ଲଗାତାର ୫ ବର୍ଷଧରି ୟୁନିଟ ପିଛା ଯଥାକ୍ରମେ ୪୫ ପଇସା, ୩୮ ପଇସା, ୬୧ ପଇସା, ୩୫ ପଇସା ଓ ୩୬ ପଇସା ହିସାବରେ ସର୍ବମୋଟ ୮୪୭ କୋଟି ଟଙ୍କା, ୮୨୩ କୋଟି ଟଙ୍କା, ୧୬୪୯ କୋଟି ଟଙ୍କା, ୯୯୩ କୋଟି ଟଙ୍କା ଓ ୧୦୬୫ କୋଟି ଟଙ୍କା ଉପଭୋକ୍ତାଙ୍କଠାରୁ ଅଧିକ ଅସୁଲ କରାଯାଇଛି। ଗତ ୮ ବର୍ଷରେ ଉପଭୋକ୍ତା ସର୍ବମୋଟ ୭୧୪୫ କୋଟି ଟଙ୍କା ଅଧିକ ବିଲ୍ ଗଣିଛନ୍ତି।
ପାୱାର ଫାଇନାନ୍ସ କର୍ପୋରେସନ (ପିଏଫସି) ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ, ଜାତୀୟ ହାରଠାରୁ ଓଡ଼ିଶା ଉପଭୋକ୍ତା ଅଧିକ ହାରରେ ବିଦ୍ୟୁତ୍ ମୂଲ୍ୟ ପରିଶୋଧ କରୁଛନ୍ତି। ଏହି ରିପୋର୍ଟ ଅନୁସାରେ, ୨୦୧୭-୧୮ରୁ ୨୦୨୩-୨୪ ମଧ୍ୟରେ ଓଡ଼ିଶା ଉପଭୋକ୍ତା ଜାତୀୟ ହାର ତୁଳନାରେ ୟୁନିଟ ପିଛା ଯଥାକ୍ରମେ ୪୬ ପଇସା, ୧୯ ପଇସା, ୨୪ ପଇସା, ୧୫ ପଇସା, ୯୦ ପଇସା, ୪୭ ପଇସା ଓ ୨୪ ପଇସା ଅଧିକ ଦେଇଛନ୍ତି। ଧାର୍ଯ୍ୟ ଟାରିଫଠାରୁ ବିତରଣ କମ୍ପାନୀଗୁଡ଼ିକ ଅଧିକ ଟାରିଫ ଅାଦାୟ କରିବା ପ୍ରସଙ୍ଗ ଉପରେ ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର ଓଇଆରସିରେ ଯୁକ୍ତି ଉପସ୍ଥାପନ କରି କହିଥିଲେ ଯେ, ଆୟୋଗ ବିଜ୍ଞାପିତ କରୁଥିବା ଖୁଚୁରା ବିଦ୍ୟୁତ୍ ମୂଲ୍ୟ (ଟାରିଫ) ତାଲିକା ଏକ ଭିତ୍ତିହୀନ ତାଲିକା। କାରଣ ବିଦ୍ୟୁତ୍ ମୂଲ୍ୟ ନିର୍ଣ୍ଣୟ ପ୍ରଣାଳୀରେ ଆୟୋଗ ହାରାହାରି ଟାରିଫ ଧାର୍ଯ୍ୟ କରୁଥିବାବେଳେ ବିଜ୍ଞାପିତ କରୁଥିବା ଖୁଚୁରା ଟାରିଫ ଧାର୍ଯ୍ୟ କରୁନାହାନ୍ତି। ସେଥିପାଇଁ ବିତରଣ କମ୍ପାନୀଗୁଡ଼ିକ ଅଧିକ ଟାରିଫ ଅସୁଲ କରିବାରେ ସକ୍ଷମ ହେଉଛନ୍ତି।
ଶ୍ରୀ ମହାପାତ୍ରଙ୍କ ଯୁକ୍ତିକୁ ଓଇଆରସି ଏପର୍ଯ୍ୟନ୍ତ ଖଣ୍ଡନ କରିନାହାନ୍ତି। ଗତବର୍ଷ ଓଇଆରସି ଆଂଶିକ ଏକମତ ହୋଇଥିଲେ ବି ଆନ୍ଧ୍ର ଆୟୋଗ ଭଳି ଆଦାୟ ହୋଇଥିବା ଅଧିକ ଟଙ୍କାକୁ ଫେରସ୍ତ କରିବା ପାଇଁ ପଦକ୍ଷେପ ନେଇନାହାନ୍ତି। ଏପରି ବିଳମ୍ବିତ ନିୟାମକ ପ୍ରକ୍ରିୟା ପାଇଁ ଉପଭୋକ୍ତା ଶୋଷିତ ହୋଇଆସୁଛନ୍ତି। ସେହିପରି ଜାତୀୟ ହାରଠାରୁ ଅଧିକ ଟାରିଫ ଦେବାକୁ ପଡୁଥିବାରୁ ଓଡ଼ିଶାର ଶିଳ୍ପ ସହ ଅର୍ଥନୈତିକ ବିକାଶ ବାଧାପ୍ରାପ୍ତ ହେଉଥିବା ଶ୍ରୀ ମହାପାତ୍ର କହିଛନ୍ତି।



