www.samajalive.in
Monday, December 8, 2025
13.1 C
Bhubaneswar

ରାଜ୍ୟରେ କୋଭିଡ ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ଆସିଛି, ତଥାପି ଆମକୁ ଆହୁରି ସାବଧାନ ହେବାକୁ ପଡିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମି, ତରଳ ଅକ୍ସିଜେନ (ଏଲଏମଓ) ପ୍ଲାଣ୍ଟ ଓ ଚାପ ଅବଶୋଷଣ ପ୍ରଣାଳୀରେ  ଅକ୍‌ସିଜେନ ଉତ୍ପାଦନ ବ୍ୟବସ୍ଥାର (ପିଏସଏ ପ୍ଲାଣ୍ଟ) ଭିତ୍ତିପ୍ରସ୍ତର ରଖିବା ସହିତ ଅନ୍ୟାନ୍ୟ  ଭିତ୍ତିଭୂମିର  ଉଦଘାଟନ କରିଛନ୍ତି।  ଏହି ୮ଟି ଜିଲ୍ଲା ହେଉଛି – ଝାରସୁଗୁଡା, ଭଦ୍ରକ, ଜଗତସିଂହପୁର, ପୁରୀ, ସୋନପୁର, ନୟାଗଡ, ସୁନ୍ଦରଗଡ ଏବଂ ମୟୁରଭଞ୍ଜ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ କୋଭିଡ ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ଆସିଛି ।  ତଥାପି ଆମକୁ ଆହୁରି ସାବଧାନ ହେବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରିଥିଲେ । ତୃତୀୟ ଲହର ପାଇଁ କେତେକ ରାଜ୍ୟରେ ବିଶେଷଜ୍ଞମାନେ ସତର୍କ ସୂଚନା ଦେଇଛନ୍ତି ବୋଲି ପ୍ରକାଶ କରି ଆମ ରାଜ୍ୟରେ ଏଥିପାଇଁ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାସହିତ ଡବଲ ମାସ୍କ ପିନ୍ଧିବା ସହିତ ଟିକା ନିଶ୍ଚିତ ଭାବରେ ନେବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ ଏକ ବର୍ଷରୁ ଅଧିକ ସମୟ ଧରି କରୋନା ବିରୁଦ୍ଧରେ ଲଢେଇ ଜାରି ରହିଛି । ଅପ୍ରେଲରୁ ଆରମ୍ଭ ହୋଇଥିବା ଦ୍ବିତୀୟ ଲହରରେ ରୋଗୀଙ୍କ ଅକ୍‌ସିଜେନ ସ୍ତର କମିବା ଏକ ବଡ ସମସ୍ୟା ହୋଇ ଦେଖାଦେଇଛି । ତେଣୁ ଆମର ସବୁ ହସ୍‌ପିଟାଲରେ ଅକ୍‌ସିଜେନ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ପ୍ରତ୍ୟେକ ଜୀବନ ମୂଲ୍ୟବାନ – ଏହା ହେଉଛି ଆମର ସବୁ ବିପର୍ୟ୍ୟୟ ପରିଚାଳନାର ଆଧାର । କୋଭିଡ କ୍ଷେତ୍ରରେ ମଧ୍ୟ ଏହି ଆଧାରରେ ସବୁ କୋଭିଡ ରୋଗୀଙ୍କୁ ମାଗଣାରେ ଚିକିତ୍ସା ସେବା ଓ ଔଷଧ ଯୋଗାଇ ଦିଆଯାଉଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଆଗଧାଡିରେ ରହି କାମ କରୁଥିବା ସମସ୍ତ ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନବାଡୀ କର୍ମୀଙ୍କୁ ସେମାନଙ୍କର ସେବା ଓ ତ୍ୟାଗ ପାଇଁ ଧନ୍ୟବାଦ ଜଣାଇଛନ୍ତି । ପରିଶେଷରେ ସମସ୍ତଙ୍କ ସହଯୋଗରେ ଓଡିଶା ସହିତ ସାରା ମାନବ ଜାତି କୋଭିଡ ଲଢେଇରେ ବିଜୟ ଲାଭ କରିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ବିଶ୍ବାସ ପ୍ରକଟ କରିଥିଲେ ।

- Advertisement -

ଏହି ଅବସରରେ ବିଭିନ୍ନ ଜିଲାରେ ମନ୍ତ୍ରୀ ନବ ଦାସ, ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ  ପ୍ରତାପ ଜେନା, ମନ୍ତ୍ରୀ  ସମୀର ଦାଶ, ମନ୍ତ୍ରୀ  ରଘୁନନ୍ଦନ ଦାସ, ରାଜ୍ୟସଭା ସାଂସଦ ଏବଂ ବିଧାୟକମାନେ କାର୍ୟ୍ୟକ୍ରମରେ ଉପସ୍ଥିତ ରହି କୋଭିଡ ଲଢେଇରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ବର ଉଚ୍ଚପ୍ରଶଂସା କରିଥିଲେ । ଉନ୍ନୟନ କମିଶନର ପି.କେ. ଜେନା, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା, ସ୍ବାସ୍ଥ୍ୟ ମିଶନର ନିର୍ଦେଶକ ଶାଳିନୀ ପଣ୍ଡିତ ଏବଂ ବିଭିନ୍ନ ଜିଲାର ଜିଲ୍ଲାପାଳମାନେ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି)  ଭି.କେ. ପାଣ୍ଡିଆନ କାର୍ୟ୍ୟକ୍ରମ ସଂଚାଳନ କରିଥିଲେ।  ମୁଖ୍ୟ ଶାସନ ସଚିବ  ସୁରେଶ ମହାପାତ୍ର ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ପି.କେ. ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ ଏବଂ  ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶକ  ଯାମିନୀ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

ସୂଚନାଯୋଗ୍ୟ ଯେ ରାଜ୍ୟରେ ୨୦ଟି ଚାପ ଅବଶୋଷଣ ପ୍ରଣାଳୀରେ  ଅମ୍ଲଜାନ  ଉତ୍ପାଦନ ବ୍ୟବସ୍ଥା କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଜୁନ୍ ୯ ତାରିଖରେ  ୭ଟି  ଓ ଆଜି ୮ଟି ପିଏସଏ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ରଖାଯାଇଛି । ଏହି ୨୦ଟି ପିଏସଏ ପ୍ଲାଣ୍ଟ ଦ୍ବାରା ମିନିଟ୍‌ ପ୍ରତି ୨୪ ହଜାର ଲିଟର ମେଡିକାଲ ଅକ୍‌ସିଜେନ ଉତ୍ପାଦିତ ହୋଇପାରିବ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories