ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର : ଓଡ଼ିଆ ସିନେମାର ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଗଭୀର ଶୋକ ପ୍ରକଟ କରିଛନ୍ତି। ଏକ ଶୋକବାର୍ତ୍ତାରେ ସେ କହିଛନ୍ତି, ପ୍ରସିଦ୍ଧ ତଥା ଲୋକପ୍ରିୟ ଅଭିନେତା ଉତ୍ତମ ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ତାଙ୍କ ବିୟୋଗ ଓଡ଼ିଆ କଳା ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଓଡ଼ିଆ କଳା ଜଗତରେ ସେ ଛାଡ଼ିଯାଇଥିବା ଅଭିନୟର ଛାପ ତାଙ୍କୁ ସର୍ବଦା ଦର୍ଶକଙ୍କ ହୃଦୟରେ ଅମର କରି ରଖିବ। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଚିରସବୁଜ ନାୟକ ଉତ୍ତମଙ୍କ ବିୟୋଗ ଖବର ଶୁଣି ମର୍ମାହତ। ସେ କେବଳ କଳାକାର ନୁହେଁ, ପରିବାର ସଦସ୍ୟ ଭଳି ଥିଲେ। ନିଖୁଣ ଓ ଜୀବନ୍ତ ଅଭିନୟ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା।

ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏକ ଶୋକବାର୍ତ୍ତାରେ କହିଛନ୍ତି, ନିଖୁଣ ଅଭିନୟ ପାଇଁ ଶ୍ରୀ ମହାନ୍ତି ସ୍ମରଣୀୟ ହୋଇ ରହିବେ। ପିସିସି ସଭାପତି ଭକ୍ତ ଚରଣ ଦାସ ଉତ୍ତମଙ୍କ ପରଲୋକରେ ଓଡ଼ିଶା ଜଣେ ଅନୁଭବୀ କଳାକାରଙ୍କୁ ହରାଇଲା ବୋଲି କହିଛନ୍ତି।

Comments are closed.