ଆଳୁ ମିଶନରେ ଫିମ୍ପି: ଶୀତଳଭଣ୍ଡାର ସ୍ଥାପନ ଯୋଜନା ଫମ୍ପା

ରାଜ୍ୟରେ ଆଳୁର ଆବଶ୍ୟକତା ବାର୍ଷିକ ୧୩ ଲକ୍ଷ ଟନ୍

 ଅନ୍ୟରାଜ୍ୟରୁ ଆମଦାନୀ ହେଉଛି ୧୦ ଲକ୍ଷ ଟନରୁ ଅଧିକ 

ରାଜ୍ୟର ଶୀତଳଭଣ୍ଡାରର ସଂରକ୍ଷଣ କ୍ଷମତା ୧.୯୨ ଲକ୍ଷ ଟନ୍

ଭୁବନେଶ୍ୱର:  ରାଜ୍ୟ ସରକାର କୃଷି ବଜେଟ ଓ କୃଷି କ୍ୟାବିନେଟକୁ ନେଇ ବେଶ୍ ପ୍ରସଂଶା ଗୋଟାଇଛନ୍ତି । ଚାଷ କ୍ଷେତ୍ରରେ ଅଗ୍ରଗତି ପାଇଁ ଜାତୀୟ ଓ ଆନ୍ତର୍ଜାତୀୟ ପୁରସ୍କାର ପାଇଥିବା କୁହାଯାଉଛି । ମାତ୍ର ରାଜ୍ୟରେ ଅମଳ ସମୟରେ ନା ଆଳୁର ଅଭାବୀ ବିକ୍ରି ଦୂର ହୋଇ ପାରିଛି ନା ସଂରକ୍ଷଣ ପାଇଁ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇ ପାରିଛି ।  ଆଳୁ କ୍ଷେତ୍ରରେ ରାଜ୍ୟକୁ ସ୍ୱାବଲମ୍ବୀ କରିବାକୁ ସରକାର ୫ ବର୍ଷ ତଳେ ପ୍ରସ୍ତୁତ କରିଥିଲେ ଯୋଜନା। ୨୦୨୦  ସୁଦ୍ଧା ଆଳୁ ସଂରକ୍ଷଣ ଲାଗି ୧୧୨ଟି ଶୀତଳଭଣ୍ଡାର ନିର୍ମାଣ ଲକ୍ଷ୍ୟ ରଖାଯାଇଥିଲା।  ମାତ୍ର ୫ ଆର୍ଥିକ ବର୍ଷ ବିତିଲାଣି, ମାତ୍ର ଏହି ଅବଧି ମଧ୍ୟରେ ନିର୍ମାଣ ହୋଇଛି ମାତ୍ର ୨୨ଟି ଶୀତଳଭଣ୍ଡାର । ତାହାମଧ୍ୟରୁ ପୁଣି କେତୋଟି କାର୍ଯ୍ୟକ୍ଷମ ହୋଇପାରି ନାହିଁ ।  ଏହି ପରିପ୍ରେକ୍ଷୀରେ ବହୁ ପ୍ରତୀକ୍ଷିତ ଆଳୁ ମିଶନରେ କେବଳ  ଫିମ୍ପି ଲାଗି ନାହିଁ ଏବଂ ଶୀତଳଭଣ୍ଡାର ଯୋଜନା ଫମ୍ପା ସାବ୍ୟସ୍ତ ହୋଇଛି। ସୂଚନା ଅନୁସାରେ ରାଜ୍ୟରେ ଏବେ ଶୀତଳଭଣ୍ଡାର ସଂଖ୍ୟା ୧୨୧ । ଏହାମଧ୍ୟରୁ ୯୯ଟି ହେଉଛି ବେସରକାରୀ । ବିଡ଼ମ୍ବନା ହେଉଛି ରାଜ୍ୟରେ ସ୍ଥାପନ ହୋଇଥିବା ସରକାରୀ ଶୀତଳଭଣ୍ଡାରଗୁଡ଼ିକ ପ୍ରାୟତଃ ଅଚଳ ହୋଇ ପଡ଼ିଛି । ଯେଉଁ ୪୧ଟି ଘରୋଇ ଓ ସମବାୟ ସଂସ୍ଥା ଦ୍ବାରା ପରିଚାଳିତ ଶୀତଳଭଣ୍ଡାର ରହିଛି ତାହାର ମୋଟ ସଂରକ୍ଷଣ କ୍ଷମତା ମାତ୍ର ୧.୯୨ ଲକ୍ଷ ଟନ୍ । ଏହି ସ୍ଥିତିରେ ଆଳୁ ମିଶନ ଫିମ୍ପି ମାରିବାର ଶୀତଳଭଣ୍ଡାର ଅଭାବ ଅନ୍ୟଏକ କାରଣ ବୋଲି  ଅନେକ ମତ ଦେବା ସ୍ବାଭାବିକ ।

Absence of cold storage hits patato farming

ରାଜ୍ୟ ତଥା ଦେଶରେ ଆଳୁ ଦଳ ବୃଦ୍ଧିର ଯେଉଁ କାରଣ ଦେଖିବାକୁ ମିଳିଛି ତାହାର ମୁଖ୍ୟ କାରଣ ହେଲା ସଂରକ୍ଷଣ ଅଭାବ । ଗତବର୍ଷ ଦେଶରେ ୪୮ କୋଟି ବ୍ୟାଗ (ପ୍ରତି ବ୍ୟାଗ ୫୦ କେଜି) ଆଳୁ ସଂରକ୍ଷଣ ହୋଇଥିବାବେଳେ ଚଳିତ ବର୍ଷ ତାହା ୩୬ କୋଟି ବ୍ୟାଗକୁ ହ୍ରାସ ପାଇଥିଲା । ଅର୍ଥାତ୍ ପ୍ରାୟ ୨୫% କମ୍ ସଂରକ୍ଷଣ ହୋଇଥିବା ଯୋଗୁଁ ଆଳୁ ଅଭାବ ପଡ଼ିଥିବା ଜାତୀୟସ୍ତରରେ କୁହାଯାଉଛି । କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗ ସୂଚନା ଅନୁସାରେ ଚଳିତ ବର୍ଷ ୨୧୪.୨୫ ଲକ୍ଷ ଟନ ଆଳୁ ଶୀତଳଭଣ୍ଡାରଗୁଡ଼ିକରେ ସଂରକ୍ଷିତ ହୋଇ ରହିଥିଲା । ଯାହା ଗତବର୍ଷ ୨୩୮.୫ ଲକ୍ଷ ଟନ୍ ତୁଳନାରେ ପ୍ରାୟ ୨୪ ଲକ୍ଷ ଟନ୍ କମ୍ । ଆଳୁ ଅଭାବ ହେବାର ଏହା ମୁଖ୍ୟ କାରଣ ବୋଲି କୁହାଯାଉଛି ।

ଅନ୍ୟପକ୍ଷରେ ଦେଖିଲେ  ଆଳୁ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ପଡ଼ୋଶୀ ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ। ଚାହିଦା ଅନୁସାରେ ଓଡ଼ିଶାରେ ଆଳୁ ଉତ୍ପାଦନ ହେଉନାହିଁ। ଆଳୁ ଆମଦାନୀ ପରିମାଣ ବର୍ଷକୁ ବର୍ଷ ବଢ଼ିବାରେ ଲାଗିଛି। ୨୦୧୦-୧୧ରେ ୭.୨୨ ଲକ୍ଷ ଟନ୍‍ ଆଳୁ ଆମଦାନୀ ହୋଇଥିବାବେଳେ ୨୦୧୧-୧୨ରେ ଏହା ୮.୨ ଲକ୍ଷ ଟନ୍‍, ୨୦୧୩-୧୪ରେ ୯.୧୩ ଲକ୍ଷ ଟନ୍‍ ଓ ୨୦୧୫-୧୬ରେ ଏହା ୮.୧୩ ଲକ୍ଷ ଟନ୍‍ ବୋଲି ଯୋଗାଣ ବିଭାଗ ସୂଚନା  ଦେଇଥିଲା । ୨୦୧୫ରୁ ୨୦୧୮ ମସିହା ପର୍ଯ୍ୟନ୍ତ ବିଭିନ୍ନ ସମୟରେ କୃଷିମନ୍ତ୍ରୀମାନେ  ୨୦୨୦ ସୁଦ୍ଧା ୧୨ ଲକ୍ଷ ଟନ୍ ଆଳୁ ଉତ୍ପାଦନ କରାଯିବା ଏବଂ ଏହାକୁ ସଂରକ୍ଷଣ ନିମନ୍ତେ ୧୨୦ଟି ଶୀତଳଭଣ୍ଡାର ନିର୍ମାଣ କରାଯିବ ବୋଲି ବିଧାନସଭାରେ ଘୋଷଣା କରିଛନ୍ତି । ମାତ୍ର ଘୋଷଣା କେବଳ କାଗଜପତ୍ରରେ ରହିଯାଇଛି, ତାହା ବାସ୍ତବରେ ପରିଣତ ହୋଇପାରି ନାହିଁ ।

ଶୀତଳଭଣ୍ଡାର ନିର୍ମାଣ ନିମନ୍ତେ ସରକାର ୨୦୧୫ରେ କରିଥିଲେ ଏକ ଦୀର୍ଘ ଯୋଜନା ।  ୨୦୧୭-୧୮ ଆର୍ଥିକ ବର୍ଷ ଶେଷ ସୁଦ୍ଧା ପ୍ରତ୍ୟେକ ୫୦୦୦ ଟନ୍‍ କ୍ଷମତା ବିଶିଷ୍ଟ ୮୨ଟି ଶୀତଳ ଭଣ୍ଡାର ରାଜ୍ୟ ଯୋଜନାରେ ସ୍ଥାପନ କରିବେ ଓ ୨୦୨୦-୨୧ ସୁଦ୍ଧା ସବୁ ଶୀତଳଭଣ୍ଡାର ନିର୍ମାଣ ଶେଷ ହେବ ବୋଲି କୁହାଯାଇଥିଲା । ଏପରିକି ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ ଏଥିପାଇଁ ବିଜୁଳି ରିଆତି ବାବଦରେ ୫୩.୫୮ କୋଟି ଟଙ୍କା ବୋଝ ବୋହିବାକୁ ସରକାର ପ୍ରସ୍ତୁତ ହୋଇଥିଲେ । ଶୀତଳଭଣ୍ଡାରଗୁଡ଼ିକୁ ପ୍ରଥମ ଦୁଇ ବର୍ଷ ବିଜୁଳି ଦେୟର ୫୦ ପ୍ରତିଶତ, ତୃତୀୟ ଓ ୪ର୍ଥ ବର୍ଷରେ ୩୦ ପ୍ରତିଶତ ଏବଂ ୫ମ ଓ ୬ଷ୍ଠ ବର୍ଷ ୨୦ ପ୍ରତିଶତ ସରକାର ବହନ କରିବେ ବୋଲି ଘୋଷଣା କରିଥିଲେ। ୨୦୧୫-୧୬ ଆର୍ଥିକ ବର୍ଷରେ ୨୫ଟି, ୨୦୧୬-୧୭ ବର୍ଷରେ ୩୫ଟି ଓ ୨୦୧୭-୧୮ ବର୍ଷରେ ୨୨ଟି ଶୀତଳଭଣ୍ଡାର ନିର୍ମାଣ କରାଯିବାକୁ ଏହି ଯୋଜନାରେ ଲକ୍ଷ୍ୟ ରଖାଯାଇଥିଲା। ଏଥିପାଇଁ ଯଥାକ୍ରମେ ୬୨.୫ କୋଟି ଟଙ୍କା, ୮୭.୫ କୋଟି ଟଙ୍କା ଓ ୫୫ କୋଟି ଟଙ୍କା ଖର୍ଚ୍ଚ ବ୍ୟୟ ଅଟକଳ କରାଯାଇଥିଲା। ପ୍ରତି ଶୀତଳଭଣ୍ଡାରଗୁଡ଼ିକରେ ଆଳୁ ଗଚ୍ଛିତ ପରିମାଣ ଅନ୍ୟୂନ ୫୦୦୦ ଟନ୍‍ ରହିବ ଏବଂ ୨୦୧୭-୧୮ ବର୍ଷ ଶେଷ ସୁଦ୍ଧା ସଂରକ୍ଷଣ କ୍ଷମତା ୭.୦୫ ଲକ୍ଷ ଟନ୍‍କୁ ବୃଦ୍ଧି କରାଯିବ ବୋଲି ଯୋଜନା ପ୍ରସ୍ତୁତ ହୋଇଥିଲା।
ମାତ୍ର ନୂଆ ଶୀତଳଭଣ୍ଡାର ତ ଦୂରର କଥା ପୁରୁଣାଗୁଡ଼ିକର ପୁନରୁଦ୍ଧାର ହୋଇ ପାରିଲା ନାହିଁ।

ତତ୍କାଳୀନ ସମବାୟ ମନ୍ତ୍ରୀ  ଆଗ୍ରହୀ ଉଦ୍ୟୋଗୀମାନଙ୍କୁ ଶୀତଳଭଣ୍ଡାର ନିର୍ମାଣରେ ସରକାର ସହଯୋଗ କରିବାକୁ ଘୋଷଣା କରିଥିଲେ । ଆଗ୍ରହୀ ଉଦ୍ୟୋଗୀମାନେ ଏଥିପାଇଁ ବିଧିବଦ୍ଧ ଭାବରେ ବିସ୍ତୃତ ପ୍ରକଳ୍ପ ବିବରଣୀ, ଆର୍ଥିକ ସଂସ୍ଥାର ମଞ୍ଜୁରୀ ପତ୍ର ଓ ବୈଷୟିକ ଅନୁମୋଦନ ସହ ଜିଲାସ୍ତରୀୟ କମିଟି ନିକଟରେ ଆବେଦନ କରିବେ। ଏହାକୁ ଯାଞ୍ଚ କରାଯିବା ପରେ ରାଜ୍ୟସ୍ତରୀୟ ଷ୍ଟିଅରିଂ କମିଟିକୁ ପଠାଯିବ। ରାଜ୍ୟସ୍ତରୀୟ କମିଟିର ମଞ୍ଜୁରୀ ପରେ ଉଦ୍ୟୋଗୀଙ୍କୁ ଆବଶ୍ୟକୀୟ ରିଆତି ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯିବ। ଜଣେ ଉଦ୍ୟୋଗୀଙ୍କୁ ସର୍ବାଧିକ ୫୦୦୦ ଟନ୍‍ କ୍ଷମତା ବିଶିଷ୍ଟ ଶୀତଳଭଣ୍ଡାର ପାଇଁ ସହାୟତା ଦିଆଯିବ ବୋଲି  କହିଥିଲେ ।  ମାତ୍ର  ସରକାରୀ ଯୋଜନାର ଦାଓପେଞ୍ଚ ଯୋଗୁଁ ଉଦ୍ୟୋଗୀମାନେ ଶୀତଳଭଣ୍ଡାର ପାଇଁ ଆଗ୍ରହ ପ୍ରକାଶ କଲେ ନାହିଁ କି ସରକାର ମଧ୍ୟ ନିଜ ତରଫରୁ ଶୀତଳଭଣ୍ଡାର ସ୍ଥାପନ କଲେ ନାହିଁ । ଯେଉଁ ଅଚଳ ପୁରୁଣା ଶୀତଳଭଣ୍ଡାର ଥିଲା ତାହା ବି ଅଚଳ ହୋଇ ପଡ଼ି ରହିଲା ।

କେବଳ ସେତିକି ନୁହେଁ ବିଡ଼ମ୍ବନା ହେଉଛି ୨୦୧୫ ମସିହାରେ ରାଜ୍ୟରେ ଥିବା ୧୧୫ ଶୀତଳଭଣ୍ଡାର ମଧ୍ୟରୁ ୩୦ଟି ସଚଳ ଅବସ୍ଥାରେ ଥିଲା । ଯାହାର ସଂରକ୍ଷଣ କ୍ଷମତା ଥିଲା ୧.୬୮ ଲକ୍ଷ ଟନ୍ । ଆଉ ୨୦୨୦ ସୁଦ୍ଧା ରାଜ୍ୟରେ କାର୍ଯ୍ୟକ୍ଷମ ଶୀତଳଭଣ୍ଡାରର ସଂଖ୍ୟା ୪୧ ଓ ଏହାର ସଂରକ୍ଷଣ କ୍ଷମତା ୧.୯୨ ଲକ୍ଷ ଟନ୍ । ଅର୍ଥାତ୍ ୫ ବର୍ଷ ମଧ୍ୟରେ ୧୧ଟି ଅଚଳ ଶୀତଳଭଣ୍ଡାରକୁ ସରକାର ସଚଳ କରିବାକୁ ସକ୍ଷମ ହୋଇଛନ୍ତି ଏବଂ ସଂରକ୍ଷଣ କ୍ଷମତା ମାତ୍ର ୨୪ ହଜାର ଟନ କ୍ଷମତା ବୃଦ୍ଧି କରିପାରିଛନ୍ତି ।

Comments are closed.