ଭୁବନେଶ୍ୱର : ଓଡ଼ିଶା ଔଷଧ ନିଗମର ମାକ୍ସ ଏବଂ ଅନ୍ୟାନ୍ୟ ସାମଗ୍ରୀ କିଣିବାର ଅଭିଯୋଗ ସଂକ୍ରାନ୍ତରେ ଗତକାଲି ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ ଦାସ ତାଙ୍କର ପ୍ରେସ କନ୍ଫରେନ୍ସରେ ଯାହା କହିଛନ୍ତି ତାହା ଅପରିପକ୍ୱତା ଓ ଅଜ୍ଞନତାର ପରିଚାୟକ। କେନ୍ଦ୍ର ସରକାରଙ୍କର ମାକ୍ସ କିଣିବା ସଂକ୍ରାନ୍ତରେ ମାର୍ଚ୍ଚ ୨୧ ତାରିଖ ଏବଂ ୨୪ ତାରିଖରେ ଲେଖିଥିବା ଚିଠି ଆଧାରରେ ରାଜ୍ୟ ସରକାର ମାକ୍ସ ୧୬ଟଙ୍କାରେ କିଣିଛନ୍ତି ବୋଲି କହିବା ତାଙ୍କର ଅପରିପକ୍ୱତାର ନିଦର୍ଶନ । କେନ୍ଦ୍ର ସରକାର ମାର୍ଚ୍ଚ ୨୧ ତାରିଖରେ ୧୦ଟଙ୍କା ଏବଂ ମାର୍ଚ୍ଚ ୨୪ ତାରିଖରେ ୧୬ଟଙ୍କା ମାକ୍ସ ପିଛା ଯେଉଁ ଦର ଧାର୍ଯ୍ୟ କରିଥିଲେ ତାହାଥିଲା ଖୁଚୁରା ଦର ଗ୍ରାହକଙ୍କପାଇଁ । ଖୁଚୁରା ଦର ଏବଂ ପାଇକାରୀ ଦର ଭିତରେ ପ୍ରଭେଦକୁ ମନ୍ତ୍ରୀ ଯଦି ଜାଣି ନାହାନ୍ତି ତାହା ତାଙ୍କର ଅଜ୍ଞାନତା ।
ବାସ୍ତବରେ ସେ ଓଡ଼ିଶା ଔଷଧ ନିଗମର ଜିନିଷପତ୍ର କିଣାରେ ସଂପୂର୍ଣ୍ଣ ଅଜ୍ଞ ତାଙ୍କ ପାଖରେ ବୋଧହୁଏ ଖବର ନାହିଁ ଯେ ଭାରତ ସରକାରଙ୍କ ଇମାର୍କେଟିଂ ପୋଟାଲ ମାଧ୍ୟମରେ ଜିନିଷପତ୍ର କଣିବାପାଇଁ ଏକ ନିର୍ଦ୍ଦେଶାବଳି ଦେଇଥିଲେ। ତଦନୁସାରେ ଓଡ଼ିଶା ଔଷଧନିଗମ ମାର୍ଚ୍ଚ ୩ ତାରିଖରେ ୩୦ଲକ୍ଷ ମାକ୍ସ କିଣିବାପାଇଁ ବିଡିଂ ମଧ୍ୟ କରିଥିଲେ। କିନ୍ତୁ ମାର୍ଚ୍ଚ ୧୮ ତାରିଖରେ ସେ ଏହି ବିଡିଂରୁ ଓହରିଗଲେ। ଏ ବିଷୟରେ ବୋଧେ ମନ୍ତ୍ରୀ ଅଜ୍ଞ। ମନ୍ତ୍ରୀ ମଧ୍ୟ ଅଜ୍ଞ ଯେ ଦିଲ୍ଳୀ, ପଣ୍ଡିଚେରୀ, ଆଣ୍ଡାମାନ ନିକୋବର, ଗୁଜୁରାଟ ଓ ତେଲେଙ୍ଗାନା ଇତ୍ୟାଦି ରାଜ୍ୟ ଏବଂ କେନ୍ଦ୍ରଶାଚିତ ଅଞ୍ଚଳ ଗୁଡ଼ିକ ସରକାରଙ୍କର ଇ-ମାର୍କେଟିଂ ପୋଟାଲ ମାଧ୍ୟମରେ ମାକ୍ସ ପିଛା ଯଥାକ୍ରମେ ଟ. ୮.୪୭, ୭.୮୮, ୭.୫୦, ୨.୪୦, ୧.୩୪ ଟଙ୍କାରେ କିଣିଛନ୍ତି ଏସବୁ ବିଷୟରେ ମନ୍ତ୍ରୀ ଅଜ୍ଞ ରହିବା ଏକ ଧର୍ତବ୍ୟ ଅପରାଧ। ମନ୍ତ୍ରୀଙ୍କର ଏହି ଅପରିପକ୍ୱତା, ଅଜ୍ଞାନତା ଓ ଅଜ୍ଞତା ପାଇଁ ସିଏ ତାଙ୍କ ଦାୟିତ୍ୱରେ ରହିବା ଯୋଗ୍ୟ ନୁହଁନ୍ତି। ତେଣୁ ତୁରନ୍ତ ଇସ୍ତଫା ଦେବା ଦରକାର ।
ଓଡ଼ିଶା ଔଷଧ ନିଗମ ଜିନିଷପତ୍ର କିଣାକିଣି କଲାବେଳେ ବୋଧହୁଏ ମନ୍ତ୍ରୀଙ୍କୁ ଅଜ୍ଞାତରେ ରଖିଛନ୍ତି। ତାହା ନହେଲେ ମନ୍ତ୍ରୀ ମହୋଦୟ ଗତକାଲି ସାମ୍ବାଦିକ ସମ୍ମିଳନୀରେ ଏଭଳି ଖାମଖିଆଲି ଏବଂ ଉପରଠାଉରିଆ ବକ୍ତବ୍ୟ ଦେଇ ନଥାନ୍ତେ। ବାସ୍ତବରେ ତାଙ୍କୁ ଯଦି ଅଜ୍ଞତା ଭିତରେ ରଖାଯାଇଛି ତେବେ ମନ୍ତ୍ରୀ ମହୋଦୟ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ବାଂଛନିୟ। ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଚିନ୍ମୟ ସୁନ୍ଦର ଦାସ, ମିଡ଼ିଆ ସଂଯୋଜକ, ଓପିସିସି ଶ୍ରୀ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।



